ଲୋକସଭା ନିର୍ବାଚନ: ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ସମ୍ବିତ ପାତ୍ର, ସାମିଲ ହେବା ଲାଗି ଜନତାଙ୍କୁ କଲେ ନିବେଦନ

Published: Apr 28, 2024, 8:46 pm IST

ପୁରୀ: ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ମଇଦାନରେ ଅଛନ୍ତି। ଅସହ୍ୟ ତାତିକୁ ଖାତିର ନକରି ସମସ୍ତ ଦଳର ନେତାମାନେ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲୋକସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଆଉ ୫ ଟି ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ବାକି ରହିଛି।

ତେବେ ଓଡିଶାରେ ମଧ୍ୟ ବାକି ଥିବା ୫ ଟି ପର୍ଯ୍ୟାୟ ମଧ୍ୟରୁ ୪ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବା। ପୁରୀ ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ମତଦାନ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏହି ପ୍ରରିପେକ୍ଷୀରେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଡାଃ ସମ୍ବିତ ପାତ୍ର ନାମାଙ୍କନ ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେ ଆସନ୍ତାକାଲି ଅର୍ଥାତ ୨୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଘୋଷଣା କରିଛନ୍ତି। ତେଣୁ ସେ ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ସମ୍ବିତ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲ ପାଇବା ନେଇ ମୁଁ ଏପ୍ରିଲ ମାସ ୨୯ ତାରିଖ ସୋମବାର ଦିନ ପୁରୀ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ମୋର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଅଛି। ତେଣୁ ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି ଯେ, ଆପଣ ସମସ୍ତେ ଆସି ମୋ ନାମାଙ୍କନ ଶୋଭାଯାତ୍ରାରେ ଭାଗନେଇ ମୋତେ ସହଯୋଗ କରିବେ, ଏହା ମୋର ହାତ ମୁଠାକୁ ଟାଣ କରିବ।

ପ୍ରକାଶ ଯୋଗ୍ୟ ଯେ, ନାମାଙ୍କନ ଦାଖଲ ପାଇଁ ଡାଃ ସମ୍ବିତ ପାତ୍ରଙ୍କ ବାଇକ୍ ରାଲି ସକାଳ ୯ ଘଟିକା ସମୟରୁ ଆରମ୍ଭ ହେବ। ଏହା ପିପିଲି ବିଧାନସଭାର ଉତ୍ତରା ଛକରୁ ବାହାରି ଗୁଣ୍ଡିଚା ମନ୍ଦିର ରାସ୍ତା ଦେଇ ପୁରୀ କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯିବ।

Related posts