କେଦାର ମିଶ୍ର
ମାତ୍ର ୧୧ ମାସରେ ଗୋଟିଏ ଜିଲାରେ ଘଟିଛି ୮୬ ଟି ଧର୍ଷଣ ଓ ୧୮୫ ବଳାତ୍କାର ଘଟଣା। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୬୩ କିଲୋମିଟର ଦୂରରେ ଅବସ୍ଥିତ ଉନ୍ନାଓ ଜିଲ୍ଲା ଏବେ ମହିଳାଙ୍କ ପାଇଁ ଏବେ ନିର୍ୟାତନାର ଯାତନା ଗୃହ ପାଲଟିଛି। ଯେଉଁ ଦିନ ପୋଲିସର ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନ୍ୟାୟକୁ ନେଇ ସାରା ଦେଶ ବଡ ଖୁସି ରେ ନାଚୁଥିଲା, ସେଦିନ ଉନ୍ନାଓ ର ଆଉ ଏକ ଝିଅକୁ ତାର ଧର୍ଷଣକାରୀମାନେ ପୋଡି ମାରିଦେଲେ। ସେ ପୋଡି ମାରିବାର ଦୃଶ୍ୟ ବି କିଛି ଭୟାନକ ନଥିଲା। ୯୦ ଭାଗ ପୋଡିଯାଇଥିବା ଗୋଟେ ଆଦିବାସୀ ଝିଅ ଦଉଡି ଦଉଡି ଗୋଟେ କିଲୋମିଟର ପରେ ପୋଲିସ କୁ ଫୋନ କରି ପାରିଲା। ମାତ୍ର ୧୦ ଘଣ୍ଟା ଭିତରେ ଝିଅଟିର ଜୀବନ ଚାଲିଗଲା। କିଛିମାସ ଆଗରୁ ଝିଅଟିକୁ ଧର୍ଷଣ କରିଥିବା ଅପରାଧୀମାନେ ଜେଲରୁ ଜାମିନ ପାଇ ଫେରିଥିଲେ। ଅପରାଧୀର ପୂରା ପରିବାର ମିଶି ଝିଅଟିକୁ ମାରିଦେଲେ। ହରିଶଙ୍କର ତ୍ରିବେଦୀ, ରାମ ତ୍ରିବେଦୀ, ଶିବମ ତ୍ରିବେଦୀ, ଶୁଭମ ତ୍ରିବେଦୀ ଓ ଉମେଶ ବାଜପାୟୀ ନାମକ ଏ ପାଞ୍ଚଜଣ ଅପରାଧୀ ନିୟମିତ ପୋଲିସ ସୁରକ୍ଷା ପାଇ ଆସୁଥିଲେ। କେବଳ ଏଇ ଘଟଣା ନୁହେଁ, ଏହା ପୂର୍ବରୁ ଉନ୍ନାଓ ର ବିଧାୟକ କୁଳଦୀପ ସିଂ ସେଙ୍ଗର ସମାନ ଧର୍ଷଣ ଅଭିଯୋଗରେ ଜେଲରେ ଅଛି।
ଯେତେବେଳେ କୁଲଦୀପ ସେଙ୍ଗର ଉନ୍ନାଓର ଆଉ ଜଣେ ମହିଳାଙ୍କୁ ଧର୍ଷଣ କରି ତାଙ୍କ ପରିବାରକୁ ନିପାତ କରିଦେଲା, ସେତେବେଳେ ଆମର କ୍ରୋଧ ପ୍ରାୟ ନଥିଲା। ଉନ୍ନାଓରେ ବିଧାୟକଙ୍କ ସମର୍ଥକମାନେ ଖୋଲାଖୋଲି ଅଭିଯୋଗକାରିଣୀଙ୍କ ବିରୋଧରେ ଶୋଭାଯାତ୍ରା ବାହାର କଲେ। ଧର୍ଷଣକାରୀ ବିଧାୟକଙ୍କ ସପକ୍ଷରେ ପୂରା ଉତ୍ତର ପ୍ରଦେଶର ବିଜେପି ଦଳ ସୁରକ୍ଷାଦାତାର ଭୂମିକା ତୁଲାଇଲା। ଥାନାରେ ଅଭିଯୋଗ କରିବାକୁ ଯାଇଥିବା ପୀଡ଼ିତାଙ୍କ ବାପାଙ୍କୁ ପୋଲିସ ପିଟି ପିଟି ମାରିଦେଲା। (ତାହାକୁ ଏନକାଉଣ୍ଟର, କଷ୍ଟଡିଆଲ ମର୍ଡର ନା ଆଉ କଣ କୁହାଯିବ କେଜାଣି) ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ଗାଡି ଚଢେଇ ମାରିଦେବାର ଉଦ୍ୟମ ହେଲା। ତାଙ୍କ ଓକିଲ ଓ ପରିବାରର ଅନ୍ୟ ଦୁଇ ଜଣ ସଦସ୍ୟ ଭୟଙ୍କର ଭାବେ ଆହତ ହେଲେ। ପରେ ପରିବାରର ଦୁଇ ସଦସ୍ୟ ପ୍ରାଣ ହରାଇଲେ। ମାସ ମାସ ଧରି ଚାଲିଥିବା ହତ୍ୟା ଓ ଧର୍ଷଣର ଏହି ବର୍ବରତା ଦେଖି ଆମର ବିବେକ ଜାଗ୍ରତ ହୋଇ ନଥିଲା।
ସେହି ଉତ୍ତର ପ୍ରଦେଶରେ ଆଉ ଜଣେ ଝିଅ ପୂର୍ବତନ ଗୃହମନ୍ତ୍ରୀ ଚିନ୍ମୟାନନ୍ଦ ବିରୋଧରେ ଧର୍ଷଣ ଅଭିଯୋଗ ଆଣିଲେ। ପରିଣତିରେ ହେଲା କଣ? ସୁପ୍ରିମ କୋର୍ଟ ପର୍ୟନ୍ତ ନ୍ୟାୟ ପାଇଁ ଲଢୁଥିବା ଏହି ଝିଅଟିକୁ ଖୋଦ ଉତ୍ତର ପ୍ରଦେଶ ପୋଲିସ ଗିରଫ କରି ଜେଲକୁ ପଠାଇଦେଲା। ତାକୁ ଦେଖି ଆମ ସମାଜର ପାଟି ଫିଟୁନଥିଲା। ବଡ ଲୋକଙ୍କ ନାଁରେ ଯେତେବେଳେ ଅଭିଯୋଗ ଆସେ ସେତେବେଳେ ଆମର ବିବେକ ଅନ୍ଧାରରେ ଶୋଇପଡେ। ଚିନ୍ମୟାନଦ ବା କୁଲଦୀପ ସେଙ୍ଗରକୁ ଫାଶୀ ଦେବାକୁ କିଏ କେତେଥର ଦାବି କରିଛି? ପୁରା ଗୋଟେ ଜିଲ୍ଲାରେ ଧର୍ଷଣ ଓ ବଳାତ୍କାରର ରାଜୁତି ଚାଲିଛି। ସେଥିରେ କାହାର ବିବେକ ଦଂଶିତ ହେଉନାହିଁ।
ହାଇଦ୍ରାବାଦ ପୋଲିସ ଯେତେବେଳେ ଦୁଇ ଦିନ ଧରି ପୀଡ଼ିତାଙ୍କ ପରିବାରର ଏତାଲା ରଖୁନଥିଲା, ତାକୁ ନେଇ ଆମେ ଚୁପ ଥିଲୁ। ହଠାତ ତୁରନ୍ତ ନ୍ୟାୟ ନାଁରେ ଆଜି ପୋଲିସର ବନ୍ଦନା ଚାଲିଛି। ହାଇଦ୍ରାବାଦ ହେଉ କି ଉନ୍ନାଓ, ପୁରୀ ହେଉ କି ମୁଙ୍ଗେର, ଆମ ଝିଅମାନଙ୍କୁ ସୁରକ୍ଷା ଦେବାରେ ଆମର ପୋଲିସ ବିଫଳ ହୋଇଛି।
ତେବେ ଖାଲି ପୋଲିସ ନୁହଁ, ଏହି ସବୁ ଘଟଣାରେ ଆମ ସାମାଜିକ ବିବେକର ମୁଖା ମଧ୍ୟ ଖସି ପଡୁଛି। କିଛି ଲୋକ ପୋଲିସର ହତ୍ୟାକୁ ନେଇ ଏତେ ଉଲ୍ଲସିତ ଯେ, ଏ ସମ୍ପର୍କରେ ପ୍ରଶ୍ନ ପଚାରୁଥିବା ସାଧାରଣ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। କିଛି ମହିଳା ସାମ୍ବାଦିକ ଓ ମାନବାଧିକାର କର୍ମୀ ଯେତେବେଳେ ପୋଲିସର କାର୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ଖୋଲାଖୋଲି ହତ୍ୟା ଓ ଧର୍ଷଣର ଧମକ ଦିଆଯାଉଛି। ଏଠି ନ୍ୟାୟ ପାଇଁ ବା ପୀଡ଼ିତାଙ୍କର ପରିବାର ପ୍ରତି ସଂବେଦନା ନୁହଁ, ବରଂ ନିଜର ହିଂସ୍ର ପ୍ରାଣର କୁତ୍ସିତ ଭାବନା ବ୍ୟକ୍ତ କରିବାର ଗୋଟେ ନିର୍ଲଜ ନାଟକ ଚାଲିଛି। ଅପାରଗ ସରକାର ଓ ଅପରାଧୀଙ୍କ ବଡ ଭାଇ ସାଜିଥିବା ପୋଲିସକୁ ଏଠି ସାବାସି ଦେଇ ଅସଲ ସମସ୍ୟାକୁ ଘୋଡେଇ ଦିଆ ଯାଉଛି।
ପୁଣିଥରେ ସେ ଉନ୍ନାଓକୁ ଫେରିବା। ଏହି ଉନ୍ନାଓର ଲୋକସଭା ସଦସ୍ୟ ହେଉଛନ୍ତି ସାକ୍ଷୀ ମହାରାଜ। ଏହାଙ୍କ ନାଁରେ ଏକଦା ଧର୍ଷଣ ଅଭିଯୋଗ ରହିଥିଲା। ବିଧାୟକ ହେଉଛି କୁଲଦୀପ ସିଂ ସେଙ୍ଗର ଆଉ ଏହାଙ୍କ ରାଜୁତି ଜେଲ ଭିତରୁ ଚାଲିଛି। ଗୋଟେ ପରିବାରକୁ ଜେଲରେ ରହି ଏ ବାବୁ ନିପାତ କରି ଚାଲିଛନ୍ତି। ଏମାନେ କେଉଁ ଦଳର ସଦସ୍ୟ ଓ ଏମାନଙ୍କୁ କିଏ ସାହାଯ୍ୟ ଦେଉଛି, ସେକଥା ବୋଧହୁଏ ଆମକୁ ଜଣା ନାହିଁ!
ଧର୍ଷଣ ଓ ବଳାତ୍କାର ଭଳି ଅତ୍ୟନ୍ତ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଲୋକଙ୍କୁ ଯେତେଦିନ ଯାଏ ପୋଲିସ ଓ ରାଜନୈତିକ ସୁରକ୍ଷା ମିଳୁଥିବ, ସେତେଦିନ ଯାଏ ଏହା କମିବ ନାହିଁ।