ଭୁବନେଶ୍ୱର: ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ଆତ୍ମାକୁ ପରମାତ୍ମା ସହ ସଂଯୁକ୍ତ କରିବାର ଏକ ମହାନ ଆଧ୍ୟାତ୍ମିକ ପ୍ରକ୍ରିୟା । ଭାରତୀୟ ବୈଦିକ ପରମ୍ପରାରେ ଯୋଗର ମହତ୍ତ୍ୱ ଅନେକ। ଏହାର ବିଶ୍ୱବ୍ୟାପୀ ପ୍ରାସଙ୍ଗିକତା ଢେର ରହିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ଯୋଗକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂତନ ପରିଚୟ ମିଳିଛି। ଓଡ଼ିଶାର ଗ୍ରାମେ ଗ୍ରାମେ ଯୋଗର ପ୍ରଚାର ଓ ପ୍ରସାର କରିବା ଦିଗରେ ଯୋଗ ମହୋତ୍ସବ ସମିତିର ଅବଦାନଅତୁଳତୀୟ। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଯୋଗ ମହୋତ୍ସବ ସମିତିର ବାର୍ଷିକୋତ୍ସବରେ ଏହା କହିଛନ୍ତି ଡଃ ସୁଧାଂଶୁ ତ୍ରିବେଦୀ। ଡ. ତ୍ରିବେଦୀ କହିଛନ୍ତି, ଯମ, ନିୟମ ସମେତ ଅଷ୍ଟାଙ୍ଗ ଯୋଗର ବିଭିନ୍ନ ଦିଗ ଓ ଯୋଗର ଶେଷ ଅବସ୍ଥା ସମାଧିର ମହତ୍ତ୍ୱ ରହିଛି। ସେହିପରି ରୋଗ ପ୍ରତିରୋଧ, ଶାରୀରିକ ସୁସ୍ଥତା ଓ ମାନସିକ ସନ୍ତୁଳନ ରକ୍ଷା କରିବାରେ ଯୋଗର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟଗତ ଉପଯୋଗିତା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ସଂସ୍କୃତି, ଜନଜାତି ପରମ୍ପରା ଓ ସନାତନ ଚିନ୍ତନର ଅନ୍ତର୍ନିହିତ ସମ୍ପର୍କ ଉପରେ ଆଲୋକପାତ କରି ସେ ଜନଜାତି ସଂସ୍କୃତି ଭାରତୀୟ ସାଂସ୍କୃତିକ ଚେତନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମତ ପ୍ରକାଶ କରିଥିଲେ। ଏଥିସହ ଜି-୨୦ ସମ୍ମିଳନୀ ସମୟରେ କୋଣାର୍କ ସୂର୍ଯ୍ୟମନ୍ଦିରର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ଉଲ୍ଲେଖ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ମହୋତ୍ସବ ସମିତି ଦ୍ୱାରା ଓଡ଼ିଶାରେ ଯୋଗର ପ୍ରଚାର ପ୍ରସାର ଦିଗରେ ଯେଉଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ସେଥିପାଇଁ ଧନ୍ୟବାଦ୍ ଜଣାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ବିଶାଳ ଯୋଗ ଦିବସ ପାଳନ କରି ଓଡ଼ିଶାରେ ଏକ ରେକର୍ଡ଼ ସୃଷ୍ଟି କରିଛି ବୋଲି ପ୍ରକାଶ କରିଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଯୋଗର ଅବଦାନ ସମ୍ପର୍କରେ ପରିପ୍ରକାଶର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗ ପାଠ୍ୟକ୍ରମର ଆରମ୍ଭ ପାଇଁ ପ୍ରୟାସ କରି ବୁଝାମଣା ପତ୍ର ସ୍ୱାକ୍ଷର କରିଥିବାରୁ ଯୋଗ ମହୋତ୍ସବ ସମିତିକୁ ପୁନଃ ଧନ୍ୟବାଦ୍ ଜଣାଇଛନ୍ତି। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଉପସ୍ଥିତ ଥିଲେ। ଉକ୍ତ ବାର୍ଷିକ ଉତ୍ସବରେ ସମିତିର ୩୬ଟି ସାଂଗଠନିକ ଜିଲ୍ଲାରୁ ୬୦୦ରୁ ଊର୍ଦ୍ଧ୍ୱ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗଦେଇ ସାମୂହିକ ଯୋଗାସନ ପ୍ରଦର୍ଶନ କରିଥିଲେ।


