Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଡ଼ିଏ ଲକ୍ଷର ଆର୍ଥିକ ପ୍ୟାକେଜ, ନାମକୁ ସୁନ୍ଦର, କାମରେ ଶୂନ
ବିଶେଷ ଖବର

କୋଡ଼ିଏ ଲକ୍ଷର ଆର୍ଥିକ ପ୍ୟାକେଜ, ନାମକୁ ସୁନ୍ଦର, କାମରେ ଶୂନ

May 14, 2020No Comments6 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ଗତ 12 ତାରିଖ ରାତି 8ଟାରେ ପ୍ରଧାନମନ୍ତ୍ରୀ ଟେଲିଭିଜନ ମାଧ୍ୟମରେ ଦେଶକୁ ସମ୍ବୋଧନ କରିବା ସମୟରେ  ଯେଉଁ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ କଥା କହିଲେ ତାହା ଅନେକଙ୍କ ମନରେ ଆଶା ସଞ୍ଚାର କରିଥିଲା । ମାତ୍ର ପରଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସେହି ଆର୍ଥିକ ପ୍ୟାକେଜର ଅଂଶସ୍ବରୁପ ଯେଉଁ 15ଟି କଥା କହିଲେ ସେଥିରେ ଖୁସୀ ହେବା ଭଳି କିଛି ନ ଥିଲା । କରୋନା ସଂକ୍ରମଣ ସମୟରେ ଗରିବ, ରାଜ୍ୟାନ୍ତର ଶ୍ରମିକ, ଛୋଟ ଦୋକାନୀ ଓ ଚାଷୀମାନଙ୍କ ଭଳି ଯେଉଁମାନେ  ସିଧାସଳଖ କ୍ଷତିଗ୍ରସ୍ତ  ହେଉଛନ୍ତି ଏବଂ ବର୍ତ୍ତମାନ ସମୟରେ ଯେଉଁମାନଙ୍କ ପାଖରେ ସାହାଯ୍ୟ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ହେବା ଉଚିତ୍ ସେମାନଙ୍କ ପାଇଁ ଅର୍ଥମନ୍ତ୍ରୀ ପଦୁଟିଏ ବି କହିଲେ ନାହିଁ ।

ଅନ୍ୟ ପକ୍ଷରେ ଆଉ ଯେଉଁମାନେ ଆଶା କରିଥିଲେ ଯେ ବର୍ତ୍ତମାନର ଏଭଳି ଅଦ୍ଭୁତପୂର୍ବ ପରିସ୍ଥିତି ସମୟରେ ସରକାର କିଛି ବଡ ପଦକ୍ଷେପ ନେବେ ଯେମିତି 1991 ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ନେଇଥିଲେ ସେମାନେ ବି ନିରାଶ ହେଲେ। ଏମାନଙ୍କ ବ୍ୟତୀତ ଆଉ ଯେଉଁ  ସାଧାରଣ ଜନତା ରହିଲେ, ବିଶେଷକରି ଯେଉଁମାନେ ସାମାଜିକ ଗଣମାଧ୍ୟମରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ 20 ଲକ୍ଷ କୋଟିରେ କେତୋଟି ଶୂନ୍ୟ ଅଛି ସେହି ପ୍ରଶ୍ନ ଘାଇଲା କରିଦିଏ । ତେବେ ସେ ଯାହା ହେଉ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ପ୍ରାୟ ସମସ୍ତେ ଭାବିଥିଲେ ପରଦିନ କିଛି ଗୋଟିଏ ବଡ ଘୋଷଣା ହେବାକୁ ଯାଉଛି ।

କିନ୍ତୁ ସେପରି କିଛି ହେଲା କି ?

ଗତକାଲି ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ କେତୋଟି ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା କରି ଏହାର ଉତ୍ତର ଖୋଜା ଯାଉ ।

ଅର୍ଥମନ୍ତ୍ରୀ ଟିଡିଏସ୍ ଦରରେ 25% ହ୍ରାସ ଘୋଷଣା କରିଛନ୍ତି । ଏହା ଦ୍ବାରା ତାଙ୍କ ସରକାର ଲୋକଙ୍କ ହାତକୁ 50 ହଜାର କୋଟି ଟଙ୍କା ଦେଲେ ବୋଲି ସେ କହିଛନ୍ତି । ଏହି ହ୍ରାସ ଦରମା ପ୍ରଦାନ କ୍ଷେତ୍ରରେ  ଲାଗୁ ହେବନାହିଁ। ଅର୍ଥାତ କୌଣସି କଣ୍ଟ୍ରାକ୍ଟର, ବୄତ୍ତି ବାବଦ ପାଉଣା, ସୁଧ, ଭଡା, କମ୍ପାନୀ ଲାଭାଂଶ, କମିଶନ ଆଦି ବାବଦରେ ପ୍ରାପ୍ୟ ପ୍ରଦାନ ବେଳେ ଯେଉଁ ଦରରେ ଟିଡିଏସ୍ କଟାଯାଇ ସରକାରଙ୍କୁ ପାଇବା ବ୍ୟକ୍ତିର ଆୟକର ବାବଦରେ ଦିଆ ଯାଉଥିଲା ଏବେ ସେଥିରେ 25% ହ୍ରାସ ହେବ । କୌଣସି ବ୍ୟକ୍ତି ପାଇଁ ଟିଡିଏସ୍ ହେଉଛି ବର୍ଷ ସରିବା ପୂର୍ବରୁ ଅଗ୍ରୀମ ଆୟକର। ତେଣୁ ଏବେ ଯେତିକି ଟଙ୍କା କମ୍ ଆୟକର କଟାଯିବ ତାହା ବ୍ୟକ୍ତି ଜଣକ ବର୍ଷ ସରିବା ପରେ ଆୟକର ଆକାରରେ ଦେବ ହିଁ ଦେବ । ତେଣୁ ଏହି ହ୍ରାସ ଯୋଗୁଁ ଲୋକଟି କିଛି ଦିନ ପାଇଁ ତାହାର ଆୟକର ଖର୍ଚ୍ଚ ବିଳମ୍ବ ସିନା କରିପାରିବ କିନ୍ତୁ ଏଥିରେ ତା’ର କୌଣସି ଲାଭ ହେବ ନାହିଁ ।

ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ସବୁଠାରୁ ବଡ ଘୋଷଣା ଥିଲା ସୂକ୍ଷ୍ମ-ଲଘୁ-ମଧ୍ୟମ ଉଦ୍ୟୋଗଗୁଡିକ ସମ୍ବନ୍ଧୀୟ। ଏମାନଙ୍କୁ ବିନା ବନ୍ଧକରେ ତୁରନ୍ତ ମୋଟ 3 ଲକ୍ଷ କୋଟି ଟଙ୍କାର ୠଣ ମିଳିବ । ଏଥିପାଇଁ ମଧ୍ୟ ସରକାରଙ୍କ ହାତରୁ ଟଙ୍କା ଯିବ ନାହିଁ । ‘ନନ୍-ବ୍ୟାଙ୍କିଂ ଫିନାନ୍ସ କମ୍ପାନୀ’ ଓ ବ୍ୟାଙ୍କମାନେ ଏହି ୠଣ ଦେବେ । ୠଣ ପରିଶୋଧ ହୋଇ ନ ପାରିଲେ ଯେତିକି ଟଙ୍କା ବାକି ରହିବ ସରକାର ତାହା ଦେବେ । ତେଣୁ ସମୁଦାୟ 3 ଲକ୍ଷ କୋଟି ଟଙ୍କାକୁ ପ୍ୟାକେଜରେ ଗଣିବା ଠିକ୍ ନୂହେଁ । ଦେଖାଯାଇଛି ଯେ ଏହି ସବୁ କମ୍ପାନୀଗୁଡିକର ହାରାହାରି ୠଣ ଖିଲାପି ପ୍ରାୟ 17% ଥାଏ ।  3 ଲକ୍ଷ କୋଟି ଟଙ୍କାର 17% ହେଉଛି ପ୍ରାୟ 50 ହଜାର କୋଟି ଟଙ୍କା । ତେଣୁ ସରକାରଙ୍କ ହାତରୁ ଏ ବାବଦରେ ଅତି ବେଶିରେ 50 ହଜାର କୋଟି ଖର୍ଚ୍ଚ ହୋଇପାରେ । ପୁଣି ଯେହେତୁ ଏହି ୠଣ କେବଳ ମାତ୍ର 100 କୋଟି ଟଙ୍କା ବାର୍ଷିକ କାରୋବାର ଥିବା ସଂସ୍ଥାଗୁଡିକୁ ମିଳିବ ତେଣୁ ସରକାର ଏହାଠାରୁ ଆହୁରି କମ୍ ଖର୍ଚ୍ଚ କରିବେ । କିନ୍ତୁ ଏହି ଖର୍ଚ୍ଚ  ଚଳିତ ବର୍ଷ ହେବ ନାହିଁ । ଏହି ପଦକ୍ଷେପଟି ଭଲ ଥିଲେ ମଧ୍ୟ 3 ଲକ୍ଷ କୋଟି ଟଙ୍କାକୁ ପ୍ୟାକେଜରେ ରଖିବା ଭୁଲ୍ ହିସାବ ହେବ ।

‘ହାଉସିଂ ଫିନାନ୍ସ କମ୍ପାନୀ’, ‘ନନ୍-ବ୍ୟାଙ୍କିଂ ଫିନାନ୍ସ କମ୍ପାନୀ’ ଓ ‘ମାଇକ୍ରୋ ଫିନାନ୍ସିଆଲ୍ ଇନଷ୍ଟିଚ୍ୟୁସନ’ଗୁଡିକ ମଧ୍ୟରୁ ଯେଉଁମାନଙ୍କର ୠଣ ପାଇବା ଯୋଗ୍ୟତା ରେଟିଂ କମ୍ ଥିବା ଯୋଗୁଁ ୠଣ ମିଳୁନାହିଁ ସେମାନେ ୠଣ ଆଣିଲେ ସରକାର ତାହାର 20% ପର୍ଯ୍ୟନ୍ତ ମାନତି ରହିବେ ବୋଲି ଘୋଷଣା କରିଛନ୍ତି। ଏହା ଦ୍ବାରା ସେମାନଙ୍କ ହାତକୁ ୠଣ ଆକାରରେ 45 ହଜାର କୋଟି ଟଙ୍କା ଆସିଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କିନ୍ତୁ ମୁଖ୍ୟ ପ୍ରଶ୍ନ ହେଉଛି କମ୍ ରେଟିଂ ଥିବା ଏହି ସଂସ୍ଥାମାନଙ୍କୁ କୌଣସି ବ୍ୟାଙ୍କ ୠଣ ଦେବାକୁ ରାଜି ହେବ ତ ? ଏମାନଙ୍କର ସଂଖ୍ୟା ବହୁତ । ସରକାର ଏ ସମସ୍ତଙ୍କ ପାଇଁ ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କମାନଙ୍କର କାନ ମୋଡି ୠଣ ଦେବାକୁ ବାଧ୍ୟ କରିବେ ନାହିଁ । ତେବେ ସେ ଯାହା ହେଉ ସରକାର ଅତି ବେଶିରେ 9 ହଜାର କୋଟି (45000 ର 20%) ଟଙ୍କା ସୁଝିପାରନ୍ତି, ତା ପୁଣି ଚଳିତ ବର୍ଷ ନୁହେଁ ।

ସରକାର ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ 90 ହଜାର କୋଟି ଦିଆଯିବ ବୋଲି କହିଛନ୍ତି । ଏହାକୁ ୠଣ ଆକାରରେ ଦିଆଯିବ । ଏହି ୠଣ କେନ୍ଦ୍ର ସରକାର କିମ୍ବା ବ୍ୟାଙ୍କ ଦେବେନାହିଁ । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ପାଓ୍ବାର୍ ଫିନାନ୍ସ କରପୋରେସନ’ ଓ  ‘ରୁରାଲ୍ ଇଲେକ୍ଟ୍ରିଫିକେଶନ କରପୋରେସନ’ ଏହି ଟଙ୍କା ବଜାରରୁ ଉଠାଇ ବିତରଣ କମ୍ପାନୀମାନଙ୍କୁ ୠଣ ଆକାରରେ ଦେବେ। ରାଜ୍ୟ ସରକାର ଏଥିପାଇଁ ମାନତି ରହିବେ । ଯେଉଁ ବିତରଣ କମ୍ପାନୀର ଉପଭୋକ୍ତାଙ୍କ ଉପରେ ଯେତେ ବାକୀ ଥିବ ତାକୁ ସେହି ଅନୁସାରେ ଓ ଆଧୁନିକିକରଣର କେତେକ ସର୍ତ୍ତ ସହିତ ଏହା ଦିଆଯିବ ।

ଏହାଦ୍ବାରା ବିତରଣ କମ୍ପାନୀମାନଙ୍କ ହାତକୁ ତୁରନ୍ତ ବହୁତ ଟଙ୍କା ଆସିଯିବ । ସେମାନେ ଏହି ଟଙ୍କାକୁ ବିଦ୍ୟୁତ୍ ଉତ୍ପାଦନ କମ୍ପାନୀଙ୍କୁ ସେମାନେ ଦେବାର ଥିବା ଦେୟ ସୁଝିବାରେ ଖର୍ଚ୍ଚ କରିବେ । ଉତ୍ପାଦନ କମ୍ପାନୀମାନେ ମଧ୍ୟ ସେହି ଟଙ୍କାରେ ସେମାନେ ବ୍ୟାଙ୍କରୁ ଆଣିଥିବା ୠଣ ସୁଝିବେ । ତେଣୁ ଏହା ଏକ ପ୍ରକାର ୠଣ ଆଣି ପରସ୍ପରର ୠଣ ସୁଝିବାର ଏକ ବ୍ୟବସ୍ଥା। ଏହାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର କୋଭିଡ୍-19 ପ୍ୟାକେଜରେ ଅନ୍ତର୍ଭୁକ୍ତ କରିବା ଯୁକ୍ତିଯୁକ୍ତ ହେବ ନାହିଁ ।

ଯେଉଁ ଘରୋଇ କମ୍ପାନୀଗୁଡିକରେ ସର୍ବାଧିକ 100 ଜଣ କର୍ମଚାରୀ କାମ କରୁଥିବେ ଓ ସେମାନଙ୍କ ମଧ୍ୟରୁ 90 ଭାଗ କର୍ମଚାରୀଙ୍କ ମାସିକ ବେତନ 15 ହଜାର ଟଙ୍କା କିମ୍ବା ତା’ଠାରୁ କମ୍ ହୋଇଥିବ ସେହିସବୁ କ୍ଷେତ୍ରରେ ଭବିଷ୍ୟନିଧି ପାଣ୍ଠିରେ ଉଭୟ କର୍ମଚାରୀ ଓ ମାଲିକଙ୍କ 12% ଅଂଶ ଆସନ୍ତା 3 ମାସ ପାଇଁ ସରକାର ଦେବେ । ଏଥିରେ ସରକାରଙ୍କର 25 ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ବାଦ୍ ଯେଉଁସବୁ କମ୍ପାନୀ ରହିଲେ ସେମାନଙ୍କ କ୍ଷେତ୍ରରେ ସରକାର ଦେବେ ନାହିଁ । ସେଠାରେ ଉଭୟ କର୍ମଚାରୀ ଓ ମାଲିକର ଅଂଶ 12% ପରିବର୍ତ୍ତେ 10% ହେବ । ଏହା ଦ୍ବାରା ଉଭୟ କର୍ମଚାରୀ ଓ ମାଲିକଙ୍କ ହାତକୁ ଅତିରିକ୍ତ 6750 କୋଟି ଟଙ୍କା ଆସିବ ବୋଲି ସରକାର ହିସାବ କରିଛନ୍ତି । ମାତ୍ର ଏଥିରେ କର୍ମଚାରୀଟିଏ ମାଲିକ ତା’ପାଇଁ  ଦେଉଥିବା ଅଂଶରୁ 2% ହରାଇବ।

ତେବେ ଏହା ମଧ୍ୟ କହିବା ଭୁଲ ହେବ ଯେ ଅର୍ଥମନ୍ତ୍ରୀଙ୍କ ଘୋଷଣା ମଧ୍ୟରେ କିଛି ଭଲ କଥା ନ ଥିଲା । ମାତ୍ର ସେଗୁଡିକର ବର୍ତ୍ତମାନ ସମୟର ଆବଶ୍ୟକତା ସହ ଖୁବ୍ କମ୍ ସମ୍ପର୍କ ଅଛି । ସରକାର ବାରମ୍ବାର ଅର୍ଥନୀତିରେ ଅଧିକ ଟଙ୍କା ଛାଡିବା ବା ଲିକ୍ବିଡିଟିର କଥା କହୁଛନ୍ତି । କିନ୍ତୁ ବର୍ତ୍ତମାନର ଆର୍ଥିକ ସଙ୍କଟ ଲିକ୍ବିଡିଟିର ଅଭାବ ଯୋଗୁଁ ହୋଇ ନାହିଁ ଏବଂ ଏହା ଭାରତରେ କରୋନା ସଂକ୍ରମଣ ଆରମ୍ଭ ହେବାର ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଛି । ଅର୍ଥମନ୍ତ୍ରୀଙ୍କ ଘୋଷଣାରେ କେବଳ ୠଣ, ଗ୍ୟାରେଣ୍ଟି ଏବଂ ବିଳମ୍ବରେ ଦେୟ ପଇଠ କରିବା କଥା ରହିଛି । ଗୋଟିଏ ଉଦାହରଣରେ ସେ ୠଣ ପାଇଁ ପୁଣି ମାନତି ହେବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ଦେଇ ଦିଆଯାଇଛି । ଯେଉଁ ଟଙ୍କା କରଦାତାମାନଙ୍କର ସରକାରଙ୍କଠାରୁ ଫେରସ୍ତ ପାଇବାରେ ବହୁ ବିଳମ୍ବ ହୋଇଗଲାଣି ତାକୁ ଏବେ ଫେରାଇ ସରକାର ବାହାବା ନେବାକୁ ଚାହାନ୍ତି ।

ସବୁଠାରୁ ସରଳ ସତ୍ୟ ହେଉଛି ଯେ ବର୍ତମାନ ଭାରତର ଅର୍ଥନୀତିରେ ଲିକ୍ବିଡିଟି ନେଇ କୌଣସି ଚିନ୍ତା ନାହିଁ । ବ୍ୟାଙ୍କମାନଙ୍କ ପାଖରେ ବର୍ତ୍ତମାନ ଅମାପ ଟଙ୍କା ରହିଛି । ମାତ୍ର ୠଣ ନେବାପାଇଁ କେହି ଆଗ୍ରହ ଦେଖାଉ ନଥିବାରୁ ସେମାନେ ସେସବୁ ଟଙ୍କା ରିଜର୍ଭ ବ୍ୟାଙ୍କରେ ଜମା କରୁଛନ୍ତି ଯେଉଁଥିରୁ ସେମାନଙ୍କୁ ମାତ୍ର 3.75% ସୁଧ  ମିଳୁଛି । ଯଦି ବଜାରରେ ଚାହିଦା ଥାଆନ୍ତା ତେବେ ବ୍ୟବସାୟୀ ଓ ଶିଳ୍ପପତିମାନେ ୠଣ ନେଇ ବ୍ୟବସାୟ ବଢାଇବା ପାଇଁ ବ୍ୟାଙ୍କ ଆଗରେ ଧାଡି ଲଗାଇଥାନ୍ତେ । ସରକାର କରୋନା ସଂକ୍ରମଣର ବହୁ ପୁର୍ବରୁ ଚାହିଦାର ହତ୍ୟା କରି ସାରିଛନ୍ତି । ସବୁ ଆର୍ଥିକ ଗଲତିର ସହଜ ସମାଧାନ ଫରମୁଲା ନ ଥାଏ। କିଛି ଗଲତି ପାଇଁ ନିଜକୁ ଭୋଗିବାକୁ ପଡେ । ସରକାର ଠିକ୍ ଚାଲୁଥିବା ଅର୍ଥନୀତିରେ ବିମୁଦ୍ରିକରଣ ଭଳି କେତେକ ନିଷ୍ପତ୍ତି ନେଇ କୁରାଢିରେ ନିଜ ଗୋଡକୁ ହାଣିଛନ୍ତି ।

ଆଉ ହଁ,  ଯେଉଁମାନେ 20 ଲକ୍ଷ କୋଟିରେ କେତୋଟି ଶୁନ ଅଛି  ଭାବି ଚିନ୍ତିତ ହେଉଛନ୍ତି ସେମାନେ ଅଯଥା ଏଥିନେଇ ମନକୁ ଭାରାକ୍ରାନ୍ତ କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ସେ ସଂଖ୍ୟାର ଆଖପାଖରେ ପହଞ୍ଚିବାର ବର୍ତ୍ତମାନ ବହୁଦୁର ପର୍ଯ୍ୟନ୍ତ କୌଣସି ସମ୍ଭାବନା ଦେଖା ଯାଉନାହିଁ ।

ଯଦି ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଡକାଇ କିଛି ଗୋଟାଏ ବଡ ଘୋଷଣା କରିବାର ନିହାତି ଆବଶ୍ୟକତା ଅନୁଭବ କଲେ, ଆଉ କିଛି ନହେଲେ ନାହିଁ, ରାଜ୍ୟମାନଙ୍କୁ ସେମାନଙ୍କର ଜିଏସଟି ବାବଦ ବକେୟା ରାଶି ଫେରାଇବାର ଘୋଷଣା କରିଥିଲେ ଭଲ ହୋଇଥାନ୍ତା । କାରଣ ସେଇମାନେ ହିଁ କରୋନା ଭାଇରସ୍ ସହ ସମ୍ମୁଖରେ ରହି ଯୁଦ୍ଧ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.