ସମୀକ୍ଷା ବ୍ୟୁରୋ
ଅର୍ଥନୈତିକ ସର୍ବେକ୍ଷଣରେ ଅନେକ କଥା ଥାଏ ଯାହାକି ସହଜରେ ସାଧାରଣ ଲୋକ ବୁଝି ପାରନ୍ତି ନାହିଁ। ଗତ କିଛି ବର୍ଷର ଅନୁଭବରୁ ଆମେ ଜାଣିଛୁ ଯେ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ଭବିଷ୍ୟବାଣୀ କେବେ ହେଲେ ଠିକ ହେଉନାହିଁ। ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣରେ ଦେଶର ଅଭିବୃଦ୍ଧି ହାର ୭% ରହିବ ବୋଲି ଆକଳନ କରାଯାଇଥିଲା। ତେବେ ବର୍ଷ ପୂରିଲା ବେଳକୁ ଏହା ୫% ଭିତରେ ହିଁ ରହିବ ବୋଲି ଜଣା ପଡୁଛି। ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣରୁ ଗୋଟିଏ ତଥ୍ୟର ଆଲୋଚନା ଆମେ କରୁଛୁ।
ଚଳିତ ବର୍ଷ ବିଭିନ୍ନ ଜାତୀୟ ବ୍ୟାଙ୍କରେ ସାଧାରଣ କରଦାତାଙ୍କର ଅର୍ଥକୁ ସରକାର ପୁଞ୍ଜି ଭାବରେ ଖଟାଇଥିଲେ। ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ସାଧାରଣ କରଦାତାଙ୍କର ୪ ଲକ୍ଷ ୩୦ ହଜାର କୋଟି ଟଙ୍କା ବିଭିନ୍ନ ଜାତୀୟ ବ୍ୟାଙ୍କରେ ରହିଛି। ସରକାରୀ ସୂତ୍ର କହୁଛି ସରକାରୀ ବ୍ୟାଙ୍କରେ ରହିଥିବା ଟଙ୍କା ପିଛା ୨୩ ପଇସା କ୍ଷତି ହେଉଛି। ମୋଟ ଆକଳନ ଅନୁସାରେ ଗୋଟିଏ ବର୍ଷରେ ସାଧାରଣ ଲୋକେ ଏହି ବ୍ୟାଙ୍କ ଗୁଡିକରେ ୯୮ ହଜାର ୯ ଶହ କୋଟି ଟଙ୍କାର କ୍ଷତି ସହିଛନ୍ତି।
ଏହାର ବିପରୀତ ଅବସ୍ଥା ଘରୋଇ ବ୍ୟାଙ୍କ ଗୁଡିକରେ ଦେଖିବାକୁ ମିଳିଛି। ଘରୋଇ ବ୍ୟାଙ୍କ ଗୁଡିକ ଟଙ୍କା ପିଛା ୯.୬ ପଇସା ଲାଭ କରୁଥିବାର ସୂଚନା ମିଳୁଛି। ଏ ପ୍ରକାର ସ୍ଥିତିରେ ଜାତୀୟ ବ୍ୟାଙ୍କ ଗୁଡିକ ଉପରେ ସାଧାରଣ କରଦାତାଙ୍କର ଆସ୍ଥା ରହିବ କେମିତି? ବ୍ୟାଙ୍କ ଗୁଡିକର ଏ ପ୍ରକାର ସ୍ଥିତି ପାଇଁ ଅର୍ଥ ବିଭାଗ ଉତ୍ତରଦାୟୀ ରହିବେ କି?