Categories
ଆଜିର ଖବର

ଉନ୍ନାଓ ଗଣ ଦୁଷ୍କର୍ମ ମାମଲା : ବିଧାୟକ କୁଲଦୀପ୍‌ ସେନ୍‌ଗାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ, 20/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଜିଲ୍ଳା ଜଜ୍‌ ଧର୍ମେଶ ଶର୍ମା ସେନ୍‌ଗାରଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । ଏହା ସହିତ ସେନେଗାର ପୀଡ଼ିତାଙ୍କ ପରିବାରକୁ 25ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ସେନ୍‌ଗାରଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍‌ଗାରଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଉନ୍ନାଓ ଗଣଦୁଷ୍କର୍ମ ମାମଲା : କୁଲଦୀପ ସେଙ୍ଗାର ଦୋଷୀ ସାବ୍ୟସ୍ତ, ଶଶୀ ସିଂ ମୁକ୍ତ

ନୂଆଦିଲ୍ଲୀ,16/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍‌ଗାରଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ଶଶୀ ସିଂଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଶଶୀଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ତାଙ୍କୁ ଖଲାସ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆସନ୍ତା ଗୁରୁବାର ଦିନ ସେନ୍‌ଗାରଙ୍କ ଦଣ୍ଡର ଘୋଷଣା କରାଯିବ । (ଏଜେନ୍ସୀ)

Categories
ବିଶେଷ ଖବର

ଉନ୍ନାଓ, ଦେଶର ଧର୍ଷଣ ଓ ବଳାତ୍କାର ରାଜଧାନୀ ହେବା ପଛରେ କାହାର ହାତ ରହିଛି? 

କେଦାର ମିଶ୍ର 

ମାତ୍ର ୧୧ ମାସରେ ଗୋଟିଏ ଜିଲାରେ ଘଟିଛି ୮୬ ଟି ଧର୍ଷଣ ଓ ୧୮୫ ବଳାତ୍କାର ଘଟଣା। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୬୩ କିଲୋମିଟର ଦୂରରେ ଅବସ୍ଥିତ ଉନ୍ନାଓ ଜିଲ୍ଲା ଏବେ ମହିଳାଙ୍କ ପାଇଁ ଏବେ ନିର୍ୟାତନାର ଯାତନା ଗୃହ ପାଲଟିଛି। ଯେଉଁ ଦିନ ପୋଲିସର ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନ୍ୟାୟକୁ ନେଇ ସାରା ଦେଶ ବଡ ଖୁସି ରେ ନାଚୁଥିଲା, ସେଦିନ ଉନ୍ନାଓ ର ଆଉ ଏକ ଝିଅକୁ ତାର ଧର୍ଷଣକାରୀମାନେ ପୋଡି ମାରିଦେଲେ। ସେ ପୋଡି ମାରିବାର ଦୃଶ୍ୟ ବି କିଛି ଭୟାନକ ନଥିଲା। ୯୦ ଭାଗ ପୋଡିଯାଇଥିବା ଗୋଟେ ଆଦିବାସୀ ଝିଅ ଦଉଡି ଦଉଡି ଗୋଟେ କିଲୋମିଟର ପରେ ପୋଲିସ କୁ ଫୋନ କରି ପାରିଲା। ମାତ୍ର ୧୦ ଘଣ୍ଟା ଭିତରେ ଝିଅଟିର ଜୀବନ ଚାଲିଗଲା। କିଛିମାସ ଆଗରୁ ଝିଅଟିକୁ ଧର୍ଷଣ କରିଥିବା ଅପରାଧୀମାନେ ଜେଲରୁ ଜାମିନ ପାଇ ଫେରିଥିଲେ। ଅପରାଧୀର ପୂରା ପରିବାର ମିଶି ଝିଅଟିକୁ ମାରିଦେଲେ। ହରିଶଙ୍କର ତ୍ରିବେଦୀ, ରାମ ତ୍ରିବେଦୀ, ଶିବମ ତ୍ରିବେଦୀ, ଶୁଭମ ତ୍ରିବେଦୀ ଓ ଉମେଶ ବାଜପାୟୀ ନାମକ ଏ ପାଞ୍ଚଜଣ ଅପରାଧୀ ନିୟମିତ ପୋଲିସ ସୁରକ୍ଷା ପାଇ ଆସୁଥିଲେ। କେବଳ ଏଇ ଘଟଣା ନୁହେଁ, ଏହା ପୂର୍ବରୁ ଉନ୍ନାଓ ର ବିଧାୟକ କୁଳଦୀପ ସିଂ ସେଙ୍ଗର ସମାନ ଧର୍ଷଣ ଅଭିଯୋଗରେ ଜେଲରେ ଅଛି।

ଯେତେବେଳେ କୁଲଦୀପ ସେଙ୍ଗର ଉନ୍ନାଓର ଆଉ ଜଣେ ମହିଳାଙ୍କୁ ଧର୍ଷଣ କରି ତାଙ୍କ ପରିବାରକୁ ନିପାତ କରିଦେଲା, ସେତେବେଳେ ଆମର କ୍ରୋଧ ପ୍ରାୟ ନଥିଲା। ଉନ୍ନାଓରେ ବିଧାୟକଙ୍କ ସମର୍ଥକମାନେ ଖୋଲାଖୋଲି ଅଭିଯୋଗକାରିଣୀଙ୍କ ବିରୋଧରେ ଶୋଭାଯାତ୍ରା ବାହାର କଲେ। ଧର୍ଷଣକାରୀ ବିଧାୟକଙ୍କ ସପକ୍ଷରେ ପୂରା ଉତ୍ତର ପ୍ରଦେଶର ବିଜେପି ଦଳ ସୁରକ୍ଷାଦାତାର ଭୂମିକା ତୁଲାଇଲା। ଥାନାରେ ଅଭିଯୋଗ କରିବାକୁ ଯାଇଥିବା ପୀଡ଼ିତାଙ୍କ ବାପାଙ୍କୁ ପୋଲିସ ପିଟି ପିଟି ମାରିଦେଲା। (ତାହାକୁ ଏନକାଉଣ୍ଟର, କଷ୍ଟଡିଆଲ ମର୍ଡର ନା ଆଉ କଣ କୁହାଯିବ କେଜାଣି) ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ଗାଡି ଚଢେଇ ମାରିଦେବାର ଉଦ୍ୟମ ହେଲା। ତାଙ୍କ ଓକିଲ ଓ ପରିବାରର ଅନ୍ୟ ଦୁଇ ଜଣ ସଦସ୍ୟ ଭୟଙ୍କର ଭାବେ ଆହତ ହେଲେ। ପରେ ପରିବାରର ଦୁଇ ସଦସ୍ୟ ପ୍ରାଣ ହରାଇଲେ। ମାସ ମାସ ଧରି ଚାଲିଥିବା ହତ୍ୟା ଓ ଧର୍ଷଣର ଏହି ବର୍ବରତା ଦେଖି ଆମର ବିବେକ ଜାଗ୍ରତ ହୋଇ ନଥିଲା।

ସେହି ଉତ୍ତର ପ୍ରଦେଶରେ ଆଉ ଜଣେ ଝିଅ ପୂର୍ବତନ ଗୃହମନ୍ତ୍ରୀ ଚିନ୍ମୟାନନ୍ଦ ବିରୋଧରେ ଧର୍ଷଣ ଅଭିଯୋଗ ଆଣିଲେ। ପରିଣତିରେ ହେଲା କଣ? ସୁପ୍ରିମ କୋର୍ଟ ପର୍ୟନ୍ତ ନ୍ୟାୟ ପାଇଁ ଲଢୁଥିବା ଏହି ଝିଅଟିକୁ ଖୋଦ ଉତ୍ତର ପ୍ରଦେଶ ପୋଲିସ ଗିରଫ କରି ଜେଲକୁ ପଠାଇଦେଲା। ତାକୁ ଦେଖି ଆମ ସମାଜର ପାଟି ଫିଟୁନଥିଲା। ବଡ ଲୋକଙ୍କ ନାଁରେ ଯେତେବେଳେ ଅଭିଯୋଗ ଆସେ ସେତେବେଳେ ଆମର ବିବେକ ଅନ୍ଧାରରେ ଶୋଇପଡେ। ଚିନ୍ମୟାନଦ ବା କୁଲଦୀପ ସେଙ୍ଗରକୁ ଫାଶୀ ଦେବାକୁ କିଏ କେତେଥର ଦାବି କରିଛି? ପୁରା ଗୋଟେ ଜିଲ୍ଲାରେ ଧର୍ଷଣ ଓ ବଳାତ୍କାରର ରାଜୁତି ଚାଲିଛି। ସେଥିରେ କାହାର ବିବେକ ଦଂଶିତ ହେଉନାହିଁ।

ହାଇଦ୍ରାବାଦ ପୋଲିସ ଯେତେବେଳେ ଦୁଇ ଦିନ ଧରି ପୀଡ଼ିତାଙ୍କ ପରିବାରର ଏତାଲା ରଖୁନଥିଲା, ତାକୁ ନେଇ ଆମେ ଚୁପ ଥିଲୁ। ହଠାତ ତୁରନ୍ତ ନ୍ୟାୟ ନାଁରେ ଆଜି ପୋଲିସର ବନ୍ଦନା ଚାଲିଛି। ହାଇଦ୍ରାବାଦ ହେଉ କି ଉନ୍ନାଓ, ପୁରୀ ହେଉ କି ମୁଙ୍ଗେର, ଆମ ଝିଅମାନଙ୍କୁ ସୁରକ୍ଷା ଦେବାରେ ଆମର ପୋଲିସ ବିଫଳ ହୋଇଛି।

ତେବେ ଖାଲି ପୋଲିସ ନୁହଁ, ଏହି ସବୁ ଘଟଣାରେ ଆମ ସାମାଜିକ ବିବେକର ମୁଖା ମଧ୍ୟ ଖସି ପଡୁଛି। କିଛି ଲୋକ ପୋଲିସର ହତ୍ୟାକୁ ନେଇ ଏତେ ଉଲ୍ଲସିତ ଯେ, ଏ ସମ୍ପର୍କରେ ପ୍ରଶ୍ନ ପଚାରୁଥିବା ସାଧାରଣ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। କିଛି ମହିଳା ସାମ୍ବାଦିକ ଓ ମାନବାଧିକାର କର୍ମୀ ଯେତେବେଳେ ପୋଲିସର କାର୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ଖୋଲାଖୋଲି ହତ୍ୟା ଓ ଧର୍ଷଣର ଧମକ ଦିଆଯାଉଛି। ଏଠି ନ୍ୟାୟ ପାଇଁ ବା ପୀଡ଼ିତାଙ୍କର ପରିବାର ପ୍ରତି ସଂବେଦନା ନୁହଁ, ବରଂ ନିଜର ହିଂସ୍ର ପ୍ରାଣର କୁତ୍ସିତ ଭାବନା ବ୍ୟକ୍ତ କରିବାର ଗୋଟେ ନିର୍ଲଜ ନାଟକ ଚାଲିଛି। ଅପାରଗ ସରକାର ଓ ଅପରାଧୀଙ୍କ ବଡ ଭାଇ ସାଜିଥିବା ପୋଲିସକୁ ଏଠି ସାବାସି ଦେଇ ଅସଲ ସମସ୍ୟାକୁ ଘୋଡେଇ ଦିଆ ଯାଉଛି।

ପୁଣିଥରେ ସେ ଉନ୍ନାଓକୁ ଫେରିବା। ଏହି ଉନ୍ନାଓର ଲୋକସଭା ସଦସ୍ୟ ହେଉଛନ୍ତି ସାକ୍ଷୀ ମହାରାଜ। ଏହାଙ୍କ ନାଁରେ ଏକଦା ଧର୍ଷଣ ଅଭିଯୋଗ ରହିଥିଲା। ବିଧାୟକ ହେଉଛି କୁଲଦୀପ ସିଂ ସେଙ୍ଗର ଆଉ ଏହାଙ୍କ ରାଜୁତି ଜେଲ ଭିତରୁ ଚାଲିଛି। ଗୋଟେ ପରିବାରକୁ ଜେଲରେ ରହି ଏ ବାବୁ ନିପାତ କରି ଚାଲିଛନ୍ତି। ଏମାନେ କେଉଁ ଦଳର ସଦସ୍ୟ ଓ ଏମାନଙ୍କୁ କିଏ ସାହାଯ୍ୟ ଦେଉଛି, ସେକଥା ବୋଧହୁଏ ଆମକୁ ଜଣା ନାହିଁ!

ଧର୍ଷଣ ଓ ବଳାତ୍କାର ଭଳି ଅତ୍ୟନ୍ତ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଲୋକଙ୍କୁ ଯେତେଦିନ ଯାଏ ପୋଲିସ ଓ ରାଜନୈତିକ ସୁରକ୍ଷା ମିଳୁଥିବ, ସେତେଦିନ ଯାଏ ଏହା କମିବ ନାହିଁ।

Categories
ଆଜିର ଖବର

ୟୁପିର ଦୁଷ୍କର୍ମ ରାଜଧାନୀ ପାଲଟିଛି ଉନ୍ନାଓ : 2019ରେ 86ଟି ମାମଲା

ଉନ୍ନାଓ,6/12: ଉତ୍ତର ପ୍ରଦେଶର ଉନ୍ନାଓ ବର୍ତ୍ତମାନ ରାଜ୍ୟର ଦୁଷ୍କର୍ମ ରାଜଧାନୀ ପାଲଟିଛି । ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଉନ୍ନାଓରେ 86ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଲକ୍ଷ୍ନୌରୁ 25 କିମି ଦୂର ଏହି ସହରର ଜନସଂଖ୍ୟା 31 ଲକ୍ଷ ଅଟେ । ଏହା ସହିତ ଏହି ସମୟ ମଧ୍ୟରେ 185ଟି ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି । ବିଧାୟକ କୁଲଦୀପ୍‌ ସେନ୍‌ଗାରଙ୍କ ଠାରୁ ଆରମ୍ଭ କରି ଗୁରୁବାର ଘଟିଥିବା ଦୁଷ୍କର୍ମ ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ଉନ୍ନାଓର ଏହି ଦୂରାବସ୍ଥା ପାଇଁ ସାଧାରଣ ଲୋକ ପୋଲିସ୍‌କୁ ଦାୟୀ କରୁଥିବା ବେଳେ ପୋଲିସ୍‌ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛି ବୋଲି ରାଘବ ରାମ ଶୁକ୍ଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଉନ୍ନାଓ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ,୬/୧୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ୨୩ ବର୍ଷୀୟା ପୀଡିତାଙ୍କୁ ଦୁଷ୍କର୍ମ ପରେ ନିଆଁରେ ପୋଡି ଦେବାର ଉଦ୍ୟମ କରାଯାଇଥିଲା। ଶରୀରର ୯o ପ୍ରତିଶତ ଜଳି ଯାଇଥିବା ବେଳେ ଗୁରୁବାର ଏୟାର ଲିଫ୍ଟ ଜରିଆରେ ପୀଡିତାଙ୍କୁ ଦିଲ୍ଲୀ ନିଆଯାଇଥିଲା। ଗୁରୁବାର ଦିନ ଦ୍ବିପ୍ରହରରେ ୫ ଜଣ ଅଭିଯୁକ୍ତ ପୀଡିତାଙ୍କୁ ଦୁଷ୍କର୍ମ ପରେ ପୋଡି ମାରିବାକୁ ଉଦ୍ୟମ କରିଥିଲେ। ପୀଡିତାଙ୍କ ଭଉଣୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଫାଷ୍ଟଟ୍ରାକ ପ୍ରକ୍ରିୟାରେ ତଦନ୍ତ କରାଯାଉଛି ବୋଲି ପୋଲିସ୍‌ ଆଇଜି ପ୍ରବୀଣ କୁମାର ସୂଚନା ଦେଇଛନ୍ତି। (ଏଜେନ୍ସୀ)

Categories
ବିଶେଷ ଖବର

ନିର୍ଭୟା ଭାରତମାତାର ଝିଅ ଥିଲା, ହେଲେ ଉନ୍ନାଓ ପୀଡ଼ିତା କାହାର ଝିଅ ? ଭାରତମାତା ଆଜି ନୀରବ କାହିଁକି ?

କେଦାର ମିଶ୍ର 

୧୬, ଡିସେମ୍ବର, ୨୦୧୨, ଏ ତାରିଖ ଟା ମନେ ଅଛି ? ନା, ଆମ ଭାରତୀୟ ମାନଙ୍କର ସ୍ମୃତିଶକ୍ତି ବଡ ଦୁର୍ବଳ।  ଆମେ ବଡ ସହଜରେ ବଡ ବଡ କଥା ଭୁଲିଯାଉ। ଆପଣଙ୍କୁ ମନେ ପକେଇଦେଉଛି, ସେଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରାଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ।ଏହି ଆନ୍ଦୋଳନର ମୁଖିଆ ବୋଲାଉଥିବା ପୂର୍ବତନ ଭାରତୀୟ ସେନାବାହିନୀର ମୁଖ୍ୟ ଜେନେରାଲ ଭି.କେ.ସିଂ ଓ ବାବା ରାମଦେବ ସରକାରକୁ ସେତେବେଳେ ହଲାପଟା କରି ପକାଇଥିଲେ।

ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲେ। ପୀଡ଼ିତାଙ୍କୁ ସବୁଠୁ ବେଶୀ ସହାୟତାର ହାତ ବଢାଇ ତାଙ୍କ ଜୀବନ ବଞ୍ଚାଇବାକୁ ପ୍ରବଳ ପ୍ରୟାସ ହୋଇଥିଲା। ସେତେବେଳେ ଏହି ଘଟଣା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କମ ହୀନସ୍ତା ହେବାକୁ ପଡିନାହିଁ। ଆଜି ଶ୍ରୀମତି ଶୀଲା ଦୀକ୍ଷିତ ଚାଲି ଗଲେଣି। ସେଦିନ ଇଣ୍ଡିଆ ଗେଟରେ ବିକ୍ଷୋଭକାରୀମାନେ ଲୋକଙ୍କ ସହ କଥା ହେବାକୁ ଆସିଥିବା ଶ୍ରୀମତି ଦୀକ୍ଷିତଙ୍କୁ ଭୟଙ୍କର ଭାବରେ ଅପମାନିତ କରିଥିଲେ। ସେହି ଘଟଣାରେ ପୀଡ଼ିତାଙ୍କୁ ବଞ୍ଚାଇ ହେଲାନାହିଁ, କିନ୍ତୁ ଦୋଷୀମାନେ ଦଣ୍ଡିତ ହେଲେ। ଜଣେ ଦୋଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା। ଜଷ୍ଟିସ ବର୍ମା କମିଟି ଗଠିତ ହୋଇ ଧର୍ଷଣ ଭଳି ଘଟଣାରେ ଆଇନ ବଦଳାଇବାର ପ୍ରୟାସ ଆରମ୍ଭ ହେଲା। ତେବେ ସେତେବେଳେ କଂଗ୍ରେସ ସରକାର ଥିଲା।

ଆଜି ର ସମୟ ଅଲଗା। ଆଜି ଧର୍ଷଣ ଓ ହତ୍ୟା ର ଅଭିଯୋଗ ଆସିଲେ ଆଉ ପ୍ରତିବାଦ ହେଉନାହିଁ। ବରଂ ପଚରାଯାଉଛି, ଧର୍ଷିତାର ଧର୍ମ କଣ? କାଠୁଆ ରେ ଆସିଫା ନାମ୍ନୀ ଛୋଟ ଝିଅଟିକୁ ଧର୍ଷଣ ଓ ହତ୍ୟା କରିଥିବା ଅପରାଧୀମାନଙ୍କ ସପକ୍ଷରେ ସେଠିକାର ବାର କାଉନ୍ସିଲ ଯେଉଁ ପ୍ରକାର ଆନ୍ଦୋଳନ କରିଥିଲା ଓ ସେଥିରେ ବିଜେପିର ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇଥିଲେ, ତାହା ଆମ ଦେଶର ଇତିହାସରେ ସବୁଠୁ ବଡ କଳଙ୍କ। ସଂଘ ପରିବାରର ବୁଦ୍ଧିଜୀବୀମାନେ ସେତେବେଳେ କାଠୁଆର ଧର୍ଷଣକାରୀଙ୍କ ସପକ୍ଷରେ ଖୋଲାଖୋଲି ଠିଆ ହୋଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅପରାଧୀମାନେ ଅଦାଲତ ଦ୍ଵାରା ଦଣ୍ଡିତ ହେଲେ ଏଇ ବୁଦ୍ଧିଜୀବୀ ଓ ଶାସକ ଦଳର ନେତାମାନେ ଏବେ ଆଉ ସେକଥା ଉଠାଉନାହାନ୍ତି।

ଇତି ମଧ୍ୟରେ ସାରା ଦେଶର ବିବେକକୁ ଦୋହଲାଇ ଦେଲାଭଳି ଆଉ ଏକ ଘଟଣା ଘଟିଛି। ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଲେ। ଏହି କ୍ଷେତ୍ରରେ ଅପରାଧୀ ବିଜେପି ଦଳର ଜଣେ ପୁରୁଣା ବିଧାୟକ। ୪,ଜୁନ,୨୦୧୭ ର ଏହି ଘଟଣା। ବିଧାୟକଙ୍କ ବିରୋଧରେ ପୋଲିସ ଅଭିଯୋଗ ରଖିଲା ନାହିଁ। ନ୍ୟାୟ ପାଇବା ଲାଗି ପୀଡ଼ିତା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଘର ଆଗରେ ଆତ୍ମାହୁତି ଦେବାର ଉଦ୍ୟମ କଲେ। ଦିନ ଦିନ ଧରି ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ପୀଡ଼ିତାଙ୍କୁ ନ୍ୟାୟ ଦେବା ଅପେକ୍ଷା ତାଙ୍କ ଜୀବନକୁ ଦୁର୍ବିସହ କରି ପକାଇଲେ। ଥାନା ଭିତରେ ପୀଡ଼ିତାଙ୍କ ବାପାଙ୍କୁ ମାରି ଦିଆଗଲା। ଆଲ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହାର ତଦନ୍ତଭାର ଗ୍ରହଣ କରି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ନିର୍ଭୟା ଘଟଣାରେ ତୁରନ୍ତ ଦୋଷୀକୁ ଦଣ୍ଡ ଦିଆଗଲା, ତା ସତ୍ତ୍ୱେ ମଧ୍ୟ ସରକାରକୁ ନିନ୍ଦିତ ହେବାକୁ ପଡିଥିଲା। ଏବେ କଥା ଠିକ ତାର ବିପରୀତ। ଏଠି ପୀଡ଼ିତାର ଘର ଓ ପରିବାରକୁ ଧ୍ଵଂସ କରିଦିଆ ହେଉଛି। ପ୍ରଶାସନ ପୀଡ଼ିତାକୁ ସୁରକ୍ଷା ଦେବା ବଦଳରେ ବାହୁବଳି ବିଧାୟକଙ୍କ ସହଯୋଗୀ ସାଜିଛି। ଗତ ୨୮, ଜୁଲାଇ ରେ ପୀଡ଼ିତାଙ୍କ ଦୁଇଜଣ ପରିବାର ଲୋକଙ୍କୁ ଟ୍ରକ ମଡାଇ ହତ୍ୟା କରାଯାଇଛି। ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା କରି ପୀଡ଼ିତା ମାନ୍ୟବର ସୁପ୍ରିମକୋର୍ଟଙ୍କ ପାଖକୁ ତା ପୂର୍ବରୁ ଚିଠି ଲେଖିଥିଲେ। ସେ ଚିଠି କିନ୍ତୁ ମୁଖ୍ୟ ବିଚାରପତିଙ୍କ ପାଖରେ ପେଶ କରାଗଲା ନାହିଁ।

ଆଜି ଆମର ପ୍ରଶ୍ନ ହେଉଛି, ନିଃସନ୍ଦେହରେ ନିର୍ଭୟା ଭାରତର ଝିଅ ଥିଲେ। ତାଙ୍କୁ ନ୍ୟାୟ ଦେବାଲାଗି ସାରା ଭାରତ ଏକାଠି ହୋଇଥିଲା। ହେଲେ ଉନ୍ନାଓ ପୀଡିତା ଆମର ଝିଅ ନୁହଁ କି? ଗତ ଦୁଇ ବର୍ଷ ଧରି ନିଜ ଜୀବନକୁ ବାଜି ଲଗାଇଥିବା ଏ ଝିଅ ଟି ନିଜ  ଯୁଦ୍ଧ ନିଜେ ଲଢୁଛି କାହିଁକି? ଜଣେ ଧର୍ଷଣକାରୀ ବିଧାୟକକୁ ବିଜେପି ନିଜ ଦଳରୁ ବହିସ୍କାର କରିବାକୁ ଦୁଇ ବର୍ଷ ସମୟ ନେଲା। ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ପୂରାପୂରି ମୂଳପୋଛ କରିଦେବାରେ ଅପରାଧୀ ବିଧାୟକଙ୍କର ସହଯୋଗୀ ସାଜିଛନ୍ତି। ଏ ସବୁ କଥା ଜାଣିଶୁଣି ଦେଶର ଜନତା ନୀରବ, ଗଣମାଧ୍ୟମ ନୀରବ ଓ ଅଦାଲତ ମଧ୍ୟ ନୀରବ।