Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନୁଭବ ମହାନ୍ତିଙ୍କର ସବୁଠୁ ବଡ ଅପରାଧ ହେଉଛି ସେ ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷ ଭୋଟରେ ହରାଇଛନ୍ତି!!
ବିଶେଷ ଖବର

ଅନୁଭବ ମହାନ୍ତିଙ୍କର ସବୁଠୁ ବଡ ଅପରାଧ ହେଉଛି ସେ ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷ ଭୋଟରେ ହରାଇଛନ୍ତି!!

November 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜିକାଲି ଓଡିଶାର ଏକ ନମ୍ବର ଟିଭି ଚାନେଲର ଏକମାତ୍ର ଖବର ହେଉଛନ୍ତି ଅନୁଭବ ମହାନ୍ତି। ଏକମାତ୍ର ଏଇଥିପାଇଁ ଯେ ଖବର ପରିବେଷଣର ପୂରା ଅଧା ଘଣ୍ଟା ସମୟ କେବଳ ଅନୁଭବ ମହାନ୍ତିଙ୍କ ବିଷୟରେ ଗପ ଶୁଣିବାକୁ ଆମକୁ ବାଧ୍ୟ କରା ଯାଉଛି। ଅବଶ୍ୟ ଅନୁଭବ ଓଡିଶାର ଚର୍ଚ୍ଚିତ ସିନେମା ତାରକା ଓ ରାଜନେତା। ତେଣୁ ଖବରରେ ରହିବାର ଯୋଗ୍ୟତା ତାଙ୍କର ରହିଛି। ହେଲେ ଏକ ନମ୍ବର ଟିଭିର କହିବା କଥା ହେଲା ଅନୁଭବ ଓଡିଶାର ଏକ ନମ୍ବର ଖଳନାୟକ। ଅନୁଭବ ତାଙ୍କ ପଡୋଶୀ ସହ ଝଗଡା କଲେ, ସେଇଟା ମୁଖ୍ୟ ଖବର। ଅନୁଭବଙ୍କ ଭାଇଙ୍କ ନାଁରେ କେହିଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଲେ, ସେଇଟା ଖବର। ଅନୁଭବ ଏକ ନମ୍ବର ଟିଭିର ସାମ୍ବାଦିକଙ୍କୁ ତାଳି ମାରି ତାଚ୍ଛଲ୍ୟ କଲେ, ସେଇଟା ବି ଖବର। ତାଳି ମାରି ନମସ୍କାର କରିବା, ସାମ୍ବାଦିକତାର ଅପମାନ ବୋଲି କାଲିଠୁ ଏକ ନମ୍ବର ଟିଭିରେ ଖବର ଚାଲିଛି। ଏ ରାଜ୍ୟରେ ଆଉ କିଛି ଖବର ନାହିଁ, କେବଳ ଏକମାତ୍ର ଖବର ଅନୁଭବ ମହାନ୍ତି!

ତେବେ ଅନୁଭବ ମହାନ୍ତି କାହିଁକି?୨୦୧୯ଆଗରୁ ତ ଅନୁଭବ ଏକ ନମ୍ବର ଟିଭିର ଏତେ ବଡ ଖବର ନଥିଲେ। ୨୦୧୯ ଆଗରୁ ତାଙ୍କୁ ସୁପର ଷ୍ଟାର ବୋଲି ଏକ ନମ୍ବର ଟିଭିର ବହୁ କାର୍ୟକ୍ରମରେ ଆମେ ଦେଖିଛୁ। ଯଦିଓ ଆମେ ଅନୁଭବଙ୍କ ସିନେମାର ପ୍ରଶଂସକ ନୋହୁ, ତଥାପି ଏକନମ୍ବର ଟିଭି ର ସହଯୋଗୀ ସଂସ୍ଥା ତିଆରି କରିଥିବା କିଛି ସିନେମାରେ ଅନୁଭବ ଅଭିନୟ କରିଥିବା ଖବର ଆମେ ଜାଣିଛୁ। ୨୦୧୯ ପୂର୍ବରୁ ଅନୁଭବ ଥିଲେ ସୁପରଷ୍ଟାର, ଓଡିଆ ଲୋକଙ୍କ ପ୍ରିୟ ନାୟକ। ୨୦୧୪ ପରେ ସବୁଠୁ ବଡ ଖଳନାୟକ- କାହିଁକି? ଏମିତି ବି ନୁହଁ ଯେ ଅନୁଭବ ୨୦୧୯ରେ ରାଜନୀତିକୁ ଆସିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଯେତେବେଳେ ରାଜନୀତିକୁ ଆସିଲେ ଓ ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଲା, ତାକୁ ନେଇ ବହୁ ସମାଲୋଚନା ହୋଇଥିବା ବେଳେ, ଏକ ନମ୍ବର ଟିଭି ତାଙ୍କର ସବୁଠୁ ବଡ ସ୍ତାବକ ଥିଲା।

ଆମର ମନେଅଛି, ଏକନମ୍ବର ଟିଭିର କୌଣସି ଏକ କାର୍ୟକ୍ରମରେ ଅନୁଭବ ଅତିଥି ହୋଇ ଆସିଥିଲେ। ସେଥିରେ ତାଙ୍କୁ ଆଙ୍କର କିଛି ପ୍ରଶ୍ନ ପଚାରିବା ବେଳେ, ଅନୁଭବ ଆଙ୍କରଙ୍କୁ ରୀତିମତ ରାଗିଂ କରିଥିଲେ। ସେତେବେଳେ ଅନୁଭବଙ୍କ ଆଚରଣକୁ ନେଇ ଏକନମ୍ବର ଟିଭି କୌଣସି ଖବର ଦେଖାଇ ନଥିଲା। ଆଜି ହଠାତ ଏ ପରିବର୍ତ୍ତନ କାହିଁକି? ଏ ପ୍ରଶ୍ନର ଉତ୍ତର ଜଟିଳ ନୁହେଁ। ୨୦୧୯ କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ଅନୁଭବ ଏକନମ୍ବର ଟିଭିର ମାଲିକ/ପୃଷ୍ଠପୋଷକଙ୍କ ବିରୋଧରେ ନିର୍ବାଚନ ଲଢିଲେ। ଆଗରୁ ଦୁହେଁ ଗୋଟେ ଦଳରେ ଥିଲେ, ତେଣୁ ଭାବପ୍ରୀତି ବଢିଆ ଥିଲା। ୟେ ତାଙ୍କୁ ଟେକୁଥିଲେ, ସେ ଯାଙ୍କୁ ଟେକୁଥିଲେ। ଏବେ କିନ୍ତୁ କଥା ବଦଳିଗଲା।

ଅନୁଭବ କେବଳ ନିର୍ବାଚନ ଲଢିଲେ ନାହିଁ, ସେ ଏକନମ୍ବର ଟିଭିର ମାଲିକ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାୟ ଦେଢ ଲକ୍ଷ ଭୋଟରେ ହରାଇଲେ। ଅନୁଭବଙ୍କର ତାହା ହେଉଛି ଅପରାଧ। ଖାଲି ଅପରାଧ ନୁହଁ, ସବୁଠୁ ବଡ ଅପରାଧ। ଏତେ ବଡ ଗଣମାଧ୍ୟମ ସଂସ୍ଥାର ମାଲିକ, ଶିଲ୍ପପତି, ସୋସିଆଲ ମିଡିଆର ନାୟକଙ୍କୁ, ଗୋଟେ ଓଡିଆ ଅଭିନେତା ହରାଇଦେବ- ଏଇଟା କି କମ ଅପରାଧ! ସେଇଠୁ ଆରମ୍ଭ ହେଲା ଏକନମ୍ବର ଟିଭିର ଅନୁଭବ ବିରୋଧୀ ଅଭିଯାନ। ଗତ ଛଅ ମାସରେ ଓଡିଶାର ଅନ୍ୟ ରାଜନେତାଙ୍କ ବିଷୟରେ କେତେ ଖବର ଓ ଅନୁଭବବଙ୍କ ବିଷୟରେ କେତେ ଖବର  ଏକ ନମ୍ବର ଟିଭିରେ ବାହାରିଛି, ତାହାର ଏକ ତୁଳକନାତ୍ମକ ଚିତ୍ର ସହଜରେ ମିଳିଯିବ। ନିଜର ରାଜନୈତିକ ପ୍ରତିପକ୍ଷଙ୍କୁ ସାବାଡ କରିବାକୁ ନିଜର ଗଣମାଧ୍ୟମ ସଂସ୍ଥାକୁ ବ୍ୟବହାର କରିବା ଓ ତାକୁ ଯଦି ପ୍ରତିପକ୍ଷ ବିରୋଧ କଲେ, ତାହା ଗଣମାଧ୍ୟମ ସ୍ଵାଧୀନତା ଉପରେ ହସ୍ତକ୍ଷେପ ବୋଲି ସୁଆଙ୍ଗ କରିବା, ଆଉ କିଛି ହେଉ କି ନ ହେଉ, ସାମ୍ବାଦିକତା ନୁହେଁ।

କେନ୍ଦ୍ରାପଡାରେ ଏକନମ୍ବର ଟିଭିର ସାମ୍ବାଦିକଙ୍କୁ ତାଚ୍ଛଲ୍ୟ କରିବା ଏମିତି ଗୋଟେ ବଡ ଅପରାଧ ନୁହେଁ ଯେ ତାକୁ ଖବର କରିବାକୁ ଯାଇ ରାଜ୍ୟର ବାକି ସବୁ ଖବରକୁ ଚାପି ଦିଆଯିବ। ଅନୁଭବ ମହାନ୍ତି ହୁଏତ ଆଉ ଟିକେ ଶାଳୀନ ହୋଇଥାଇ ପାରିଥାନ୍ତେ କିମ୍ବା ଏକନମ୍ବର ଟିଭିର ସାମ୍ବାଦିକଙ୍କୁ ନମ୍ରତାର ସହିତ ଆଡେଇ ଯାଇ ପାରିଥାନ୍ତେ। ତେବେ ତାଙ୍କ ପ୍ରତିକ୍ରିୟାରେ ହିଂସା ବା ଅଶ୍ଳୀଳତା ନଥିଲା। ଅତି ବେଶୀରେ ଏହା ୩୦  ସେକେଣ୍ଡର ଏକ ଖବର ହୋଇପାରିବ। କିନ୍ତୁ ଏକନମ୍ବର ଟିଭିର ଏହା ହିଁ ଏକମାତ୍ର ଖବର ମାନେ ଉଦ୍ଦେଶ୍ୟ ସ୍ପଷ୍ଟ। ମାଲିକଙ୍କୁ ହରାଇଥିବାର ଅପରାଧ ଯୋଗୁଁ ଅନୁଭବଙ୍କୁ ଏ ଦଣ୍ଡ ତ ଭୋଗିବାକୁ ପଡିବ! ବାକି ଗଣମାଧ୍ୟମର ସ୍ଵାଧୀନତା, ସାମ୍ବାଦିକର ସମ୍ମାନ, ରାଜନେତାଙ୍କ ଅଶାଳୀନ ଆଚରଣ, ଏ ଗୁଡା କେବଳ ଶସ୍ତା ସିନେମାର ଡାଇଲଗ ମାତ୍ର।

ବାବୁ ବୈଜୟନ୍ତଙ୍କୁ ଦେଢ ଲକ୍ଷ ଭୋଟରେ ହରାଇଥିବାର ଅପରାଧ ଯୋଗୁଁ ବାବୁ ଅନୁଭବଙ୍କୁ ଏକ ନମ୍ବର ଟିଭି ସହଜରେ ଛାଡିବ ନାହିଁ! ଆଉ ଆମେ ସବୁ ଭକୁଆ ଦର୍ଶକ ଏ ସୁଆଙ୍ଗ ଦେଖି ସେମାନଙ୍କ ଟିଆରପି ବଢାଇ ଚାଲିବୁ!!

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025
Latest News

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025

ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

November 18, 2025

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.