Categories
ଆଜିର ଖବର ରାଜ୍ୟ ଖବର

ଶହିଦଙ୍କ ପରିବାର ନିମନ୍ତେ 25 ଲକ୍ଷର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲଦାଖ ସୀମାରେ ଶହିଦ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫାଣ୍ଡିରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଭାରତ-ଚୀନ୍‌ ସୀମା ବିବାଦ କାରଣରୁ ସଂଘର୍ଷ ଘଟି 20 ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଏହା ମଧ୍ୟରେ ଦୁଇ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ୍‌ ଶହିଦ ହୋଇଥିଲେ ।

Categories
ବିଶେଷ ଖବର

ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ୍‌ କେୟାର ହୋମ୍‌ : ନବୀନ ପଟ୍ଟନାୟକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ବିଗତ ତିନି ମାସ ମଧ୍ୟରେ କରୋନା ଦ୍ବାରା ଜନଜୀବନ ଗଭୀର ଭାବରେ ପ୍ରଭାବିତ । ସମସ୍ତ ବର୍ଗ ଏବଂ କ୍ଷେତ୍ର ଏହା ଦ୍ବାରା ପ୍ରଭାବିତ । ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାରୁ ସତର୍କତା ହିଁ ଏଥିରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ । ଏହା ସହିତ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଏବଂ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ବାରା ହିଁ ଏ ରୋଗକୁ ନିୟନ୍ତ୍ରଣ କରିପାରିବ ।

ଓଡିଶା ବାସୀଙ୍କ ସହଯୋଗରେ କରୋନା ନିୟନ୍ତ୍ରଣ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି । ବିଗତ ସମୟରେ ରାଜ୍ୟରେ 10 ହଜାର ଶଯ୍ୟାର କୋଭିଡ୍‌ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ଉପକରଣ ପ୍ରସ୍ତୁତ ରଖାଯିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା ଯାହାଫଳରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ମୃତ୍ୟୁହାର କମ୍‌ ରହିଛି । ଓଡିଶା ବାହାରେ ରହିଥିବା ପ୍ରାୟ 5 ଲକ୍ଷରୁ ଅଧିକ ପ୍ରବାସୀ ରାଜ୍ୟକୁ ଫେରିଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସରପଞ୍ଚ ମାନଙ୍କ ସହାୟତାରେ ଏହି ଟିଏମ୍‌ସି ଗୁଡିକୁ ସଠିକ୍‌ ଢଙ୍ଗରେ ପରିଚାଳନା କରାଯାଉଛି ।

କରୋନା ଲଢେଇରେ ଜୁନ୍‌ ମାସ ସବୁଠାର ଗୁରୁତ୍ବପୂର୍ଣ୍ଣ । ଲକ୍‌ଡାଉନ୍‌ ଧୀରେ ଧୀରେ ଖୋଲୁଥିବା ବେଳେ ଗମନାଗମନ ବଢିଛି । ଜୀବନ ସହିତ ଜୀବିକା ମଧ୍ୟ ଆଗକୁ ବଢିବ ତେଣୁ ଏହି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଗୋଷ୍ଠୀ ସଚେତନତା ସହିତ ପରିଚାଳନାର ବିକେନ୍ଦ୍ରୀକରଣ ବର୍ତ୍ତମାନ ଜରୁରୀ ହୋଇ ପଡିଛି । ପ୍ରବାସୀ ମାନଙ୍କ ଆଗମନ ଧୀରେ ଧୀରେ କମୁଥିବାରୁ ଅନେକ ଟିଏମ୍‌ସିର କାର୍ଯ୍ୟକାଳ ଶେଷ ହେଲାଣି । ଅଳ୍ପ କେତେକ କ୍ଲଷ୍ଟରରେ ଟିଏମ୍‌ସି ଖୋଲା ରହିଥିବା ବେଳେ ପ୍ରବାସୀଙ୍କୁ ସେଠାରେ ରଖାଯିବ । କୋଭିଡ୍‌ ସଚେତନତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଘରଘର ବୁଲି ସର୍ବେକ୍ଷଣ ଆରମ୍ଭ କରାଯାଇଥିବା ବେଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିହ୍ନଟର ପ୍ରୟାସ ଜାରି ରଖାଯାଇଛି । ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କ ସ୍ବତନ୍ତ୍ର ଭାବରେ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ 10-20 ଜଣଙ୍କ ରହିବାର ବ୍ୟବସ୍ଥା କରାଯିବ । ଏହା ଦ୍ବାରା ଗ୍ରାମାଞ୍ଚଳରେ ପ୍ରାୟ 70 ହଜାର ଲୋକଙ୍କର ରହିବାର ବ୍ୟବସ୍ଥା କରାଯାଇପାରିବ । ଥଣ୍ଡା, ଜ୍ବର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ବଦଳରେ ପ୍ରଥମେ କୋଭିଡ୍‌ କେୟାର ହୋମ୍‌କୁ ନିଆଯିବ । କରୋନା ପରୀକ୍ଷଣ ପରେ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ଅନ୍ୟଥା ଘରେ ରହି ଚିକିତ୍ସିତ ହେବେ । ଏହାର ପରିଚାଳନା ପାଇଁ ଓ୍ବାର୍ଡସ୍ତରୀୟ କମିଟି ଗଠନ କରାଯିବ । ଓ୍ବାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍‌ଏମ୍‌ ଏବଂ ଏସ୍‌ଏଚ୍‌ଜି ସଦସ୍ୟା ମାନେ ଏହି କମିଟିର ସଦସ୍ୟ ରହିବେ । କୋଭିଡ୍‌ କେୟାର ହୋମ୍‌ ପରିଚାଳନା ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯିବ । ଏହାର ପରିଚାଳନା ଦାୟିତ୍ବ ପୂର୍ବପରି ସରପଞ୍ଚଙ୍କ ଉପରେ ନ୍ୟସ୍ତ କରାଯିବ ।

ସହରାଞ୍ଚଳରେ ଓ୍ବାର୍ଡ କମିଟି ଗୁଡିକ ଓ୍ବାର୍ଡ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ ଏବଂ ସେଥିରେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବକ ମାନେ ସଦସ୍ୟ ରହିବେ । ସେମାନେ ଘରକୁ ଘରକୁ ବୁଲି ଜନସାଧାରଙ୍କ ଠାରୁ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସହରାଞ୍ଚଳ ବସ୍ତି ଉପରେ ଅଧିକ ଫୋକସ୍‌ କରିବା ସହିତ ବଡ ବସ୍ତି ଗୁଡିକରେ କୋଭିଡ୍‌ କେୟାର ହୋମ୍‌ ସ୍ଥାପନ କରାଯିବ । କରୋନା ଲଢେଇରେ ପ୍ରତିଟି ଲୋକ ହେଉଛି ଜଣେ ଜଣେ ଯୋଦ୍ଧା । ଏ ଯୁଦ୍ଧର ସଫଳତା ପାଇଁ ଆପଣ ମାନଙ୍କର ସମସ୍ତଙ୍କମ ସକ୍ରିୟ ସହଯୋଗ ଆବଶ୍ୟକ । ଏ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ପଡିବ । ସତର୍କ ଏବଂ ସଚେତନ ରହିଲେ ଆମେ ଏହି ଲଢେଇରେ ନିଶ୍ଚୟ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

Categories
ବିଶେଷ ଖବର

ପୁଞ୍ଜିନିବେଶକୁ ନେଇ ମିତ୍ତଲ-ନବୀନ ଭିଡିଓ କନ୍‌ଫରେନ୍ସିଂ : 2 ହଜାର କୋଟିର ପୁଞ୍ଜି ବିନିଯୋଗ ନିଷ୍ପତ୍ତି

ଭୁବନେଶ୍ବର : ଓଡିଶାରେ ପୁଞ୍ଜିନିବେଶକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର୍ସେଲର ଗ୍ରୁପ୍‌ର ଚେୟାରମ୍ୟାନ୍‌ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ମଧ୍ୟରେ ଆଲୋଚନା ହୋଇଛି । ଏହି ଭିଡିଓ କନ୍‌ଫରେନ୍ସିଂରେ ଲକ୍ଷ୍ମୀ ମିତ୍ତଲ ସଫଳତାର ସହ କୋଭିଡ୍‌ 19 ମୁକାବିଲା ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ପ୍ରଦାନକୁ ମଧ୍ୟ ମିତ୍ତଲ ପ୍ରଶଂସା କରିଥିଲେ ।

ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପକ୍ଷରୁ 50 ହଜାର କୋଟିର ଅଧିକ ପ୍ରକଳ୍ପରେ ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରାଯାଇଛି । ଏହା ଦ୍ବାରା ଭାରତରେ 7 ବିଲିୟନ୍‌ ଡଲାରର ପୁଞ୍ଜିନିବେଶ କରାଯିବ । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପାରାଦୀପର ପେଲେଣ୍ଟ ପ୍ଲାଣ୍ଟ, କେନ୍ଦୁଝରର ଡାବୁନିରେ ବେନିଫିକେସନ୍‌ ପ୍ଲାଣ୍ଟ ସହିତ ସାଗାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପକ୍ଷରୁ ପେଲେଟ୍‌ ପ୍ଲାଣ୍ଟର କ୍ଷମତା 6 ମେଟ୍ରିକ୍‌ ଟନ୍‌ରୁ 12 ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯିବାର ନିଷ୍ପତ୍ତି ନିଆଯାଇଛି ଏବଂ ଡାବୁନିରେ ବେନିଫିକେସନ୍‌ ପ୍ଲାଣ୍ଟର କ୍ଷମତା 5 ମେଟ୍ରିକ୍‌ ଟନ୍‌ରୁ 16 ମେଟ୍ରିକ୍‌ ଟନ୍‌କୁ ସମ୍ପ୍ରସାରଣ କରାଯିବ । ଏହି ଅବସରରେ ଆର୍ସେଲର ମିତ୍ତଲ ଓଡିଶାରେ 2 ହଜାର କୋଟି ଟଙ୍କା ନିବେଷ କରିବ ବୋଲି ଜଣାପଡିଛି ।

Categories
ଆଜିର ଖବର ବିଶେଷ ଖବର

ଥାନାରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ।

ଲକ୍‌ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଜିରୋ ଓ୍ବାର୍କିଙ୍ଗ ଇନ୍‌ସାଇଡ୍‌ ଓଡିଶା ନୀତି କାର୍ଯ୍ୟକାରୀ କରିଥିଲେ। ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ବ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ। ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ। ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ବାନ ଜଣାଇଥିଲେ।

ଓଡିଶା ପୋଲିସରେ ମାନବ ସମ୍ବଳର ଯୁକ୍ତିସଂଗତ ପରିଚାଳନା କରି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କରିଥିଲେ ଯେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍‌ ସ୍ପିରିଟ୍‌ରେ କାମ କରୁଛୁ। ଏହି ଆହ୍ବାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି। ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍‌ଧ ଅଛି । ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପୋଲିସ ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍‌ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।

୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ବ ନିଆଯାଇଛି। ପୋଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ । ସେହିପରି ମାନବିକତା ସଂପନ୍ନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍‌ ଜରିଆରେ ସମୁଦାୟ ୨୪,୫୮୭ ଆନ୍ତରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।

ବିଭିନ୍ନ ନିୟମ ଉଲଙ୍ଘନ କ୍ଷେତ୍ରରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଜୋରିମାନା ଆଦାୟ କରାଯାଇଛି। ମାସ୍କ ବ୍ୟବହାର ଉଲଙ୍ଘନରେ  ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ବ ଉଲଙ୍ଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲଙ୍ଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲଙ୍ଘନ ପାଇଁ ୧,୦୩,୮୦୦ ଟଙ୍କା ଆଦାୟ କରାଯାଇଛି।

ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକତାକୁ ଅପ୍ରେଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ସେମାନଙ୍କ କାର୍ଯ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାଓଡାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ବର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ଯ୍ୟଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୁରଭଂଜ, ସୁନ୍ଦରଗଡ, ମାଲକାନଗିରି, ଗଞ୍ଜାମ, ବରଗଡ, ଗଜପତି ଓ ଭଦ୍ରକ ଜିଲ୍ଲାର ଏସ୍‌.ପି ମାନଙ୍କ ସହିତ ସେମାନଙ୍କ ଜିଲ୍ଲାରେ ଜିରୋ ଓ୍ବାର୍କିଙ୍ଗ ଇନ୍‌ସାଇଡ୍‌ ଓଡିଶା ନୀତିର କାର୍ଯ୍ୟକାରୀତା ସଂପର୍କରେ ପଚାରି ବୁଝିଥିଲେ। ଗୃହ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଂଜୀବ ଚୋପ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ : କରୋନା ଲଢେଇରେ ଜୁନ୍‌ ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ଆଜି ପୁଣିଥରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କରୋନାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କରୋନା ବିରୋଧରେ ଜାରି ରହିଥିବା ଲଢେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଲଢେଇ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବା ଔଷଧ ବାହାରି ନଥିବାରୁ ଲୋକେ ସଚେତନ ରହିବା ଏହି ଭୂତାଣୁରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଆସନ୍ତା ଜୁନ୍‌ 10 ସୁଦ୍ଧା ମୌସୁମୀ ରାଜ୍ୟରେ ପ୍ରବେଶ କରିବ । ଏହି ସମୟରେ ବର୍ଷା କାରଣରୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି । କରୋନା ଲଢେଇରେ ଜୁନ୍‌ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତେଣୁ ଲୋକେ ଏହାକୁ ହାଲୁକା ଭାବରେ ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ମଧ୍ୟକୁ 5 ଲକ୍ଷରୁ ଅଧିକ ଓଡିଆ ଭାଇ ଭଉଣୀ ଘରକୁ ଫେରିଛନ୍ତି । ସେମାନେ ଫେରିବା ଦ୍ବାରା ଯେଉଁ ପ୍ରଭାବ ପଡିବ ତାହା ଆସନ୍ତା 15-20 ଦିନ ମଧ୍ୟରେ କମିଯିବ । ସେହିପରି ଜୁନ୍‌ 10ରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସୂଚନା ମିଳୁଛି । ଏହି ସମୟରେ ଥଣ୍ଡା, କାଶ, ଜ୍ବର ବିଶେଷ ଭାବରେ ଦେଖାଦେଇଥାଏ । ଏହି ଦୁଇଟି କାରଣରୁ ଆସନ୍ତା 25 ଦିନ ରାଜ୍ୟ ବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଲଢେଇ ଉପରେ ଆମର ସଫଳତା ନିର୍ଭର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 15 ଦିନ ତଳେ ଦେଶରେ ଦୈନିକ 3 ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଏବେ ଏହି ସଂଖ୍ୟା 10 ହଜାରରେ ପହଞ୍ଚିଲାଣି । ତେଣୁ ବିଶେଷ କାମ ନଥିଲେ ଘରୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଲୋକଙ୍କ ଚଳାଚଳ କମ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ କରାଯାଉଥିବା ବେଳେ ଚଳିତ ମାସରେ 11 ଜିଲ୍ଲାରେ ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଏବଂ ରବିବାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜୁନ୍‌ ମାସରେ ଯଦି 8 ଦିନ ଘରେ ରହିବା ତେବେ ସଂକ୍ରମଣରୁ 8 ଦିନ ଦୂରରେ ରହିପାରିବା । ସେହିପରି ପ୍ରତ୍ୟହ ରାତି 7ଟାରୁ ଭୋର୍‌ 5ଟା ଯାଏଁ କର୍ଫ୍ୟୁ ଲଗାଯାଇଛି । ଦୈନିକ 10 ଘଣ୍ଟା କର୍ଫ୍ୟୁ ହିସାବରେ 300 ଘଣ୍ଟା ଘରେ ରହିବାକୁ ପଡୁଛି । ସଟ୍‌ଡାଉନ୍‌ ସହିତ ଏହାକୁ ମିଶାଇଲେ ଆମେ 17 ଦିନ ଘରେ ରହିବା ଯାହା ସଂକ୍ରମଣକୁ ରୋକିବାରେ ସହାୟକ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ :
1 . ଘରେ ରୁହନ୍ତୁ, ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ।
2. ଘରୁ ବାହାରକୁ ବାହାରିଲେ ମାସ୍କ ଲଗାନ୍ତୁ । ସଠିକ୍‌ ଭାବରେ ମାସ୍କ ଲଗାଇଲେ କରୋନା ସଂକ୍ରମଣ 90 ପ୍ରତିଶତ ହ୍ରାସ ପାଇବ ।
3. ହାଟ, ବଜାର, ଅଫିସ୍‌ ସବୁଠାରେ ସାମାଜିକ ଦୂରତ୍ବର ପାଳନ କରନ୍ତୁ ।
4. ବାହାରୁ ଘରକୁ ଫେରିଲେ ପ୍ରଥମେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୁଅନ୍ତୁ ।
5 . 65 ବର୍ଷରୁ ଅଧିକ ବ୍ୟକ୍ତିବିଶେଷ, ଗୁରୁତର ରୋଗୀ, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍‌ ଶିଶୁଙ୍କୁ ବାହାରକୁ ଛାଡନ୍ତୁ ନାହିଁ ।

ଜୀବନ ଓ ଜୀବିକା ମାନବ ଜୀବନର ଦୁଇଟି ଅଭିନ୍ନ ଅଙ୍ଗ । ସୁସ୍ଥ ରହିଲେ ଜୀବିକା ଆଗକୁ ବଢିବ । ଜୀବିକାକୁ ଆଗକୁ ବଢାଇବା ପାଇଁ ଲକ୍‌ଡାଉନ୍‌ କୋହଳ କରାଯାଇଥିବା ବେଳେ ଜୀବନ ବଞ୍ଚାଇବାର ପ୍ରୟାସ ମଧ୍ୟ ଜାରି ରହିଛି । ଆତ୍ମସଂଯମତା ହିଁ କରୋନା ସଙ୍କଟରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ବଞ୍ଚାଇ ପାରିବ । ଏହା ସହିତ ଜୁନ୍‌ ମାସ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଘରେ ରହିବା ସହିତ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରନ୍ତୁ ଆମେ ଏହି ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଶୁଭିଲା ବନ୍ଦେ ଉତ୍କଳ ଜନନୀର ଝଙ୍କାର

ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ସମର୍ଥନରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପୁରପଲ୍ଲୀ ସମେତ ଭାରତ ତଥା ବିଶ୍ବର କୋଣ ଅନୁକୋଣରେ ରହିଥିବା ଓଡିଆ ଏହାକୁ ଗାଇଥିବା ବେଳେ ସ୍ବୟଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସଙ୍ଗୀତ ଗାନ କରିଛନ୍ତି । 5ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ନବୀନ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ । ସେହିପରି ଲୋକସେବା ଭବନ ଏବଂ କମିଶନରେଟ ପୋଲିସ୍‌ କାର୍ଯ୍ୟାଳୟରେ ମଧ୍ୟ ଏହି ଗୀତ ଗାନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍‌ କମିଶନର ଏଥିରେ ଅଂଶଗ୍ରହଣ କରିଥିଲେ । ଅପରପକ୍ଷରେ ଦୁଇ ବଲିଉଡ୍‌ ଗାୟକ ଶଙ୍କର ମହାଦେବନ୍‌ ଏବଂ ଆଶା ଭୋଁସଲେ ମଧ୍ୟ ଏହି ଗୀତ ଗାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବନ୍ଦେ ଉତ୍କଳ ଜନନୀ ପାଇଁ ବିଭିନ୍ନ ନେତାଙ୍କ ସମର୍ଥନ ଲୋଡିଲେ ନବୀନ

ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ସମର୍ଥନରେ ବନ୍ଦେ ଉତ୍କଳ ଜନନୀ ଗାଇବାର ଆହ୍ବାନ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ସହାୟତା ଲୋଡିଛନ୍ତି । ଏହି କ୍ରମରେ ନବୀନ ବିଭିନ୍ନ ନେତାଙ୍କୁ ଫୋନ୍‌ କରି ଏହି ଧାରାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମାଜବାଦୀ ଦଳ ସଭାପତି ରବି ବେହେରା ଏବଂ ମାର୍କ୍ସସିଷ୍ଟ କମ୍ୟୁନିଷ୍ଟ ଦଳର ଅଳି ପଟ୍ଟନାୟକଙ୍କୁ ଫୋନ୍‌ କରିଥିଲେ ନବୀନ । ଏହି ଧାରାରେ ନିଜକୁ ସାମିଲ କରି କରୋନା ଯୋଦ୍ଧାଙ୍କ ମନୋବଳ ବଢାଇବା ପାଇଁ ନବୀନ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଦିନକ ପରେ ଆରମ୍ଭ ହେବ ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ

ଭୁବନେଶ୍ୱର : ଆସନ୍ତା 29 ତାରିଖଠାରୁ ଆରମ୍ଭ ହେବ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ । କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ଦୁଇ ମାସ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ବୁଧବାରର ସମୀକ୍ଷା ବୈଠକ ପରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପୂର୍ବଭଳି କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚତୁଃପାର୍ଶ୍ବର ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ବିଶେଷ ଖବର

ଫେମ୍‌ ଇଣ୍ଡିଆ 50 ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାର ଦଶମ ସ୍ଥାନରେ ନବୀନ

ନୂଆଦିଲ୍ଲୀ : ଫେମ୍ ଇଣ୍ଡିଆ ମାଗାଜିନ ପକ୍ଷରୁ 2020ର ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ 21 ତମ ସ୍ଥାନରେ ଅଛନ୍ତି । ନବୀନ ଏହି ତାଲିକାର ଦଶମ ସ୍ଥାନରେ ରହିବା ନବୀନଙ୍କ ଲୋକପ୍ରିୟତାର ପ୍ରମାଣ ଦେଉଥିବା ବେଳେ ଏହା ଓଡିଆ ମାନଙ୍କ ପାଇଁ ଗର୍ବର ବିଷୟ ।

99.6 ପ୍ରତିଶତ ଭୋଟ୍‌ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଲିକାରେ ଶୀର୍ଷରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ (97%) । ପ୍ରଥମ ବର୍ଷରେ ମନ୍ତ୍ରୀତ୍ବରେ ଅନେକ କଡା ପଦକ୍ଷେପ ଗ୍ରହଣ କରିଥିବା ଗୃହମନ୍ତ୍ରୀ ଅମିତ୍ ଶାହା 96.5 ପ୍ରତିଶତ ସହିତ ତୃତୀୟ ସ୍ଥାନରେ ଅଛନ୍ତି । ଶିଳ୍ପପତି ରତନ ଟାଟା 95.2 % ସହିତ ଚତୁର୍ଥ ଏବଂ 95 ପ୍ରତିଶତ ସହିତ ମୁକେଶ ଅମ୍ବାନୀ ପଞ୍ଚମ ସ୍ଥାନରେ ରହିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ଧର୍ମଗୁରୁ ରବିଶଙ୍କର, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଅଜିତ୍ ଡ଼ୋଭାଲ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠରୁ ଦଶମ ସ୍ଥାନରେ ରହିଛନ୍ତି । ଏକାଦଶତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର । ସେହିପରି ଏହି ତାଲିକାରେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା 17ତମ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ 18 ତମ, ପତଞ୍ଜଳି ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ 20ତମ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ 21 ତମ ପ୍ରଭାବଶାଳୀ ଭାରତୀୟ ଭାବରେ ସ୍ଥାନ ପାଇଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ଆକାଶମାର୍ଗରୁ ବାତ୍ୟା ପ୍ରପୀଡିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ: ତିନି ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଏପରି ଘଡିସନ୍ଧି ମୂହୂର୍ତ୍ତରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ପ୍ରତି ସହାୟତାର ହାତ ବଢାଇବା ସହିତ ମୁଖ୍ୟ ଶାସନ ସଚିବଙ୍କୁ ମମତାଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏହା ସହିତ ମମତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଭାବିତ ଜିଲ୍ଲାକୁ ଆକାଶ ମାର୍ଗରେ ଗସ୍ତ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି। ବିଭିନ୍ନ କ୍ଷତିଗ୍ରସ୍ତ ସଡକ ପଥ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଗୁଡିକର ନିର୍ମାଣ ତ୍ବରିତ ଭାବରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେସୁ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏବଂ ନେସ୍କୋ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ 72 ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ପୁନର୍ସ୍ଥାପିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫସଲ କ୍ଷୟକ୍ଷତିର ରିପୋର୍ଟ ତିନିଦିନ ମଧ୍ୟରେ ଏବଂ ଏକ ସପ୍ତାହ ମଧ୍ୟରେ ଘରଭଙ୍ଗା ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ପାନ ପ୍ରଭାବରେ ରାଜ୍ୟର 89ଟି ବ୍ଲକ୍‌ର 44 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ନବୀନ

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରିପୋର୍ଟ ଆଧାରରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ : କ୍ବାରେଣ୍ଟିନ୍‌ ସେଣ୍ଟର ପରିଚାଳନା ଏବଂ ଅର୍ଥନୈତିକ ପୁନରୁଦ୍ଧାରକୁ ଗୁରୁତ୍ବ

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ କରୋନା ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯିବା ସହିତ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ପ୍ରବାସ ଓଡିଆ ମାନେ ରାଜ୍ୟକୁ ଫେରୁଥିବାରୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଗୁଡିକର ଉପଯୁକ୍ତ ପରିଚାଳନା ଉପରେ ନବୀନ ଯୋର ଦେଇଥିଲେ । ଏହା ସହିତ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ମାନଙ୍କରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ନବୀନ ଗୁରୁତ୍ବାରୋପ କରିଥିଲେ । ସେହିପରି ଲୋକମାନଙ୍କ ରୋଜଗାର ସହିତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା । କୋଭିଡ୍‌-19 ମୁକାବିଲାରେ ପଞ୍ଚାୟତରାଜ ବ୍ୟବସ୍ଥାର ଗୁରୁତ୍ବ ଅଧିକ ତେଣୁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନବୀନ ଆହ୍ବାନ ଦେଇଥିଲେ ।

ଏହା ସହିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ କୋଭିଡ୍‌ ରୋଗ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଙ୍ଗରୋଧରୁ ବାହାରିବା ପରେ ଏହି ଅନ୍ତେବାସୀ ମାନେ କୋଭିଡ୍‌ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିପାରିବେ । ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ୍‌ କୋର୍ଓ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଜିଲ୍ଲାର ମାନଙ୍କରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି । ଗଞ୍ଜାମ,ବାଲେଶ୍ବର,କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର ଭଳି ଜିଲ୍ଲାରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହା ସହିତ ବର୍ତ୍ତମାନର ସମୟରେ ଗର୍ଭବତୀ ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜୀବନ ଜୀବିକା ଓ ଅର୍ଥନୈତିକ ପୁନରୁଦ୍ଧାର ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ଏମ୍‌ନରେଗା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ବିଭିନ୍ନ ବିଭାଗ ଅଧୀନରେ ଅଧିକ କାମ ସୃଷ୍ଟି କରିବାର ଆହ୍ବାନ ଦେଇଥିଲେ । ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିଭଳି ସ୍ବାସ୍ଥ୍ୟ ସେବାରେ ନିଯୁକ୍ତ କର୍ମଚାରୀଙ୍କ ପିପିଇ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେହିଭଳି କୃଷି ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର 3ଟି ଅଧ୍ୟାଦେଶ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରବି ଫସଲ ଅମଳ ସରିଥିବା ବେଳେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକ ସାର, ବିହନ ଓ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ କରାଯାଇଥିବା ବେଳେ ଚାଷୀଙ୍କ ପାଇଁ ଏକ ହେଲ୍ପଲାଇନ୍‌ ମଧ୍ୟ କାମ କରୁଥିବା ନବୀନ ସୂଚନା ଦେଇଛନ୍ତି । ସେହିଭଳି ମତ୍ସ୍ୟ ଚାଷ, କୁକୁଡା ଚାଷ, ଉଦ୍ୟାନ କୃଷି, ଗୋପାଳନ ଆଦି କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କରୋନା ସମୟରେ ସ୍ବୟଂସହାୟିକା ଗୋଷ୍ଠୀ ମାନେ କୋଭିଡ୍‌ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ପ୍ରକାଶ କରିଥିଲା । ମିଶନ ଶକ୍ତି ମହିଳାଙ୍କ ପକ୍ଷରୁ ପ୍ରାୟ 50 ଲକ୍ଷ ମାସ୍କ ପ୍ରସ୍ତୁତ କରାଯାଇଥିବା ବେଳେ ତନ୍ମଧ୍ୟରୁ 46 ଲକ୍ଷ ମାସ୍କ ବଣ୍ଟନ କରାଯାଇ ସାରିଛି । ଏସ୍‌ଏଚ୍‌ଜି ଗୋଷ୍ଠୀ ଗୁଡିକ ପକ୍ଷରୁ 1.6 କୋଟି ରନ୍ଧାଖାଦ୍ୟ ମିଲ୍‌ ବିତରଣ କରାଯାଇଛି । ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ 300 କୋଟିର ସୁଧମୁକ୍ତ ଋଣ ପ୍ରଦାନ କରାଯାଇଛି ବୋଲି ନିର୍ଦ୍ଦେଶିକା ସୂଚନା ପ୍ରଦାନ କରିଥିଲେ । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଙ୍ଗଲ ବିଭାଗ ପକ୍ଷରୁ ଦୈନିକ ଏକ ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣାପଡିଛି ।

ଲକ୍‌ଡାଉନ୍‌ ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ନିୟମଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ୍‌ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ୍‌ ମହା ନିର୍ଦ୍ଦେଶକ, ପ୍ରମୁଖ ଶସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ବ ଏବଂ ମାସ୍କ ନିତାନ୍ତ ଜରୁରୀ : କେ ଶ୍ରୀନାଥ ରେଡ୍ଡୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାତ ରେଡ୍ଡୀ ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ୍‌ ମହା ନିର୍ଦ୍ଦେଶକ, ବିଭିନ୍ନ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । କୋଭିଡ୍‌ରୁ ଶିକ୍ଷା-ଆମେ କଣ ଶିଖିଲେ ଏବଂ କିପରି କୋଭିଡ୍‌ ଯୁଦ୍ଧ ଜିତିବା ଉପରେ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନାରେ ଡ. ରେଡ୍ଡୀ କରୋନା ଭାଇରସ୍‌ର ଉତ୍ପତ୍ତି, ବିଶ୍ବର ପରସ୍ଥିତି ଏବଂ ଭବିଷ୍ୟତର ରଣ କୌଶଳ ଉପରେ ଆଲୋକାପାତ କରିଥିଲେ । ଏହି ଭାଇରସ୍‌ର କୌଣସି ଔଷଧ କିମ୍ବା ଟୀକା ନଥିବାରୁ ସାମାଜିକ ଦୂରତ୍ବ ହିଁ ଏକମାତ୍ର ମାଧ୍ୟମ ବୋଲି ଡ. ରେଡ୍ଡୀ ପ୍ରକାଶ କରିଥିଲେ । ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ବୟସ୍କଙ୍କ ପ୍ରତି ଅଧିକ ସଚେତନ ରହିବା ପାଇଁ ଡ. ରେଡ୍ଡୀ ମତ ଦେଇଥିଲେ । ବାଦୁଡି ପରି ବନ୍ୟଜନ୍ତୁଙ୍କ ଠାରୁ ଏହି ଭାଇରସ୍‌ ମଣିଷକୁ ସଂକ୍ରମିତ ହୋଇଥାଏ । ଏହି ଭାଇରସ୍‌ ନାକ, ଆଖି ଓ ପାଟି ଦ୍ବାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ କୋଭିଡ୍‌ ଲଢେଇରେ ବିଜୟୀ ହୋଇପାରିବା ବୋଲି ମତ ଦେଇଥିଲେ ।

ଏହି ଭାଇରସ୍‌ କେବଳ ନିମୋନିଆ ସୃଷ୍ଟି କରିନଥାଏ ବରଂ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରିଥାଏ । କିଛି କ୍ଷେତ୍ରରେ ଏହା ଥ୍ରମ୍ବୋସିସ୍‌ ପରସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ସମସ୍ତ ବୟସବର୍ଗରେ କରୋନା ସଂକ୍ରମିତ ହେଉଥିଲେ ମଧ୍ୟ ବୟସ୍କ ମାନଙ୍କ ସଂକ୍ରମିତ ହେବାର ଆଶଙ୍କା ରହିଛି ଏବଂ ମୃତ୍ୟୁ ମୁଖରେ ପଡିବାର ଅଧିକ ଆଶଙ୍କା ରହିଛି ।

ସେହିପରି କରୋନା ମୁକାବିଲାରେ ଓଡିଶାର ପ୍ରୟାସକୁ ରେଡ୍ଡୀ ଢେର ପ୍ରଶଂସା କରିଥିଲେ । କେବଳ ଦେଶରେ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ରେଡ୍ଡୀ କହିଥିଲେ । ବ୍ରିଟେନ୍‌, ଆମେରିକା, ସ୍ବିଡେନ୍‌ ପରି ଆଗୁଆ ଦେଶମାନେ ଲକ୍‌ଡାଉନ୍‌ ପାଳନ ନକରିବାରୁ ଏହି ଦେଶଗୁଡିକୁ ବହୁମୂଲ୍ୟ ଦେବାକୁ ପଡିଛି । ତେବେ ଭିଏତ୍‌ନାମ ପରି ଛୋଟ ଦେଶ ସଙ୍ଗରୋଧ, କଣ୍ଟାକ୍ଟ ଟ୍ରେସିଂ ଏବଂ ପରୀକ୍ଷଣ ଦ୍ବାରା କରୋନାକୁ ହରାଇବାରେ ସକ୍ଷମ ହୋଇଛି ।
ସେହିପରି ଆର୍ଦ୍ର ଏବଂ ଉଚ୍ଚତାପମାତ୍ରାରେ ଏହି ଭାଇରସ୍‌ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଲିଥିଲେ ମଧ୍ୟ ପରିବେଶ ଦ୍ବାରା ଏହି ଭାଇରସ୍‌ ପ୍ରଭାବିତ ହୋଇନଥାଏ । ଭାରତୀୟ ମାନେ ବିସିଜି, ମ୍ୟାଲେରିଆ ଏବଂ ପୋଲିଓ ଟୀକା ବ୍ୟବହାର କରୁଥିବା ବେଳେ କୋଭିଡ୍‌ ମୁକାବିଲା ସହଜ ହେବ ତେବେ ବର୍ତ୍ତମାନ କେବଳ ସଙ୍ଗରୋଧ ପ୍ରମୁଖ ଅସ୍ତ୍ର ବୋଲି ଡ. ରେଡ୍ଡୀ ମତ ଦେଇଛନ୍ତି ।

ଭାରତ ସମେତ ବିଭିନ୍ନ ରାଷ୍ଟ୍ର କରୋନା ଟୀକାର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗବେଷଣା ଜାରି ରହିଥିବା ବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏହାର ଟୀକା ବାହାରିବା ନେଇ ରେଡ୍ଡୀ ଆଶା ପ୍ରକାଶ କରିଥିଲେ । ଲକ୍ଷଣ ଭିତ୍ତିକ ରୋଗ ଅନୁସନ୍ଧାନ ଉପରେ ଗୁରୁତ୍ବାରୋପ କରିବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ବ ନଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ରଖିଥିଲେ ।

ସେହିପରି ପୋଲିସ୍‌ କର୍ମଚାରୀ ଅଧିକ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ନେଇ ରେଡ୍ଡୀ ପ୍ରକାଶ କରିଥିଲେ ।ପୋଲିସ୍‌ ଅଧିକାରୀ ମାନେ ନିୟମିତ ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର କରିବା ଉଚିତ୍‌ ବୋଲି ରେଡ୍ଡୀ ମତ ଦେଇଥିଲେ । ସକାଳ 11.30 ମିନିଟ୍‌ରେ ଡ. ରେଡ୍ଡୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରେସ୍‌ମିଟ୍‌ରେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର

କରୋନା ମୁକାବିଲା ପାଇଁ ନବୀନଙ୍କ ସମୀକ୍ଷା ବୈଠକ : ଟେଷ୍ଟିଂ କ୍ଷମତା ବୃଦ୍ଧି ସହିତ ଅର୍ଥନୀତି ଉପରେ ଗୁରୁତ୍ବ

ଭୁବନେଶ୍ବର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରବାସୀ ମାନଙ୍କ ଫେରିବା ଉପରେ ଏକ ବଡ ବୟାନ ଦେଇଛନ୍ତି । ପ୍ରବାସୀ ଶ୍ରମିକ ମାନେ ବସ୍‌ରେ ଫେରୁଥିବା ବେଳେ ଏକାଧିକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏଣିକି ସୁରଟରୁ ପ୍ରବାସୀ ଓଡିଆ ମାନେ କେବଳ ଟ୍ରେନ୍‌ ଜରିଆରେ ଫେରି ପାରିବେ । ଫେରିବା ସମୟରେ ଖାଦ୍ୟପେୟରେ ଅସୁବିଧା ହେବା ସହିତ, ଅଂଶୁଘାତ ଏବଂ ଦୁର୍ଘଟଣା ଘଟୁଥିବା ବେଳେ ମହିଳା ଏବଂ ଶିଶୁ ମାନେ ହଇରାଣ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର କରୋନା ପରୀକ୍ଷଣ କ୍ଷମତା ଦୈନିକ 3500ରୁ 15000କୁ ବୃଦ୍ଧି କରାଯିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ଗ୍ରୀନ୍‌ ଜୋନ୍‌ରେ କୃଷି, ଶିଳ୍ପ, ଜୀବନ ଜୀବିକା ଏବଂ ପରିବହନ ପୂର୍ବବତ ଚାଲିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚାଷୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ପରିମାଣ ବଢାଯିବା ସହିତ ଶିଳ୍ପ ସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ ଏକ ଆଦର୍ଶନୀତି ପ୍ରଣୟନ କରାଯିବ । ଏହି ବିପର୍ଯ୍ୟୟର ସମୟରେ ବିଭିନ୍ନ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ପକ୍ଷରୁ 1 କୋଟିରୁ ଅଧିକ ମିଲ୍‌ ଯୋଗାଇ ଦିଆଯାଇଛି । ତେଣୁ ମିଲ୍‌ ପିଛା 2 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଜିଲ୍ଲା ମାନଙ୍କରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ସେହି ଜିଲ୍ଲା ମାନଙ୍କମ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ ଖରିଫ୍‌ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ ଉପକରଣ ସୁବିଧାରେ ଚାଷୀଙ୍କୁ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି ।

ରାଜ୍ୟରେ ବର୍ତ୍ତମାନ ଦୈନିକ 3500 କରୋନା ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟିଂ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 46 ହଜାର ଟେଷ୍ଟିଂ କରାଯାଇଥିବା ବେଳେ ତନ୍ମଧ୍ୟରୁ 170 ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଓଡିଆଙ୍କ ନିମନ୍ତେ 10751ଟି ଅସ୍ଥାୟୀ ଚିକିତ୍ସା ଶିବିର ପ୍ରତିଷ୍ଠା କରାଯାଇଛି । ଏହି ଶିବିରରେ ସମୁଦାୟ 4.68 ଲକ୍ଷ ଲୋକଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଓଡିଆଙ୍କର ଖାଦ୍ୟ ପେୟ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଭଳି ସହରାଞ୍ଚଳ ନଗର ନିଗମ ଉନ୍ନୟନ ବିଭାଗ ପକ୍ଷରୁ 415ଟି କ୍ବାରେଣ୍ଟାଇନ୍‌ ସେଣ୍ଟରରେ 32254 ଜଣଙ୍କ ରହିବାର ବ୍ୟବସ୍ଥା କରାଯାଇଛି ।

ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀଙ୍କୁ କଡାକଡି ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସତର୍କ କରିଦିଆଯାଇଛି । ବର୍ତ୍ତମାନର ଅସାଧାରଣ ପରସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ବୀକାର କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ବିଦେଶରୁ ଓଡିଆ ଭାଇଭଉଣୀ ଫେରିବାର ସମ୍ଭାବନା ରହିଛି । ଓଡିଶା ଆସିବା ପୂର୍ବରୁ ସେମାନଙ୍କ ପଞ୍ଜୀକରଣ, ଟେଷ୍ଟିଂ ଓ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାଯାଇଛି ଯେ, ରାଜ୍ୟର 16 ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ରହିଛି । 62ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ତନ୍ମଧ୍ୟରୁ 47ଟି ସକ୍ରିୟ ଜୋନ୍‌ ରହିଛି । ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ 6376 ନମୂନା ମଧ୍ୟରୁ 136ଟି ପଜିଟିଭ୍‌ କେସ୍‌ ବାହାରିଛି ଯାହାକି ମମୋଟ ସଂଖ୍ୟାର 83 ପ୍ରତିଶତ ଅଟେ । କୋଭିଡ୍‌ 19 ମୁକାବିଲା ପାଇଁ ଆବଶ୍ୟକ ଉପକରଣ ସଂଗ୍ରହ କାର୍ଯ୍ୟ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ 40 ପ୍ରତିଶତ ଧାନ ଅମଳ ସରିଛି । ଆସନ୍ତା 6 ତାରିଖରୁ ଧାନ ସଂଗ୍ରହ ଏବଂ 7 ତାରିଖରୁ ମୁଗ, ବିରି ପରି ରବି ଫସଲ ସଂଗ୍ରହ କରାଯିବ । ଖରିଫ୍‌ ଋତୁରେ ଅଣ ଧାନଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । କୃଷିକ୍ଷେତ୍ର ନିମନ୍ତେ ଶ୍ରମିକ ସମସ୍ୟା ନଥିବା ନେଇ ସୂଚନା ଦିଆଯାଇଥିବା ବେଳେ ଏମ୍‌ଜିନରେଗାରେ ପ୍ରାୟ 1 ଲକ୍ଷ ଚାଷ ପୋଖରୀ ଖୋଳାଯିବ ବୋଲି ଜଣାପଡିଛି ।

ସେହିପରି ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଏବଂ ଅଣୁ ଶିଳ୍ପର ପୁନରୁତ୍ଥାନ ପାଇଁ ସରକାର ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ବ୍ୟାଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏହା ସହିତ ଜାପାନ କୋରିଆ ଏବଂ ଆମେରିକାରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିବ ସେ ସମ୍ପର୍କରେ ଆଲୋଚନା କରାଯାଉଥିବା ଜଣାପଡିଛି ।

ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ହିଂସା ରୋକିବା ପାଇଁ ପୋଲିସସ 5649 ଜଣଙ୍କ ସହିତ ଯୋଗାଯୋଗ କରିଥିଲା । ତନ୍ମଧ୍ୟରୁ ମାତ୍ର 1 ପ୍ରତିଶତ ଅଭିଯୋଗ ଆସିଥିବା ବେଳେ ତା ଉପରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ 6500 ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ 47 ହଜାର ଗାଡି ଜବତ କରି ଫେରାଇ ଦିଆଯାଇଛି । ଅନ୍ୟାନ୍ୟ ବିଷୟ ଗୁଡିକ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ଅଢେଇ ଲକ୍ଷ ପରିବାରର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଦୈନିକ 15 ହଜାର କରୋନା ପରୀକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଏଣିକି ସୁରତର ପ୍ରବାସୀ କେବଳ ଟ୍ରେନ୍‌ରେ ଫେରିବେ

ଭୁବନେଶ୍ବର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରବାସୀ ମାନଙ୍କ ଫେରିବା ଉପରେ ଏକ ବଡ ବୟାନ ଦେଇଛନ୍ତି । ପ୍ରବାସୀ ଶ୍ରମିକ ମାନେ ବସ୍‌ରେ ଫେରୁଥିବା ବେଳେ ଏକାଧିକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏଣିକି ସୁରଟରୁ ପ୍ରବାସୀ ଓଡିଆ ମାନେ କେବଳ ଟ୍ରେନ୍‌ ଜରିଆରେ ଫେରି ପାରିବେ । ଫେରିବା ସମୟରେ ଖାଦ୍ୟପେୟରେ ଅସୁବିଧା ହେବା ସହିତ, ଅଂଶୁଘାତ ଏବଂ ଦୁର୍ଘଟଣା ଘଟୁଥିବା ବେଳେ ମହିଳା ଏବଂ ଶିଶୁ ମାନେ ହଇରାଣ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର କରୋନା ପରୀକ୍ଷଣ କ୍ଷମତା ଦୈନିକ 3500ରୁ 15000କୁ ବୃଦ୍ଧି କରାଯିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ଗ୍ରୀନ୍‌ ଜୋନ୍‌ରେ କୃଷି, ଶିଳ୍ପ, ଜୀବନ ଜୀବିକା ଏବଂ ପରିବହନ ପୂର୍ବବତ ଚାଲିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚାଷୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ପରିମାଣ ବଢାଯିବା ସହିତ ଶିଳ୍ପ ସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ ଏକ ଆଦର୍ଶନୀତି ପ୍ରଣୟନ କରାଯିବ । ଏହି ବିପର୍ଯ୍ୟୟର ସମୟରେ ବିଭିନ୍ନ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ପକ୍ଷରୁ 1 କୋଟିରୁ ଅଧିକ ମିଲ୍‌ ଯୋଗାଇ ଦିଆଯାଇଛି । ତେଣୁ ମିଲ୍‌ ପିଛା 2 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଜିଲ୍ଲା ମାନଙ୍କରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ସେହି ଜିଲ୍ଲା ମାନଙ୍କମ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ ଖରିଫ୍‌ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ ଉପକରଣ ସୁବିଧାରେ ଚାଷୀଙ୍କୁ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରବାସୀ ଓଡିଆଙ୍କୁ ସହାୟତା କରିବା ପାଇଁ ଭିଡିଓ ବାର୍ତ୍ତାରେ ନବୀନଙ୍କ ନିବେଦନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହିତ ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ଦେଶର ସର୍ବାଧିକ ଆକ୍ରାନ୍ତ ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଗତ ଦଶଦିନ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଲୋକ ଘରେ ରହିବା ପାଇଁ ନବୀନ ନିବେଦନ କରିଛନ୍ତି । ରାଜ୍ୟବାସୀଙ୍କ ସହାୟତାରେ ହିଁ ରାଜ୍ୟରୁ କରୋନାକୁ ଦୂର କରାଯାଇପାରିବ ବୋଲି ନବୀନ ମତ ଦେଇଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଦ୍ବିଗୁଣିତ ହେବ ମନରେଗା କାର୍ଯ୍ୟ : ନବୀନ

ଭୁବନେଶ୍ବର : ରାଜ୍ୟରେ ମନରେଗା କାର୍ଯ୍ୟକୁ ଦ୍ବିଗୁଣିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଏଣିକି ଶ୍ରମିକ ସଂଖ୍ୟା 5 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରାଯିବ ବୋଲି ନବୀନ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରୁ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଆସୁଥିବାରୁ ଶ୍ରମିକଙ୍କୁ ଆବଶ୍ୟକ କାମ ଯୋଗାଇଦେବା ପାଇଁ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ସହିତ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ରହିବା ଏବଂ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି ନବୀନ କହିଛନ୍ତି । ସେହିପରି ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଖାଇବା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ନିଯୁକ୍ତ ଅଧିକାରୀ ମାନେ ଏହାକୁ ସହକାରୀ ଦାୟିତ୍ବ ନଭାବି ମୁଖ୍ୟ ଦାୟିତ୍ବ ଭାବରେ ଭାବିବା ଉଚିତ୍‌ ବୋଲି ନବୀନ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରବାସୀ ଶ୍ରମିକଙ୍କ କ୍ବାରାଣ୍ଟାଇନ୍‌ ଖର୍ଚ୍ଚ ସଂପୂର୍ଣ୍ଣ ବହନ କରିବେ ସରକାର, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ଭୁବନେଶ୍ବର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀ ଶ୍ରମିକଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନରେ ରହିବାବେଳେ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ଖାଦ୍ୟ ବାବଦକୁ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ପର୍ସନାଲ ହାଇଜିନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ। ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ। କ୍ୱାରେଣ୍ଟିନ ସେଣ୍ଟରରେ ଗୋଟିଏ ବେଡ୍ ପାଇଁ ୨ଟି ବେଡ ସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ। ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ୨ ହଜାର ଟଙ୍କା ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସାମ୍ବାଦିକଙ୍କ ପାଇଁ 15 ଲକ୍ଷ ଟଙ୍କାର ବୀମା

ଭୁବନେଶ୍ବର: ରାଜ୍ୟ ସରକାର କରୋନା ସମୟରେ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ମୃ୍ତ୍ୟୁ ହେଲେ 15 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ବଡ ଘୋଷଣା କରିଛନ୍ତି। କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହରିୟାଣା ସରକାର ମଧ୍ୟ ସାମ୍ବାଦିକଙ୍କ ପାଇଁ ବୀମା ରାଶିର ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଧବଙ୍କ ସହିତ କଥା ହେଲେ ନବୀନ

ଭୁବନେଶ୍ବର : ମହାରାଷ୍ଟ୍ରରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଧବଙ୍କ ସହିତ ନବୀନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାରାଷ୍ଟ୍ରରେ ଅଟକି ରହିଥିବା ସମସ୍ତ ଶ୍ରମିକଙ୍କୁ ନିରାପଦ ଭାବରେ ଓଡିଶା ପଠାଇବାର ବ୍ୟବସ୍ଥା କରିବା ପାଇଁ ଉଦ୍ଧବଙ୍କୁ ଅନୁରୋଧ କରିଥିଲେ ନବୀନ । ସମସ୍ତ ଶ୍ରମିକଙ୍କ ପଞ୍ଜୀକରଣ କରାଇ ସେମାନଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବ ବୋଲି ନବୀନ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସଂସଦ ପାଣ୍ଠିର ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ଭୁବନେଶ୍ବର : ସଂସଦୀୟ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନବୀନଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡାର ସାଂସଦ ରହିଥିବା ସମୟରେ 1000 ଲୋକଙ୍କ ବସିବା ଭଳି ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିଥିବା ବେଳେ 15ରୁ ଅଧିକ ବହୁମୁଖୀ ଗୃହ ଏବଂ 24ରୁ ଅଧିକ ମିନି ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ । ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସମାପ୍ତ ହେବାକୁ ଯାଉଥିବାରୁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ଓଡିଶାବାସୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ଅଧିକ କ୍ବାରେଣ୍ଟିନ୍‌ ସେଣ୍ଟରର ଆବଶ୍ୟକତା ପଡିବ ତେଣୁ ଏହି ପ୍ରକଳ୍ପ ଗୁଡିକୁ ବ୍ୟବହାର କରିବା ପାଇଁ ବୈଜୟନ୍ତ ଅନୁରୋଧ କରିଛନ୍ତି ।