Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥାନାରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆଜିର ଖବର

ଥାନାରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

June 12, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ।

ଲକ୍‌ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଜିରୋ ଓ୍ବାର୍କିଙ୍ଗ ଇନ୍‌ସାଇଡ୍‌ ଓଡିଶା ନୀତି କାର୍ଯ୍ୟକାରୀ କରିଥିଲେ। ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ବ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ। ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ। ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ବାନ ଜଣାଇଥିଲେ।

ଓଡିଶା ପୋଲିସରେ ମାନବ ସମ୍ବଳର ଯୁକ୍ତିସଂଗତ ପରିଚାଳନା କରି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କରିଥିଲେ ଯେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍‌ ସ୍ପିରିଟ୍‌ରେ କାମ କରୁଛୁ। ଏହି ଆହ୍ବାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି। ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍‌ଧ ଅଛି । ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପୋଲିସ ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍‌ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।

୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ବ ନିଆଯାଇଛି। ପୋଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ । ସେହିପରି ମାନବିକତା ସଂପନ୍ନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍‌ ଜରିଆରେ ସମୁଦାୟ ୨୪,୫୮୭ ଆନ୍ତରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।

ବିଭିନ୍ନ ନିୟମ ଉଲଙ୍ଘନ କ୍ଷେତ୍ରରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଜୋରିମାନା ଆଦାୟ କରାଯାଇଛି। ମାସ୍କ ବ୍ୟବହାର ଉଲଙ୍ଘନରେ  ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ବ ଉଲଙ୍ଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲଙ୍ଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲଙ୍ଘନ ପାଇଁ ୧,୦୩,୮୦୦ ଟଙ୍କା ଆଦାୟ କରାଯାଇଛି।

ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକତାକୁ ଅପ୍ରେଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ସେମାନଙ୍କ କାର୍ଯ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାଓଡାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ବର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ଯ୍ୟଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୁରଭଂଜ, ସୁନ୍ଦରଗଡ, ମାଲକାନଗିରି, ଗଞ୍ଜାମ, ବରଗଡ, ଗଜପତି ଓ ଭଦ୍ରକ ଜିଲ୍ଲାର ଏସ୍‌.ପି ମାନଙ୍କ ସହିତ ସେମାନଙ୍କ ଜିଲ୍ଲାରେ ଜିରୋ ଓ୍ବାର୍କିଙ୍ଗ ଇନ୍‌ସାଇଡ୍‌ ଓଡିଶା ନୀତିର କାର୍ଯ୍ୟକାରୀତା ସଂପର୍କରେ ପଚାରି ବୁଝିଥିଲେ। ଗୃହ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଂଜୀବ ଚୋପ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

naveenpattnaik police
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2025

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025
Latest News

ଆଜି ଅଗଷ୍ଟ ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2025

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.