Categories
ଆଜିର ଖବର ଜାତୀୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୂବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କ୍ୟାମ୍ପସ, ପରିବେଶ ଓ ଶିକ୍ଷାଦାନ ପରମ୍ପରା ଦୃଷ୍ଟିରୁ ଏହା ଦେଶର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟର ଯାତ୍ରାରେ ଯୋଗଦାନ ଦେଇଥିବା ସମସ୍ତ ଦିବଙ୍ଗତଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ହେବା ତାଙ୍କର ସୌଭାଗ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ୱୀକୃତିପ୍ରାପ୍ତ କଲେଜରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ସେ ଏହା ଜାଣି ଖୁସି ହୋଇଥିଲେ ଯେ ଏହି ଛାତ୍ରମାନଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରତିଶତ ଅଧିକ। ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ଯେ ସେମାନେ ଭେଟୁଥିବା ସମସ୍ତଙ୍କ ମଧ୍ୟରେ ମାନବିକ ଗୁଣ, ଯେପରିକି ବିନମ୍ରତା ଏବଂ ନମ୍ରତା, ପ୍ରେମ ଏବଂ କରୁଣା ସୃଷ୍ଟି କରନ୍ତୁ। ସେ କହିଛନ୍ତି ଯେ ସେମାନେ ମନେ ରଖିବା ଉଚିତ ଯେ ମାନବ ସମାଜର ଅସ୍ତିତ୍ୱ ପାଇଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଜରୁରୀ। ସେମାନଙ୍କ ଦୟା କେବଳ ମନୁଷ୍ୟଙ୍କ ପାଇଁ ନୁହେଁ, ବରଂ ଆମ ପୃଥିବୀର ସମସ୍ତ ଜୀବିତ ଏବଂ ପରଲୋକଗତ ପ୍ରାଣୀଙ୍କ ପାଇଁ ମଧ୍ୟ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କ ଶିକ୍ଷକମାନେ ପ୍ରାୟତଃ ମାଆ, ମାତୃଭୂମି ଏବଂ ମାତୃଭାଷାକୁ ଭଲ ପାଇବା ଶିଖାଉଥିଲେ। ମାତୃଭାଷାରେ ଶିକ୍ଷା ଆମକୁ ଆମ ସଂସ୍କୃତି ସହ ଯୋଡ଼ିଥାଏ ବୋଲି ସେ କହିଥିଲେ। ସେ କହିଥିଲେ ଯେ ଆମକୁ ଏକ ଅତି ସମୃଦ୍ଧ ସଂସ୍କୃତି ମିଳିଛି ଏବଂ ଆମକୁ ଏହାର ସଂରକ୍ଷଣ କରିବାକୁ ପଡିବ। ଭାରତୀୟ ଜ୍ଞାନ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଆମେ ଆମର ମୂଳକୁ ଚିହ୍ନିବା ଉଚିତ୍।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମିଶ୍ରଙ୍କୁ ଡି. ଲିଟ୍‌ ଉପାଧିରେ ସମ୍ମାନିତ କରିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।

୧୯୭୨ ବ୍ୟାଚ୍‌  ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଡକ୍ଟର ମିଶ୍ରଙ୍କର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟର ପ୍ରଶାସନିକ ଅଭିଜ୍ଞତା ରହିଛି। ସେ ଗୁଜରାଟ ସରକାର ଏବଂ ଭାରତ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଡକ୍ଟର ମିଶ୍ରଙ୍କର ପ୍ରଶାସନିକ ସେବା ବ୍ୟତୀତ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ବିଶେଷ ଖ୍ୟାତି ରହିଛି।

ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ଡକ୍ଟର ପି.କେ ମିଶ୍ର ଆସନ୍ତକାଲି କିଟ୍‌ ଓ କିସ୍‌ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ସାମ୍ବୋଧିତ କରିବେ। ସେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଆଇଏମଟି ପରୀକ୍ଷାଗାର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଗସ୍ତ କରି ଶ୍ରୀମନ୍ଦିର ବିକାଶ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। “ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଭାରତର ବିପଦରେ ଥିବା ଆଦିବାସୀ ଭାଷା ଏବଂ ସେମାନଙ୍କୁ ସଂରକ୍ଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।

ଡକ୍ଟର ସାନ୍ତନୁ କୁମାର ଦାସଙ୍କ ସ୍ୱାଗତ ସହିତ କର୍ମଶାଳା ଆରମ୍ଭ ହୋଇଥିଲା। ଡ. ଦାସ ବକ୍ତାମାନଙ୍କୁ ପରିଚିତ କରାଇ ଆଦିବାସୀ ଭାଷା ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ବକ୍ତାମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ, କୁଳସଚିବ ଡ.ଅଭୟ କୁମାର ନାୟକ, ନୃତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ କାହ୍ନୁ ଚରଣ ଶତପଥୀ ଯୋଗଦେଇଥିଲେ।

ସେହିପରି ଅଧ୍ୟକ୍ଷ ଡ. ପରମାନନ୍ଦ ପଟେଲ, ଏସ ଟି ଆଇ ଆର୍ ର ନିର୍ଦ୍ଦେଶକ ଡ.ସାନ୍ତନୁ କୁମାର ଦାସ, ଅନ୍ୟତମ ଏସ ଟି ଆଇ ଆର୍ର ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ଜେନା, ଓ ଅନ୍ୟାନ୍ୟ ପ୍ରଫେସର୍ ଡ. ରିନା ରାଉତ ପ୍ରମୁଖ ଯୋଗଦେଇଥିଲେ। ପ୍ରତ୍ୟେକ ବକ୍ତା ଏହି ବିଷୟ ଉପରେ ସେମାନଙ୍କର ମୂଲ୍ୟବାନ ଜ୍ଞାନ ବାଣ୍ଟିଥିଲେ ଏବଂ ଉପସ୍ଥିତ ସମସ୍ତଙ୍କୁ ଆଦିବାସୀ ଭାଷା ସଂରକ୍ଷଣରେ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ।

ବୈଷୟିକ ଅଧିବେଶନ ମଧ୍ୟରେ ଆଦିବାସୀ ଭାଷା ସଂରକ୍ଷଣର ମହତ୍ଵ ବିଷୟରେ ଅଧିକ ଗଭୀର ସୂଚନା ପ୍ରଦାନ କରାଗଲା। ପ୍ରଫେସର ଆଚାର୍ଯ୍ୟ, ଏକ ଭାଷା ହଜିଗଲେ ସାଂସ୍କୃତିକ ପରିଚୟ ହରାଇବାକୁ ପଡ଼ିଥାଏ ବୋଲି ଆଲୋକପାତ କରି, ଆଦିବାସୀ ଭାଷା ସଂରକ୍ଷଣ ପାଇଁ ସରକାର ଏବଂ ଅନ୍ୟାନ୍ୟ ସଂଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ଏବଂ ଏହି ଭଳି ପଦକ୍ଷେପ ପ୍ରସଂଶନିୟ ବୋଲି ସମ୍ବୋଧନ ଏସ ଟି ଆଇ ଆର ର ନିର୍ଦ୍ଧେଶକ ଓ କର୍ମକର୍ତା ମାନଙ୍କୁ ଜଣାଇଥିଲେ।

ଅନ୍ୟତମ ଏସ ଟି ଆଇ ଆର୍ ର ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ଜେନାଙ୍କ ଉପସ୍ଥିତି ରେ ଡ. ସୁଶ୍ରୀ ସଂଗୀତା ମହାନ୍ତିଙ୍କ ବିଷୟବସ୍ତୁ ସହିତ ଥିମେଟିକ୍ ପରିଚୟ ସହିତ ଅଧିବେଶନ ଆରମ୍ଭ ହୋଇଥିଲା ଯେଉଁଥିରେ ଭିଡିଓ ଏବଂ ଚିତ୍ତାକର୍ଷକ ସ୍ଲାଇଡ୍ ଅନ୍ତର୍ଭୂକ୍ତ କରାଯାଇଥିଲା ଏବଂ ପରେ ଡ. ପରମାନନ୍ଦ ପଟେଲଙ୍କ ବୈଷୟିକ ବିଚାର ବିମର୍ଶ ହୋଇଥିଲା।

ବକ୍ତାମାନେ ସଂସ୍କୃତିର ସଂରକ୍ଷଣରେ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଷୟିକ ଅଧିବେଶନ ପରେ ପ୍ରଶ୍ନ-ଉତ୍ତର ରାଉଣ୍ଡ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଦର୍ଶକଙ୍କୁ ବକ୍ତାମାନଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଇଥିଲା। ବକ୍ତାମାନେ ଛାତ୍ର ଛାତ୍ରୀଙ୍କର ବିଭିନ୍ନ ଭୁଲ୍ ଧାରଣା ମାନଙ୍କୁ ସ୍ପଷ୍ଟ କରିଥିଲେ ଏବଂ ଧର୍ଯ୍ୟର ସହିତ ପ୍ରଶ୍ନର ଉତ୍ତର ଦେଇଥିଲେ।

ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଏବଂ ଅଧ୍ୟାପିକାମାନେ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରି କର୍ମଶାଳାକୁ ଏକ ବଡ଼ ସଫଳତା ଆଣିଦେଇଥିଲେ। ଆଦିବାସୀ ଭାଷାକୁ ସଂରକ୍ଷଣ କରିବା ଏବଂ ଭାରତରେ ଭାଷାର ଭେଦଭାବକୁ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ କର୍ମଶାଳା ଏକ ଉତ୍କୃଷ୍ଟ ପଦକ୍ଷେପ ଥିଲା। ଧନ୍ୟବାଦ ଅର୍ପଣ ସହିତ କର୍ମଶାଳା ସମାପ୍ତ ହେବାସହ, ଏହା ଉପସ୍ଥିତ ସମସ୍ତଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ଥିଲା।

କର୍ମଶାଳା ଆମ ମଧ୍ୟରେ ବିଦ୍ୟମାନ ଥିବା ପ୍ରତ୍ୟେକ ଭାଷାକୁ ସଂରକ୍ଷଣ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା ଓ ଆଦିବାସୀ ଭାଷାର ବିଲୁପ୍ତ ହେତୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଯେପରି ନଷ୍ଟ ନହୁଏ ସେଥିପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସଭା ଆରମ୍ଭରେ ଡ଼. ଅନୁଶୁୟା ନାଥ, ଗଣିତ ବିଭଗ ମୁଖ୍ୟ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ସଭା ଶେଷରେ, ଡ଼. ରୀନା ରାଉତରାୟ ମଞ୍ଚାସିନ ମାନ୍ୟବର ବ୍ୟକ୍ତିଗଣଙ୍କୁ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ନ୍ଧନା

ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୧୯୮୬ ବ୍ୟଚ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଶ୍ରୀ ଜେନା ନିଜର ନିଷ୍ଠା ଓ ସମର୍ପିତ ସେବା ଦ୍ୱାରା ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ପଦବୀ ଅଳଂକୃତ କରିଛନ୍ତି। ଏହା ୧୯୮୬ ବ୍ୟାଚ୍ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୈାରବ ଆଣିଛି।

ଏହି ବ୍ୟାଚ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପାଶ୍ କରିଥିବା ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଶାସନ, ଶିକ୍ଷା ଶିଳ୍ପ, ବୈଜ୍ଞାନିକ ଗବେଶଣା, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସାଧନା, ସମାଜ ସେବା, ଓ ରାଜନୀତି ଆଦି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଏହି ବନ୍ଧୁମାନେ ସାମୁହିକଭାବେ ଶ୍ରୀଯୁକ୍ତ ଜେନାଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାକୁ ୧-ନମ୍ବର ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ସାକାର ଦିଗରେ ତାଙ୍କର ଭୂମିକା ଉଦାହରଣ ସୃଷ୍ଟିକାରୀ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ଡଃ. ଉମାକାନ୍ତ ମହାପାତ୍ରଙ୍କ ଲିଖିତ ଦକ୍ଷିଣ ଏସିଆରେ ସ୍ବେଛାସେବୀ ଅନୁଷ୍ଠାନ ଓ ଗ୍ରାମ୍ୟ ଉନ୍ନୟନ ଶୀର୍ଷକ ପୁସ୍ତକର ଭାରତୀୟ ଉପମହାଦେଶ ସଂକଳନକୁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ମିଳିତ ଭବେ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଉନ୍ମୋଚନ କରିଥିଲେ। ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକ ବିଶ୍ୱ ସ୍ତରରେ ଆଗୁଆ ପ୍ରକାଶକ ସ୍ପ୍ରିଙ୍ଗର୍ ପବ୍ଲିଶରଙ୍କ ଦ୍ୱାରା ପ୍ରକାଶିତ ହୋଇଛି।

ଏହାର ପ୍ରଥମ ସଂକଳନ ଦାମ ପ୍ରାୟ ୭୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ନିମନ୍ତେ ଏହି ସୁଲଭ ମୂଲ୍ୟ ସଂକଳନ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହିର ମୁଖ୍ୟାଶଂ ନିଶୁଳ୍କ ଭାବେ ଗୁଗଲ୍ ବୁକ୍ସରେ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତିମାନେ books.google.co.in ରେ ବହି ଏବଂ ଲେଖକର ନାମ ଲେଖି ଏହି ପୁସ୍ତକରୁ ୩୭ ପୃଷ୍ଠାର ମୁଖ୍ୟାଂଶ ପାଇ ପାଇପାରିବେ। ଓଡ଼ିଶାର ପ୍ରତିଷ୍ଠିତ ସ୍ବେଛାସେବୀ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟନିଳୟ ମାଧ୍ୟମରେ ଏହି ସୁଲଭ ମୂଲ୍ୟର ପୁସ୍ତକ ମିଳୁଛି । ଛାତ୍ରଛାତ୍ରୀମାନେ ୮୨୪୯୩୭୫୬୭୬ ବା ୯୪୩୭୩୩୩୯୪୫ ନମ୍ବର ସହ ଯୋଗାଯୋଗ କରି ଏହି ବହି ପାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ବରିଷ୍ଠ ସ୍ବେଚ୍ଛାସେବୀ ମୋନାଲିସା ରାଉତଙ୍କୁ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନ ଜନକ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋନାଲିସାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରକାଶ ଥାଉକି ମୋନାଲିସା ରାଉତ ବିଗତ ତିନି ବର୍ଷ ଧରି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଭିନ୍ନ ଜାତୀୟ, ରାଜ୍ୟସ୍ତରୀୟ ଓ ମହାବିଦ୍ୟାଳୟ ସ୍ତରୀୟ ସ୍ବତନ୍ତ୍ର ଶିବିର ସମେତ ଦିନିକିଆ ଶିବିରରେ ନିୟମିତ ଯୋଗଦାନ କରି ସ୍ୱଚ୍ଛ ଭାରତ ଅଭିଯାନ, ବିଦେଶାଗତ ପକ୍ଷୀ ସୁରକ୍ଷା- ଚିଲିକା ରକ୍ଷା, ବନ୍ୟପ୍ରାଣୀ ସଚେତନତା, କରୋନା ସଚେତନତା, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଯୁବ ନେତୃତ୍ବ, ନାରୀ ସଶକ୍ତିକରଣ, ସାକ୍ଷରତା ଆଦି ବିବିଧ ସମାଜସେବା କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହି ରାଷ୍ଟ୍ର ନିର୍ମାଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ୍ ଓ ବାଗ୍ମୀ ଡକ୍ଟର ରଜତ କର ଅତିଥି ଭାବରେ ଯୋଗଦେଇ ମୋନାଲିସା ରାଉତଙ୍କୁ ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ମହିଳା ସ୍ବେଛାସେବୀ ଭାବେ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରିଥିଲେ।

ମୋନାଲିସା ରାଉତଙ୍କ ଏହି ପୁରସ୍କାର ଲାଭ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପକ ବାଳକୃଷ୍ଣ ପାଢ଼ୀ, ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସହ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ ଲାଗି ଉଦ୍ୟମ ଜାରି

ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ସଂସ୍କୃତ ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଅଗ୍ନିକାଣ୍ଡ ଯୋଗୁଁ ବିଶ୍ୱବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବ ପତ୍ର ଜଳି ଯାଇଥିବା ଶୁଣିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ଅଗ୍ନିଶମ ବାହିନୀକୁ ପକ୍ଷରୁ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଡ଼କ୍ଟର ଉପାଧିରେ ସମ୍ମାନିତ ହେଲେ ଚାନ୍ଦବାଲି ବିଧାୟକ ଡ଼.ବ୍ୟମୋକେଶ ରାୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଳୁଛି ୫୦ ତମ ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଆଜି ପ୍ରଥମ ଦିନରେ ପାଳିତ ହୋଇଛି ଉପାଧି ବିତରଣ ଉତ୍ସବ। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ପ୍ରଫେସର ସୁଧାକର ପଣ୍ଡା (ଏନ.ଆଇ.ଏସ.ଇ.ଆର ଅଧ୍ୟକ୍ଷ), ଅଭୟ କୁମାର ନାୟକ (ରେଜିଷ୍ଟାର,ଉତ୍କଳ ବିଶ୍ୱବିଦ୍ୟାଳୟ), ସରତ କୁମାର ମାଝି (ପରୀକ୍ଷା ନିୟନ୍ତ୍ରକ,ଉତ୍କଳ ବିଶ୍ୱବିଦ୍ୟାଳୟ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପରୀକ୍ଷାରେ ଉତ୍ତମ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ୨୦୧୭-୨୦୧୯ ବର୍ଷର ପ୍ରତିଟି ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ ଉପାଧି ପ୍ରଦାନ କରାଯାଇଥିଲା।

ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼.ବ୍ୟମୋକେଶ ରାୟଙ୍କୁ ରାଜନୀତି ବିଜ୍ଞାନ ବିଷୟରେ ଡ଼କ୍ଟର ଅଫ ଫିଲୋସୋଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା।

ଶେଷରେ ଏହି ସମ୍ମାନରେ ସମ୍ମାନିତ ହୋଇ ଖୁସି ହେବା ସହ ଉତ୍କଳ ବିଶ୍ୱବିଦ୍ୟାଳୟର ଅବଦାନ ଓ ଗାରିମା ବିଷୟରେ ମତବ୍ୟକ୍ତ କରିଥିଲେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ।