ସୁଧାଶ୍ରୀ ଦାଶ
ପାଖାପାଖି ଅଢେଇ ମାସ ହେବ ମୁଁ ଘର ଭିତରେ ରହିଛି । ଯଦିଓ ମୋର ବୟସ ସେତେଟା ବେଶୀ ନୁହେଁ । ତଥାପି ଏପରି ଏକ ଅଜଣା ଓ ଅଦୃଶ୍ୟ ଭୟକୁ ସାମ୍ନା କରିବା ମୋ’ ପାଇଁ ନୂଆ । ତେବେ ଘରେ ରହୁଛି ବୋଲି ସୟମ ପାଉଛି ପଢିବା ଓ ଲେଖିବାକୁ । ଆଜିକାଲି ସୋସିଆଲ ମିଡିଆର ଅନେକ କିଛି କଣ୍ଟେଣ୍ଟ ରହୁଛି ପଢିବାକୁ । ସେସବୁକୁ ପଢିଲା ପରେ ଲାଗୁଛି, ଆଜି ସମେସ୍ତ ଯେପରି ଧରାଶାୟୀ ହୋଇ ପଡୁଛନ୍ତି । ସେ ଛୋଟ ରାଷ୍ଟ୍ର ହେଉ ବା ୟୁଏଇ ପରି ଧନୀରାଷ୍ଟ୍ର । କାହାର ପାଖରେ କିଛି ଉପାୟ ନାହିଁ ।
ଦୁବାଇରେ ପାଖାପାଖି ଦୁଇ ମାସ ହେବ ଲକ୍ ଡାଉନ୍ ଜାରି ରହିଛି । ତେବେ ଏହି ଦୁଇ ମାସ ଭିତରେ ମୁଁ ମୋ ପଡୋଶୀମାନଙ୍କ ସହ ମିଶିଛି । ସାମ୍ନାରେ ରହିଥିଲେ ମଧ୍ୟ କେବେ ସେମାନଙ୍କ ଘରକୁ ଯିବା ବା କଥା ହେବାର ସୁଯୋଗ ସେତେଟା ମିଳିନି । କେତେବଳେ ହାଇ, ହାଲୋ ବା ଆଉ କେତେବେଳେ ଏକ ଛୋଟ ସ୍ମାଇଲ୍ । ସେତିକିରେ ଆମର ବନ୍ଧୁତା ରହିଯାଏ । ମୋ ଘର ସାମ୍ନାରେ ଏକ ଆଫ୍ରିକାନ୍ ପରିବାର ରହୁନ୍ତି । ସେହିପରି ଆଉ ଜଣେ ଲେବାନନ୍ର । ଆଉ ଜଣେ କେରଳର । ସେହି ଦୁଇ ପରିବାର ପାଇଁ ମୋ ପରିଚୟ କେବଳ ଭାରତୀୟ ।
ଅନେକ ସମୟରେ ସେମାନଙ୍କ ମୁହଁରୁ ଭାରତୀୟ ଖାଇବାର ପ୍ରଶଂସା ଶୁଣିଛି । ଭାରତ ଏକ ବଡ ଦେଶ ଓ ଏଠାରେ ବୁଲିବା ପାଇଁ ଅନେକ ଜାଗା ଅଛି । ସେମାନେ ଅନେକ ଥର ଭାରତ ଆସିବାକୁ ଇଚ୍ଛା କରନ୍ତି ତେବେ ଲକ୍ଡାଉନ୍ ପରେ ଭାରତର ଅବସ୍ଥା ଯାହା ତାକୁ ଦେଖି ସେମାନେ ଭାରି ଦୁଃଖୀତ । ଆମ ଭିତରେ ଯଦି ମାନବିକତା ବଞ୍ଚି ରହିଛି ,ତେବେ ଅନ୍ୟ ଦୁଃଖରେ ସାମିଲ୍ ହେବା କିଛି ନୂଆ କଥା ନୁହେଁ । ତେବେ କେରଳ ସରକାର ଯେଉଁଭରପି ଭାବରେ କରୋନା କ୍ରାଇସିସ୍କୁ ସାମ୍ନା କରିଛି ତାହା ପ୍ରଶଂସାଯୋଗ୍ୟ । ଜଣେ ଭାରତୀୟ ହିସାବରେ ମୁଁ ମଧ୍ୟ ଗର୍ବିତ କେରଳ ସରକାର ପାଇଁ । କିନ୍ତୁ ତା’ଠାରୁ ଅଧିକ ଗର୍ବିତ ଓଡ଼ିଶା ସରକାର ପାଇଁ । ବର୍ତ୍ତମାନ ଯାଏଁ ଓଡ଼ିଶା ସରକାର ଯେଉଁପରି ପଦକ୍ଷେପ ନେଇଛନ୍ତି, ତାହା କାହାପାଇଁ ଅଛପା ନୁହେଁ । ଆଉ ମୋ’ ହୃଦୟଟା ସେତେବେଳେ ଗର୍ବରେ ଫୁଲିଯାଏ । ଯେତେବେଳେ ଅନ୍ୟମାନେ କୁହନ୍ତି ତୁମ ରାଜ୍ୟରେ କରୋନା ମୃତ୍ୟୁହାର ଖୁବ୍ କମ୍ ।
ଏକ ବାହାର ଦେଶରେ ରହି ନିଜ ରାଜ୍ୟର ପ୍ରଶଂସା ଶୁଣିବାକୁ ବା କାହାକୁ ଭଲ ନ ଲାଗେ । ଏକ ସ୍ମିତହସ ଦ୍ବାରା ମୁଁ କହେ ଥ୍ୟାଙ୍କ୍ ୟୁ । ଦିଲ୍ଲୀ ଓ ବେମ୍ବ ଭଳି ବଡ ବଡ ସହରକୁ ନାଁରୁ ଜାଣୁଥିବା ଲୋକେ ଆଜି ଓଡ଼ିଶାକୁ ଜାଣୁଛନ୍ତି । କେବଳ କେରଳ ନୁହେଁ, ଓଡ଼ିଶା ମଧ୍ୟ ନିଜର ନାଁ କରିପାରିଛି । କରୋନା ସହ ଲଢେଇ କରୁଥିବା ସମୟରେ ଓଡ଼ିଶା ଉପରକୁ ମାଡ଼ିଆସିଲା ଆଉ ଏକ ବିପତ୍ତି ଆମ୍ଫାନ୍ । ବାହାରେ ରହିଲେ ଏସବୁ ବିପତ୍ତି ମନକୁ ବିଚଳିତ କରେ । ସରକାର ଏହାର ମୁକାବିଲା କରିପାରିବେ ତ ? ସରକାର ସକ୍ଷମ ତ ? ଏମିତି ଅେନକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲା । ହେଲେ ଆମ ପାଇଁ ବାତ୍ୟା ଓ ମହାବାତ୍ୟା କ’ଣ ନୂଆ କଥା ? ଏମିତି କେତେ ବାତ୍ୟା ଦେଖିନୁ ଆମେ । ଏଠି ରହୁଥିବା ମୋର ବଙ୍ଗାଳୀ ବନ୍ଧୁମାନେ ମଧ୍ୟ ଭୟଭୀତ ହେଉଥିଲା । କିନ୍ତୁ ମୁଁ ସେମାନଙ୍କୁ କହୁଥାଏ ସରକାର ଯଦି ସଚେତ ତା’ହେଲେ ଡରିବାର କିଛି ନାହିଁ । ବିପତ୍ତି ସମୟରେ ଅନ୍ୟକୁ କେବଳ ସାନ୍ତ୍ବାନା ଦିଆଯାଇପାରେ ।
ଆମ୍ଫାନ୍ ପରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପ୍ରଭାବିତ ହେଲେ ସତ, କିନ୍ତୁ ପଡୋଶୀ ରାଜ୍ୟ ବେଶୀ କ୍ଷତିଗ୍ରସ୍ତ ହେଲା । ପ୍ରାୟ ଗୋଟିଏ ସପ୍ତାହ ପରେ ଫୋନ୍ରେ କଥାହେବାବେଳେ ମୋ ବନ୍ଧୁମାନେ ପଚାରନ୍ତି, ସବୁ କିଛି ଏତେ ଆରାମରେ କେମିତି ହେଲା । ସରକାର କଣ ସତର୍କ ଥିଲେ । ସରକାର କ’ଣ ଆଗରୁ ଜାଣିପାରନ୍ତି । ସେତେବେଳେ କେବଳ ଗର୍ବର ଭାବନା ଆସେ । ମୋ ରାଜ୍ୟ ପାଇଁ । ମୋ ସରକାର ପାଇଁ ।
ଜଣେ ପ୍ରବାସୀ ହିସାବରେ ମୋ’ ମନରେ ସବୁବେଳେ ଉଦ୍ଦୀପନା ମୋ ରାଜ୍ୟକୁ ନେଇ । ମୁଁ ଯେତିକି ଭାରତୀୟ, ସେତିକି ଓଡ଼ିଆ । ଆଉ ଯେତେବେଳେ ଓଡ଼ିଶା ଗୋଟେ ସୁଦୃଢ ହାତରେ, ମୁଁ ଗର୍ବିତ ଓଡ଼ିଆ ହୋଇ ଓ ବାହାରେ ଓଡ଼ିଆ ହେବାର ପରିଚୟ ଦେଇ ।