Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦ୍ଵିତୀୟ କୋଣାର୍କର ନିର୍ବୋଧ କଳ୍ପନା କେବଳ ଏକ ରାଜନୈତିକ ସ୍ଵାର୍ଥର ସିଡି ଥିଲା କି??
ବିଶେଷ ଖବର

ଦ୍ଵିତୀୟ କୋଣାର୍କର ନିର୍ବୋଧ କଳ୍ପନା କେବଳ ଏକ ରାଜନୈତିକ ସ୍ଵାର୍ଥର ସିଡି ଥିଲା କି??

January 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଗରୁ ଆମେ ଶୁଣୁଥିଲୁ ଦ୍ଵିତୀୟ କୋଣାର୍କ ଗଢାହେବ। ଯିଏ ଏ କଥା କହୁଥିଲେ, ସେ ଏବେ ରାଜନୀତିରେ ବଢିଆ ସଫଳତା ପାଇ ରାଜ୍ୟସଭାରେ ବସିଛନ୍ତି। ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଆଗରୁ ଯେଉଁ ସଭାକୁ ଗଲେ ଏ ଦ୍ଵିତୀୟ କୋଣାର୍କ କଥାଟିକୁ ବଡ ଗୁରୁତ୍ଵ ଦେଇ କହୁଥିଲେ। ଇତି ମଧ୍ୟରେ ରଘୁ ବାବୁ ରାଜ୍ୟସଭାରେ ଢେର ସମୟ ବିତାଇ ସାରିଲେଣି। ରାଜ୍ୟସଭାରେ ସେ କଣ କରୁଛନ୍ତି ବା କହୁଛନ୍ତି, ତାର କିଛି ଖୋଜ ଖବର ମିଳୁନାହିଁ। ତେବେ ସେ ଯେ କୋଣାର୍କ ଆଉଥରେ ଗଢିବେ, ସେ କଥା ଆମେ ବିଶ୍ଵାସ କରୁନୁ। ହେଲେ ଏକ କଳାକୃତିର କଳ୍ପନା ଯେ ରାଜନୈତିକ ସଫଳତାର ସିଡି ହୋଇପାରେ, ସେଇଟା ଆମେ ଜାଣ ରଖିବା ଉଚିତ।       

କୋଣାର୍କ ଏକ ଏବଂ ଅଦ୍ଵିତୀୟ। କୋଣାର୍କର ବିକଳ୍ପ ନାଇଁ କି ଦ୍ଵିତୀୟ କୋଣାର୍କ ନିର୍ମାଣର ଆବଶ୍ୟକତା ମଧ୍ୟ ନାହିଁ। ୧୨୫୫ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ ସେଇ ସମୟର ସବୁଠୁ ବଡ ଆହ୍ଵାନ ଥିଲା ଓ ସେଇ ସମୟର ଆହ୍ଵାନକୁ ଅତିକ୍ରମ କରି କୋଣାର୍କ କାଳଜୟୀ କୀର୍ତ୍ତି ଭାବରେ ଅମରତ୍ଵ ପାଇଛି। ମାୟାଧର ମାନସିଂଙ୍କ ଭାଷାରେ କୋଣାର୍କ ହେଉଛି “ ପ୍ରସ୍ତରେ ପ୍ରସ୍ତରେ ସୁନିହିତ କବିତା ସଂଭାର, ହେ ପାଷାଣ କବିତା ଝଙ୍କାର”। ଗୋଟେ ଜାତିର ଜୀବନରେ କୋଣାର୍କ ପରି ମହାନ କିର୍ତ୍ତୀ ନିର୍ମାଣ କରିବା ସବୁଠୁ ବଡ ସଫଳତା। ତାକୁ ଆଉ ଥରେ ରଚନା କରିବା ସମ୍ଭବ ନୁହେଁ। ବାର ଶତ ବଢେଇର ଶ୍ରମ ଓ ସୌନ୍ଦର୍ୟବୋଧ ଆଉ ଥରେ ଆସିବ ନାହିଁ। ସେ ଯାହା ରଚିତ ହୋଇଛି, ତାହା ପ୍ରଥମ ଏବଂ ଅନ୍ତିମ। ହୁଏତ ତାରି ଅନୁକରଣରେ କିଛି ଗଢିବାର ପ୍ରୟାସ କେହି କରିପାରେ, ହେଲେ ଦ୍ଵିତୀୟ କୋଣାର୍କ ଗଢିବାର ଦାବି ନିର୍ବୋଧର କଲ୍ପନା ମାତ୍ର।

ତେବେ ଏମିତି ଏକ କଠୋର ବାକ୍ୟ ପ୍ରୟୋଗ କରି ଆମ ସମୟର ଖ୍ୟାତନାମା ସ୍ଥପତି ରଘୁନାଥ ମହାପାତ୍ରଙ୍କ ନିଷ୍ଠା ଉପରେ ମୁଁ ସନ୍ଦେହ ପ୍ରକଟ କରୁନାହିଁ । ରଘୁବାବୁ ଅତ୍ୟନ୍ତ ଉଚ୍ଚ ଦରର ସ୍ଥପତି ଓ ତାଙ୍କର ପ୍ରତିଷ୍ଠା ରହିଛି। ପାରମ୍ପରିକ ମୂର୍ତ୍ତିକଳାର ସେ ଜଣେ ନାମଜାଦା କାରିଗର। ତେଣୁ ଶିଳ୍ପୀ ଭାବରେ ସେ ଆମର ସମ୍ମାନଯୋଗ୍ୟ। କିନ୍ତୁ ଦ୍ଵିତୀୟ କୋଣାର୍କ ନିର୍ମାଣ କଥା ଉଠେଇ ରଘୁବାବୁ କୋଣାର୍କ ର ଗରିମା ଆଗରେ ଅଯଥାରେ ଏକ ପ୍ରଶ୍ନବାଚୀ ଠିଆ କରୁଛନ୍ତି। ଆଜିର ସମୟରେ ଆଉ ଏକ ଭବ୍ୟ ଓ ବିଶାଳ ମନ୍ଦିର ନିର୍ମାଣ କେବଳ ସମ୍ବଳର ଅପବ୍ୟୟ ନୁହେଁ, କଳା ଦୃଷ୍ଟିରୁ ଏହା ଅନାବଶ୍ୟକ ମଧ୍ୟ। ଆମ ସମୟରେ ସବୁଠୁ ବଡ ଆବଶ୍ୟକତା ହେଉଛି ସମ ସାମୟିକ କଳା ତଥା ସ୍ଥାପତ୍ୟ ର ବିକାଶ। ଆଜି ମଧ୍ୟ ଓଡିଶାର ଶିଳ୍ପୀ ଓ ସ୍ଥପତି ମାନେ ନିଜ ଜୀବିକା ନିର୍ବାହ ପାଇଁ ବିଦେଶ ଉପରେ ନିର୍ଭରଶୀଳ। ଆମ ପାଖରେ ତାଲିମ ଲାଗି କୌଣସି ସ୍ଵତନ୍ତ୍ର ଅନୁଷ୍ଠାନ ନାହିଁ। ଏପରିକି ପ୍ରାଚୀନ କଳାର ସଂରକ୍ଷଣ ଲାଗି ଆମ ପାଖରେ ବିଶେଷ ବ୍ୟବସ୍ଥା ମଧ୍ୟ ନାହିଁ। ସେଇ ପୃଷ୍ଠଭୂମିରେ ଆଉ ଏକ କୋଣାର୍କ ନିର୍ମାଣ ର ପରିକଳ୍ପନା ଯେତିକି ଉଦ୍ଭଟ ସେତିକି ଅନାବଶ୍ୟକ ।

ଏଠି କହିବା ପ୍ରାସଙ୍ଗିକ ହେବ ଯେ, ପୃଥିବୀର ଯେତେ ବି ମହାନ ଶିଳ୍ପ, ସ୍ଥାପତ୍ୟ ବା ଚିତ୍ରକଳା ରହିଛି ତାହାର ବିକଳ୍ପ ବା ଦ୍ଵିତୀୟ ନିର୍ମାଣ କଥା କେହି ଚିନ୍ତା କରିନାହାନ୍ତି। ମାଇକେଲଆଞ୍ଜେଲୋଙ୍କ ସ୍ଥାପତ୍ୟ ହେଉ ଅଥବା ଲିଓନାର୍ଦୋ ଦା ଭିନ୍ସିଙ୍କ ମୋନାଲିସା, ଭାରତର ଖଜୁରାହୋ ହେଉ ବା କୋଣାର୍କ କିମ୍ବା ଆଧୁନିକ ସମୟରେ ରବି ବର୍ମା କିମ୍ବା ରାମାକିଙ୍କରଙ୍କ ଶିଳ୍ପ, ସେସବୁର ଦ୍ଵିତୀୟ ସଂସ୍କରଣ ବା ନିର୍ମାଣ କଥା କେହି ଚିନ୍ତା କରନ୍ତି ନାହିଁ। ପ୍ରତ୍ୟେକ କଳା ନିଜ ପରିଚୟରେ ସ୍ଵତନ୍ତ୍ର ଓ ନିର୍ବିକଳ୍ପ। ସେ ଦୃଷ୍ଟିରୁ କୋଣାର୍କ ର ଆଉ ଏକ ବିକଳ ଅନୁକରଣ ଦରକାର ନାଇଁ। ତେବେ ରଘୁନାଥ ମହାପାତ୍ର ନିଜେ ଆଉ ଏକ ମନ୍ଦିର ଗଢିବାକୁ ଯଦି ଉଦ୍ୟମ କରିବେ, ସେଥିରେ ତାଙ୍କୁ ବିରୋଧ କରିବାର କୌଣସି କାରଣ ନାହିଁ। ତେବେ ପ୍ରଶ୍ନ ଉଠୁଛି, ଶହ ଶହ ମନ୍ଦିର ସ୍ଥାପତ୍ୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଆଉ ଏକ ନୂଆ ମନ୍ଦିର ଗଢି ପାଞ୍ଚ ଶହ କୋଟି ଟଙ୍କା ଖର୍ଚ୍ଚ କରିବା କେତେଦୂର ଯୁକ୍ତିଯୁକ୍ତ?

ମନ୍ଦିର ବଦଳରେ ଏକ ନୂଆ ସ୍ଥାପତ୍ୟ ଗ୍ୟାଲେରୀ ବା କଳା ଅନୁଷ୍ଠାନ କଥା ଚିନ୍ତା କରା ଯାଉନାହିଁ କାହିଁକି? ମନ୍ଦିର ଶବ୍ଦ ପ୍ରତି ଭାରତୀୟ ଜନତା ପାର୍ଟିର ବିଶେଷ ଦୁର୍ବଳତା ରହିଛି। ସେଇ କାରଣରୁ ବୋଧେ ରଘୁ ବାବୁ ଏବେ ବିଜେପିର ପ୍ରିୟପାତ୍ର ପାଲଟିଛନ୍ତି। ସେଥିଲାଗି ତାଙ୍କୁ ମୋଦୀ ସରକାର ରାଜ୍ୟସଭାକୁ ନିର୍ବାଚିତ ମଧ୍ୟ କରିଛନ୍ତି। ଯଦିଓ ସେ ନିଜ କଳା ବ୍ୟବସାୟ କ୍ଷେତ୍ରରେ ଗାନ୍ଧୀ ପରିବାର, ଓଡିଶାର ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ଦଳ ସହ ଘନିଷ୍ଠ ରହିଆସିଛନ୍ତି, ତେବେ ମନ୍ଦିର ଗଢିବା ଲାଗି ତାଙ୍କର ଚିନ୍ତାକୁ ଅନ୍ୟମାନେ ବେଶୀ ଉତ୍ସାହିତ କରିନାହାନ୍ତି। କିଛି ବର୍ଷ ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ଵିତୀୟ କୋଣାର୍କର ସମର୍ଥକ ସାଜିଥିଲେ। ଏବେ କିନ୍ତୁ ସେକଥା ଆଉ ଶୁଣିବାକୁ ବି ମିଳୁନି।   

ଆମେ କଣ ଭାବିନେବା ଯେ ଦ୍ଵିତୀୟ କୋଣାର୍କ ଗଢିବାର ରାଜନୈତିକ ଆବଶ୍ୟକତା ବୋଧହୁଏ ରାଜ୍ୟସଭାରେ ପୂରଣ ହୋଇଗଲା!!

KONARK
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

‘ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ’ ଗଠନ ପାଇଁ ୧୦,୦୦୦ କୋଟି ନିବେଶକୁ କ୍ୟାବିନେଟ୍‌ର ମଞ୍ଜୁରୀ

October 6, 2026

ସମନ୍ୱିତ ପରିବହନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

October 6, 2026

Rajnath Singh in Odisha: ସୁନାବେଡ଼ାରେ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ

October 6, 2026
Latest News

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.