47 ତମ ଏମ୍ମୀ ଆଓ୍ବାର୍ଡରେ ଯୋଗ ଦେଲେ ରାଧିକା : ଡ୍ୟାନ୍ସ ଅର୍‌ ଡାଇକୁ ଶ୍ରେଷ୍ଠ ପୁରସ୍କାର

Published: Nov 26, 2019, 1:25 pm IST

ନ୍ୟୁୟର୍କ,26/11:   ନ୍ୟୁୟର୍କର ହିଲ୍‌ଟନ୍‌ରେ ସମାପିତ ହୋଇଛି 47 ତମ ଏମ୍ମୀ ଆଓ୍ବାର୍ଡ । ଭାରତୀୟ ଅଭିନେତ୍ରୀ ରାଧିକା ଆପ୍ତେ ଏମ୍ମୀର ରେଡ କାର୍ପେଟରେ ନଜର ଆସିଥିଲେ । ଏକ ଲେଜର୍‌ କଟ୍‌ ଆଇରିସ୍‌ ଭାନ୍‌ ହର୍ପେନ୍‌ରେ ନଜର ଆସିଥିଲେ ଏହି ଅନ୍ଧାନ୍ଧୁନ ଅଭିନେତ୍ରୀ । ଟିଭି ଜଗତର ଓସ୍କାର ଭାବରେ ପରଚିତ ଏହି ପୁରସ୍କାର ଉତ୍ସବରେ ଟିଭି ଜଗତର 1000 କଳାକାର ଯୋଗ ଦେଇଥିଲେ । ଡଚ୍‌ ଫିଲ୍ମ ଡ୍ୟାନ୍ସ ଅର୍‌ ଡାଇକୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ଯୁଦ୍ଧ ପ୍ରପୀଡିତ ସିରିଆରେ ନାଚିବାର ନିଜର ସ୍ବପ୍ନ ପୂରଣ କରୁଥିବା ଅହମ୍ମଦ ଜୁଡ୍‌ଙ୍କ କାହାଣୀ ଦେଖିବାକୁ ମିଳିଛି । 11ଟି ଅନ୍ତର୍ଜାତୀୟ କାହାଣୀକୁ ପଛରେ ପକାଇ ଡ୍ୟାନ୍ସ ଅର୍‌ ଡାଇ ଶ୍ରେଷ୍ଠ ପୁରସ୍କାର ହାତେଇଥିଲେ । ଆମେରିକାନ୍‌ ଟିଭି ସିରିଜ୍‌ ଏମ୍‌ସି ମାଫିଆ ଶ୍ରେଷ୍ଠ ଡ୍ରାମା ଟିଭି ସିରିଜ୍‌ ପୁରସ୍କାର ହାସଲ କରିଛି ।

ତୁର୍କୀର ହାଲୁକ୍‌ ବିଲ୍‌ଜିନରଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କୃତ କରାଯାଇଥିବା ବେଳେ ହଙ୍ଗେରୀର ମାରିନା ଗେରାଙ୍କୁ ଶ୍ରଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା । କମେଡି ବର୍ଗରେ ବ୍ରାଜିଲିଆନ୍‌ ସିରିଜ୍‌ ଦ ଲାଷ୍ଟ ହ୍ୟାଙ୍ଗଓଭରକୁ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ପ୍ରାମାଣିକ ଚଳଚିତ୍ର ବର୍ଗରେ ବେଲିଙ୍ଗକ୍ୟାଟ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି । ଅଣ ଇଂରାଜୀ ସିରିଜ ବର୍ଗରେ ଫାଲ୍‌କୋ, ସର୍ଟ ଫିଲ୍ମ ସିରିଜ୍‌ ବର୍ଗରେ ହ୍ୟାକ୍‌ ଦ ସିଟି ଏବଂ ମିନି ସିରିଜ୍‌ ବର୍ଗରେ ସେଫ୍‌ ହାର୍ବରକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି । (ଏଜେନ୍ସୀ)

Related posts