କରୋନା ମୁକାବିଲା ପାଇଁ ନବୀନଙ୍କ ସମୀକ୍ଷା ବୈଠକ : ଟେଷ୍ଟିଂ କ୍ଷମତା ବୃଦ୍ଧି ସହିତ ଅର୍ଥନୀତି ଉପରେ ଗୁରୁତ୍ବ

Published: May 5, 2020, 5:17 pm IST

ଭୁବନେଶ୍ବର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପ୍ରବାସୀ ମାନଙ୍କ ଫେରିବା ଉପରେ ଏକ ବଡ ବୟାନ ଦେଇଛନ୍ତି । ପ୍ରବାସୀ ଶ୍ରମିକ ମାନେ ବସ୍‌ରେ ଫେରୁଥିବା ବେଳେ ଏକାଧିକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ଏଣିକି ସୁରଟରୁ ପ୍ରବାସୀ ଓଡିଆ ମାନେ କେବଳ ଟ୍ରେନ୍‌ ଜରିଆରେ ଫେରି ପାରିବେ । ଫେରିବା ସମୟରେ ଖାଦ୍ୟପେୟରେ ଅସୁବିଧା ହେବା ସହିତ, ଅଂଶୁଘାତ ଏବଂ ଦୁର୍ଘଟଣା ଘଟୁଥିବା ବେଳେ ମହିଳା ଏବଂ ଶିଶୁ ମାନେ ହଇରାଣ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର କରୋନା ପରୀକ୍ଷଣ କ୍ଷମତା ଦୈନିକ 3500ରୁ 15000କୁ ବୃଦ୍ଧି କରାଯିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ଗ୍ରୀନ୍‌ ଜୋନ୍‌ରେ କୃଷି, ଶିଳ୍ପ, ଜୀବନ ଜୀବିକା ଏବଂ ପରିବହନ ପୂର୍ବବତ ଚାଲିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚାଷୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ପରିମାଣ ବଢାଯିବା ସହିତ ଶିଳ୍ପ ସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ ଏକ ଆଦର୍ଶନୀତି ପ୍ରଣୟନ କରାଯିବ । ଏହି ବିପର୍ଯ୍ୟୟର ସମୟରେ ବିଭିନ୍ନ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ପକ୍ଷରୁ 1 କୋଟିରୁ ଅଧିକ ମିଲ୍‌ ଯୋଗାଇ ଦିଆଯାଇଛି । ତେଣୁ ମିଲ୍‌ ପିଛା 2 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଜିଲ୍ଲା ମାନଙ୍କରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ସେହି ଜିଲ୍ଲା ମାନଙ୍କମ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ ଖରିଫ୍‌ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ ଉପକରଣ ସୁବିଧାରେ ଚାଷୀଙ୍କୁ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି ।

ରାଜ୍ୟରେ ବର୍ତ୍ତମାନ ଦୈନିକ 3500 କରୋନା ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟିଂ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 46 ହଜାର ଟେଷ୍ଟିଂ କରାଯାଇଥିବା ବେଳେ ତନ୍ମଧ୍ୟରୁ 170 ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଓଡିଆଙ୍କ ନିମନ୍ତେ 10751ଟି ଅସ୍ଥାୟୀ ଚିକିତ୍ସା ଶିବିର ପ୍ରତିଷ୍ଠା କରାଯାଇଛି । ଏହି ଶିବିରରେ ସମୁଦାୟ 4.68 ଲକ୍ଷ ଲୋକଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଓଡିଆଙ୍କର ଖାଦ୍ୟ ପେୟ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଭଳି ସହରାଞ୍ଚଳ ନଗର ନିଗମ ଉନ୍ନୟନ ବିଭାଗ ପକ୍ଷରୁ 415ଟି କ୍ବାରେଣ୍ଟାଇନ୍‌ ସେଣ୍ଟରରେ 32254 ଜଣଙ୍କ ରହିବାର ବ୍ୟବସ୍ଥା କରାଯାଇଛି ।

ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀଙ୍କୁ କଡାକଡି ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସତର୍କ କରିଦିଆଯାଇଛି । ବର୍ତ୍ତମାନର ଅସାଧାରଣ ପରସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ବୀକାର କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ବିଦେଶରୁ ଓଡିଆ ଭାଇଭଉଣୀ ଫେରିବାର ସମ୍ଭାବନା ରହିଛି । ଓଡିଶା ଆସିବା ପୂର୍ବରୁ ସେମାନଙ୍କ ପଞ୍ଜୀକରଣ, ଟେଷ୍ଟିଂ ଓ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାଯାଇଛି ଯେ, ରାଜ୍ୟର 16 ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ରହିଛି । 62ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ତନ୍ମଧ୍ୟରୁ 47ଟି ସକ୍ରିୟ ଜୋନ୍‌ ରହିଛି । ସଂକ୍ରମିତ ଅଞ୍ଚଳରୁ ସଂଗୃହୀତ 6376 ନମୂନା ମଧ୍ୟରୁ 136ଟି ପଜିଟିଭ୍‌ କେସ୍‌ ବାହାରିଛି ଯାହାକି ମମୋଟ ସଂଖ୍ୟାର 83 ପ୍ରତିଶତ ଅଟେ । କୋଭିଡ୍‌ 19 ମୁକାବିଲା ପାଇଁ ଆବଶ୍ୟକ ଉପକରଣ ସଂଗ୍ରହ କାର୍ଯ୍ୟ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ 40 ପ୍ରତିଶତ ଧାନ ଅମଳ ସରିଛି । ଆସନ୍ତା 6 ତାରିଖରୁ ଧାନ ସଂଗ୍ରହ ଏବଂ 7 ତାରିଖରୁ ମୁଗ, ବିରି ପରି ରବି ଫସଲ ସଂଗ୍ରହ କରାଯିବ । ଖରିଫ୍‌ ଋତୁରେ ଅଣ ଧାନଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । କୃଷିକ୍ଷେତ୍ର ନିମନ୍ତେ ଶ୍ରମିକ ସମସ୍ୟା ନଥିବା ନେଇ ସୂଚନା ଦିଆଯାଇଥିବା ବେଳେ ଏମ୍‌ଜିନରେଗାରେ ପ୍ରାୟ 1 ଲକ୍ଷ ଚାଷ ପୋଖରୀ ଖୋଳାଯିବ ବୋଲି ଜଣାପଡିଛି ।

ସେହିପରି ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଏବଂ ଅଣୁ ଶିଳ୍ପର ପୁନରୁତ୍ଥାନ ପାଇଁ ସରକାର ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ବ୍ୟାଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏହା ସହିତ ଜାପାନ କୋରିଆ ଏବଂ ଆମେରିକାରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିବ ସେ ସମ୍ପର୍କରେ ଆଲୋଚନା କରାଯାଉଥିବା ଜଣାପଡିଛି ।

ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ହିଂସା ରୋକିବା ପାଇଁ ପୋଲିସସ 5649 ଜଣଙ୍କ ସହିତ ଯୋଗାଯୋଗ କରିଥିଲା । ତନ୍ମଧ୍ୟରୁ ମାତ୍ର 1 ପ୍ରତିଶତ ଅଭିଯୋଗ ଆସିଥିବା ବେଳେ ତା ଉପରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ 6500 ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ 47 ହଜାର ଗାଡି ଜବତ କରି ଫେରାଇ ଦିଆଯାଇଛି । ଅନ୍ୟାନ୍ୟ ବିଷୟ ଗୁଡିକ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ଅଢେଇ ଲକ୍ଷ ପରିବାରର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related posts