Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚନ୍ଦ୍ରଭାଗା କବିତା ଉତ୍ସବ, ଅନ୍ଧାର ସମୟରେ କବିତାର ଆଲୋକିତ ଯାତ୍ରା
ବିଶେଷ ଖବର

ଚନ୍ଦ୍ରଭାଗା କବିତା ଉତ୍ସବ, ଅନ୍ଧାର ସମୟରେ କବିତାର ଆଲୋକିତ ଯାତ୍ରା

January 22, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମୂଳ ବଙ୍ଗଳା- ଅଂଶୁମାନ କର

ଓଡିଆ ଅନୁବାଦ- ଜ୍ୟୋତି ନନ୍ଦ

(ଗତ କିଛି ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହେଉଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵ, କବି ଆଶୁତୋଷ ପରିଡା ଓ କବି ବିଜୟ ଉପାଧ୍ୟାୟଙ୍କ ଆୟୋଜନ ତଥା ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ସହାୟତାରେ ଆୟୋଜିତ ଏହି ଲୋକଙ୍କ କବିତାର ଉତ୍ସବ ସମ୍ପର୍କରେ ବିଶିଷ୍ଟ ବଙ୍ଗଳା କବି ଅଂଶୁମାନ କର “ଆନନ୍ଦ ବଜାର ପତ୍ରିକା” ରେ ଏକ ସୁନ୍ଦର ଆଲେଖ୍ୟ ଲେଖିଥିଲେ। ଆମର ପାଠକଙ୍କ ପାଇଁ ଏହାର ଓଡିଆ ଅନୁବାଦ ପ୍ରସ୍ତୁତ କରିଛନ୍ତି ସମକାଳ ର ପ୍ରଖ୍ୟାତ କଥାଶିଳ୍ପୀ ଜ୍ୟୋତି ନନ୍ଦ।)

ଅଂଶୁମାନ କର, ବିଶିଷ୍ଟ ବଙ୍ଗାଳୀ କବି

କବିତା ପାଠ କରୁଛି କ୍ଳାସ୍ ଇଲେଭେନର ଶାଶ୍ୱତ ଉପାଧ୍ୟାୟ। କବିତାରେ ସେ କହୁଛି ଏକ ବିଭାଜନୀୟ ପୃଥିବୀର କଥା। କବିତା ପଢୁପଢୁ ସେ ହଠାତ୍ କାନ୍ଦିବାକୁ ଆରମ୍ଭ କଲା। ଆମେ ଯେଉଁମାନେ ବୟସରେ ଅନେକ ବଡ ବସି ରହିଲୁ କିଂକର୍ତ୍ତବ୍ୟବିମୂଢ। ରାଷ୍ଟ୍ର ଯେତେବେଳେ ବିଭାଜିତ କରିବାକୁ ଚାହୁଁଛି ତାହାର ନାଗରିକମାନଙ୍କୁ, ସେତେବେଳେ କିଶୋରଟିଏ ବିଭାଜନହୀନ ଏକ ପୃଥିବୀର ସ୍ୱପ୍ନ ଦେଖିବାର କାମନାରେ ଅଶ୍ରୁପାତ କରୁଛି, ଆଉ ତାହାର ସେହି ଅଶ୍ରୁବିନ୍ଦୁ ଝରିପଡୁଛି ସଭାକକ୍ଷର ମାର୍ବଲ ଚଟାଣରେ । ଏଇ ଭଳି କିଛି ଦୁର୍ଲଭ ମୁହୂର୍ତ୍ତର ସାକ୍ଷୀ ହୋଇ ରହିଥିଲି କୋଣାର୍କ ଠାରେ “ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟିଭାଲ୍”ରେ ଭାଗ ନେବାକୁ ଯାଇଥିବାବେଳେ ।ଭାରତର ନାନା ପ୍ରାନ୍ତରେ ଆସିଥିଲେ ଭିନ୍ନ ଭିନ୍ନ ଭାଷାର କବିମାନେ।ପ୍ରାୟ ସମସ୍ତେ ପଡିଥିଲେ ସାମ୍ପ୍ରତିକ ସମୟରେ ଲେଖାଯାଇଥିବା କବିତା। ବିସ୍ମୟର ସହ ଲକ୍ଷ୍ୟ କରିଥିଲିପ୍ରାୟ ସମସ୍ତଙ୍କର କବିତାରେ ବିଷୟବସ୍ତୁ ହିସାବରେ ଉକୁଟି ଉଠିଛି ସିଏଏ ବା ଏନ୍ଆରସି ।

ଏହି ଉତ୍ସବର ମଧ୍ୟମଣି ଥିଲେ ଇଂରେଜୀ ଭାଷାର କବି ଜୟନ୍ତ ମହାପାତ୍ର। ସେ ଦୀର୍ଘକାଳ ଧରି “ଚନ୍ଦ୍ରଭାଗା” ନାଆଁରେ ଗୋଟିଏ ସାହିତ୍ୟ ପତ୍ରିକା ପ୍ରକାଶ କରି ଆସୁଛନ୍ତି। ୯୫ ବର୍ଷ ବୟସ, ସେଥିରେ ସେ କଟକରୁ ଏହି ଉତ୍ସବକୁ ଆସିଛନ୍ତି। କବିତା ପଢିଲେନାହିଁ,ମାତ୍ର କିଛି ଅମୂଲ୍ୟକଥା କହିଥିଲେ। ଜୟନ୍ତ ନିଜେ ସାରା ଜୀବନ ଉଚ୍ଚକଂଠର କବିତା ଲେଖିନାହାଁନ୍ତି। ତାଙ୍କର ପ୍ରତିବାଦର ସ୍ୱରଟି ସବୁବେଳେ ନିମ୍ନ ତାରରେ ବଂଧା। କିନ୍ତୁ ସେ ମଧ୍ୟ କହିଥିଲେ,ସାରା ଦେଶରେ ଯେଉଁ ପରି ସିଏଏ ଆଉ ଏନଆରସି ବିରୋଧି ଆନ୍ଦୋଳନର ସାମନା ଧାଡିରେ ଆସି ଛିଡା ହୋଇଛନ୍ତି ଝିଅ ମାନେ, ତାହା ଦେଖି ସେ ଉତ୍ସ୍ୱସିତ ଓ ଗର୍ବିତ। ଝିଅମାନଙ୍କର କଥା ବି କହିଥିଲେ ଓଡିଆ ଭାଷାର କବି କେଦାର ମିଶ୍ର। ସେ କହିଥିଲେ,ଏଇ ସମୟଟି କବିତା ଲେଖିବାର ସମୟ ନୁହଁ। ବରଂ ରାସ୍ତାରେ ଛିଡାହେବାର ସମୟ। ଆଉ ଝିଅମାନଙ୍କର ଆଖିରେ ମୁହଁରେ ଦୀପ୍ତ ହୋଇ ଉଠିଛି ଯେଉଁ ସବୁ ସ୍ଲୋଗାନ-ସେଗୁଡିକ ଇ ଆମ ସମୟର ସବୁଠୁ ଉଜ୍ଜଳ କବିତା। ମହାରାଷ୍ଟ୍ରରରୁ ଆସିଛନ୍ତି ସଞ୍ଜୀବ ଖାନ୍ଦେକର। ତାଙ୍କ ସହିତ ସର୍ବଦା ଘୁରି ବୁଲୁଛନ୍ତି ଦୁଇଜଣ ସିକ୍ୟୁରିଟି ଗାର୍ଡ। ରାଷ୍ଟ୍ରର ବିରୁଦ୍ଧରେ କଲମ ଧରିବାର ଫଳସ୍ୱରୂପ ସେ ଧମକ ପାଇଛନ୍ତି। ସଞ୍ଜୀବ କହିଥିଲେ,ମହାରାଷ୍ଟ୍ରରେ କେଉଁଭଳି କବିମାନେ ମୁଖର ହୋଇ ଉଠିଛନ୍ତି ଏନଆରସି ବିରୁଦ୍ଧରେ। କେଉଁ ଭଳି ଜଳ-ଜଙ୍ଗଲ ରକ୍ଷା ପାଇଁ ସେମାନେ ଧରିଛନ୍ତି କଲମ।ହିନ୍ଦୀ ଭାଷାର କବି, ଦିଲ୍ଲୀ ନିବାସୀ ସବିତା ସିଂହ କହିଥିଲେ,କେଉଁ ଭଳି ଜନସମୁଦ୍ରରେ ଅଟକି ପଡିଥିଲେ ସେ, ପୁଲିସ୍ର ବାରିକେଡ୍ ଭାଙ୍ଗି ସେ ଯାଇପାରିନଥିଲେ ଶାହୀନବାଗକୁ କବିତା ପଢିବାକୁ । ଗୋଟିଏ ପଟେ ଯେତେବେଳେ ସାରା ଦେଶରେ କହିବାକୁ ଗଲେ ଚାପିଦେବାର ବ୍ୟବସ୍ଥା ହେଉଛି ଗୋଟିଏ ଇ ଭାଷା, ନିର୍ମାଣ କରିବାର ଚେଷ୍ଟା ହେଉଛି “ଲିଙ୍ଗୁଇଷ୍ଟିକ୍  ହଷ୍ଟିଲିଟି”,ସେତେବେଳେ କବିତା ହେଉଛି ସେଇ ପରିସର ଯେଉଁଠି ଗୋଟିଏ ଭାଷାର ଶବ୍ଦ ଢୁକି ଯାଉଛି ଆଉ ଏକ ଭାଷାରେ, ଦେଖାଯାଉଛି “ଲିଙ୍ଗୁଇଷ୍ଟିକ୍ ହସପିଟାଲିଟି”। ଦେରିଦାଙ୍କୁ ଟିକିଏ ଆଉଁଷିଦେଇ ଏମିତି କଥା କହିଥିଲେ ମୁମ୍ବାଇ-ନିବାସୀ ଇଂରେଜୀ ଭାଷାର କବି ଅଶ୍ୱିନୀ କୁମାର।

ଉତ୍ସବରେ ଭାଗ ନେଇଥିବା ମହିଳା ଓ ଦଳିତ କବିମାନଙ୍କର କବିତା ଶୁଣି ଚମକି ଉଠିଥିଲି। ସାହିତ୍ୟ ଏକାଡେମୀ ଯୁବା ପୁରସ୍କାର ପାଇଛନ୍ତି ତରୁଣ ଦଳିତ କବି ଜୟଦ୍ରଥ ସୁନା। କୁଖ୍ୟାତ,ଦାରିଦ୍ର୍ୟ ପୀଡିତ କଳାହାଣ୍ଡିରେ ରହନ୍ତି। ସେ ଯେଉଁ କବିତା ପଡିଥିଲେ,ତାହାର ବିଷୟ ଥିଲା ଦେଶ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରୁ କବିତା ପଢିବାକୁ ଆସିଛନ୍ତି ଜଣେ ତରୁଣୀ ତାଙ୍କ ନାଆଁ କନକ ମହାକୁଡ। ସେ ଯେଉଁ ଦୁଇଟି କବିତା ପଡିଥିଲେ, ସେଥିରେ ଝିଅମାନଙ୍କର ସମସ୍ୟାର କଥା ନାହିଁ ।ରହିଛି ଦେଶଚ୍ୟୁତ ହେବାର ଦୁଶ୍ଚିନ୍ତା । ତାଙ୍କର କବିତାରେ ପ୍ରଶ୍ନ ଉଠିଛି: ଜଳ,ଜଙ୍ଗଲ,ଜମି ସହିତ ଏକାତ୍ମତା ହିଁ ଯାହାର ପରିଚୟ,ଏଇ ଦେଶର ସେହି “ଆଦି” ବାସିନ୍ଦାମାନେ କାହିଁକି  ଦାଖଲ କରିବେ ନାଗରିକତ୍ୱର ପ୍ରମାଣ ର କାଗଜ ? ଦୁଇ ଦିନର ଏହି ଉତ୍ସବରେ ଦେଖିଲି ଏପରିକି ବଙ୍ଗଳାଭାଷାରେ ଲେଖା ସିଏଏ ବିରୋଧୀ କବିତା ଅତି ଦ୍ରୁତ ଅନୁଦିତ ହୋଇ ଯାଉଛି ଓଡିଆ ଆଉ ଅହମିୟା ଭାଷାରେ। ବୁଝି ପାରିଲି କବିତାକୁ ଆଶ୍ରୟ କରି ପରସ୍ପରର ନିକଟତର ହୋଇ ଆସୁଛନ୍ତି ଭାରତର ନାନା ଭାଷାଭାଷି ମଣିଷ। ତିଆରି ହେଉଛି ସଂଯୋଗର ସେତୁ।

ଆଉ ଦୁଇଟି କଥା ମନକୁ ଆସିଲା। ପ୍ରଥମରେ ସିଏଏ ବିରୁଦ୍ଧରେ ଯେଉଁମାନେ କବିତା ଲେଖୁଛନ୍ତି, ସେମାନେ ସ୍ପଷ୍ଟଭାବରେ ବୁଝେଇବାକୁ ଚାହୁଁଛନ୍ତି ରାଷ୍ଟ୍ରର ସିଦ୍ଧାନ୍ତର ବିରୁଦ୍ଧରେ କଲମ ଧରିବାର ଅର୍ଥ ଦେଶଦ୍ରୋହ ନୁହଁ। ବରଂ ତାହା ଦେଶପ୍ରେମର ଦ୍ୟୋତକ। ଦେଶକୁ ଭଲ ପାଇଲେ ରାଷ୍ଟ୍ରକୁ ବେଳେ ବେଳେ ପ୍ରଶ୍ନ କରିବାକୁ ପଡିବ। ଦ୍ୱିତୀୟ ଜିନିଷଟି ଆହୁରି ଗୁରୁତ୍ୱପୂର୍ଣ୍ଣ  ଏକ ସମ୍ଭାବନାର ଇଙ୍ଗିତବାହୀ। ମହିଳା ବା ଦଳିତ କବିମାନେ,ସେମାନେ ନିଜର ଖଣ୍ଡ-ପରିଚିତିର ଉର୍ଦ୍ଧ୍ୱକୁ ଉଠି ,ପ୍ରାଧାନ୍ୟ ଦେଉଛନ୍ତି ସେମାନଙ୍କର “ଭାରତବାସୀ”ବୋଲି ପରିଚିତିକୁ। କନକ ମହାକୁଦକୁ ପଚାରିଥିଲି, ଝିଅ ମାନଙ୍କର ସମସ୍ୟାର କଥା ତ ଆପଣ ଲେଖନ୍ତି, ଏବେ କାହିଁକି ଦେଶ, ନାଗରିକତ୍ୱର କଥା ? ସେ କହିଲେ,”ଏହା ଏଇ ସମୟର ଦାବୀ। ରାଷ୍ଟ୍ର ଯଦି କହେ କାଗଜ ଦେଖାଇ ନପାରିଲେ ଦେଶ ଛାଡି ଚାଲିଯାଅ,ତାହାହେଲେ ମୁଁ ମନେ ରଖିବି ନାହିଁ ଯେ ମୁଁ ଜଣେ ମହିଳା ମୋର ପ୍ରଥମେ ମନକୁ ଆସିବ ମୁଁ ଜଣେ ଭାରତୀୟ। ରାଷ୍ଟ୍ର ଯେତେ କହିଲେ  ମୁଁ ଦେଶ ଛାଡି କୁଆଡକୁ ଯିବି ନାହିଁ”।

ଆମର ତ ଏମିତିରେ ରହିଥାଏ ଏକାଧିକ ପରିଚିତି। ତାହା ଭିତରୁ କୌଣସି ଗୋଟିଏ ପରିଚିତିକୁ ପ୍ରଧାନ କରି ଗଢି ତୋଳିଲେ କେଉଁ ପ୍ରକାର ବିପଦ ହେବ, ତାହା କେଉଁପରି ଅନ୍ଧତ୍ୱର ଏବଂ ହିଂସାର ଜନ୍ମ ଦେଇପାରେ ସେଇ କଥା ଆମର ସ୍ମରଣକୁ ଆଣିଛନ୍ତି ପ୍ରଖ୍ୟାତ ଅମର୍ତ୍ତ୍ୟ ସେନ୍। କିନ୍ତୁ ଚନ୍ଦ୍ରଭାଗା କୂଳରେ  କନକର କଥା ଶୁଣୁଶୁଣୁ ମନେ ହେଉଥିଲା ପରିଚିତି-ସତ୍ତାର ରାଜନୀତି ଦେଶର ଏଇ ଅଗ୍ନିଗର୍ଭ  ପରିସ୍ଥିତିରେ ଗୋଟିଏ ନୂତନ ମାତ୍ରା ଲାଭ କରୁଛି। କବିତାର ଜଗତ ଭଳି ସାମାଜିକ ପରିସରରେ ବି “ମୁଁ ଭାରତୀୟ” ଏଇ ଗୋଟିଏ ପରିଚୟକୁ ସାମନାକୁ ଆଣି ନିର୍ମିତ ହେଉଛି ଏକ ଅଦ୍ଭୁତପୂର୍ବ  ଜନ ଐକ୍ୟ।

ଉତ୍ସବରେ କନକ ପଡିଥିବା କବିତାର ଗୋଟିଏ ପଂକ୍ତି ଏହିଭଳି ଥିଲା,”ରାତ୍ରୀ ବଡ ଦୀର୍ଘ ଓ ଶୀତଳ”। କିନ୍ତୁ କବିମାନଙ୍କର କବିତା ଶୁଣୁଶୁଣୁ ମନକୁ ଆସୁଥିଲା ଅଂଧାରର ରାତି ଅପସରି ଯିବ ଆଲୁଅ ତାହାକୁ ପୋଛି ଦେବ ନିଶ୍ଚେ। ଲାଗୁଛି ଆଲୁଅ ଆସୁଛି କ୍ରମଶଃ।

(ଜାନୁଆରୀ 21 ତାରିଖରେ କୋଣାର୍କଠାରେ ଅନୁଷ୍ଠିତ ହୋଇଥିବା ‘ଚନ୍ଦ୍ରଭାଗା ପୋଏଟ୍ରି ଫେଷ୍ଟଭାଲ୍‌’ ସମ୍ପର୍କରେ  ବଙ୍ଗଳା ଦୈନିକ ଆନନ୍ଦ ବଜାର ପତ୍ରିକାରେ ପ୍ରକାଶିତ ତରୁଣ ବଙ୍ଗଳା କବି ଅଂଶୁମାନ କରଙ୍କ ଆଲେଖ୍ୟର ଏହା ଓଡ଼ିଆ ଅନୁସୃଜନ ।) 

Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.