
କେଦାର ମିଶ୍ର
ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ ଉପଲବ୍ଧି ହେଉଛି, ଗତ ସତୁରୀ ବର୍ଷ ଧରି ଆମର ସେନାବାହିନୀ ଓ ସାଧାରଣ ପ୍ରଶାସନ ନିଜ ନିଜର ସୀମାରେ ରହି କାମ କରିଛନ୍ତି। ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ସାଧାରଣ ଶାସନର ଦାୟିତ୍ଵ ନେଇଥିବା ବେଳେ ଏ ସମ୍ପର୍କରେ ସେନାବାହିନୀ ସବୁବେଳେ ମର୍ୟାଦାଜନକ ଦୂରତାରେ ରହି ଆସିଛି। କୌଣସି ସେନାନାୟକ ଆମ ଦେଶରେ ଦାୟିତ୍ବରେ ଥିବାବେଳେ ରାଜନୀତି ସମ୍ପର୍କରେ ବା ରାଜନୈତିକ ବିଚାର ସମ୍ପର୍କରେ କୌଣସି ମତ ରଖିନାହାନ୍ତି। ଅବସର ପରେ ଅନେକ ସେନାମୁଖ୍ୟ ରାଜନୀତିକୁ ଆସିଛନ୍ତି ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସନର ଦାୟିତ୍ଵ ସମ୍ଭାଳିଛନ୍ତି। ହେଲେ ଦାୟିତ୍ଵ ସମ୍ଭାଳୁଥିବା ସମୟରେ ସେମାନେ ରାଜନୀତି ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ରହିନାହାନ୍ତି। ନରେନ୍ଦ୍ର ମୋଦୀ ସରକାରରେ ମନ୍ତ୍ରୀ ରହିଥିବା ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ଭି.କେ.ସିଂଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ରେ ଯୋଗ ଦେଇଥିବା ଜେନେରାଲ ଶଙ୍କର ରାୟ ଚୌଧୁରୀଙ୍କ ପର୍ୟନ୍ତ, ସମସ୍ତେ ଏହି ମର୍ୟାଦା ପାଳନ କରିଛନ୍ତି। ପ୍ରଥମଥର ଲାଗି ଆମେ ଦେଖୁଛୁ, ଆଜିର ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ ଶାସକ ଦଳର ରାଜନୀତି ସପକ୍ଷରେ ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି।
ବର୍ତ୍ତମାନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆମର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଛନ୍ତି। ସେମାନେ ଏହି ଆଇନକୁ ବିରୋଧ କରୁଛନ୍ତି କାରଣ, ଏହି ଆଇନ ଦେଶର ସମ୍ବିଧାନରେ ରହିଥିବା ମୌଳିକ ଧର୍ମ ନିରପେକ୍ଷ ନୀତିର ବିରୁଦ୍ଧାଚରଣ କରୁଛି। ଏହି ପ୍ରତିବାଦକୁ ଖୋଲାଖୋଲି ବିରୋଧ କରିବା ଦେଶର ସର୍ବୋଚ୍ଚ ସେନାନାୟକଙ୍କ ପକ୍ଷରେ ସମୀଚୀନ କି? ଦେଶର ରାଜନୀତି ସହିତ ସେନାବାହିନୀ ସମ୍ପୃକ୍ତ ହେବା, ଆମ ଗଣତନ୍ତ୍ର ଲାଗି ଏକ ଅଶୁଭ ସଙ୍କେତ ନୁହେଁ କି? ୧୯୪୭, ୧୯୬୨, ୧୯୬୯, ୧୯୭୧ ଓ ୧୯୯୮ ରେ ଯେତେବେଳେ ଆମେ ପଡୋଶୀଙ୍କ ସହିତ ଯୁଦ୍ଧ କରିଛୁ, ସେତେବେଳେ ମଧ୍ୟ ଦେଶର ଆଭ୍ୟନ୍ତରୀଣ ରାଜନୀତି ପ୍ରସଙ୍ଗରେ ଆମର ସେନା ନୀରବ ରହିଛନ୍ତି। ତାହା ହିଁ ଆମ ଗଣତନ୍ତ୍ରର ସବୁଠୁ ବଡ ସଫଳତା।
ସାଧାରଣ ପ୍ରଶାସନ ଓ ସାମରିକ ପ୍ରଶାସନ ସବୁବେଳେ ନିଜ ନିଜର ସୀମା ଭିତରେ ରହି ଆସିଥିବାରୁ ଆମେ କେବେହେଲେ ସାମରିକ ଶାସନ ଭଳି ବିପଜ୍ଜନକ ସ୍ଥିତି ଆଡକୁ ଯାଇନାହୁଁ। ୧୯୪୦ ଦଶକରେ ଭାରତ ସହିତ ସ୍ଵାଧୀନତା ପାଇଥିବା ଅନେକ ଦେଶ ସାମରିକ ଶାସନର ବିଷଚକ୍ରରେ ପଡିଥିବା ବେଳେ ଭାରତ ନିଜର ଗଣତନ୍ତ୍ରକୁ ଅକ୍ଷୁଣ୍ଣ ରଖିପାରିଛି। ଆମର ପଡୋଶୀ ଶ୍ରୀଲଙ୍କା, ପାକିସ୍ତାନ, ବର୍ମା, ବାଂଲାଦେଶ ଓ ମାଲଦୀପ ବାରମ୍ବାର ସାମରିକ ଶାସନ ଦ୍ଵାରା କବଳିତ ହୋଇଛନ୍ତି। ଭାରତରେ ସାମରିକ ପ୍ରଶାସନ ନିଜକୁ ରାଜନୀତି ଠାରୁ ଦୂରେଇ ନିରପେକ୍ଷ ଭୂମିକାରେ ରହୁଥିବାରୁ ଆମର ଗଣତନ୍ତ୍ର ସୁରକ୍ଷିତ ରହି ଆସିଛି। ସତୁରୀ ବର୍ଷ ଧରି ଆମର କୌଣସି ସେନାନାୟକ ସାଧାରଣ ପ୍ରଶାସନ, ରାଜନୈତିକ ଦଳ ବା ରାଜନୈତିକ ବିଚାର ସମ୍ପର୍କରେ କୌଣସି ମତ ରଖିନଥିଲେ।
ଜେନେରାଲ ବିପିନ ରାୱତ ତାର ବ୍ୟତିକ୍ରମ ହେବାକୁ ଚାହିଁବାର କାରଣ କଣ? ଜେନେରାଲ ରାୱତ ଆଉ ମାତ୍ର ଚାରିଦିନ ପରେ ଚାକିରିରୁ ଅବସର ନେବେ। ସେହି ସମୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଦେଶର ସାଧାରଣ ଲୋକଙ୍କ ବିରୋଧରେ ଜେନେରାଲ ରାୱତ ଭାଷଣ ଦେବା ଏକ ଅଶୁଭ ସଙ୍କେତ ଦେଉଛି। ଆମର ସାମରିକ ଶାସନ ବ୍ୟବସ୍ଥା ରାଜନୀତି ପ୍ରତି ମୋହଗ୍ରସ୍ତ ହେବା ଫଳରେ ସେନାବାହିନୀର ନିରପେକ୍ଷ ଚରିତ୍ରକୁ ନେଇ ସନ୍ଦେହ ଉଠିବା ସ୍ଵାଭାବିକ। ସେନାବାହିନୀ ରାଜନୀତିର ଉର୍ଦ୍ଧ୍ଵରେ ରହି ଜାତୀୟ ଅନୁଷ୍ଠାନର ସମ୍ମାନ ପାଉଥିବା ବେଳେ ଆମର ସେନାନାୟକମାନେ ରାଜନୀତି କରିବା, ଗଣତନ୍ତ୍ର ଲାଗି ବିପଜ୍ଜନକ।
ଏ ପ୍ରସଙ୍ଗରେ ସାଧାରଣ ପ୍ରଶାସନର ମୁଖିଆ ଭାବରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିଜର ଦାୟିତ୍ଵ ନିର୍ବାହ କରିବା ଉଚିତ। ସେନାବାହିନୀ ନିଜର ଦାୟିତ୍ଵ ସମ୍ପର୍କରେ ସବୁବେଳେ ସତର୍କ ଓ ସଚେତନ ଅଛନ୍ତି ବୋଲି ଆମେ ଗର୍ବିତ। ହେଲେ ସେନାବାହିନୀର ରାଜନୀତିକରଣ ଆମଲାଗି ଆଦୌ ଗ୍ରହଣୀୟ ବ୍ୟବସ୍ଥା ନୁହେଁ। ଆଗାମୀ ଦିନରେ ତିନି ସେନାବାହିନୀର ମୁଖ୍ୟ ଭାବରେ ଜଣେ ସାମରିକ ମୁଖ୍ୟଙ୍କୁ ସରକାରଙ୍କ ମୁଖ୍ୟ ସାମରିକ ଉପଦେଷ୍ଟା ଦାୟିତ୍ଵ ଦିଆଯିବ। ସେଥିଲାଗି ଜେନେରାଲ ରାୱତଙ୍କ ନାମ ଶୁଣା ଯାଉଛି। ସେହି ସମୟରେ ତାଙ୍କର ପ୍ରତ୍ୟକ୍ଷ ରାଜନୈତିକ ବୟାନ ଆଦୌ ସୈନିକ ସୁଲଭ ଆଚରଣ ନୁହେଁ ବୋଲି କହିବାକୁ ଆମେ ବାଧ୍ୟ। ଏ ଦେଶରେ ନେତୃତ୍ଵ ର ଚେହେରା ଓ ବିଚାର କଣ ହେବ, ତାହା ଏ ଦେଶର ଜନ ସାଧାରଣ ନିର୍ଣ୍ଣୟ କରିବେ। ସେ ସମ୍ପର୍କରେ ସେନାବାହିନୀର କୌଣସି ଭୂମିକା ରହିବା ଉଚିତ ନୁହେଁ।