ରାତି ୧୦ଟାରେ ଉଠିବ ମହାଦୀପ, ଜାଣନ୍ତୁ ପ୍ରଭୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ପାର୍କିଂ ସମ୍ପର୍କରେ

Published: Feb 20, 2020, 5:25 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରୀ। ଏକାମ୍ର ନଗରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ଜାଗର ପର୍ବ। ଏନେଇ ବେଶ୍‌ ଚଳଚଞ୍ଚଳ ଏକାମ୍ର ପୀଠ। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ୩.୩୦ରୁ ସାହାଣମେଲା ଦର୍ଶନ କରିପାରିବେ। ଅପରାହ୍ନ ୧୨.୪୫ ରୁ ୨.୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବ। ସନ୍ଧ୍ୟା ୭.୧୦ରୁ ୭.୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ହେବା ୧୦ଟା ପରଠାରୁ ମହାଦୀପ ଦର୍ଶନ ହେବ।

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରବଳ ଭିଡକୁ ଲକ୍ଷ୍ୟ ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ସମ୍ମୁଖର ବାମ ପାର୍ଶ୍ବରେ ପୁଲିସ ‌ନିୟନ୍ତ୍ରଣ କକ୍ଷ ରହିବ। ସେହିପରି ସେଠାରେ ସୂଚନା କେନ୍ଦ୍ର ମଧ୍ୟ ରହିବ। ସେଠାରେ ମଧ୍ୟ ସିସିଟିଭି ଉପରେ ପୁଲିସ ନଜର ରଖିବ। ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ସହ ବହୁ ସାଧା ପୋଷାକଧାରୀ ପୁଲିସ ନଜର ରଖିବେ। ପୁରୁଣା ଥାନା ଥିବା ଜାଗାରେ ଲୋକ ଧାଡ଼ି ବାନ୍ଧି ଠିଆ ହେବେ। ମନ୍ଦିର ଦୁଇ ପାର୍ଶ୍ବ ରାସ୍ତାରେ ଲୋକ ବସି ଦୀପ ଜାଳିବେ।

ସେହିପରି  ଯାନବାହାନ ପାର୍କିଂ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ରୋଡରୁ ଆସୁଥିବା ଦୁଇ ଚକିଆ ଯାନ ବଢେଇବାଙ୍କ ଦେଇ ଏସ୍‌ଏମ୍‌ ଓ ବିଏମ୍‌ ହାଇସ୍କୁଲ ପଡିଆରେ ପାର୍କିଂ ହେବ। ମାଉସୀମା ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଯାନ କେଦାରଗୌରୀ ମନ୍ଦିରର ଉଭୟ ପାର୍ଶ୍ବରେ ପାର୍କିଂ କରାଯିବ। ସେହିପରି ରବି ଟକିଜ୍ ଆଡୁ ଆସୁଥିବା ସବୁ ଗାଡି ମଧ୍ୟ ସେହି ସ୍ଥାନରେ ପାର୍କିଂ ହେବ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଆସିଥିବା ଗାଡି ବିଏମସି ମାର୍କେଟ୍ କମ୍ପ୍ଲେକ୍ସ ପାଖରେ ପାର୍କିଂ କରିହେବ ବୋଲି ସୂଚନା ରହିଛି।

 

Related posts