Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା କାଳ: ସଙ୍କଟକୁ ସୁଯୋଗରେ ରୂପାନ୍ତରିତ କରିବାର ରାଜନୈତିକ ସାହସ ଅଛି କି?
ବିଶେଷ ଖବର

କରୋନା କାଳ: ସଙ୍କଟକୁ ସୁଯୋଗରେ ରୂପାନ୍ତରିତ କରିବାର ରାଜନୈତିକ ସାହସ ଅଛି କି?

May 22, 2020No Comments6 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ସୁଯୋଗ ତ ନିଶ୍ଚୟ ଆସିଛି। କିଛିଦିନ ପୁର୍ବେ  ପ୍ରଧାନମନ୍ତ୍ରୀ କରୋନାର ଏହି ସଙ୍କଟମୟ ପରିସ୍ଥିତିକୁ ଏକ ସୁଯୋଗରେ ପରିଣତ କରିବାପାଇଁ ଆହ୍ବାନ ଦେଇଛନ୍ତି।  ଭଲ କଥା। ତେବେ କରୋନା ସଙ୍କଟରୁ ମିଳୁଥିବା ଶିକ୍ଷାକୁ ଆଖି ଆଗରେ ରଖି  ଆଗାମୀ ଦିନରେ ତାଙ୍କ ସରକାର ଚାରୋଟି ପ୍ରମୁଖ କାର୍ଯ୍ୟକ୍ରମ ଗ୍ରହଣ କରିବାର ସୁଯୋଗ  ଆସିଛି।

୧  –  ସଂକ୍ରମଣ ଭଳି ଏକ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମୁଦାୟ ଦେଶ  କିପରି ଦୟନୀୟ ଭାବରେ ଅପ୍ରସ୍ତୁତ ରହିଛି ତାହା କରୋନା ଧରା ପକାଇଦେଇଛି। କରୋନା ମୁକାବିଲାରେ କେରଳ ରାଜ୍ୟର ସଫଳତାର ସବୁଠାରୁ ବଡ କାରଣ ହେଉଛି ସେଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟ ସୁବିଧାର ଏକ ଦୄଢ ନେଟଓ୍ବର୍କ୍ ଯାହା ମାଧ୍ୟମରେ ସେମାନେ  ଭୁତାଣୁ ବିରୁଦ୍ଧରେ ଏକାବେଳକେ ଏକ ରାଜ୍ୟବ୍ୟାପୀ ସମ୍ମୁଖ ଆକ୍ରମଣ କରି ପାରିଲେ। କିନ୍ତୁ ଭାରତର ଅନ୍ୟ  ଅଞ୍ଚଳରେ ସେପରି ଭିତ୍ତିଭୂମିର ଅଭାବ ଯୋଗୁଁ  ସମସ୍ତ ସରକାରୀ ପ୍ରଚେଷ୍ଠା କେବଳ ଭୁତାଣୁର ପିଛା କରୁଛି। ଭାରତରେ ଏହି ଭୁତାଣୁ ପ୍ରବେଶ କରିବା ସମୟରେ ଦେଖାଗଲା ଯେ ଦେଶରେ ଭୁତାଣୁ ପରୀକ୍ଷା କେନ୍ଦ୍ରର ଅଭାବ।  ତରବରିଆ ଭାବେ ସେଗୁଡିକର ସଂଖ୍ୟା ବୄଦ୍ଧି କରିବା ପୁର୍ବରୁ ସେଥିପାଇଁ ବହୁମୂଲ୍ୟ ସମୟ  ହରାଇବାକୁ ପଡିଥିଲା। ଅନେକ ଗୁଡିଏ ହସପିଟାଲରେ ନର୍ସମାନେ ମାସ ମାସ ହେଲା ଦରମା ନ ପାଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଏପରିକି କେତେକ ରାଜ୍ୟରେ ମାତ୍ର ଗୋଟିଏ କିମ୍ବା ଦୁଇଟି ଆଇସିୟୁ ଶଯ୍ୟା ଥିବା  ହସପିଟାଲକୁ ମଧ୍ୟ ନୋଡାଲ୍ କେନ୍ଦ୍ର ଭାବେ ଚିହ୍ନିତ କରାଯାଇଥିଲା।

ନିକଟରେ ହେଉ କି ବିଳମ୍ବରେ, ଦେଶ ନିଶ୍ଚୟ ଦିନେ କରୋନା ଭୁତାଣୁରୁ ନିସ୍ତାର ପାଇବ। ସେତେବେଳେ ଆମ କେନ୍ଦ୍ର  ଓ ରାଜ୍ୟ ସରକାରମାନେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ଅଧିକ ଅର୍ଥ ବରାଦ କରିବେ କି ? କାରଣ ଭାରତରେ ସରକାରୀ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ଜିଡିପିର ମାତ୍ର ୧%ରୁ ସାମାନ୍ୟ ଅଧିକ ବ୍ୟୟ ବରାଦ ହୁଏ । ଆଧୁନିକ ସରଞ୍ଜାମ, ଜ୍ଞାନ କୌଶଳ ଓ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଦେଶବ୍ୟାପୀ ନେଟଓ୍ବାର୍କ ତିଆରି ହେବ ବୋଲି ଆମେ ଆଶା କରିପାରିବା କି ? ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ମୁତାବକ ପ୍ରତି ଏକ ହଜାର ଜନସଂଖ୍ୟାରେ ହାରାହାରି ଜଣିଏ ଡାକ୍ତର ରହିବା କଥା। ମାତ୍ର ଆମ ଦେଶରେ ଡାକ୍ତର ଓ ଜନସଂଖ୍ୟାର ଅନୁପାତ ହେଉଛି ୧ : ୧୧୦୦୦।  ବର୍ତ୍ତମାନ କରୋନା ଲଢେଇରେ ସରକାରୀ ସ୍ବାସ୍ଥ୍ୟକ୍ଷେତ୍ର ସମ୍ମୁଖ ଲଢେଇରେ ରହିଥିବା ବେଳେ ଅନ୍ୟ ସମୟରେ ଆମ ସରକାର ସ୍ବାସ୍ଥ୍ୟ ସୁବିଧାକୁ ମୁଖ୍ୟତଃ ଘରୋଇ ଖେଳାଳୀଙ୍କ ଉପରେ ନିର୍ଭରଶୀଳ ଓ ବୀମା ଆଧାରିତ କରି ଦେଇଛନ୍ତି। ଏବେ ଠିକ୍ ଏହି ପ୍ରକାର ବ୍ୟବସ୍ଥା  କରୋନା ଭୁତାଣୁ ବିରୁଦ୍ଧରେ ଲଢିବାରେ ଆମେରିକାର ଚରମ ବିଫଳତା ପାଇଁ ଏକ ପ୍ରମୁଖ କାରଣ ସାବ୍ୟସ୍ତ ହୋଇଛି। ସ୍ପେନ୍ ଭଳି ଏକ ଇଉରୋପୀୟ ପୁଞ୍ଜିବାଦୀ ଦେଶ ମଧ୍ୟ ଲକଡାଉନ୍ ଘୋଷଣା କରିବା ପୁର୍ବରୁ ସମସ୍ତ ଘରୋଇ ହସପିଟାଲର ଜାତୀୟକରଣ ଘୋଷଣା କରିଦେଇଛି। ତେଣୁ ବର୍ତ୍ତମାନର କରୋନା ସଙ୍କଟ ଭାରତ ସରକାରଙ୍କୁ ସମୁଦାୟ ଚିକିତ୍ସାକ୍ଷେତ୍ରର ପୁନର୍ବିନ୍ୟାସ କରିବା ବିଷୟରେ ଚିନ୍ତା କରି ସେଥିପାଇଁ ଅଧିକ ବ୍ୟୟ କରିବା  କରିବାର ଏକ ସୁଯୋଗ ଦେଇଛି।

୨ – ରାଜ୍ୟାନ୍ତର ଶ୍ରମିକମାନଙ୍କର ସମସ୍ୟା ଆଗରୁ ମଧ୍ୟ ଥିଲା। କିନ୍ତୁ ଲକଡାଉନ୍ ଘୋଷଣା ପରେ  ତାହା ଉତ୍କଟ ରୂପ ଧାରଣ ନ କରିବା ପର୍ଯ୍ୟନ୍ତ ସେସବୁ ଆମର ସାମୁହିକ ବିସ୍ମୁତି ମଧ୍ୟରେ ଲୀନ ହୋଇ ରହିଥିଲା। କୋଟି କୋଟି ରାଜ୍ୟାନ୍ତର ନାଗରିକ କାମ ଧନ୍ଦା ହରାଇ, ଭୋକ ଉପାସରେ, ସେମାନଙ୍କ ମଧ୍ୟରୁ ଅନେକ  ଶରୀରରେ ଭୁତାଣୁ ଧରି, ପୋଲିସର ଲାଠିମାଡ ଖାଇ ଓ ପାଦରେ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଛନ୍ତି। ଅନେକ ବାଟରେ ଜୀବନ ହରାଉଛନ୍ତି।  କାମ ହରାଉଥିବା ଶ୍ରମିକମାନଙ୍କୁ ସେମାନଙ୍କ ନିଯୁକ୍ତିଦାତାମାନେ ଯେପରି ଦରମା ଦେବା ବନ୍ଦ ନ କରନ୍ତି ସେ ବିଷୟରେ ଏକ ଅସ୍ପଷ୍ଟ ପ୍ରବଚନ ଦେଇସାରିବା ପରେ ସରକାର ଶିଳ୍ପପତିମାନଙ୍କଠାରୁ ‘ପିଏମ୍ କେୟାର’ ନାମକ ଏକ ଗୁପ୍ତ ପାଣ୍ଠିକୁ କିପରି ଚାନ୍ଦା ଆସିବ ସେଥିରେ ବେଶି ଆଗ୍ରହୀ ହୋଇପଡିଲେ। ଧାରାବାହିକ ଦେଖାଇବା, ଥାଳି ପିଟିବା , ଦୀପ ଜଳାଇବା ଓ ପୁଷ୍ପବୄଷ୍ଟି କରିବା ଭଳି ସାମୁହିକ ଉତ୍ସବର କୁହେଳିକା ଆଖି ଆଗରୁ ଅପସରି ଯିବା ପରେ, ଶେଷରେ ରାଜ୍ୟାନ୍ତର ଶ୍ରମିକମାନଙ୍କର ଦୁର୍ଦ୍ଦଶା ଏକ ଅନିବାର୍ଯ୍ୟ କ୍ରୁର ସତ୍ୟ ରୁପେ ସାମନାରେ ଠିଆ ହେଲା।

ତେବେ ସେ ଯାହା ହେଉ, ନିକଟରେ ହେଉ କିମ୍ବା ଡେରିରେ,  ଦିନେ ଏହି ସଂକ୍ରମଣର ନିଶ୍ଚୟ ଅନ୍ତ ହେବ। ସେତେବେଳେ ଦେଶର ଶାସକବର୍ଗ ଓ ଯୋଜନା ପ୍ରସ୍ତୁତକାରୀମାନେ ଦେଶର ଏହି  ସମସ୍ୟାର ମୁଳକୁ ନ ଯାଇ କେବଳ  ୧୯୭୯ ମସିହାରୁ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ  ରହିଥିବା  ଏକ ଆଇନ୍ ଓ  ତାହାର କାର୍ଯକାରିତା  ଉପରେ ନିର୍ଭର କରିବା କ’ଣ ସମସ୍ୟାର ନିରାକରଣ ପାଇଁ ଯଥେଷ୍ଟ ହେବ ? କାହିଁକି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡିଶା ଭଳି ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପ୍ରାନ୍ତର  ପ୍ରାୟ ୮ କୋଟି ଶ୍ରମିକ ଦାଦନ ଖଟିବାକୁ ଦେଶର ଅନ୍ୟ କେତେକ ନିର୍ଦ୍ଦିଷ୍ଟ  ରାଜ୍ୟକୁ ଯିବେ ? ଏହା ରାଜ୍ୟ ରାଜ୍ୟ ମାନଙ୍କ ଭିତରେ ଥିବା ବିକାଶର ପ୍ରଶସ୍ତ  ଅସମାନତାକୁ  ସୁଚିତ କରୁନାହିଁ କି ?  ବର୍ତମାନ କରୋନା ସେ ବିଷୟରେ ପୁଣି ଥରେ ଭାବିବା ପାଇଁ ସୁଯୋଗ ଆଣି ଦେଇଛି। ଗ୍ରାମାଞ୍ଚଳରୁ ସହରକୁ ଓ ବିଶେଷ କରି ଖଣିଜସମ୍ପଦରେ ଭରା ରାଜ୍ୟରୁ ଅନ୍ୟରାଜ୍ୟକୁ ଏକ ବୄହତ୍ତ ଶ୍ରମଶକ୍ତିର ପଳାୟନ ରୋକିବା ପାଇଁ ଠୋସ୍ ଆର୍ଥିକ କାର୍ଯ୍ୟସୁଚୀ କାର୍ଯ୍ୟକାରୀ କରିବାର ସମୟ ଆସିଛି।

୩ – ଏ କଥା ସତ ଯେ ସଂକ୍ରମଣ ଓ ଦୀର୍ଘଦିନର ଲକଡାଉନ୍ ଦେଶର ଅର୍ଥନୀତିକୁ ଏକ ଗର୍ତ୍ତ ମଧ୍ୟକୁ ନିକ୍ଷେପ କରିସାରିଛି। ତେବେ ଏହି ଭାଇରସ୍  ଦେଶର ଏହାଠାରୁ ବଳି ଅଧିକ ଖରାପ ଆର୍ଥିକ ପରିସ୍ଥିତି ସମୟରେ ଆସି ପାରି ନଥାନ୍ତା। ଭାଇରସ୍ ଆସିବା ପୁର୍ବରୁ ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ  ଭାରତର ଆର୍ଥିକ ଅଭିବୄଦ୍ଧି ଦର ଲଗାତର ୬ଟି ତ୍ରୈମାସିକରେ ହ୍ରାସ ପାଇବାର ରେକର୍ଡ ତିଆରି କରିଛି। ଗତ ୧୯ ତାରିଖରେ ସିଏମଆଇଇ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦେଶର ବେରୋଜଗାର ଦର  ରେକର୍ଡ ୨୪%ରେ ପହଞ୍ଚି ସାରିଛି। ରିପୋର୍ଟରେ ଆହୁରି ମଧ୍ୟ ଲେଖାଯାଇଛି ଯେ କରୋନା ସଙ୍କଟରେ ସଙ୍କୁଳିତ ବ୍ୟାପକ ଜନସଂଖ୍ୟାକୁ ସିଧାସଳଖ ଆର୍ଥିକ ସାହାଯ୍ୟ ଦେବାକୁ ଚାରିଆଡୁ ଉଠୁଥିବା ଦାବୀକୁ ବାରମ୍ବାର ଅଗ୍ରାହ୍ୟ କରିବା ଦ୍ବାରା ସରକାର ଦେଶର ଆଭ୍ୟନ୍ତରୀଣ ଚାହିଦାକୁ ଆହୁରି ଦୁର୍ବଳ କରି ଚାଲିଛନ୍ତି ଯାହାଦ୍ବାରା ନିକଟ ଭବିଷ୍ୟତରେ ଅର୍ଥନୀତି ସ୍ବାସ୍ଥ୍ୟଲାଭ କରିବାର କୌଣସି ଆଶା ଦେଖା ଯାଉନାହିଁ।

କେବଳ ବର୍ତମାନ ନୁହେଁ, କରୋନା ସଂକ୍ରମଣ ଆରମ୍ଭ ହେବାର ବହୁ ପୂର୍ବରୁ ସରକାର ଅର୍ଥନୀତିର ଚାହିଦା ପକ୍ଷକୁ ଦୁର୍ବଳ କରି ଯୋଗାଣ ପକ୍ଷକୁ ଦୄଢ କରିବା ପାଇଁ ଅସଫଳ ଚେଷ୍ଟା କରି ଆସୁଛନ୍ତି। ଏହି ପ୍ରଚେଷ୍ଟାର ଅଂଶ ସ୍ବରୂପ ଗତବର୍ଷ ସରକାର  ଦେଶର ବଡ ବଡ କମ୍ପାନୀମାନଙ୍କୁ ୧୪୫୦୦୦ କୋଟି ଟଙ୍କାର ଟିକସ ଛାଡ କରିଥିଲେ। ନିକଟରେ ସରକାର ଶିଳ୍ପପତିମାନଙ୍କର ପ୍ରାୟ ୬୮ ହଜାର କୋଟି ଟଙ୍କାର ବ୍ୟାଙ୍କ୍  ୠଣ ଖାତାରୁ ହଟାଇଛନ୍ତି। ଗତ ସପ୍ତାହରେ ସରକାର ଘୋଷଣା କରିଥିବା ତଥାକଥିତ ଆର୍ଥିକ ପ୍ୟାକେଜରେ ମୁଖ୍ୟତଃ ୠଣ ଦେବା କଥା ରହିଛି। ଏହି ସମୟରେ ତିନୋଟି ବିଜେପି ଶାସିତ ରାଜ୍ୟ ଶ୍ରମ ଆଇନକୁ ଉଠାଇ ନେଇ ଶିଳ୍ପ ଓ କାରଖାନା ମାଲିକଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ସମସ୍ତ ଉପକ୍ରମ ମୁଳରେ ସେହି ଗୋଟିଏ ଅବଧାରଣା ରହିଛି ଯେ ଶିଳ୍ପପତିମାନଙ୍କୁ ସାହାଯ୍ୟ ଅଜାଡିଦେଲେ ସେମାନେ ବ୍ୟାପକ ଶିଳ୍ପାୟନ କରି ରୋଜଗାର ସୄଷ୍ଟି କରିବେ। ଅନ୍ୟ ପକ୍ଷରେ କରୋନା ସଙ୍କଟ ଯୋଗୁଁ ସାଧାରଣ ଲୋକଙ୍କର ବେରୋଜଗାର, ଛଟେଇ ଓ ଦରମାକାଟ ହେବାରୁ ବିଭିନ୍ନ ଦ୍ରବ୍ୟ ଓ ସେବା ପାଇଁ ଚାହିଦା ହ୍ରାସ ପାଇବାରେ ଲାଗିଛି।  ଗତବର୍ଷ ଡିସେମ୍ବର ମାସରେ ରିଜର୍ଭବ୍ୟାଙ୍କ ଦ୍ବାରା ହୋଇଥିବା ଏକ ସର୍ଭେରୁ ଜଣା ପଡିଥିଲା ଯେ ଦେଶର ପ୍ରମୂଖ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନେ ସେମାନଙ୍କର ଉତ୍ପାଦନ କ୍ଷମତାର ମାତ୍ର ୬୮% ହିଁ ଉପଯୋଗ କରି ପାରୁଛନ୍ତି। କାରଣ ଉତ୍ପାଦିତ ଦ୍ରବ୍ୟ କିଣିବାକୁ ଗ୍ରାହକ ନାହାନ୍ତି। ବର୍ତ୍ତମାନ ଯେତେବେଳେ ଦେଶର ଅର୍ଥନୀତି ସବୁଠାରୁ ଖରାପ ଅବସ୍ଥାକୁ ଚାଲି ଆସିଛି ଏହା ସରକାରଙ୍କ ପାଇଁ ଏକ ସୁଯୋଗ ସୄଷ୍ଟି  କରିଛି  ଯେ ସେମାନେ ତାଙ୍କର ଆର୍ଥିକ ନୀତିକୁ ନୂଆ ଦିଗ ଦେଇ ଦେଶରେ ସାଧାରଣ ଜନତାଙ୍କ କ୍ରୟଶକ୍ତି ବଢାନ୍ତୁ।

୪ – ମୋଦି ହେଉଛନ୍ତି ଲଗାତର ଦୁଇଥର  ନିର୍ବାଚନ ଜିତିଥିବା  ଜଣେ ଶକ୍ତିଶାଳୀ  ପ୍ରଧାନମନ୍ତ୍ରୀ। ତା’ ସହିତ ବର୍ତମାନ ‘ନ୍ୟାସନାଲ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଆକ୍ଟ୍’ ତାଙ୍କୁ  କଡା ପଦକ୍ଷେପ ନେବା ପାଇଁ ଅନେକ ସ୍ବତନ୍ତ୍ର ଓ ଅତିରିକ୍ତ କ୍ଷମତା ଦେଇଛି। ମାତ୍ର ଏତେ ସବୁ କ୍ଷମତା,  ପ୍ରଧାନମନ୍ତ୍ରୀଙ୍କ ଶକ୍ତିଶାଳୀ ଦପ୍ତର ଓ ତାଙ୍କ ନିଜ ଦଳ ଭିତରେ ତାଙ୍କର ରହିଥିବା ନିରଙ୍କୁଶ ପ୍ରଭାବ ଏହି ବିଧ୍ବଂସକାରୀ ଭୁତାଣୁ ବିରୁଦ୍ଧରେ ଲଢିବା ପାଇଁ ଯଥେଷ୍ଟ ହେବ କି ? ତେଣୁ ଏବେ ସମୟ ଆସି ପହଞ୍ଚିଛି ଯେତେବେଳେ ପ୍ରଧାନମନ୍ତ୍ରୀ  ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦୀ ଓ ରାଜ୍ୟ ସରକାରମାନଙ୍କୁ ବିଶ୍ବାସରେ ନେଇ କରୋନା ବିରୁଦ୍ଧରେ ଏକ ମିଳିତ ଲଢେଇର ନେତୄତ୍ବ ନିଅନ୍ତୁ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କର ସବୁଠାରୁ ବଡ ଶତ୍ରୁ  ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ନୁହନ୍ତି । ସବୁଠାରୁ ବଡ ଶତ୍ରୁ ହେଉଛି ଏକ ଅଦୄଶ୍ୟ ଭୁତାଣୁ। ଗତକାଲି କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ଣର ରଘୁରାମ ରାଜନ ଏକ ସମ୍ବାଦସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଆଗକୁ ଦେଖାଯିବାକୁ ଥିବା  ସମସ୍ୟାର ଏକାକୀ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ସମର୍ଥ ହେବେ ନାହିଁ।  ତେଣୁ ସେ ବିରୋଧୀ ଦଳରେ ଥିବା ଦକ୍ଷତାର ଫାଇଦା ନିଅନ୍ତୁ ବୋଲି ରାଜନ କହିଛନ୍ତି।

୧୯୪୦ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଚାଲିଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଉଇନଷ୍ଟନ୍ ଚର୍ଚ୍ଚିଲ୍ ତାଙ୍କର ବିରୋଧୀଦଳ ନେତାମାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ଜାତୀୟ ସରକାର ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଜାତୀୟ ସରକାର ଗଠନ  ନ କରନ୍ତୁ ପଛେ , କିନ୍ତୁ ବର୍ତମାନ ସମୟରେ ତାଙ୍କ ସରକାର ଓ ଦଳ ଅତି କମରେ ବିପକ୍ଷ ରାଜ୍ୟ ସରକାର ଓ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ମୁକାବିଲାମୁଳକ ସମ୍ପର୍କ ତ ସ୍ଥଗିତ ରଖିପାରିବେ ?

ସୁଯୋଗ ଓ ସୁବିଧାବାଦିତା ହେଉଛି ଦୁଇଟି ଭିନ୍ନ ଜିନିଷ। ଯେତେବେଳେ ଲକଡାଉନ୍ ଯୋଗୁଁ ଆନ୍ଦୋଳନ ଉପରେ ଅଙ୍କୁଶ ଲାଗିଛି ସେତେବେଳେ ଯଦି ତାଙ୍କ ଦଳର ମୁଖ୍ୟମନ୍ତ୍ରୀମାନେ ବହୁ ସଂଘର୍ଷ ପରେ ହାସଲ ହୋଇଥିବା ଶ୍ରମ ଆଇନଗୁଡିକୁ  ଅଧ୍ୟାଦେଶ ବଳରେ ସମୁଳେ ହଟାଇ ଦିଅନ୍ତି ତେବେ ତାହାକୁ ସୁଯୋଗର ସଦୁପଯୋଗ କୁହାଯିବ ନାହିଁ, ତାହାକୁ ଧୄତ ଅବସରବାଦିତା କୁହାଯିବ। ଯେତେବେଳେ ଏକ ଦୀର୍ଘମିଆଦୀ ଦଳୀୟ ଅଭିସନ୍ଧିର ଅଂଶସ୍ବରୁପ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଭୁତାଣୁ ସଂକ୍ରମଣ ପାଇଁ ଦାୟୀ କରି ତାଙ୍କ ଦଳ ସେମାନଙ୍କୁ ଖଳନାୟକ ବୋଲି ଚିହ୍ନିତ କରିବାରେ ଲାଗିଯାଏ ସେତେବେଳେ ଏହାକୁ ସୁଯୋଗ ବୋଲି କୁହାଯିବ ନାହିଁ। ଯେତେବେଳେ ସଂକ୍ରମଣ ସମୟରେ ଦେଶର  ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରି ତାଙ୍କର କେନ୍ଦ୍ର ସରକାର ବିପକ୍ଷ ଶାସିତ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିମ୍ ପଠାଇ ସେମାନଙ୍କୁ ନିନ୍ଦିତ ଓ ନୀଚ୍ଚ ଦେଖାଇବାକୁ ଚେଷ୍ଟା କରନ୍ତି ସେତେବେଳେ ଏହାକୁ ତୁଚ୍ଛ ଓ ଅକାଳ ଅବସରବାଦିତା କୁହାଯିବ, ସୁଯୋଗ ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.