ଭାରତର ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ନୂଆବର୍ଷ ଏକ ସଙ୍କଳ୍ପର ଦିନ

Published: Jan 1, 2020, 6:45 am IST

କେଦାର ମିଶ୍ର

ନୂଆବର୍ଷରେ ଦେଶପ୍ରେମର ଏକ ପୁରୁଣା ଅର୍ଥକୁ ଆମକୁ ମନେପକାଇବାକୁ ପଡିବ। ଦେଶପ୍ରେମର ଅର୍ଥ ମଣିଷ ବା ପୃଥିବୀ ପ୍ରେମର ବିରୋଧୀ ନୁହେଁ। ଆଜି ଯେତେବେଳେ ଧର୍ମ ଆଧାରରେ ଜାତୀୟତା ଓ ଦେଶପ୍ରେମର ଦୁହାଇ ଦିଆଯାଉଛି, ସେତେବେଳେ ସନାତନ ହିନ୍ଦୁଧର୍ମରେ ଦେଶର ସଜ୍ଞା କଥା ଟିକେ ମନେପକାଇବା। ବେଦରେ ରାଷ୍ଟ୍ରର ପରିକଳ୍ପନା ମଣିଷର ଏକତାକୁ ଭିତ୍ତି କରି ତିଆରି ହୋଇଥିଲା। ଦେଶ କୌଣସି ଭୌଗୋଳିକ ଭୂଖଣ୍ଡ ନୁହେଁ, ଏହା ମଣିଷର ସଂକଳ୍ପ ଓ ଅଭିଳାଷକୁ ସୁଯୋଗ ଦେଉଥିବା ଏକ ଭୂମି। ତେଣୁ ବେଦରେ ଜଗତ ସହିତ ରାଷ୍ଟ୍ରର ସମାବେଶ ଘଟିଛି। ରାଷ୍ଟ୍ର ପାଇଁ ଯଜୁର୍ବେଦରେ ପ୍ରାର୍ଥନା କଲାବେଳେ କୁହାଯାଇଛି- ରାଷ୍ଟ୍ରରେ ବ୍ରାହ୍ମଣ ତେଜସ୍ବୀ ହେଉ। (ମନେରଖନ୍ତୁ, ବେଦରେ କୌଣସି ସ୍ଥାନରେ ବ୍ରାହ୍ମଣ ଜାତିର ସୂଚକ ନୁହେଁ), ରାଜାମାନେ ସାହସୀ ଓ ବୀର ହୁଅନ୍ତୁ। ପଶୁଧନର ବିକାଶ ହେଉ। ନାରୀ ରାଷ୍ଟ୍ର ଶକ୍ତିର ଆଧାର ହେଉ। କାଳ ଓ ଚାହିଦା ଅନୁପାତରେ ବର୍ଷା ହେଉ। ପୃଥିବୀ ସୁଜଳା ସୁଫଳା ହୋଇରହୁ। ଜଙ୍ଗଲରେ ବନଷ୍ପତି ଓ ଔଷଧି ଭରପୂର ହୋଇରୁହନ୍ତୁ। ଆମର ସ୍ଵାଧୀନତା ଅକ୍ଷୟ ରହୁ। (ଯୋଗକ୍ଷେମୋ ନଃ କଳ୍ପତାମ-ଯଜୁର୍ବେଦ-ଶ୍ଳୋକ୨୨)

ଅକ୍ଷୟ ସ୍ଵାଧୀନତା ବିନା ରାଷ୍ଟ୍ରର ପରିକଳ୍ପନା ସମ୍ଭବ ନୁହେଁ। ତେଣୁ ରାଷ୍ଟ୍ର ଓ ପ୍ରକୃତି ଉଭୟେ ସ୍ଵାଧୀନ ରହିବା ଜରୁରୀ। ଆଜିର ଭାରତରେ ବୈଦିକ ରାଷ୍ଟ୍ରର ପରିକଳ୍ପନା କଥାକୁ “ହିନ୍ଦୁ ରାଷ୍ଟ୍ର” ସହିତ ଯୋଡିବାର ନିର୍ବୋଧତା କିଛି ଲୋକ କରୁଛନ୍ତି। ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ “ବିଶ୍ଵ ମାନବ”ର ପରିକଳ୍ପନା କରିଥିବା ଏକ ଦେଶ, ଆଜି ନିଜର ଆଦର୍ଶକୁ ନେଇ ସଂଘର୍ଷ କରିବା ଅଦ୍ଭୁତ ମନେ ହେଉଛି। ଭାରତର ଚିନ୍ତା ଓ ଆଦର୍ଶ ଅତ୍ୟନ୍ତ ସ୍ପଷ୍ଟ। ଏହା ଅନେକ ବିଚାର ଓ ବିବିଧ ବିରୋଧାଭାସର  ସମାହାର। ଏଠି କେହି ଯଦି କହୁଛି ଯେ, ଭାରତରେ ରହୁଥିବା ସବୁ ଲୋକ ହିନ୍ଦୁ ଅଟନ୍ତି- ସେ ଭାରତର ଶତ୍ରୁ ଓ ସେ ଭାରତର ମୌଳିକ ବିଚାରର ବିରୋଧୀ। ଭାରତ ସବୁ ମଣିଷର ମହାଭୂମି। ଧର୍ମକୁ ଏକ ସମ୍ପ୍ରଦାୟ ବା ଆଚାର ବୋଲି ଭାରତ କେବେ ଗ୍ରହଣ କରିନାହିଁ। ଆମ ଲାଗି ଧର୍ମ ହେଉଛି ଜୀବନ ଓ ଜଗତର ନିୟାମକ। ଏହା ଆମକୁ ପ୍ରକୃତି ସହିତ ଏକାତ୍ମ କରେ। ଶତ୍ରୁତାରୁ ମୁକ୍ତ ଶାନ୍ତିର ପୃଥିବୀ କଥା କହେ।

ଆଜି ଆମର ସନାତନ ଭାରତ ପାଇଁ ଚିନ୍ତାର ବିଷୟ। ଧର୍ମ ନାମରେ ଛଳନାର ଭାରତ ତିଆରି କରିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ସେମାନଙ୍କ ରାଜନୀତି ବିରୋଧରେ ଠିଆ ହେବାଲାଗି ୨୦୧୯ ଆମକୁ ଏକ ସୁଯୋଗ ଦେଇଛି। ଭାରତରେ ଧର୍ମକୁ ଆଧାର କରି ଏକ ଆଇନ ତିଆରି ହେବାପରେ, ତାରି ବିରୋଧରେ ଦେଶର ଜନସାଧାରଣ ପ୍ରତିବାଦ କରୁଛନ୍ତି। ସେ ପ୍ରତିବାଦ ପଛରେ ଭାରତର ଆତ୍ମାକୁ ବଞ୍ଚାଇ ରଖିବାର ବ୍ୟାକୁଳତା ରହିଛି। ଭାରତ ତାର ବିବିଧତା ଓ ସହିଷ୍ଣୁତା କୁ ନେଇ ବଞ୍ଚିବ। ସୌହାର୍ଦ୍ଦ୍ୟ ଓ ସଦଭାବନାର ଏକ ଦେଶରେ ଭେଦଭାବର ବିଚାରକୁ ପ୍ରତ୍ୟାଖ୍ୟାନ କରିବା, ଆଜିର ସବୁଠୁ ବଡ ଆବଶ୍ୟକତା।

ମିଛ ଓ ପ୍ରତାରଣା, ଆମ ରାଜନୀତିର ଆଧାର ପାଲଟିଛି। ନାଗରିକ ଭାବରେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ମିଛ ବିରୋଧରେ ଠିଆ ହେବା। ଆମର ଗଣତନ୍ତ୍ର ସଂଖ୍ୟାର ପଶୁବଳ ନୁହେଁ। ଯେ ନିର୍ବାଚନ ଜିତିଛି, ସେ ଦେଶର ସର୍ବମୟ କର୍ତ୍ତା ନୁହନ୍ତି। ସମ୍ବିଧାନର ମୌଳିକ ଚରିତ୍ର ଓ ଆଦର୍ଶ କେବେହେଲେ ବଦଳାଇ ଦେଇହେବ ନାହିଁ ଆମେ ଜାଣିଛୁ।(ସୁପ୍ରିମ କୋର୍ଟ ରାୟ,କେଶବାନନ୍ଦ ଭାରତୀ ବନାମ କେରଳ ସରକାର,୨୪,ଏପ୍ରିଲ,୧୯୭୩) ତେଣୁ କୌଣସି ସରକାର ଯଦି ଆମର ସାମ୍ବିଧାନିକ ମୂଳ ଆଦର୍ଶ ଉପରେ ଆକ୍ରମଣ କରିବ, ତାହେଲେ ପ୍ରତିବାଦ କରିବା ଆମର ସବୁଠୁ ବଡ ଧର୍ମ।

ଆମ ସମ୍ବିଧାନରେ ଦୁଇଟି ମୌଳିକ ଲକ୍ଷ୍ୟ ରହିଛି ଯାହାକୁ କୌଣସି ସରକାର ବା ଏକଛତ୍ରପତି ବଦଳାଇ ପାରିବେ ନାହିଁ।ପ୍ରଥମ ଲକ୍ଷ୍ୟ ଭାବରେ ୨୬, ନଭେମ୍ବର, ୧୯୪୯ ଦିନ  ସମ୍ବିଧାନରେ ଆମେ ଭାରତର ଜନଗଣ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଦେଶଭାବରେ ଗ୍ରହଣ କରିଛୁ। ଦ୍ଵିତୀୟ ଲକ୍ଷ୍ୟ ଭାବରେ ଆମେ ଦେଶର ଜନଗଣଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର, ଅଭିବ୍ୟକ୍ତି, ଆସ୍ଥା , ବିଶ୍ବାସ ଓ ପୂଜାପାଠର ସ୍ଵାଧୀନତା, ସାମାଜିକ ମର୍ଯାଦା ଓ ସୁଯୋଗର ସମାନତା ଦେବୁ। ଦେଶର ଏକତା ଓ ସଂହତି ଲାଗି ଆମେ ପରଷ୍ପର ଭିତରେ ଭ୍ରାତୃଭାବରଖିବୁ।

ସମ୍ବିଧାନର ଏହି ସନାତନ ଲକ୍ଷ୍ୟ ବିରୋଧରେ ଆସୁଥିବା ଯେ କୌଣସି ରାଜନୈତିକ ପଦକ୍ଷେପକୁ ଯିଏ ବିରୋଧ କରେନାହିଁ, ତାକୁ ଦେଶପ୍ରେମୀ ବୋଲି କୁହାଯାଇପାରିବ ନାହିଁ। ଦେଶରେ ସମ୍ବିଧାନର ବିଚାରକୁ ବିରୋଧ କରୁଥିବା ଲୋକେ ଆମକୁ ଦେଶପ୍ରେମର ନୂଆପାଠ ପଢାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ପାଠର ମିଛକୁ ଧାରା ପକାଇଦେବା ପ୍ରତ୍ୟେକ ଭାରତୀୟର ପ୍ରଥମ ଦାୟିତ୍ଵ।

ନୂଆବର୍ଷରେ ଭାରତର ସମ୍ବିଧାନ ଓ ତାର ମୌଳିକ ଗଣତାନ୍ତ୍ରିକ ବିଚାରକୁ ବଞ୍ଚାଇ ରଖିବାର ଦେଶପ୍ରେମ ବିଷୟରେ ଆମକୁ ସର୍ବାଧିକ ଚିନ୍ତା କରିବାକୁ ପଡିବ।

 

Related posts