Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସମୟରେ ସାମ୍ପ୍ରଦାୟିକ ଭୂତାଣୁର ସଂକ୍ରମଣ
ବିଶେଷ ଖବର

କରୋନା ସମୟରେ ସାମ୍ପ୍ରଦାୟିକ ଭୂତାଣୁର ସଂକ୍ରମଣ

April 21, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦେବ ରଞ୍ଜନ

କରୋନା ବିରୁଦ୍ଧରେ ଯୁଦ୍ଧ ଘୋଷଣା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ? ବିଶ୍ୱବ୍ୟାପି କରୋନା ସଂକ୍ରମଣକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପର ଏହା ଏକ ଅଂଶ ନା ମୁସଲମାନଙ୍କ ବିରୁଦ୍ଧରେ ଏହା ଆହୁରି ଏକ ଷଡଯନ୍ତ୍ର ? ଦେଶରେ ପୂର୍ବରୁ ରହିଥିବା ସାମ୍ପ୍ରଦାୟିକ ଭାବନା ଆଜି ପୁଣି “କରୋନା ବିରୋଧୀ ଯୁଦ୍ଧ”ରେ ପ୍ରତିଫଳିତ ହେବାହେତୁ ଏହି ପ୍ରଶ୍ନ ଆସୁଛି । ଭାରତରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଏହା ଅନ୍ୟ ସଂକ୍ରମଣ ରୋଗ ତୁଳନାରେ (ଯଥା: ଟିବି, ମେଲେରିଆ, ଟାଇଫେଡ ଜ୍ଵର, ହେପାଟାଇଟିସ, ଡାଇରିଆ ଇତ୍ୟାଦି) ସେଭଳି ଆତଙ୍କ ସୃଷ୍ଟିକାରୀ ସଂକ୍ରମଣ ନୁହେଁ ଯାହା ଲାଗି ସମଗ୍ର ଦେଶର 130 କୋଟି ଲୋକଙ୍କୁ 40 ଦିନ ଲାଗି ଲକ ଡାଉନ କରିଦିଆଯିବ । କିନ୍ତୁ ଏହାର ଆକ୍ରାନ୍ତଙ୍କ ଏକ ଅଂଶକୁ “ନିଜାମୁଦ୍ଦିନ ଲିଙ୍କ” ନାମରେ କେନ୍ଦ୍ର ସରକାର ଲଗାତର ଭାବରେ (ରାଜ୍ୟ ସରକାର ନୁହନ୍ତି) ଚିହ୍ନିତ କରିବା ଓ ମୁଖ୍ୟଧାରର ଅଧିକାଂଶ ଟିଭି ମିଡିଆ ଏହାକୁ ପୁନରାବୃତ୍ତି କରିବା ଏହି ସନ୍ଦେହକୁ ନିଶ୍ଚିତ ଭାବରେ ବଳିଷ୍ଠ କରିଦେଉଛି ଯେ ଯାହା କରାଯାଉଛି ତାହା କେବଳ ଏକ ସାମ୍ପ୍ରଦାୟିକ ପରିବେଶ ପାଇଁ ନୁହେଁ ତ?

ବିଦେଶରୁ ଆସିଥିବା ଏହି ଭାଇରସକୁ କେବେ ଏନଆରଆଇ ଲିଙ୍କ ଅଥବା ପାସପୋର୍ଟ ଲିଙ୍କ ଭାବରେ ଆଖ୍ଯିତ କରାଯାଇନାହିଁ (ବା ସେଭଳି କରିବା ଉଚିତ ମଧ୍ୟ ନୁହେଁ) ଯଦିଓ ଏହା ପ୍ରାୟତଃ ସେହି ଧନିକ ବର୍ଗ ହିଁ ଏ ଦେଶକୁ ଆଣିଛନ୍ତି । କିନ୍ତୁ ମିଡିଆ ତବଲିଗ ଜମାତ ଘଟଣା ପରଠାରୁ ହଠାତ ମୁସଲମାନଙ୍କୁ ଲକ୍ଷ୍ୟ କରିବା ଆରମ୍ଭ କରିଦେଲେ । ଗଣମାଧ୍ୟମର ଭୂମିକାକୁ ସମୀକ୍ଷା କରିବା ସମୟରେ ଉଦାହରଣ ଭାବରେ ଉତ୍ତର ଭାରତର ବହୁଳ ପ୍ରସାରିତ ‘ଦୈନିକ ଜାଗରଣ’ ଖବରକାଗଜକୁ ନିଆଯାଇପାରେ ।

‘ଦୈନିକ ଜାଗରଣ’ର ଦିଲ୍ଲୀ ସଂସ୍କରଣରେ ପନ୍ଦର ଦିନ ମଧ୍ୟରେ (ମାର୍ଚ୍ଚ 28 ରୁ ଏପ୍ରିଲ 11) ତବଲିଗ ଜମାତ ସମ୍ପର୍କିତ ଖବରର ଏକ ସମୀକ୍ଷା ଦିଲ୍ଲୀର ଶୋଏବ ଡାନିଏଲ କରିଥିଲେ । ସେହି ପନ୍ଦର ଦିନର  ‘ଦୈନିକ ଜାଗରଣ’ରେ 171ଟି ଷ୍ଟୋରି, ଆଠଟି ସମ୍ପାଦକୀୟ, ପାଞ୍ଚଟି କାର୍ଟୁନ ଓ ଗୋଟିଏ ସଂପୂର୍ଣ୍ଣ ପୃଷ୍ଠାର ଲେଖା ପ୍ରକାଶ ପାଇଥିଲା । ଏ ସମସ୍ତ ଲେଖାର ଭାଷା ଥିଲା ଅତ୍ୟନ୍ତ ସମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ । ‘ଦୈନିକ ଜାଗରଣ’  ଖବରକାଗଜ ହିନ୍ଦୀ ଭାଷୀ ଅଞ୍ଚଳରେ ସର୍ବାଧିକ ପାଠକ ଥିବା ଦାବି କରେ । ଏହି ସମୀକ୍ଷା ଦି ପ୍ରିଣ୍ଟ ଓ କାଉଣ୍ଟର କରେଣ୍ଟସରେ ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରେସ କାଉନସିଲ ଓ ଇଣ୍ଡିଆ, ସଂଖ୍ୟାନ୍ୟୁନ କମିଶନ, ମାନବିକ ଅଧିକାର କମିଶନ ଓ ଦିଲ୍ଲୀ ପୁଲିସ ଏହି ଖବରକାଗଜକୁ ‘ସାମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ’ ଅଭିଯୋଗରେ କୌଣସି ପଦକ୍ଷେପ ନେଇନାହାନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ସାମ୍ପ୍ରଦାୟିକ ଭାବନାର ପ୍ରଚାର କରାଯାଉଥିବାକୁ ବିରୋଧ କରିବା ହେତୁ ଉତ୍ତର ପ୍ରଦେଶ ସରକାର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରିବା ଓ ଅନେକଙ୍କୁ ନୋଟିସ କରିବା ଆରମ୍ଭ କରିଛନ୍ତି ତାହା ପୁଣି ଏହି ଲକ ଡାଉନର ସମୟରେ ।

ଓଡିଶାର ପ୍ରକାଶିତ ଖବରକାଗଜ ଓ କେତେକ ଟିଭି ଚ୍ଯାନେଲ “ନିଜାମୁଦ୍ଦିନ ଲିଙ୍କ” ସମ୍ବନ୍ଧରେ ସେହି ସମ୍ପ୍ରଦାୟିକ ଭାବନା ଉଦ୍ରେକକାରୀ ଭାଷା ଏଭଳି ବ୍ୟବହାର କରୁଥିଲେ ଯଦି କେହି ତାହାର ମଧ୍ୟ ସମୀକ୍ଷା କରିଥାନ୍ତା ତେବେ ସେହି ସମାନ ତଥ୍ୟ ହୁଏତ ପାଇଥାନ୍ତା ।

କେନ୍ଦ୍ର ସରକାରଙ୍କ ନିୟମିତ “ନିଜାମୁଦ୍ଦିନ ଲିଙ୍କ”ର ଠାବ ଓ ଗଣମାଧ୍ୟମର ଭାଷା ସାଧାରଣ ଜନମାନସକୁ ମଧ୍ୟ ପ୍ରଭାବିତ କରିଦେଲା । ବିଜେପିର କେତେକ ଏମଏଲଏ ଏହାକୁ ‘କରୋନା ଜେହାଦୀ’ କହିବା ସତ୍ବେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ବିରୋଧ କରାଯାଇନଥିଲା । (ଏବେ ମହାରାଷ୍ଟ୍ର ଓ ଗୁଜୁରାଟରେ ସଂକ୍ରମଣଙ୍କ ସଂଖ୍ୟା ବଢିବା ପରେ ଏହାକୁ କଣ କହିବେ?) ଏହାର ପ୍ରଭାବରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁସଲମାନ ବ୍ୟକ୍ତିଙ୍କୁ ଲୋକେ ସନ୍ଦେହ କଲେ, ଆବଶ୍ୟକୀୟ ପଦାର୍ଥ ସେମାନଙ୍କ ହାତରୁ ନେବା ଲାଗି ମନା କରିଦେଲେ ଓ   କେଉଁଠି କେଉଁଠି ଆକ୍ରମଣ ମଧ୍ୟ କରିଦେଲେ ।

ସହରୀ ଶିକ୍ଷିତ ମଧ୍ୟବିତ୍ତ ବର୍ଗ ଓ ‘ବହୁଳ ପ୍ରସାରିତ’ ଗଣମାଧ୍ୟମ ମଧ୍ୟରେ ସାମ୍ପ୍ରଦାୟିକ ଘୃଣା ଉଦ୍ରେକକାରୀ ସମ୍ବନ୍ଧଟିଏ ବହୁ ସମୟରେ ଦେଖିବାକୁ ମିଳିଥାଏ । ଏହା ଭାରତୀୟ ଗଣତାନ୍ତ୍ରିକ ସମାଜ ଲାଗି ଆଦୌ ଶୁଭ ସୂଚନା ନୁହେଁ । ନା ତବଲିଗ ଜମାତ ସମୁଦାୟ ମୁସଲମାନଙ୍କ ପ୍ରତିନିଧିତ୍ଵ କରୁଛି ନା ଯାହା ଜମାତରେ ହେଲା ତାହା ପଛରେ ସାଧାରଣ ମୁସଲମାନ ବ୍ଯକ୍ତିର କୌଣସି ଭୂମିକା ରହିଛି ।  ଜମାତର ନିଷ୍ପତ୍ତି ପଛରେ ଏହାର କର୍ମକର୍ତ୍ତା ଯେମିତି ଦାୟୀ ସେହିପରିମାଣରେ ଦିଲ୍ଲୀ ରାଜ୍ୟସରକାର ଓ କେନ୍ଦ୍ର ସରକାର ମଧ୍ୟ ଦାୟୀ।

କରୋନା ଦ୍ଵାରା ସବୁଠାରୁ ଅଧିକ ଆକ୍ରାନ୍ତ ଚୀନ ଓ ଇରାନର ସୀମା ସହିତ ଜଡିତ ଥିବା ହେତୁ ଉଭୟ ବଙ୍ଗଳାଦେଶ ଓ ପାକିସ୍ତାନ ଅଧିକ ସଂବେଦନଶୀଳ ଦେଶ । ଉଭୟ ଦେଶ ଆଜି ସଂପୂର୍ଣ୍ଣ ଲକ ଡାଉନ ସ୍ଥିତିରେ । ଆଜି ଭାରତୀୟ ମିଡିଆ ଯେଉଁ ତବଲିଗ ଜମାତକୁ ଦୋଷୀ କରୁଛି ସେହି ଜମାତ ପାକିସ୍ତାନରେ ମଧ୍ୟ ସୁପର ସ୍ପ୍ରେଡରର ସ୍ଥାନ ନେଇଛି । ଏହି ଜମାତ କରାଚିରେ ମାର୍ଚ୍ଚ ମାସରେ ଏକ ବିରାଟ ସମ୍ମିଳନୀ କରିଥିଲେ ଓ ଏହି କରାଚି ଅନ୍ତର୍ଗତ ପଞ୍ଜାବ ପ୍ରଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଦେଖାଯାଉଛନ୍ତି । ଏବେ ବଙ୍ଗଳାଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ଏସିଆରେ ସର୍ବାଧିକ ଗତିରେ ବଢୁଛି ।  ଭାରତୀୟ ମିଡିଆରେ ସେସମ୍ପର୍କରେ କେବେ କେଉଁଠି ଆଲୋଚନା ହେଉନାହିଁ । କିନ୍ତୁ ଆପଣଙ୍କ ମନେଥିବା ଭାରତୀୟ ହିନ୍ଦୀ ଓ ଇଂରାଜୀ ଟିଭି ଚ୍ୟାନେଲେ କେଉଁଭଳି ପାକିସ୍ତାନର କେଉଁ ପ୍ରାନ୍ତର ଛୋଟ ଘଟଣାଟିକୁ ବି ଏକ ମୁସଲମାନ ବିରୋଧୀ ରଙ୍ଗ ଦେଇ ପ୍ରତିଦିନ ଘଣ୍ଟାଘଣ୍ଟା ସମୟ ପ୍ରସାରିତ କରୁଥିଲେ ।

ଗଲା ଏପ୍ରିଲ 12 ତାରିଖରେ ପ୍ରକାଶିତ ବିଶ୍ଵ ବ୍ୟାପୀ କରୋନା ବିପକ୍ଷରେ ସୁରକ୍ଷିତ ପ୍ରଥମ ଚାଳିଶଟି ଦେଶମାନଙ୍କ ତାଲିକାରେ  ଭାରତ ନା ପାକିସ୍ତାନ ନା ଶ୍ରୀଲଙ୍କା ନା ବଙ୍ଗଳାଦେଶ କେହିନାହାନ୍ତି । (ଯଦିଓ ଜର୍ମାନୀ ଓ ଏସିଆ ଦେଶ ମଧ୍ୟରେ ଚୀନ, ଜାପାନ, ଦକ୍ଷିଣ କୋରିଆ, ୟୁନିଟେଡ ଆରବ ଓ ଥାଇଲ୍ୟାଣ୍ଡ ଭଳି ଦେଶ ଅଛନ୍ତି।) ଏହା ଆମର ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ବା ପବ୍ଲିକ ହେଲ୍ଥ  ସିଷ୍ଟମର ଦୁର୍ବଳତାକୁ ଦର୍ଶାଉଛି ।

କରୋନା ଆତଙ୍କ ସତେରେ ମୁସଲମାନ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ଏହି ଦେଶରେ କରାଯାଇଛି କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ କହିବ କିନ୍ତୁ ଏହି ସମୟରେ ସାମ୍ପ୍ରଦାୟିକ ବାତାବରଣ ତିଆରି କରିବାକୁ ଯେତେ ଦୃଢ ଭାବରେ ନିନ୍ଦା କଲେ ବି କମ ପଡିବ । ଆଜି ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଉପଯୁକ୍ତ ଉପକରଣର ଅଭାବ, ଅସୁରକ୍ଷିତ ଭବିଷ୍ୟତ ସତ୍ବେ ଏ ଦେଶର ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ (ଡାକ୍ତରଙ୍କ ଠାରୁ ଆଶକର୍ମୀଙ୍କ ପର୍ଯ୍ୟନ୍ତ) ଯେଉଁ ମାନବିକତା ନେଇ ଆମର ସମଗ୍ର ସମାଜକୁ ବଞ୍ଚାଇବାରେ ଲାଗିଛନ୍ତି ତାହାକୁ ପ୍ରଶଂସା ନକରି ରହିହେବନି । ସେହି ମାନବିକତା ଓ ସାମାଜିକ ଭାବନା ବ୍ଯକ୍ତିର ଶୈଶବାରୁ ଆସିଥାଏ ଓ ସେଥିଲାଗି ସେମାନଙ୍କ ପିତାମାତା ଓ ସମାଜ ନିଶ୍ଚେ ପ୍ରଶଂସିତ ହେବା ଉଚିତ । କୌଣସି ବ୍ଯକ୍ତିର ନେତୃତ୍ଵ ନୁହେଁ ବରଂ ସେହି ସଂବେଦନଶୀଳ ସମାଜ କିପରି ବଞ୍ଚିରହିବ ଦେଶବାସୀ ବରଂ ସେ ଦିଗରେ ସଚେତନ ହେବା ଜରୁରୀ ।

communal corona
Share. Facebook Twitter LinkedIn Email WhatsApp Copy Link

Related Posts

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026
Latest News

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.