ବ୍ରହ୍ମପୁରରେ ଜେପି ନଡ୍ଡାଙ୍କ ସହିତ ପ୍ରଦୀପ ପାଣିଗ୍ରାହୀ ଏକାଠି ବସିବାକୁ ନେଇ ବିଜେଡି କଣ କହିଲା ଜାଣନ୍ତି ?

Published: Apr 28, 2024, 10:43 pm IST

ଭୁବନେଶ୍ବର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ. ପି. ନଡ୍ଡା ଓ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଟିଏ ମଞ୍ଚରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ପ୍ରଦୀପ ପାଣିଗ୍ରାହୀ ଚାର୍ଜସିଟ୍ ହୋଇଥିବା ଜଣେ ଅପରାଧୀ ଯିଏ କି ଚାକିରି ପାଇଁ ଟଙ୍କା ଆଦାୟ କରି ଲୋକଙ୍କୁ ଠକିଛନ୍ତି। ସେ ଅନେକ ମାସ ଧରି ଜେଲରେ ଥିଲେ। କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଥିବା କହିଛନ୍ତି ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ରଖି ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ମୁଁ ୨୩ ବର୍ଷ ଧରି ବିଜେପିରେ ଥିଲି। ମୁଁ ବିଜେପିରେ ଯୋଗ ଦେଇଥିଲି କାରଣ ମୁଁ ଭାବିଥିଲି ଯେ ଏହା ଏକ ଭିନ୍ନତା ଥିବା ଦଳ। ଚାକିରି ପାଇଁ ଟଙ୍କା ନେଇଥିବା ଠକେଇ ସମେତ ଦୁର୍ନୀତି ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆମେ ସମସ୍ତେ ଆନ୍ଦୋଳନ କରିଥିଲୁ । ମୁଁ ୨୩ ବର୍ଷ ଧରି ଦଳ ପାଇଁ ମୋର ରକ୍ତ ଏବଂ ଶ୍ରମ ଦେଇଥିଲି।

ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଜଣେ ଅପରାଧୀଙ୍କୁ ଦଳ ଖୋଲା ହୃଦୟରେ ସ୍ୱାଗତ କରିବା ପରେ ମୁଁ ଆଶ୍ଚର୍ଯ୍ୟ ଓ ନିରାଶ ହୋଇଯାଇଥିଲି, ଯାହାଙ୍କ ବିରୋଧରେ ଆମେ ନିୟମିତ ଆନ୍ଦୋଳନ କରୁଥିଲୁ।ଏହା ଓଡ଼ିଶାର ବିଜେପି କର୍ମୀଙ୍କୁ ଚକିତ କରିବା ସହ ସେମାନଙ୍କୁ ନିରାଶ ମଧ୍ୟ କରିଛି।ଏବେ ଆପଣ କେମିତି କହିପାରିବେ ଯେ ବିଜେପି ଏକ ଭିନ୍ନତା ଥିବା ଦଳ।

ଓଡିଆ ଅସ୍ମିତା କଥା କହିବାକୁ ଗଲେ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବଙ୍କ ଭଳି ଚାର୍ଜସିଟ୍‍ ହୋଇଥିବା ଅପରାଧୀଙ୍କୁ ବିଜେଡି ଦଳରୁ ବାହାର କରି ଦେଇଥିବା ବେଳେ ବିଜେପି ସେମାନଙ୍କୁ ଖୋଲାଖୋଲି କୋଳେଇ ନେଇଛି। ଏହା କ’ଣ ଓଡିଆ ଅସ୍ମିତାର ପ୍ରତୀକ କି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି।

ଏମାନେ କ’ଣ ବିଜେପିର ଓଡ଼ିଆ ଅସ୍ମିତାର ପୋଷ୍ଟର ବଏ ଯାହା ଦଳ ଓଡ଼ିଶାବାସୀଙ୍କୁ ଦେଖାଉଛି ? ବ୍ରହ୍ମପୁର ଓ ଓଡ଼ିଶାବାସୀ ହସୁଛନ୍ତି ଏବଂ ଓଡ଼ିଶା ବିଜେପି କର୍ମକର୍ତ୍ତାମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯେଉଁ ଦଳ ପାଇଁ ମୁଁ ମୋ ଜୀବନର ୨୩ ବର୍ଷ ଦେଇଥିଲି, ବିଜେପିର ଏଭଳି କପଟତା ଦେଖି ମୁଁ ଦୁଃଖିତ ଓ ନିରାଶ ହୋଇଥିଲି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

Related posts