କରୋନା ବିଦ୍ଵେଷ- କେବଳ ଧର୍ମ ଆଧାରରେ ନୁହଁ, ଏବେ ରାଜ୍ୟ ଆଧାରରେ ମଧ୍ୟ ବିଭାଜନର ଆରମ୍ଭ

Published: Apr 29, 2020, 8:20 am IST

କେଦାର ମିଶ୍ର

ବିପଦ ମଣିଷକୁ ଏକତା ଶିଖାଏ, ହେଲେ ଆମ ଭାରତୀୟଙ୍କ କ୍ଷେତ୍ରରେ ଏହା ପୂରା ଓଲଟା। ବିପଦକୁ ଏକାଠି ସାମ୍ନା କରିବା ପରିବର୍ତ୍ତେ ଆମେ ବିପଦ ସମୟରେ ବିଭାଜିତ ହେବାକୁ ବେଶୀ ପସନ୍ଦ କରୁଛୁ। କରୋନା ବିପଦ ଆମକୁ ପ୍ରତିଦିନ ନୂଆ ନୂଆ ବାଗରେ ବିଭାଜିତ କରିଚାଲିଛି। ଭୂତାଣୁ ସଂକ୍ରମଣ ତୁଳନାରେ ବିଦ୍ଵେଷ ଓ ବିଭାଜନର ଭୂତାଣୁ ଏବେ ଅଧିକ ବିପଜ୍ଜନକ। ପ୍ରଥମରୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଆମେ ବିଦ୍ଵେଷ ବଢାଇ ଚାଲିଲୁ। ମାନବିକତା ଆଗରେ ଧର୍ମ ବଡ ହୋଇ ଦିଶିଲା। ଯାହା ଫଳରେ ପ୍ରଥମ କିଛିଦିନ ଆମେ ଧର୍ମ ଆଧାରରେ କରୋନା ଆକ୍ରାନ୍ତଙ୍କୁ ବାଣ୍ଟିଲୁ। ସମୟକ୍ରମେ ତାକୁ ନେଇ ଯେତେବେଳେ ଦେଶର ବଦନାମ ହେଲା, ତାକୁ ନେଇ ଆରବ ରାଷ୍ଟ୍ରଗୁଡିକ ଯେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କାଲେ, ତାପରେ ଯାଇ ଭାରତ ସରକାରଙ୍କର ଚେତା ପଶିଲା।  ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ବିଭାଜନ ଓ ବିଦ୍ଵେଷ ସୃଷ୍ଟି ନ କରିବାକୁ ନିବେଦନ କଲେ। ଶାସକ ବିଜେପିର ବୌଦ୍ଧିକ ପିତୃ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ସର୍ବ ସାଧାରଣରେ ଏ ପ୍ରକାର ବିଭାଜନ ବିରୋଧରେ କହିବାକୁ ପଡିଲା। ଆରବ ରାଷ୍ଟ୍ରଗୁଡିକର ଚାପ ପଡିନଥିଲେ, କଦାପି ସଂଘ ଓ ବିଜେପି ନିଜର ବିଦ୍ଵେଷୀ ଏଜେଣ୍ଡା ବଦଳାଇ ନଥାନ୍ତେ। ତେବେ ଆଜି ମଧ୍ୟ ସରକାରର ପୋଷା ଗଣମାଧ୍ୟମ ସାଜିଥିବା କେତେକେ ନିର୍ଦ୍ଦିଷ୍ଟ ଟେଲିଭିଜନ ଚାନେଲ ଆଜି ମଧ୍ୟ ଧାର୍ମିକ ବିଦ୍ଵେଷ ତିଆରି କରିବାର ଉଦ୍ୟମ ଚଳାଇଛନ୍ତି।

ତେବେ ଧାର୍ମିକ ବିଦ୍ଵେଷ ଓ ବିଭାଜନର ବିଷ ସାମାନ୍ୟ କମି ଆସିଲା ବେଳକୁ ଏବେ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଓ ବିଭାଜନର ବିଷାକ୍ତ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। କରୋନା ଆକ୍ରାନ୍ତଙ୍କର “ବଙ୍ଗଳା ଲିଙ୍କ” , “ଗୁଜରାଟ ଲିଙ୍କ” କିମ୍ବା “ମହାରାଷ୍ଟ୍ର ଲିଙ୍କ” କଥା ଏବେ ଅଧିକରୁ ଅଧିକ ଉଠୁଛି। ଏବେ ଦିଲ୍ଲୀ ସହର ତିନି ଭାଗରେ ପରଷ୍ପରଠାରୁ ଅଲଗା ହୋଇ ରହିଛନ୍ତି। ଉତ୍ତର ପ୍ରଦେଶ ସରକାର ଦିଲ୍ଲୀ ସହିତ ନିଜର ସୀମାକୁ ସିଲ କରି ଦେଇଛନ୍ତି। ଅପର ପକ୍ଷରେ ହରିୟାନା ସରକାର ମଧ୍ୟ ଦିଲ୍ଲୀ ସୀମାକୁ ବନ୍ଦ କରି ଦେଲେଣି। ଯିଏ ଦିଲ୍ଲୀରୁ ଆସୁଛି, ସେ ହରିୟାନା କୁ କରୋନା ଭୂତାଣୁ ଆଣୁଛି ବୋଲି ହରିୟାନାର ମନ୍ତ୍ରୀ ଅନିଲ ବିଜ କହିଛନ୍ତି।

ଅନ୍ୟ ରାଜ୍ୟ କଥା କଣ କହିବା, ଆମ ରାଜ୍ୟରେ ଏ କଥା କମ ବ୍ୟାପକ ନୁହେଁ। ଏବେ ପ୍ରତିଦିନ ଟେଲିଭିଜନରେ ଆମେ “କଲିକତା ଫେରନ୍ତା” ଓ  “ପଶ୍ଚିମ ବଙ୍ଗ ଫେରନ୍ତା” ଙ୍କୁ ନେଇ ଆତଙ୍କିତ। ସତେକି ବାହାର ରାଜ୍ୟରେ ଯିଏ ରହିଲା, ସିଏ କରୋନା ଭୂତାଣୁର ବାହନ। ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ଯିଏ ଆସିଲା, ସେ ରାଜ୍ୟର ଶତ୍ରୁ!! ଏବେ ରାଜ୍ୟ ବାହାରେ ରହିଥିବା ଲକ୍ଷ ଲକ୍ଷ ଶ୍ରମିକ ଆମ ପାଇଁ ସନ୍ଦେହର କାରଣ ପାଲଟି ଯାଉଛନ୍ତି। ସେମାନେ ରାଜ୍ୟକୁ ଫେରିଲେ ସେମାନଙ୍କ ସହିତ କରୋନା ମାଡି ଆସିବ ବୋଲି ଏକ ଧାରଣା ସବୁଠି ଖେଳି ବୁଲୁଛି।

ପ୍ରଥମେ କରୋନା ଭୂତାଣୁ “ଆମେରିକା ଫେରନ୍ତା”, “ଇଟାଲୀ ଫେରନ୍ତା”, “ୟୁରୋପ ଫେରନ୍ତା” ଙ୍କ ମାଧ୍ୟମରେ ଦେଶରେ ପ୍ରବେଶ କଲା। ଯେଉଁମାନେ ଦେଶ ବାହାରେ ଥିଲେ ସେମାନଙ୍କୁ ଫେରାଇ ଆଣିବାର ମାନବିକ ଦାୟିତ୍ଵ ଆମେ ପାଳନ କଲୁ।ତେବେ ନିଜ ଦେଶରେ ଥିବା ଲୋକଙ୍କ ବେଳକୁ ସେ ମାନବିକତା ବିଭାଜିତ ହେଉଛି କାହିଁକି? ଅନେକ ଲୋକ ଭାବୁଛନ୍ତି, ଲକ ଡାଉନ ଚିରସ୍ଥାୟୀ ହୋଇ ରହୁ ଓ ଯିଏ ଯେଉଁଠି ଅଛନ୍ତି, ସେ ସେଇଠି ଥାନ୍ତୁ। ତାହା ସମ୍ଭବ କି?ଲକ ଡାଉନ ପୂର୍ବରୁ ବିଭିନ୍ନ କାମରେ ଲୋକେ ଅନ୍ୟ ରାଜ୍ୟକୁ ଯାଇଛନ୍ତି। କିଏ ଶ୍ରମଜୀବୀ ଭାବରେ ଯାଇଛି।  କିଏ ବା ପାଠ ପଢିବାକୁ ଯାଇଛି।  ଅନେକ ଯାଇଛନ୍ତି ବୃତ୍ତିଗତ କାମରେ। ଆହୁରି ଅନେକ ତୀର୍ଥ କରିବାକୁ ଯାଇ ଅଟକି ରହିଛନ୍ତି। ଏମାନେ ସମସ୍ତେ ନିଜ ରାଜ୍ୟକୁ କଣ ଫେରିବେ ନାହିଁ?

କୌଣସି ସରକାର ଦେଶ ଭିତରେ ଲୋକଙ୍କର ଗମନାଗମନକୁ ଚିରଦିନ ପାଇଁ ବନ୍ଦ କରି ପାରିବ ନାହିଁ କିମ୍ବା ରାଜ୍ୟ ରାଜ୍ୟ ଭିତରେ ଲୁହାର ବାଡ ପଡି ପାରିବ ନାହିଁ। ୧୩୦ କୋଟି ଲୋକଙ୍କୁ ଭାରତୀୟ ଭାବରେ ଏହି ବିପଦର ସାମ୍ନା କରିବାକୁ ପଡିବ। ଓଡିଆ, ବଙ୍ଗାଳୀ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଇତ୍ୟାଦି ପରିଚୟରେ ଦେଶକୁ କରୋନା ସମୟରେ ଖଣ୍ଡ ଖଣ୍ଡ କରି ଦେଖିବା ଏକ ବିପଜ୍ଜନକ ପ୍ରକ୍ରିୟା। କରୋନାସହ ଲଢେଇ କଲାବେଳେ ସବୁ ଭାରତୀୟ ରାଜ୍ୟ ପରଷ୍ପରର ସହଯୋଗୀ ହେବାକୁ ବାଧ୍ୟ। ନିଜ ନିଜ ଘରକୁ ଫେରିବା ଲାଗି ଅଟକି ରହିଥିବା ସବୁ ଯାତ୍ରୀ ବିକଳ। ସେମାନଙ୍କୁ ସଂକ୍ରମଣର ବାହକ ବୋଲି କହି ଅଟକ ରଖିବା ମାନବୀୟ ହେବନାହିଁ। ସେମାନେ ନିଜ ନିଜ ରାଜ୍ୟକୁ ଫେରିବେ। ହେଲେ ସେମାନଙ୍କ ଫେରିବାର ବାଟକୁ ନିୟନ୍ତ୍ରିତ ତଥା ବିପଦମୁକ୍ତ କରିବା ପାଇଁ ସ୍ଵତନ୍ତ୍ର ରଣନୀତି ତିଆରି କରିବାର ଆବଶ୍ୟକତା ରହିଛି।

ରାଜ୍ୟ ରାଜ୍ୟ ଭିତରେ ସନ୍ଦେହ ତଥା ବିଦ୍ଵେଷ ସୃଷ୍ଟି ହେଲେ ତାର ପରିଣତି ଲୋକେ ହିଁ ଭୋଗିବେ। ଲୁଚେଇ କିମ୍ବା ଗଳାବାଟ ଦେଇ ଲୋକ ରାଜ୍ୟ ଭିତରକୁ ଆସିବେ। ଭଦ୍ରଖ ଓ ଯାଜପୁର ଜିଲ୍ଲାରେ ତାହା ହିଁ ଘଟିଛି। ଲୋକେ ଗଳା ବାଟ ଦେଇ ଆସିଛନ୍ତି। ଏହି ଗଳାବାଟ ବେଶୀ ବିପଜ୍ଜନକ। ଲକ ଡାଉନ ପରେ ସାରା ଦେଶରେ ଅଟକି ରହିଥିବା ଲୋକେ କେମିତି ନିଜ ରାଜ୍ୟ ଓ ଘରକୁ ଫେରିବେ, ସେଥିପାଇଁ ଭାରତ ସରକାର ଏକ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା କଥା। ହେଲେ ଏ  କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ଉପରେ ସବୁ ଦାୟିତ୍ଵ ଛାଡି ଦେଇ ନିଜେ କିଛି କରିବାକୁ ଚାହୁଁ ନାହାନ୍ତି। ଲକ ଡାଉନ ଯଦି କେନ୍ଦ୍ର ରାଜ୍ୟ ମାନଙ୍କ ଉପରେ ଲଦି ଦେଇପାରିବ, ଲୋକଙ୍କ ଫେରିବା ଦାୟିତ୍ଵ ମଧ୍ୟ କେନ୍ଦ୍ର ସରକାର ନେବା ଉଚିତ। ଏଥିପାଇଁ ରେଳ ବିଭାଗର ଯେଉଁ ବ୍ୟାପକ ଭିତ୍ତିଭୂମି ରହିଛି, ତାର ସଦୁପଯୋଗ ହେବା ନିତାନ୍ତ ଜରୁରୀ।

Related posts