ସମୀକ୍ଷା ବ୍ୟୁରୋ
ପୋଲିସ ବିଭାଗର ମୁଖିଆ କିଏ ହେବେ, କେମିତି ହେବେ, ତାର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେମିତି ତାଙ୍କୁ କେମିତି ବଦଳି କରାଯିବ ବା ବିଦା କରାଯିବ, ସେ ସମ୍ପର୍କିତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର ଅଧିକାରଭୁକ୍ତ। ତେଣୁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବଦଳି କରିବାରେ ମୁଖ୍ୟମନ୍ତ୍ରୀଙ୍କର ଅଧିକାରକୁ ନେଇ ପ୍ରଶ୍ନ ଉଠାଇବାର କୌଣସି କାରଣ ନାହିଁ। ସେହିପରି କେତେବେଳେ ଓ କେମିତି ତାଙ୍କର ବଦଳି ଆଦେଶ ବାହାରିବ, ତାହା ମଧ୍ୟ ପ୍ରଶାସନର ନିଜସ୍ଵ ବ୍ୟାପାର। ପୋଲିସ ମହା ନିର୍ଦ୍ଦେଶକ ଭାବରେ ନୂଆ ନିଯୁକ୍ତି ପାଇଥିବା ଶ୍ରୀ ଅଭୟ ଅତ୍ୟନ୍ତ ଯୋଗ୍ୟ ଅଧିକାରୀ ଓ ତାଙ୍କର ସଚ୍ଚୋଟତା ସପକ୍ଷରେ ମଧ୍ୟ ଅନେକ ପ୍ରମାଣ ରହିଛି। ଅପରପକ୍ଷରେ ବିଦାୟୀ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଯେଉଁ ଅଭିଯୋଗରେ ବିଦା କରାଯାଇଛି, ତାହା ଅତ୍ୟନ୍ତ ସଙ୍ଗୀନ। ତେବେ ଆମର ପ୍ରଶ୍ନ ହେଉଛି, ବିଜୟ କୁମାର ଶର୍ମାଙ୍କ ଟ୍ରାକ ରେକର୍ଡ ବିଷୟରେ ରାଜ୍ୟ ସରକାର ପୂର୍ବରୁ ଅବଗତ ନଥିଲେ କି? ଓଡିଶାର ପୋଲିସ ପ୍ରଶାସନ ସମ୍ପର୍କରେ ସାଧାରଣ ଭାବେ ଅବଗତ ଯେ କୌଣସି ଲୋକକୁ ପଚାରିଲେ ସେ କହିବ, ବିଜୟ କୁମାର ଶର୍ମାଙ୍କ ଇତିହାସ କଣ? ଯେଉଁ ମାମଲାର ତଦନ୍ତ ନିର୍ଦ୍ଦେଶ ସହିତ ଶ୍ରୀ ଶର୍ମାଙ୍କୁ ତୁରନ୍ତ ବଦଳି କରାଯାଇଛି, ସେ ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ବହୁ ଆଗରୁ ହୋଇ ଆସୁଥିଲା।
ସମ ହସପିଟାଲ ଅଗ୍ନିକାଣ୍ଡ ପରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ପ୍ରମାଣପତ୍ର ଦେବାକୁ ଯାଇ ବ୍ୟାପକ ମୂଲଚାଲ ହୋଇଥିବା କଥା, ଶୁଣା ଯାଉଥିଲା। ଏ ସମ୍ପର୍କରେ ଖୋଲାଖୋଲି କେହି ମୁହଁ ଫିଟାଉନଥିଲେ ମଧ୍ୟ କଥାଟିର ସତ୍ୟତା କଣ ସମସ୍ତେ ଜାଣିଥିଲେ। ଏହାର ଖବର ଗୁଇନ୍ଦା ବିଭାଗ ରାଜ୍ୟ ସରକାରଙ୍କୁ ଦେଇ ନଥିଲେ କି? ତା ପୂର୍ବରୁ ଭୁବନେଶ୍ଵର -କଟକ ମହାନଗରର ପୋଲିସ କମିଶନର ଥିବା ସମୟରେ ଚିଟ ଫଣ୍ଡ ମାଫିଆଙ୍କ ସମ୍ପର୍କରେ ଶ୍ରୀ ଶର୍ମାଙ୍କ ଅନୁସନ୍ଧାନକୁ ନେଇ ଅନେକ ସନ୍ଦେହ ରହି ଆସିଥିଲା। ଏକଦା ବିଜେଡ଼ିର ଦ୍ଵିତୀୟ କ୍ଷମତାକେନ୍ଦ୍ର ଭାବରେ ପରିଚିତ ପ୍ୟାରୀମୋହନ ମହାପାତ୍ରଙ୍କ ଆଖି କାନ ଭାବେ ପରିଚିତ ବିଜୟ ଶର୍ମା, ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କର ଆଶୀର୍ବାଦ ପାଇଲେ କେମିତି?
ଆଜି ନ ହେଲେ କାଲି, ବିଜୟ କୁମାର ଶର୍ମାଙ୍କ ବିରୋଧରେ ତଦନ୍ତ ହୋଇଥାନ୍ତା ନିଶ୍ଚୟ। ଓଡିଶା ପୋଲିସର ସବୁଠୁ ବିବଦମାନ ଚେହେରା ଭାବରେ ତାଙ୍କର ପରିଚିତି ସତ୍ତ୍ୱେ ତାଙ୍କୁ ଯେତେବେଳେ ଗତ ନିର୍ବାଚନ ପୂର୍ବରୁ ଡିଜିପି କରାଗଲା, ତାହା ଥିଲା ସବୁଠୁ ବଡ ବିସ୍ମୟ।୧୯୮୬ ବ୍ୟାଚର ଯେଉଁ ଚାରି ଜଣ ବରିଷ୍ଠ ପୋଲିସ ଅଧିକାରୀ ଡିଜିପି ହେବାକୁ ଯୋଗ୍ୟ ସେମାନଙ୍କ ମଧ୍ୟରେ ଶ୍ରୀ ଅଭୟ, ଶ୍ରୀ ପ୍ରଦୀପ କପୁର ଓ ଶ୍ରୀ ଏମ.ନାଗେଶ୍ଵର ରାଓଙ୍କ ସମେତ ଶ୍ରୀ ଶର୍ମାଙ୍କ ନାମ ରହିଥିଲା। ତେବେ ଶ୍ରୀ ଅଭୟଙ୍କୁ ବାଦ ଦେଇ ସେତେବେଳେ ବିଜୟ ଶର୍ମାଙ୍କୁ ଡିଜିପି କରାଇବା ପଛରେ କଣ କାରଣ ରହିଥିଲା, ତାହା ଆଜି ମଧ୍ୟ ରହସ୍ୟ ହୋଇ ରହିଛି।