ନଅ ମାସ କାଳ ପୃଥିବୀରୁ ଦୂରରେ ଥିବା ମହାକାଶଚାରୀମାନେ କିପରି ସାମ୍ନା କରିବେ କରୋନାଗ୍ରସ୍ତ ପୃଥିବୀକୁ

Published: Apr 14, 2020, 11:10 pm IST

ଫ୍ଲୋରିଡା : ବିଶ୍ବ ଏବେ ମହାମାରୀ କରୋନା ଗ୍ରସ୍ତ । ବିଶ୍ବବାସୀ ଏଥିରୁ ନିସ୍ତାର ପାଇବାକୁ ବାଟ ଖୋଜିଚାଲିଥିବାବେଳେ କୌଣସି ପ୍ରକାର ଦୃଢ ନିଶ୍ଚିତ ହୋଇପାରୁନାହାନ୍ତି । ଠିକ୍‌ ଏପରି ସମୟରେ ଦୀର୍ଘ ନଅ ମାସ କାଳ ପୃଥିବୀ ବାହାରେ ରହିଥିବା ତିନି ଜଣ ମହାକାଶଚାରୀ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ତିନି ମହାକାଶଚାରୀ ଆସନ୍ତା ସପ୍ତାହରେ ପୃଥିବୀ ପୃଷ୍ଠରେ ଅବତରଣ କରିବେ ବୋଲି ସୂଚନା ରହିଛି । ତେବେ ବିଶ୍ବରେ ଚାଲିଥିବା ଏପରି ଏକ ମହାସଂକଟକୁ ସେ କିପରି ସାମ୍ନା କରିବେ ସେନେଇ ସନ୍ଦିହାନ ହୋଇପଡିଛନ୍ତି ।

ନଅମାସ କାଳ ପୃଥିବୀ ବାହାରେ ରହିଥିବା ଏହି ମହାକାଶଚାରୀ ପୃଥିବୀ ପୃଷ୍ଠରେ ପହଞ୍ଚିବା କ୍ଷଣି ନିଜର ପ୍ରିୟ ଜନଙ୍କ ସହ ଆବେଗପୂର୍ଣ୍ଣ ଆଲିଙ୍ଗନ ମଧ୍ୟ କରିପାରିବେ ନାହିଁ ।

ଏହି ତିନି ମହକାଶଚାରୀ ହେଲେ ଜେସିକା ମୀର୍‌, ଆଣ୍ଡ ମୋର୍ଗାନ୍‌ ଏବଂ କ୍ରିସ୍‌ କ୍ରାସିଡି । ଏହି ତିନି ମହାକାଶଚାରୀ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶ ଗସ୍ତ କରିଥିଲେ । ମୋର୍ଗାନ୍‌ ଗତବର୍ଷ ଜୁଲାଇ ମାସରେ ମହାକାଶ ଯାତ୍ରା କରିଥିବାବେଳେ ମୀର୍‌ ଓ କ୍ରାସିଡି ଗତ ସେପ୍ଟେମ୍ବରର ହିଁ ମହାକାଶ ଯାତ୍ରା କରିଥିଲେ । ମହାକାଶରେ ଅବସ୍ଥାପିତ ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର (ଆଇଏସ୍‌ଏସ୍‌)ଠାରେ ଦୀର୍ଘଦିନ ଧରି ପରୀକ୍ଷା ନିରୀକ୍ଷା ଚଳାଇ ସେମାନେ ଆସନ୍ତା ଶୁକ୍ରବାର ଦିନ ପୃଥିବୀକୁ ଫେରିବେ ବୋଲି ସ୍ଥିର  ହୋଇଛି ।

ଏତେ ଦିନ ଧରି ନିଜ ପରିବାର ତଥା ପୃଥିବୀଠାରୁ ଦୂରରେ ରହି ଏକପ୍ରକାର ନିର୍ବାସିତ ଜୀବନ କାଟୁଥିବା ଏହି ତିନି ମହକାଶଚାରୀମାନେ ପୃଥିବୀକୁ ଫେରି ମଧ୍ୟ ନିର୍ବାସନ ତୁଲ୍ୟ ସମୟ କାଟିବେ ।  ମହାକାଶରେ ନିଃସଙ୍ଗତା ଅପେକ୍ଷା ନିଜ ଜନ୍ମମାଟିରେ ଭୋଗିବାକୁ ଥିବା ସଙ୍ଗରୋଧ ବିଜିନତା ହିଁ ତାଙ୍କ ପାଇଁ ବେଶୀ ଯନ୍ତ୍ରଣାଦାୟକ ବୋଲି ସେମାନେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହା କହି ଦୁଃଖ ପ୍ରକାଶ  କରିଛନ୍ତି । ସେମାନଙ୍କ ରହଣି କାଳରେ ପୃଥିବୀର ସ୍ଥିତିକୁ ଏତେ ବଦଳିଯାଇଥିବ ବୋଲି ସେମାନେ ବିଶ୍ବାସ କରିପାରୁନାହାନ୍ତି ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଆମେରିକାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଆମେରିକାରେ 6 ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ଥିବାବେଳେ 25 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts