କେଦାର ମିଶ୍ର
ବିହାରର ମୁଜାଫରପୁର ରେଳ ଷ୍ଟେସନ। ଭାରତ ସରକାର ଚଳାଇ ଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଗୁଜରାଟ ରୁ ଆସି ବିହାରରେ ପହଞ୍ଚିଲା ବେଳକୁ ଅଧା ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଷ୍ଟେସନରେ ଓହ୍ଲାଇ ପ୍ଲାଟଫର୍ମରେ ପାଦ ଦେଉ ଦେଉ ପ୍ରାଣ ଛାଡି ଗଲା ଦୁଇ ଜଣଙ୍କର। ମୃତ ମା’ର ଶବ ପାଖରେ ବଡ ବିକଳରେ ତାକୁ ଉଠାଇବାର ଚେଷ୍ଟା କରୁଛି ଏକ କୁନି ପୁଅ। ଅବୋଧ ଶିଶୁ ଆଉ ଜାଣେନା ଯେ ଭୋକ ବିକଳରେ ମରି ଯାଇ ଥିବା ତାର ମା ଆଉ ଉଠିବ ନାହିଁ। ଏ ଦୃଶ୍ୟ କଣ ନୂଆ ଭାରତର?
କେବଳ ବିହାର ର ମୁଜାଫରପୁର ନୁହଁ, ଆଜି ସାରା ଦେଶରେ ଏମିତି ବିକଳ ଚିତ୍ର ସବୁଠି। କରୋନା ଭୂତାଣୁ ର ସଙ୍କ୍ରମଣ ରୋକିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କର ଲକ ଡାଉନ ଆଜି କୋଟି କୋଟି ଗରିବ ଭାରତୀୟଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। ରାସ୍ତାରେ ଚାଲି ଚାଲି ଅନେକ ଲୋକ ମରୁଥିଲେ। ଏବେ ସରକାରଙ୍କ ସ୍ବତନ୍ତ୍ର ଟ୍ରେନରେ ଆସି ଲୋକ ମରୁଛନ୍ତି। ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଗୁଡିକ ସାଧାରଣ ଗରିବ ଶ୍ରମିକମାନଙ୍କୁ ପାଣି ଟୋପାଏ ଦେବାକୁ ଅସମର୍ଥ। ୨୪ ଘଣ୍ଟାରେ ପହଞ୍ଚିବାକୁ ଥିବା ଟ୍ରେନ ଚାରି ଦିନ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛି। ଉତ୍ତର ପ୍ରଦେଶକୁ ବାହାରିଥିବା ଟ୍ରେନ ରାଉରକେଲାରେ ଲାଗୁଛି। ବାଟରେ ପାଣି ନାହିଁ କି ଖାଦ୍ୟ ନାହିଁ। କିଣି ଖାଇବାକୁ ଚାହିଁଲେ ମଧ୍ୟ କିଛି ମିଳୁନାହିଁ। ଲକ ଡାଉନ କାରଣରୁ ସବୁ ବନ୍ଦ। ଯଦିବା କେଉଁଠି କିଛି ଖାଇବା ଅଛି, ଲୋକେ ଯାତ୍ରୀମାନଙ୍କୁ ବିକିବାକୁ ନାରାଜ। ଏବେ ପ୍ରବାସୀ ଶ୍ରମିକ ଓ ରେଳ ଯାତ୍ରୀ ନୂଆ ଅସ୍ପୃଶ୍ୟ। ସେମାନେ କରୋନା ଭୂତାଣୁର ବାହକ ବୋଲି ପ୍ରଚାର ଏତେ ତୀବ୍ର ଯେ ମଲା ଲୋକଙ୍କୁ ପାଣି ଟୋପେ ଦେବାର ମାନବିକତା ଆମର ମରି ଯାଇଛି।
ଏ ପ୍ରକାର ଅସହାୟତା ଲାଗି ଦାୟୀ କିଏ। ଲକ ଡାଉନର ଅଢେ଼ଇ ମାସ ପରେ ଏ ପ୍ରସଙ୍ଗକୁ ନେଇ କୁତ୍ସିତ ରାଜନୀତି ଚାଲିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଓ ରାଜ୍ୟ ଗୁଡିକ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି। ପ୍ରଥମ ପ୍ରଶ୍ନ ହେଉଛି, ମାର୍ଚ୍ଚ ୨୪ରେ ଲକ ଡାଉନ ଘୋଷଣା ସମୟରେ ଦେଶରେ ଏମିତି ଏକ ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ଭାରତ ସରକାର ଜାଣି ନଥିଲେ କି? କୋଟି କୋଟି ଶ୍ରମିକଙ୍କ ଜୀବନ ଓ ଜୀବିକା ଉପରେ ଲକ ଡାଉନର କି ପ୍ରଭାବ ପଡ଼ିବ, ସେ ପ୍ରସଙ୍ଗରେ ଭାରତ ସରକାର ରାଜ୍ୟ ସରକାର ଏବଂ ନିଜର ଶ୍ରମ ମନ୍ତ୍ରଣାଳୟର ପରାମର୍ଶ ଲୋଡିଥିଲେ କି? ଲୋକଙ୍କୁ ସବୁ କଥାରେ ଚମକାଇ ଦେବାର ଦେବାର ମନୋବୃତ୍ତି ନେଇ କାମ କରୁଥିବା ମୋଦୀ ସରକାର ଲକ ଡାଉନକୁ ମଧ୍ୟ ଏକ ଚମକପ୍ରଦ ପଦକ୍ଷେପ ବୋଲି ଭାବି ନେଇ ଥିଲେ। ଲକ ଡାଉନର ପ୍ରଥମ ମାସ ସାରା ଦେଶର ଗୃହ ମନ୍ତ୍ରୀ, ରେଳ ମନ୍ତ୍ରୀ କିମ୍ବା ଶ୍ରମ ମନ୍ତ୍ରୀଙ୍କର ଦେଖା ମିଳି ନ ଥିଲା। ଆଜି ମଧ୍ୟ ଭାରତ ସରକାରଙ୍କର ଶ୍ରମ ବିଭାଗ ବୋଲି କିଛି ଗୋଟାଏ ଥିବାର ଅନୁଭବ କାହାର ନାହିଁ।
ମାସ ମାସ ଧରି ଦେଶର ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ଉପରେ ସରକାରୀ ପ୍ରହାର ବଢ଼ି ଚାଲିଛି। ଏ ସମ୍ପର୍କରେ ଦେଶର ସୁପ୍ରିମକୋର୍ଟ ହାତ ବାନ୍ଧି ବସିଗଲେ। ବିଳମ୍ବରେ ହେଲେ ମଧ୍ୟ ବିଭିନ୍ନ ରାଜ୍ୟର ହାଇକୋର୍ଟ ଗୁଡିକ ଏ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କୁ ତାଗିଦ କରିବା ସହିତ ଶ୍ରମିକଙ୍କ ପାଇଁ ସହାୟତାର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ପ୍ରସଙ୍ଗ ସହିତ ପୂରା ଦେଶର ସଙ୍କଟ ଜଡ଼ିତ ଥିବାରୁ, ଭାରତ ସରକାର ଏ ସମ୍ପର୍କରେ ସ୍ପଷ୍ଟ ପଦକ୍ଷେପ ନେବା ଜରୁରୀ ଥିଲା। ସରକାରୀ ଉଦାସୀନତାକୁ ଭାଙ୍ଗିବା ଲାଗି ସୁପ୍ରିମକୋର୍ଟ ଏକ ବଡ଼ ଭୂମିକା ନେଇ ପାରିଥାନ୍ତେ। ଅନେକ ବିଳମ୍ବ ପରେ ଆଜି ଏ ପ୍ରସଙ୍ଗ ରେ ମାନ୍ୟବର ସୁପ୍ରିମକୋର୍ଟ କି ଦିଶା ନିର୍ଦ୍ଦେଶ ଦେବେ, ତାହା ଜଣା ପଡ଼ିବ।
କୌଣସି ଶାସନ ବ୍ୟବସ୍ଥାରେ ଯେତେବେଳେ ଶାସକ ବର୍ଗର ସଂବେଦନା ମରିଯାଏ, ସେଠି ମାନବିକତାର ଅକାଳ ମୃତ୍ୟୁ ହୁଏ। ଆମେ ସମସ୍ତେ ଏକ ଅମାନବୀୟ ଶାସନ ବ୍ୟବସ୍ଥାର ପ୍ରତ୍ୟକ୍ଷ ବା ପରୋକ୍ଷ ଅଂଶୀଦାର। କରୋନା ଭୂତାଣୁର ଭୟ ଆମକୁ ଭୟଙ୍କର ଭାବରେ ସ୍ଵାର୍ଥପର କରି ଦେଇଛି। ରାସ୍ତାରେ ଛଟପଟ ହେଉଥିବା କୋଟି କୋଟି ମଣିଷଙ୍କର ଯନ୍ତ୍ରଣା ଆମକୁ ବିଚଳିତ କରୁନାହିଁ। ତେବେ ଆଶ୍ଵାସନାର ବିଷୟ ହେଉଛି, ଏ ଦେଶର କିଛି ନାଗରିକ ଏହି ଅସମୟରେ ଲୋକଙ୍କ ପାଇଁ କାମ କରୁଛନ୍ତି।
କେହି କେହି ବଲିଉଡ ତାରକା ବା ସ୍ଵେଚ୍ଛାସେବୀ ସଂଗଠନ, ଏ କ୍ଷେତ୍ରରେ ପ୍ରଶଂସନୀୟ ଭୂମିକା ନେଉଛନ୍ତି। ବିରୋଧୀ ଦଳର ନେତାମାନେ ଏବେ ରାସ୍ତାକୁ ଓହ୍ଳାଇବା ସହିତ ଲୋକଙ୍କ ସହିତ କଥା ହେବା ଆରମ୍ଭ କଲେଣି। ହେଲେ ଦେଶର ଶାସକ ଦଳ ଓ ଶାସନ ବ୍ୟବସ୍ଥା ଆଜି ମଧ୍ୟ ଏ ଦୁର୍ଦ୍ଦିନରେ ବଡ ଆରାମରେ ଅଛନ୍ତି। ଭାରତର ଇତିହାସରେ ଲୋକଙ୍କ ଯନ୍ତ୍ରଣା ପ୍ରତି ଏତେ ସମ୍ବେଦନହୀନ ଆଚରଣ କରିଥିବା ସରକାର ଆମେ କେବେ ଦେଖିନଥିଲୁ।