ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ଲକ୍ ଡାଉନ୍ର ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍ଡାନ୍ 3.0ରେ ସରକାର କିଛି ରିହାତି ପ୍ରଦାନ କରିଛନ୍ତି । କରୋନାର ସ୍ଥିତିକୁ ଦେଖି ଦେଶକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି । ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଆଦି ଜୋନ୍ରେ ଭାଗ କରାଯାଇ ଏହି ଜୋନ୍ରେ କିଛି କିଛି ରିହାତି ମିଳିଛି। ତେବେ ରେଡ୍ ଜୋନ୍ରେ କୌଣସି ପ୍ରକାରର କଟକଣାରୁ ମୁକ୍ତ କରାଯାଇନାହିଁ । ଗ୍ରୀନ୍ ଓ ଅରେଞ୍ଜ ଜୋନ୍ରେ କିଛି କଟକଣାକୁ ହ୍ରାସ କରାଯାଇଛି ।
ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ 733ଟି ଜିଲ୍ଲାକୁ କରୋନାର ସ୍ଥିତିକୁ ଦେଖି ଜୋନ୍ରେ ଭାଗ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଧାରରେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ରେ ଆଦି ବଣ୍ଟାଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗର ସମେତ ଦେଶର 130ଟି ଜିଲ୍ଲା ରେଡ୍ ଜୋନରେ ରହିଛନ୍ତି । ସେହିପରି 319ଟି ଜିଲ୍ଲା ଗ୍ରୀନ୍ ଜୋନ୍ ଓ 284ଟି ଅରେଞ୍ଜ ଜୋନ୍ ରେ ରହିଛି ।
ଦେଶରେ ଯାତାୟତର ସମସ୍ତ ସୁବିଧାକୁ ପୂର୍ବରୁ ବନ୍ଦ ରଖାଯାଇଛି । ଟ୍ରେନ୍ ଓ ବିମାନ ସେବା ଆରମ୍ଭ ହୋଇପାରିବ ନାହିଁ । ସେହିପରି ମେଟ୍ରୋ ସେବାକୁ ମଧ୍ୟ ରଖାଯାଇଛି । ସେହିପରି ମଲ୍, ସିନେମା ହଲ୍ ଆଦି ଖୋଲିବାକୁ ଅନୁମତି ମିଳିନାହିଁ । ବିଶେଷ ଉଦ୍ଦେଶ୍ୟରେ ଆନ୍ତରାଜ୍ୟ ଚଳଚାଳକୁ ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମତି ଦିଆଯିବ । ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ କୋଚିସେଣ୍ଟର ସମେତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଆ ହୋଟେଲ୍, ରେୁଷ୍ଟରାଣ୍ଟ, ସିନେମା ହଲ୍, ଜିମ୍ନାଜିୟମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରଭୃତି ବନ୍ଦ ରହିବ ।
ଗର୍ଭବତୀ ମହିଳା, 10 ବର୍ଷରୁ କମ୍ ଶିଶୁ ଓ 65 ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସମସ୍ତ ଧାର୍ମିକସ୍ଥଳୀ ବନ୍ଦ ରହିବ । କୌଣସି ପ୍ରକାରର ରାଜନୈତିକ, ସାଂସ୍କୃତିକ ତଥା ସାମୁଦାୟିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି ।
ଆସନ୍ତୁ ଜାଣିବା କେଉଁ ଜୋନ୍ରେ କ’ଣ ସବୁ କୋହଳ କରାଯାଇଛି
ରେଡ୍ ଜୋନ୍ : ରେଡ୍ ଜୋନ୍ରେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବାକୁ ଅନୁମତି ଦିଆଯିବା ସହିତ ବାଇକ୍ରେ କେବଳ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଏହି ଜୋନ୍ରେ ଥିବା କିଛି ବାଣିଜ୍ୟ ପ୍ରତିଷ୍ଠାନକୁ ଅନୁମତି ମିଳିଛି । ସେଗୁଡିକ ମଧ୍ୟରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ, ଆଇଟି ଏବଂ ଆଇଟି ସକ୍ଷମ ସେବା, ଡାଟା ଏବଂ କଲ୍ ସେଣ୍ଟର, କୋଲ୍ଡ ଷ୍ଟୋରେଜ୍ ଏବଂ ଗୋଦାମ ସେବା, ଘରୋଇ ସୁରକ୍ଷା ଏବଂ ସୁବିଧା ପରିଚାଳନା ସେବା ଅନ୍ତର୍ଭୁକ୍ତ ରହିଛି। ସେହିପରି ବେସରକାରୀ ସଂସ୍ଥାମାନେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ। ସାମାଜିକ ଦୂରତ୍ବ ଓ କରୋନା ଗାଇଡଲାଇନ ପାଳନ କରିବାକୁ ଅନିବାର୍ଯ୍ୟ କରାଯାଇଛି । ସେହିପରି ଏହି ଜୋନ୍ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ଅନୁମତି ଦିଆଯାଇଛି । ବିଜୁଳି, ପାଣି, ସାନିଟେନସନ ଓ ୱେଷ୍ଟମ୍ୟାନେଜମେଣ୍ଟ କାର୍ଯ୍ୟକ୍ଷମ ହେବ । ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଓ କ୍ରେଡିଟ୍ କୋପୋରେଟିଭ ସୋସାଇଟି
ସେହିପରି ରେଡ୍ଜୋନ୍ରେ ମନରେଗା କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଓ ଇଟାଭାଟି ସମେତ ଗ୍ରାମାଞ୍ଚଳରେ ଶିଳ୍ପ ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି । ସମସ୍ତ ପ୍ରକାରର କୃଷିଭିତ୍ତି କାର୍ଯ୍ୟକୁ ଅନୁମତି ମିଳିବା ସହିତ ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟ ଚାଲୁ ରହିବ ।
ଅରେଞ୍ଜ ଜୋନ: ଏହି ଜୋନ୍ରେ ଟ୍ୟାକ୍ସି ଓ କ୍ୟାବରେ କେବଳ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରିହେବ। କେବଳ ଅନୁମତି ପ୍ରାପ୍ତ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବା କରିବାକୁ ଅନୁମତି ମିଳିବ। ଚାରି ଚକିଆରେ ଡ୍ରାଇଭରଙ୍କୁ ମିଶାଇ ତିନି ଜଣ ଓ ଦୁଇ ଚକିଆରେ ଦୁଇ ଜଣ ଯିବା ଆସିବା କରିପାରିବେ । ସେହିପରି ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭର କରିପାରିବେ। ଏତଦ୍ ବ୍ୟତୀତ ରେଡ ଜୋନରେ ଦିଆଯାଇଥିବା କୋହଳ ନୀତିକୁ ଏଠାରେ ପାଳନ କରାଯିବ।
ଗ୍ରୀନ ଜୋନ : ଏହି ଜୋନ୍ରେ ବସ୍ ଚଳାଚଳ କରିପାରିବ। ହେଲେ ବସ୍ର କ୍ଷମତା ଠାରୁ ପଚାଶ ପ୍ରତିଶତ ଯାତ୍ରୀ ଏହା ମଧ୍ୟରେ ଯିବା ଆସିବା କରିପାରିବେ। ଏଠାରେ ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରିପାରିବେ। ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀଗୁଡ଼ିକୁ ହୋମ ଡେଲଭରୀକୁ ଅନୁମତି ମିଳିବ। ସମସ୍ତ ପ୍ରକାରର ଦୋକାନ ଖୋଲି ପାରିବ। ଏଥିପାଇଁ କୌଣସି ବିଶେଷ ପାସ୍ର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ କରିପାରିବ ନାହିଁ। ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ, ଅନ୍ୟ ପଡ଼ୋଶୀ ଦେଶ ମଧ୍ୟରେ ଯାନବାହନ ଚଳାଚଳ କରାଇପାରିବେ ନାହିଁ ।