ଆକାଶମାର୍ଗରୁ ବାତ୍ୟା ପ୍ରପୀଡିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ: ତିନି ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ରିପୋର୍ଟ

Published: May 21, 2020, 7:55 pm IST

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଏପରି ଘଡିସନ୍ଧି ମୂହୂର୍ତ୍ତରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ପ୍ରତି ସହାୟତାର ହାତ ବଢାଇବା ସହିତ ମୁଖ୍ୟ ଶାସନ ସଚିବଙ୍କୁ ମମତାଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏହା ସହିତ ମମତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଭାବିତ ଜିଲ୍ଲାକୁ ଆକାଶ ମାର୍ଗରେ ଗସ୍ତ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି। ବିଭିନ୍ନ କ୍ଷତିଗ୍ରସ୍ତ ସଡକ ପଥ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଗୁଡିକର ନିର୍ମାଣ ତ୍ବରିତ ଭାବରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେସୁ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏବଂ ନେସ୍କୋ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ 72 ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ପୁନର୍ସ୍ଥାପିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫସଲ କ୍ଷୟକ୍ଷତିର ରିପୋର୍ଟ ତିନିଦିନ ମଧ୍ୟରେ ଏବଂ ଏକ ସପ୍ତାହ ମଧ୍ୟରେ ଘରଭଙ୍ଗା ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ପାନ ପ୍ରଭାବରେ ରାଜ୍ୟର 89ଟି ବ୍ଲକ୍‌ର 44 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

Related posts