ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ପାଇଁ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 22ରୁ 29 ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କାଲି ସକାଳ ସାତଟାରୁ ଆରମ୍ଭ ହେବ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ଏହା 22 ତାରିଖ ସକାଳ 7ଟାରୁ ଆରମ୍ଭ ହୋଇ 29 ତାରିଖ ରାତି ନଟାରେ ଏହା ଶେଷ ହେବ ।
ବିଦେଶରୁ 3000ରୁ ଅଧିକ ଲୋକ ଓଡ଼ିଶାକୁ ଫେରିଥିବାରୁ ଏପରି ଘୋଷଣା କରାଯାଇଛି । ବିଦେଶରୁ ଫେରିଥିବା ଲୋକଙ୍କ ମଧ୍ୟରେ ସତୁରୀ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା । ପ୍ରଥମ ପର୍ଯ୍ୟାୟରେ ଏହି ପାଞ୍ଚଟି ଜିଲ୍ଳା ତଥା ଜିଲ୍ଲାର ସମସ୍ତ ସହର ଓ ଗାଁ ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ 22 ମାର୍ଚ୍ଚରୁ 29 ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସମୟରେ ଅନ୍ୟ ସମସ୍ତ ଜରୁରୀକାଳୀ ସେବା ଲକ୍ଡାଉନ ମୁକ୍ତ ରହିବ। ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ ବୋଲି ଜଣାପଡିଛି। ସେହିପରି ପେଟ୍ରୋଲ୍ ପମ୍ପ, ମେଡିସିନ୍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ ମଧ୍ୟ ଖୋଲା ରହିବ । ବିମାନବନ୍ଦର, ରେଳଷ୍ଟେସନ ଓ ବସ୍ଷ୍ଟାଣ୍ଡ୍ ଆଦି ଲକ୍ ଡାଉନ୍ ମୁକ୍ତ ରହିବ ।
ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସ୍ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡିଆର୍ଏଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଯଥାସମ୍ଭବ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି କହିଛନ୍ତି ନବୀନ । ତେବେ କଟକଣାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି।
ରାଜ୍ୟରେ ଦୁଇଟି କରୋନା ରୋଗୀ ଚିହ୍ନଟ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ କରୋନା ମୁକାବିଲା ପାଇଁ ବେଶ୍ କଡା ପଦକ୍ଷେପ ନିଆଯାଉଛି ।