Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚତାରକା ହୋଟେଲରେ ବେଚାରା ଗଣତନ୍ତ୍ରର ଉଲଗ୍ନ ଫେଶନ ଶୋ, ଜୟ ହୋ!! 
ବିଶେଷ ଖବର

ପଞ୍ଚତାରକା ହୋଟେଲରେ ବେଚାରା ଗଣତନ୍ତ୍ରର ଉଲଗ୍ନ ଫେଶନ ଶୋ, ଜୟ ହୋ!! 

November 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚତାରକା ହୋଟେଲରେ ବେଚାରା ଗଣତନ୍ତ୍ରର ଉଲଗ୍ନ ଫେଶନ ଶୋ, ଜୟ ହୋ!!
କେଦାର ମିଶ୍ର 

ଗତ ପାଞ୍ଚବର୍ଷ ଭିତରେ ଟେଲି ଗଣମାଧ୍ୟମର ବ୍ୟାପକ ଅବକ୍ଷୟ ଘଟିଥିବା ବେଳେ, ଅନ୍ତତଃ କେତୋଟି ଇଂରାଜୀ ସଂବାଦପତ୍ର ନିଜର ମେରୁଦଣ୍ଡକୁ ସଳଖ ରଖିବାରେ ସମର୍ଥ ହୋଇଛନ୍ତି। ସେଇ ଅଳ୍ପ କେତୋଟି ସମ୍ବାଦପତ୍ର ଭିତରୁ କଲିକତାରୁ ପ୍ରକାଶ ପାଉଥିବା “ଦି ଟେଲିଗ୍ରାଫ” ଅନ୍ୟତମ। ଖବର ପରିବେଷଣ କରିବା ସମୟରେ ସବୁଠୁ ଶକ୍ତିଶାଳୀ ଶିରୋନାମା ଲେଖିବାରେ ଏହି ଖବର କାଗଜ ଇତିହାସ ସୃଷ୍ଟି କରିଛି। ଏହାର ସର୍ବଶେଷ ଉଦାହରଣ ହେଉଛି, ଗତକାଲି ମହାରାଷ୍ଟ୍ର ରାଜନୀତିକୁ ନେଇ “ଦି ଟେଲିଗ୍ରାଫ” ର ଶିରୋନାମା। “ଆଧୁନିକ ଭାରତର ମନ୍ଦିର; ହୋଟେଲ ହେଉଛି ଏକମାତ୍ର ସଂସ୍ଥା ଯେଉଁଠି ଆମର ଗଣତନ୍ତ୍ର ସୁରକ୍ଷିତ”।

ମହାରାଷ୍ଟ୍ର ରାଜନୀତିରେ ଯେଉଁ ହଟ ଚମଟ ଚାଲିଛି, ସେଥିରେ ସବୁଦଳ ନିଜ ନିଜ ବିଧାୟକମାନଙ୍କୁ ବିଭିନ୍ନ ତାରକା ହୋଟେଲ ଗୁଡିକରେ ଲୁଚାଇ ରଖିଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଫଳ ବାହାରିବା ପରଠୁ ସବୁ ଦଳର ବିଧାୟକମାନେ ଏ ହୋଟେଲରୁ ସେ ହୋଟେଲ ନିଜର ଶିବିର ବଦଳାଇ ଚାଲିଛନ୍ତି। କ୍ଷମତାର ଅହଂକାର ଓ ସରକାର ଗଢିବା ଲାଗି ଟଙ୍କା ଖେଳର ଉଲଗ୍ନ ନାଟକ ଆମେ ସମସ୍ତେ ଦେଖୁଛୁ। ତେବେ ଦେଖଣାହାରୀ ଭାବରେ କିଛି ଲୋକ ଏହାକୁ ନେଇ ଭାରି ଖୁସି। ଅନ୍ତତଃ ଗଣତନ୍ତ୍ରର ଏହି ଉଲଗ୍ନ ଫେଶନ ଶୋ ଦେଖିବା ଓ ଦେଖାଇବାରେ ଟେଲିଭିଜନ ସାମ୍ବାଦିକତାର ପ୍ରବଳ ଆସକ୍ତି। ବିକାକିଣା ଓ ଘୋଡା ବେପାରର ଏହି ଅନୈତିକ କେହି କେହି ମାଷ୍ଟର ଷ୍ଟ୍ରୋକ ବୋଲି ବି କହୁଛନ୍ତି। ଯଦି ଚୋରାରେ ରାତି ଅଧିଆ ସରକାର ଗଢିବା, ଦଳ ଓ ପରିବାର ଭାଙ୍ଗି କ୍ଷମତା ଦଖଲ କରିବା ଯଦି ମାଷ୍ଟର ଷ୍ଟ୍ରୋକ ହୁଏ, ତାହେଲେ ଏହା ଗଣତନ୍ତ୍ର ଲାଗି ସବୁଠୁ ଭୟଙ୍କର “ବ୍ରେନ ଷ୍ଟ୍ରୋକ” ମଧ୍ୟ ହୋଇପାରେ। ମସ୍ତିସ୍କରେ ଆଘାତ ଲାଗିଲେ ମଣିଷ ପକ୍ଷାଘାତ ରୋଗ ଭୋଗିଥାଏ। ଆଜି ଆମ ଗଣତନ୍ତ୍ର ସେହି ପକ୍ଷାଘାତ ପୀଡିତ ଅବସ୍ଥାରେ ପଡିଛି।

ଯେତେବେଳେ ବି ଆଜିର କ୍ଷମତା ଯୁଦ୍ଧ କଥା ଉଠୁଛି, ସେତେବେଳେ ଅଶି ଦଶକରେ କଂଗ୍ରେସର ଚେହେରା ମଧ୍ୟ ଦିଶୁଛି। କଂଗ୍ରେସର କଳଙ୍କ ଆଜି ବିଜେପିର ଆଦର୍ଶ ପାଲଟି ଯାଇଛି। ବିଧାୟକ ବିକାକିଣାର ସବୁଠୁ ବଡ ବଜାରରେ ବିଜେପି ହେଉଛି ଆମ ସମୟର ସବୁଠୁ ବଡ ଖରିଦଦାର। ମହାରାଷ୍ଟ୍ର ତ ଆଜିର କଥା। ଆଜି ହୁଏତ ସୁପ୍ରିମ କୋର୍ଟଙ୍କ ପାଖରେ ବିଚାର ପାଇଁ ସମୟ ଅଛି। ଆଉ ସେ ସମୟ ଭିତରେ ବିକାକିଣାର ପର୍ୟାପ୍ତ ସୁଯୋଗ ରହିଛି।

ମାସ ମାସ ଧରି ସରକାର ହୋଇ ପାରୁନଥିବା ମହାରାଷ୍ଟ୍ରରେ ରାତି ଅଧିଆ ସରକାର ହେଉଛି। ଯିଏ ତାଙ୍କ ସହିତ ୫୪ ଜଣ ବିଧାୟକ ଅଛନ୍ତି ବୋଲି ରାଜ୍ୟପାଳ ଓ ସୁପ୍ରିମ କୋର୍ଟଙ୍କୁ ଲେଖିକି ଦେଇଛନ୍ତି,ତାଙ୍କ ପାଖରେ ତାଙ୍କ ନିଜ ବ୍ୟତୀତ ଆଉ କେହିବି ନାହାନ୍ତି। ତେବେ ଏହାର ବିଚାର କରିବା କିଏ? ଆଇନ ଅନୁସାରେ ବିଧାନସଭାର ଗୃହ ଭିତରେ ହିଁ ଏହାର ଚୂଡାନ୍ତ ନିଷ୍ପତ୍ତି ହେବ। ହେଲେ ବିଧାନସଭା ଅଛି କି? ବିଧାୟକମାନେ ନିର୍ବାଚିତ ସିନା ହୋଇଛନ୍ତି, ସେମାନେ ବିଧାୟକ ଭାବରେ ଶପଥ ନେଇ ନାହାନ୍ତି। ଶପଥ ନ ନେବା ଯାଏ ସେମାନେ ବିଧାୟକ ଭାବରେ ଭୋଟ ଦେବେ କେମିତି? ଏବେ ବିଧାନସଭା ବାଚସ୍ପତି କିଏ ହେବେ? ଅବଶ୍ୟ କର୍ଣ୍ଣାଟକରେ କାମଚଳା ବାଚସ୍ପତିଙ୍କ ଅଧୀନରେ ସଂଖ୍ୟା ଗରିଷ୍ଠତାର ପରୀକ୍ଷା ହୋଇଥିଲା। ମହାରାଷ୍ଟ୍ରରେ ମଧ୍ୟ ତାହା ହୋଇପାରେ। ହେଲେ ୨୮୮ ବିଧାୟକ ଶପଥ ନେବାକୁ ସମୟ ଲାଗିବ। ଶପଥ ନେଲା କ୍ଷଣି ବିଧାୟକମାନେ ଦଳବଦଳ ନିରୋଧ ଆଇନର ପରିସରରେ ରହିବେ। ତେଣୁ ଅଜିତ ପାୱାରଙ୍କ ପାଖରେ ଅତିକମରେ ୩୬ ବିଧାୟକଙ୍କ ସମର୍ଥନ ଦରକାର। ୩୬ ବିଧାୟକ କିଣିବା ଲାଗି ଏ ସମୟ ଅତି ଜରୁରୀ।

ତେଣୁ ବିଧାୟକମାନେ ମାନେ ଏବେ ହୋଟେଲ ର ବନ୍ଦ କୋଠରୀରେ ଗଣତନ୍ତ୍ରର ସମାଧି ତିଆରି କରୁଛନ୍ତି। ବର୍ଷ ବର୍ଷ ଧରି ଏ ନାଟକ ଚାଲିଛି। ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, କର୍ଣ୍ଣାଟକ ଓ ମହାରାଷ୍ଟ୍ର- ସବୁ ରାଜ୍ୟରେ କ୍ଷମତା ଦଖଲ କରିବାକୁ ବିଜେପି ଖୋଲା ବିଧାୟକ ବଜାର ନିର୍ମାଣ କରିଛି। ଗୁଜରାଟ ରାଜ୍ୟସଭାରେ ଅହମ୍ମଦ ପଟେଲଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରାଇନଦେବା ଲାଗି କଂଗ୍ରେସ ବିଧାୟକମାନଙ୍କୁ ଏ ହୋଟେଲରୁ ସେ ହୋଟେଲ ବିଲେଇ ଭଳି ଅଦଳ ବଦଳ କରାଗଲା। ଖାଲି ହୋଟେଲ ରେ ବିଧାୟକ ରହିଲେ, ହେଉନାହିଁ। ଏମାନଙ୍କ ପଛରେ କେନ୍ଦ୍ର ସରକାରଙ୍କ ଇଡି, ସିବିଆଇ, ଆୟକର ବିଭାଗ ମଧ୍ୟ ଲାଗିଛନ୍ତି। ଏ ପ୍ରକାର ଘୋଡା ବେପାର ଦେଖି ଗୋଟେ ସମୟରେ ଲୋକେ ଲଜ୍ଜିତ ହେଉଥିଲେ। ଗଣମାଧ୍ୟମ ଏ ପ୍ରକାର ଘଟଣାକୁ ଭର୍ତ୍ସନା କରୁଥିଲା। ଏବେ କିନ୍ତୁ ଗଣମାଧ୍ୟମରେ ଏହା ମାଷ୍ଟରଷ୍ଟ୍ରୋକ ଭାବେ ପ୍ରଚାରିତ ହେଉଛି। ସବୁଠୁ ବେଆଇନ, ସମ୍ବିଧାନ ବିରୋଧୀ ଓ ଅନୈତିକ ବିଧାୟକ କାରବାରକୁ ଚାଣକ୍ୟ ନୀତି ବୋଲି କୁହାଯାଉଛି।

ଆଜି ପ୍ରଶ୍ନ ଉଠୁଛି, ଏ ପ୍ରକାର ଉଲଗ୍ନ ଫେଶନ ଶୋ ରୁ ଆମର ଗଣତନ୍ତ୍ର ମୁକ୍ତ ହୋଇ ପାରିବ କି? ବିଧାୟକ ବିକାକିଣାର ରାଜନୀତି ବିରୋଧରେ ଦେଶର ସବୁ ଅନୁଷ୍ଠାନ (ସୁପ୍ରିମ କୋର୍ଟଙ୍କ ସମେତ) ଚୁପ ରହିବେ ନା ଏହାକୁ ସବୁଦିନ ଲାଗି ବନ୍ଦ କରିବାର ଏକ ବାଟ ବାହାରିବ? ରାଜୀବ ଗାନ୍ଧୀଙ୍କ ସମୟରେ ଯେଉଁ ଦଳ ବଦଳ ନିରୋଧ ଆଇନ ଆସିଥିଲା, ସେଥିରେ ଅନେକ ଗଳା ବାଟ ରହିଛି। ତାହାର ସଂଶୋଧନ ହେଉ ନାହିଁ କାହିଁକି?

MahaPolitics weare162 ଏନସିପି କଂଗ୍ରେସ କେଦାର ମିଶ୍ର ଶିବସେନା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026
Latest News

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.