ଓଡ଼ିଶା ଉପକୂଳରୁ କ୍ୟୁଆରସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Published: Dec 23, 2019, 8:42 pm IST

ସମୀକ୍ଷା ବ୍ୟୁରୋ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୧ଟା ୪୫ମିନିଟ ସମୟରେ ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର (କ୍ୟୁଆରସାମ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ସମ୍ପୂର୍ଣ୍ଣ ଭାବେ ନିୟୋଜନ ସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା, ଯାହା ମଝି ଆକାଶରେ ଥିବା ଲକ୍ଷ୍ୟକୁ ନିଷ୍କ୍ରିୟ କରିବା ସହ ଅଭିଯାନର ଉଦ୍ଦେଶ୍ୟ ପୂରଣ କରିଥିଲା । ଗ୍ରାଉଣ୍ଡ ଟେଲିମେଟ୍ରି ସିଷ୍ଟମ୍ସ, ରେଞ୍ଜ ରାଡାର ସିଷ୍ଟମ୍ସ, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରାଯାଇଥିଲା ।

କ୍ୟୁଆରସାମ କ୍ଷେପଣାସ୍ତ୍ରରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ କମାଣ୍ଡ ଓ କଂଟ୍ରୋଲ ବ୍ୟବସ୍ଥା, ଆକ୍ଟିଭ ଆରେ ବ୍ୟାଟେରୀ ସର୍ଭେଲାନ୍ସ ରାଡାର, ଆକ୍ଟିଭ ଆରେ ବ୍ୟାଟେରୀ ମଲ୍ଟିଫଙ୍କସନ ରାଡାର ଓ ଲଂଚର ସଂଯୋଗ ହୋଇଛି । ଉଭୟ ରାଡାରରେ ୪ଟି ଆସ୍ତରଣ ସହ ୩୬୦ ଡିଗ୍ରୀ କଭରେଜ ସିଷ୍ଟମ ରହିଛି, ଏହା ଗତି କରିବା ସମୟରେ ଲକ୍ଷ୍ୟକୁ ସନ୍ଧାନ ଓ ଠାବ କରିପାରିବ । ଏହି କ୍ଷେପଣାସ୍ତ୍ର ନିକ୍ଷେପ ଲାଗି ସର୍ବନିମ୍ନ ସଂଖ୍ୟକ ବାହନର ଆବଶ୍ୟକତା ରହିଛି । ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ଥିବା ଲକ୍ଷ୍ୟକୁ ସଫଳତା ପୂର୍ବକ ଭେଦ କରିବା ଦ୍ୱାରା ନିଜର ସାମର୍ଥ୍ୟ ପ୍ରତିଷ୍ଠା କରିପାରିଛି । ଏହି ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ଓ ରଣନୈତିକ ସିଷ୍ଟମ୍ସର ମହାନିର୍ଦ୍ଦେଶକ ଶ୍ରୀ ଏମଏସଆର ପ୍ରସାଦ ଉପସ୍ଥିତ ଥିଲେ ।

ଏହି ଅଭିଯାନ ସହିତ କ୍ୟୁଆରସାମ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳତା ପୂର୍ବକ ଶେଷ ହୋଇଛି । ଏହା ୨୦୨୧ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବ ବୋଲି ଆଶା କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଏହି ପରୀକ୍ଷଣ ପାଇଁ କ୍ୟୁଆରସାମ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

Related posts