Categories
ବିଶେଷ ଖବର

ବିଜୁ ଜନତା ଦଳ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ କାର୍ଯ୍ୟ କରି ଚାଲିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ୨୬ ବର୍ଷ ଧରି ସେହି ଦଳ ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଏବଂ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି। ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଆଜି ଏହା ଦେଶର ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରଶଂସନୀୟ ପରିଚିତି ହାସଲ କରିଛି ଏବଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏକ ଛୋଟ ଚାରାଗଛରୁ ମହାଦ୍ରୁମରେ ପରିଣତ ହୋଇଥିବା ବିଜେଡି ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ ନିଷ୍ଠାପର ଭାବେ କାମ କରିଚାଲିବ।

ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜ୍ୟବାସୀଙ୍କୁ ଏଭଳି ବିଶ୍ବାସ ଓ ଭରସା ଦେଇଛନ୍ତି ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କ ସହିତ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ରାଜ୍ୟର ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପଳିତ ହୋଇଥିଲା। ଦଳର ଲକ୍ଷଲକ୍ଷ କର୍ମୀ ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେମାନେ ଓଡ଼ିଶାବାସୀଙ୍କ ସେବା ଏବଂ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସଂକଳ୍ପ ନେବା ସହ ଏକ ସଶକ୍ତ, ସମୃଦ୍ଧ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବେ ବୋଲି ଶପଥ ପାଠ କରିଥିଲେ।

ସକାଳ ୭ଟାବେଳେ ଶଙ୍ଖ ଭବନରେ ବିଜୁ ଜନତା ଦଳର ପତାକା ଉତ୍ତୋଳନ କରାଯିବା ସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସକାଳ ୮ଟାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବିଶାଳ ସାଇକଲ ରାଲି କଟକର ଆନନ୍ଦ ଭବନରୁ ବାହାରି ଦିନ ପ୍ରାୟ ସାଢ଼େ ୯ଟାବେଳେ ବିମାନବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା।

ଏହି ସାଇକଲ ଶୋଭାଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଯୁବ ବିଜେଡି ଉପଦେଷ୍ଟା ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ସମସ୍ତେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶଙ୍ଖଭବନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ: ପ୍ରତିଷ୍ଠା ଦିବସ ପାଳିଲା ରଣପୁର ବିଜେଡି

ରଣପୁର: ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ ୨୭ତମ ପ୍ରତିଷ୍ଠା ଦିବସ ପାଳିଥିଲା। ଏହି ଅବସରରେ ରଣପୁର ବିଜୁ ଜନତା ଦଳ ମଧ୍ୟ ଧୁମ ଧାମ ସହ ପ୍ରତିଷ୍ଠା ଦିବସ ପାଳନ କରିଥିଲା।

୧୯୯୭ରେ ଜନ୍ମ ନେଇଥିବା ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ୨୬ଟି ବର୍ଷ ପାଳନ କରି ସାରିଥିବା ବେଳେ ମଙ୍ଗଳବାର ଦିନ ୨୭ ବର୍ଷରେ ପାଦ ଥାପି ପ୍ରତିଷ୍ଠା ଦିବସ ପାଳନ କରିଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ଆରମ୍ଭ କରିଛି ୨୦୨୪ ନିର୍ବାଚନ ଯାତ୍ରା। ତୃଣମୂଳ ଲୋକଙ୍କ ପାଖରେ ପହଂଚି ଘରେ ଘରେ ବିଜେଡି କର୍ମୀ ପହଞ୍ଚାଇବେ ନବୀନଙ୍କ ବିକାଶ ବାର୍ତ୍ତା। ଜାନୁଆରୀ ୨୩ ରୁ ମାର୍ଚ୍ଚ ୫ ତାରିଖ ଯାଏଁ ପ୍ରତି ଘରକୁ ଯିବେ ବିଜେଡି କର୍ମୀ। ଜନ ସମ୍ପର୍କ ଯୋଡ଼ିବେ, ଦଳର ପ୍ରଚାର କରିବେ।

ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଗଣଦୌଡ଼, ନଗର ପରିକ୍ରମା ସହ ବିଶାଳ ସଭା ଆୟୋଜିତ ହୋଇଥିଲା। ପ୍ରଥମେ ରଣପୁର ପଞ୍ଚୁଦୋଳ ପଡିଆରେ ଥିବା ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ମଣିନାଗ ପର୍ଯ୍ୟନ୍ତ ଏକ ପଦଯାତ୍ରା କରା ଯାଇଥିଲା। ଏହା ପରେ ମଣିନାଗ ପୀଠ ଠାରେ ଏକ ବିଶାଳ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ପ୍ରାୟ ୫ ହଜାର ଲୋକ ଯୋଗ ଦେଇଥିଲେ।

ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏବଂ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅଭିଭାଷଣ ଦେଇ କର୍ମୀମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ମନ୍ତ୍ର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, କିଶୋର ପଟ୍ଟନାୟକ, ନାରାୟଣ ମହାପାତ୍ର, ବିଜୟକେତନ ସାହୁ, ରଞ୍ଜନ ଦାଶ, ଲିଟୁ ସ୍ୱାଇଁ, ଦିନେଶ ପରିଡା, କମଳାକ୍ଷୀ ଦେଵିଦର୍ଶିନୀଙ୍କ ସହ ସମସ୍ତ ବିଜେଡି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ବିଶେଷ ଖବର

ଏବିଭିପିର ବିଜେପିର ତିନି ନୂଆ ମୁଖ୍ୟମନ୍ତ୍ରୀ, ଆଶ୍ଚର୍ଯ୍ୟ କରିଦେବ ଆରଏସଏସର ବଡ଼ ନେତାଙ୍କ ତାଲିକା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଘୋଷଣା ହେବାର କିଛିଦିନ ପୂର୍ବରୁ ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରତିଷ୍ଠା ଦିବସର ୭୫ତମ ବାର୍ଷିକୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ ଆସିଥିଲେ। ଏବିଭିପିରେ ବିଜେପି ଓ ଆରଏସଏସ ନେତାଙ୍କ ଦୃଢ଼ ଭିତ୍ତିଭୂମି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି କଂଗ୍ରେସ ଶାସିତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଛାତ୍ର ଶାଖା ଏବିଭିପି ସହିତ ଛାତ୍ର ରାଜନୀତିରେ ଦିନ କାଟିଛନ୍ତି।

ଏବିଭିପିରୁ କେନ୍ଦ୍ରମନ୍ତ୍ରୀ

ବିଜେପିର ପ୍ରମୁଖ ପଦବୀରେ ଥିବା ଏବିଭିପି ଛାତ୍ର କର୍ମୀଙ୍କ ତାଲିକାରେ ରାଜନାଥ ସିଂହ, ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଜି କିଶନ ରେଡ୍ଡୀ, ଗଜେନ୍ଦ୍ର ଶେଖାୱତ, କିରଣ ରିଜିଜୁ, ଭି ମୁରଲୀଧରନଙ୍କ ସମେତ ପ୍ରାୟ ଏକ ଡଜନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ସେହିଭଳି ସୁନୀଲ ବଂଶଲ (ପୂର୍ଣ୍ଣକାଳୀନ ଆରଏସଏସ ପ୍ରଚାରକ), ବିଜେପି ସଂଗଠନର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା ଓ ଓପି ଧନକର ଏବିଭିପିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ଏବିଭିପି ପୃଷ୍ଠଭୂମିର ମୁଖ୍ୟମନ୍ତ୍ରୀଙ୍କ ତାଲିକା ମଧ୍ୟ ଛୋଟ ନୁହେଁ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ପୁଷ୍କର ଧାମୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡନାଭିସ ଏବଂ ନିକଟରେ ନିଯୁକ୍ତ ହୋଇଥିବା ତିନିଜଣ ମୁଖ୍ୟମନ୍ତ୍ରୀ- ରାଜସ୍ଥାନରେ ଭଜନ ଲାଲ ଶର୍ମା, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ଛତିଶଗଡ଼ରେ ବିଷ୍ଣୁ ଦେଓ ସାଇଙ୍କ ସମେତ ରାଜ୍ୟ ମୁଖ୍ୟ, ସମସ୍ତେ ଏବିଭିପିରୁ ସେମାନଙ୍କର ରାଜନୈତିକ ଆରମ୍ଭ କରିଛନ୍ତି। ଶିବରାଜ ସିଂହ ଚୌହାନ, ଜୟରାମ ଠାକୁର, ବିଜୟ ରୁପାନି, ତୀରଥ ସିଂ ରାୱତ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ସମେତ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏବିଭିପିରୁ ରାଜନୀତିକୁ ଆସିଛନ୍ତି। ଏବିଭିପି କର୍ମୀଙ୍କ ଉତ୍‍ଥାନ ସଂଘ ଭିତରେ ମଧ୍ୟ ଦେଖିବାକୁ ମିଳୁଛି। ଆରଏସଏସର ଏକ ବଡ଼ ଚେହେରା ହେବା ପୂର୍ବରୁ ଏହାର କାର୍ଯ୍ୟନିର୍ବାହୀ ମୁଖ୍ୟ ଦତ୍ତାତ୍ରେୟ ହୋସବଲେ ଛାତ୍ର ସଂଗଠନ ଏବିଭିପିରେ ୩୦ ବର୍ଷ ବିତାଇଥିଲେ।

ଆରଏସଏସ ଏବଂ ସହଯୋଗୀ ସଂଗଠନ ଉପରେ ମଧ୍ୟ ଏବିଭିପିର ଆଧିପତ୍ୟ ରହିଛି
ସଂଘର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ଆରଏସଏସର ସହ-ପ୍ରଭାରୀ ରମେଶ ଆପ୍ପା ଜୀ ଏବଂ ବିଭିନ୍ନ ୟୁନିଟର କର୍ମକର୍ତ୍ତାମାନେ ମଧ୍ୟ ଏବିଭିପିରୁ ନିଜର ସାର୍ବଜନୀନ ଜୀବନ ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, ନଡ୍ଡା, ପ୍ରଧାନ, ତାୱଡେ, ରୂପାନୀ, ଜୟରାମଙ୍କ ସମେତ ଅନେକ ବିଜେପି ନେତାଙ୍କ ପତ୍ନୀ ମଧ୍ୟ ଏବିଭିପିର। ଆଶ୍ଚର୍ଯ୍ୟର କଥା ହେଉଛି, ଏବିଭିପିରେ ନିୟୋଜିତ ବରିଷ୍ଠ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ଏହି ବିବାହଗୁଡ଼ିକ ମଧ୍ୟରୁ ଅଧିକାଂଶର ସମାଧାନ ହୋଇଥିଲା ବୋଲି ଛାତ୍ର ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି।

ବିଜେପି-ଆରଏସଏସ ବାହାରେ ବି ଏବିଭିପିର ଆଧିପତ୍ୟ ରହିଛି

ଏବିଭିପିର ପ୍ରଭାବ କେବଳ ବିଜେପି ଏବଂ ଆରଏସଏସରେ ସୀମିତ ନାହିଁ, ଏହା ଶିକ୍ଷା ଜଗତରେ ବହୁତ ପଅଭାବଶାଳୀ ହୋଇଛି – ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିଠାରୁ ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ନୀତି, ବିଶେଷକରି ମୋଦୀ ସରକାରଙ୍କ ଅଧୀନରେ ପ୍ରସ୍ତୁତ ନୂତନ ଶିକ୍ଷା ନୀତିକୁ ଏବିଭିପିରୁ ପ୍ରଫେସର ଥିବା ବ୍ୟକ୍ତିମାନେ ପ୍ରସ୍ତୁତ କରିଛନ୍ତି। ଏବିଭିପିର ବଢୁଥିବା ପ୍ରଭାବ ସମ୍ପର୍କରେ ପଚରାଯିବାରୁ ବିଜେପି ନେତା ବିନୟ ସହସ୍ରବୁଦ୍ଧେ କହିଛନ୍ତି ଯେ ଛାତ୍ର ସଂଗଠନ ଛାତ୍ର ଜୀବନକୁ ଅବଗତ କରାଇଥାଏ ଏବଂ ଯୁବମନକୁ ଶୃଙ୍ଖଳା, ସାମାଜିକ ଜୀବନ ବିଷୟରେ ପ୍ରଶିକ୍ଷଣ ଦେଇଥାଏ ଏବଂ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥାଏ। ଏହା ଲୋକମାନଙ୍କୁ ନିର୍ବାଚନ ଲଢ଼ିବା ଭଳି କାର୍ଯ୍ୟରେ ସାମିଲ ହେବାକୁ ପ୍ରେରଣା ଦେଇଥାଏ ଯେଉଁଥିରେ ସଂଘର ଅନ୍ୟାନ୍ୟ ଅନୁବନ୍ଧିତ ସଂଗଠନ ସାଧାରଣତଃ ସମ୍ପୃକ୍ତ ନୁହଁନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବିଏସ୍‌ଏଫ୍ ପ୍ରତିଷ୍ଠା ଦିବସରେ ଆମେ ଏହି ଉତ୍କୃଷ୍ଟ ବଳର ପ୍ରଶଂସା କରୁଛୁ, ଯିଏ କି ଆମ ସୀମା ରକ୍ଷକ ଭାବେ ପରିଚୟ ସୃଷ୍ଟି କରିଛି । ଆମ ଦେଶର ରକ୍ଷାରେ ସେମାନଙ୍କ ବୀରତା ଏବଂ ଅତୁଟ ଭାବନା ସେମାନଙ୍କ ସମର୍ପଣର ପ୍ରମାଣ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର ଏବଂ ରିଲିଫ୍ କାମରେ ବିଏସ୍‌ଏଫ୍‌ର ଭୂମିକାକୁ ମୁଁ ପ୍ରଶଂସା କରୁଛି।’

Categories
ଆଜିର ଖବର ଜାତୀୟ ଖବର

‘ଦି ସିନ୍ଧିଆ ସ୍କୁଲ୍’ର ୧୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୫ଟାରେ ଗ୍ୱାଲିୟରଠାରେ ‘ଦି ସିନ୍ଧିଆ ସ୍କୁଲ୍’ର ୧୨୫ତମ ପ୍ରତିଷ୍ଠାଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ ‘ବହୁମୁଖୀ କ୍ରୀଡ଼ା କମ୍ପ୍ଲେକ୍ସ’ରଶିଳାନ୍ୟାସ କରିବା ସହ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଓ ଶ୍ରେଷ୍ଠ ସଫଳତା ହାସଲକରିଥିବା ଛାତ୍ରଛାତ୍ରୀଙ୍କୁ  ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ କରିବେ। ଏହିଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ।

ସିନ୍ଧିଆ ସ୍କୁଲ ୧୮୯୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଐତିହାସିକଗ୍ୱାଲିୟର ଦୁର୍ଗ ଉପରେ ଅବସ୍ଥିତ।

Categories
ଆଜିର ଖବର ରାଜ୍ୟ ଖବର

ଜାଗୋର ୧୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ବସ୍ତିରେ ଅନେକ ଅବହେଳିତ ଓ ନିଷ୍ପେସିତ ପିଲା ରହୁଛନ୍ତି। ବିଭିନ୍ନ କାରଣରୁ ସେମାନେ ବସ୍ତି ଭିତରେ ହିଁ ସୀମିତ ରହିଯାଉଛନ୍ତି। ପାଠପଢ଼ା ତ ଦୂରର କଥା, ଦେହ ଲୁଚାଇବାକୁ ଖଣ୍ଡେ ଭଲ ପୋଷାକ ଆଉ ଦି’ ଓଳି ଦୁଇ ମୁଠା ଖାଇବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି। ଏମିତି ପିଲାଙ୍କ ସାହାରା ପାଲଟିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଗଠିତ ‘ଜାଗୋ’ ଅନୁଷ୍ଠାନ। ସନ୍ଧ୍ୟା ହେଲେ ଏହି ଜାଗୋ ଟିମ୍ ପହଂଚୁଛି ବସ୍ତିରେ। ବସ୍ତିର ଗରିବ ପିଲାମାନଙ୍କୁ ଶିକ୍ଷାଦାନ କରି ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏହି ଟିମ୍‌ର ସଦସ୍ୟମାନେ ଅଂଟା ଭିଡିଛନ୍ତି। ସେମାନେ ଦିନସାରା ନିଜ ପାଠପଢ଼ାରୁ ଟିକିଏ ଫୁର୍‌ସତ୍ କାଢ଼ି ବସ୍ତି ପିଲାଙ୍କୁ ପଢ଼ାଉଛନ୍ତି। ଏଭଳି ନିଆରା ପ୍ରୟାସ ଜାରି ରଖିଥିବା ଜାଗୋର ୧୭ ତମ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ଜାଗୋ ଓରିଏଂଟେସନ୍ କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଅବହେଳିତ ପିଲାମାନଙ୍କ ଉନ୍ନତି ନିମନ୍ତେ ୨୦୦୭ରେ ଟିମ୍ ଜାଗୋ ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗରିବ ଓ ଦଳିତ ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା। ଟିମ୍ ଜାଗୋ ଏହି ପିଲାମାନଙ୍କ ଉନ୍ନତି ସହିତ ସୋଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଜ ପ୍ରତି ସେମାନଙ୍କ କର୍ତବ୍ୟବୋଧକୁ ଜାଗ୍ରତ କରୁଛି। ସୋଆ ଏହି ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ। ଟିମ୍ ଜାଗୋରେ ଯୋଗଦାନ ସେମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶ କରୁଛି। ଆହୁରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି ଟିମ୍‌ରେ ଯୋଗଦେବେ ବୋଲି ଶ୍ରୀମତି ଦାସ ଆଶା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଜାଗୋ ଟିମ୍ ଏଭଳି ସେବା ମାଧ୍ୟମରେ ଗରିବ ପିଲାଙ୍କ ଉନ୍ନତି କରିବା ସହିତ ନିଜର ସାମାଜିକ ଉନ୍ନତି କରିପାରୁଛି। ଶିକ୍ଷା ବ୍ୟବସ୍ଥା ସବୁବେଳେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବା ଉଚିତ୍। ଜାତୀୟ ଶିକ୍ଷାନୀତିରେ ଏଭଳି ସାମାଜିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ପ୍ରଫେସର ନନ୍ଦ କହିଥିଲେ। ସୋଆରେ ଏଭଳି ୨୦ଟି କ୍ଲବ ଥିବା ବେଳେ ଜାଗୋ ତନ୍ମଧ୍ୟରୁ ଅନ୍ୟତମ ଯାହାକି ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାନୁଷ୍ଠାନକୁ ପରିବ୍ୟାପ୍ତ ବୋଲି ସେ କହିଥିଲେ।

ସେହିପରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜାଗୋର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଜାଗୋ ଟିମ୍‌ରେ ଅଧିକରୁ ଅଧିକ ସ୍ୱେଚ୍ଛାସେବୀ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ।
ଆଇଟିଇଆର୍‌ର ଷ୍ଟୁଡେଂଟ ଆଫେୟାର୍ସ ଆଡିସ୍‌ନାଲ୍ ଡିନ୍ ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଜାଗୋ ଏକ ସୋସିଓ ଏଜୁକେସନାଲ କମ୍ୟୁନିଟି ଯାହା ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ।

ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଅନୁଷ୍ଠାନର ସଫଳତାର କାହାଣୀ କହିଥିଲେ। ଆଇଏଏସ୍ ଡିନ୍ ପ୍ରଫେସର ଏସ୍‌.କେ. ରାଉତ୍ ଓ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏହି ଅବସରରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜାଗୋ ଟିମ୍ ତଥା ସୋଆର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟି ମାନ୍ୟତା ଦେବା ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସିଆଇଇଟିର ଏକ ଅତ୍ୟାଧୁନିକ ଆଇସିଟି ଲ୍ୟାବର ମଧ୍ୟ ଲୋକାର୍ପଣ କରିଛନ୍ତି।

ଏନସିଇଆରଟିକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ଅବସରରେ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମନୁଷ୍ୟର ପୁରୁଷାର୍ଥକୁ ଚରିତାର୍ଥ କରିବାର ମାଧ୍ୟମ ଅଟେ । ଏନସିଇଆରଟି ଦେଶର ଶିକ୍ଷା ପ୍ରଣାଳୀରେ ଅଭୂତପୂର୍ବ ଯୋଗଦାନ ରଖିଛି । ଗବେଷଣା, ସ୍କୁଲ ଶିକ୍ଷା, ଶିକ୍ଷକ ପ୍ରଶିକ୍ଷଣ ଏବଂ କିଶୋର କଶୋରୀଙ୍କୁ ଶିକ୍ଷା ଦେବା ଭଳି କ୍ଷେତ୍ରରେ ଏନସିଇଆରଟି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଗବେଷଣା ବିଶ୍ୱବିଦ୍ୟାଳୟ ଭାବରେ ପରିଣତ ଏନସିଇଆରଟି ବୈଶ୍ୱିକ ସହଭାଗୀତା ଦିଗରେ ନୂଆ ସୁଯୋଗ ପ୍ରଦାନ କରିବ ଏବଂ ବୈଶ୍ୱିକ ଶିକ୍ଷା ଦୃଶ୍ୟପଟ୍ଟରେ ନିଜର ଯୋଗଦାନ ରଖିବ।

ପିଲାଙ୍କ ରୁଚି ଅନୁସାରେ ଶିକ୍ଷା ପଦ୍ଧତି ହେଲେ ଶିଶୁଙ୍କ ବିକାଶ ହେବ । ଏହି ପୃଷ୍ଠଭୂମିରେ ଏନସିଇଆରଟି ଦ୍ୱାରା ୩ରୁ ୮ ବର୍ଷ ଶିଶୁଙ୍କ ପାଇଁ ବିକଶିତ ହୋଇଥିବା କ୍ରୀଡା ଆଧାରିତ ଶିକ୍ଷା “ଯାଦୁଇ ପିଟାରା” ଶିକ୍ଷା ପଦ୍ଧତିରେ ପରିବର୍ତ୍ତନର ଏକ ଉପକ୍ରମ ହୋଇଛି । ଏହାଦ୍ୱାରା ଦେଶର ୧୦ କୋଟି ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଏନସିଇଆରଟି ସହ ବାଲଭବନ ଏବଂ ବାଲବାଟିକାକୁ ମିଶାଇବା ପାଇଁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ।

ମାତୃଭାଷା ଉପରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବା ନେଇ କେନ୍ଦ୍ରମନ୍ତ୍ରୀ କହିବା ସହ ଏନସିଇଆରଟିକୁ ନିଜର ୭ଟି ଆଞ୍ଚଳିକ କେନ୍ଦ୍ରରେ ଏଆର, ଭିଆର, ଏଆଇ, ଲ୍ୟାବ ସ୍ଥାପନା କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଭାରତକୁ ଗବେଷଣା ଓ ନବସୃଜନର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବାକୁ ହେଲେ ବିଶ୍ୱର ନୂତନ ପ୍ରଯୁକ୍ତିବିଦ୍ୟା ସହ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ କରିବାକୁ ହେବ । ଏନସିଇଆରଟି ଶିକ୍ଷକ ପ୍ରଶିକ୍ଷଣ ମଧ୍ୟ ପାଠ୍ୟକ୍ରମକୁ ସର୍ବୋତ୍ତମ କରିବା ଦରକାର । ଭାରତର ଛାତ୍ରଛାତ୍ରୀଙ୍କୁ ଶିଳ୍ପ ବିପ୍ଲବ ୪.୦ ପାଇଁ ପ୍ରସ୍ତୁତ ରହିବାକୁ ହେବ । ଭାରତର କୋଭିଡ ସୁପରିଚାଳନା ତଥା ଚନ୍ଦ୍ରାୟାନ ଭଳି ବିଷୟବସ୍ତୁ ଉପରେ ତଥ୍ୟ ଆଧାରିତ ପୁସ୍ତକ ଏନସିଇଆରଟି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ ଆଗାମୀ ପିଢି ଭାରତର ବିଚାର ଏବଂ ନୈତିକତା ସହିତ ନୂତନ ବିକାଶକୁ ମଧ୍ୟ ଜାଣିବା ଦରକାର ବୋଲି ସେ କହିଥିଲେ । ଏନସିଇଆରଟି ପରିବାରର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଳନ କଳା ୧୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ଵର: କୋରାପୁଟ ସ୍ଥିତ ଲାଣ୍ଡିଗୁଡା କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରସ୍ୱତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏଏମବି ଭାଗଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଭାଷ ଚନ୍ଦ୍ର ଝା ପ୍ରତିଷ୍ଠା ଦିବସର ଅଭିଭାଷଣ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ଅଧିକାରୀ ପ୍ରଫେସର ଏନ୍ ସି ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ମେଶ୍ରାମ ଅନ୍ଯତମ ଅତିଥି ଭାବେ ଉପସ୍ଥିତ ଥିଲେ।

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ସଭାକୁ ସମ୍ବୋଧିତ କରିବା ସହ ଭବିଷ୍ୟତରେ ସଫଳତା ହାସଲ ଦିଗରେ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଫଳତାକୁ ପ୍ରଶଂସା କରିଥିଲେ । ସେ ୩ଏସ୍ ବିକାଶ ସ୍କିଲ, ସ୍କେଲ୍ ଏବଂ ସ୍ପିଡ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାର୍ଥୀମାନେ ଦକ୍ଷତା ହାସଲ କରିବା, ନୂତନ ସ୍ତରରେ ପହଞ୍ଚିବା ଏବଂ ବିଶ୍ୱ ସହିତ ଦ୍ରୁତ ଗତିରେ ଯିବା ଉଚିତ ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ସଫଳତା ହାସଲ କରିପାରିବେ । କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ବାଜରା, ପନିପରିବା ଏବଂ ବିଶେଷ କରି କୋରାପୁଟ କଫି ର ଗୁରୁତ୍ଵ ଉପରେ ସେ ଆଲୋକପାତ କରିଥିଲେ। ତେଣୁ ଆମକୁ ଏ ଦିଗରେ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି କହିଥିଲେ । କୋରାପୁଟର ବାଜରାରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରକୁ ନେବାକୁ ପଡିବ । କୁୱି ଏବଂ ଦେସିଆ ଭାଷାରେ ଦୁଇଟି ବର୍ଣମାଳା ପ୍ରାଇମର ଆଣିବା ପାଇଁ ସେ ସିୟୁଓ ଏବଂ ଏନସିଇଆରଟିର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ । କୋରାପୁଟର ସହିଦ ଭୂମି ବିଶେଷ କରି ସହିଦ ଲକ୍ଷ୍ମଣ ନାୟକଙ୍କ ଭୂମି ଏବଂ ପାପଡାହାଣ୍ଡିର ସହିଦ ଭୂମିରୁ ମାଟି ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ଯୋଜନା ମୋ ମାଟି, ମୋ ଦେଶ ସହ ସାମିଲ ହେବାକୁ ସେ ବିଶ୍ୱବିଦ୍ୟାଳୟକୁ ଆହ୍ଵାନ କରିଥିଲେ।

କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସଭାପତିତ୍ବ ଭାଷଣ ଦେଇ ୧୪ ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇଥିଲେ। ସ୍ୱାଧୀନତା ସଂଗ୍ରାମୀ ତଥା ଭୂମିପୁତ୍ର ସହିଦ ଲକ୍ଷ୍ମଣ ନାୟକଙ୍କୁ ସ୍ମରଣ କରି ସେ ଭାଷଣ ଆରମ୍ଭ କରିଥିଲେ। ସେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୧୪ ବର୍ଷ ର ସଫଳତା ବର୍ଣ୍ଣନା କରିଥିଲେ । ଚଳିତ ବର୍ଷ ବିଶ୍ୱବିଦ୍ୟାଳୟରେ କୃଷି, ଜଙ୍ଗଲ ପରିଚାଳନା, ପଶୁପାଳନ ଓ ଦୁଗ୍ଧ ଚାଷ କ୍ଷେତ୍ରରେ ୩ଟି ନୂତନ ବିଜ୍ଞାନରେ ସ୍ନାତକ ଏବଂ ଲଜିଷ୍ଟିକ୍ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ସମେତ ବିଶ୍ୱବିଦ୍ୟାଳୟର ବିକାଶ ଉପରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଜାତୀୟ ଶିକ୍ଷା ୨୦୨୦ ଅଧୀନରେ ବିଶ୍ୱବିଦ୍ୟାଳୟ ସଫଳତାର ନୂଆ ମାର୍ଗ ଅନୁସରଣ କରିବ । ଏନଇପି ୨୦୨୦ ଅନୁଯାୟୀ ସେ ଛାତ୍ରମାନଙ୍କୁ ଚାକିରି ଖୋଜିବା ନୁହେଁ, ବରଂ ଚାକିରି ପ୍ରଦାନକାରୀ ହେବାକୁ ଅନୁରୋଧ କରିଥିଲେ ଏବଂ ଆଶା କରିଥିଲେ ଯେ ପ୍ରତ୍ୟେକ ଛାତ୍ର ଦେଶର ଏକାଡେମିକ ଲିଡର ହେବେ । ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମାତୃଭାଷାରେ ଅଧ୍ୟୟନ । ଏହା କେବଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ନୁହେଁ; ଏହା ମଧ୍ୟ ଆଦିବାସୀ ସଂସ୍କୃତି, ନୂତନ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସମଗ୍ର ସଂସ୍କୃତିର ପ୍ରତିଷ୍ଠା ଦିବସ । ଆଗାମୀ ଦିନରେ ଚାଉଳ, ବାଜରା ଓ ଦେଶୀ ଘିଅ ସମେତ କୃଷି ଜାତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ବିଶ୍ୱବିଦ୍ୟାଳୟ ହିନ୍ଦୀ ଓ ଜାପାନୀ ଭାଷାରେ ସାର୍ଟିଫିକେଟ୍ ପାଠ୍ୟକ୍ରମ ପ୍ରଦାନ କରିବ, ଯାହା ଛାତ୍ରଛାତ୍ରୀଙ୍କ ଭାଷା ଦକ୍ଷତାକୁ ସୁଦୃଢ଼ କରିବ। ସ୍ନାତକ ସ୍ତରରେ ଗୋପବନ୍ଧୁ ଅଧ୍ୟୟନ ଏକ ବାଧ୍ୟତାମୂଳକ ବିଷୟ ହେବ ବୋଲି ସେ କହିଥିଲେ । ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାରୁ ଏକ ମାସ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ନୂତନ ଅଧ୍ୟାପକ ନିଯୁକ୍ତି କରାଯିବ ଏବଂ ୨୦୨୩ ଅକ୍ଟୋବର ସୁଦ୍ଧା ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ସେ କହିଥିଲେ ଯେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ କିଛି ମାତ୍ରାରେ ସଫଳ ହୋଇଛି, କିନ୍ତୁ ଏହାକୁ ଆହୁରି ବହୁ ଆଗକୁ ଯିବାକୁ ଅଛି ଏବଂ ତଥାପି ଶିକ୍ଷାଗତ ଉତ୍କର୍ଷତା ହାସଲ କରିବା ପାଇଁ ଅନେକ କାର୍ଯ୍ୟ କରିବାକୁ ପଡିବ । ପ୍ରତ୍ୟେକ ବିଭାଗ ଓ ଏହାର ଅଧ୍ୟାପକମାନଙ୍କ ସଫଳତା ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଭାଗଲପୁରସ୍ଥିତ ଟିଏମ୍ବି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଭାଷ ଚନ୍ଦ୍ର ଝା। ‘ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସିୟୁଓର ଭୂମିକା’ ଶୀର୍ଷକ ପ୍ରତିଷ୍ଠା ଦିବସର ଅଭିଭାଷଣ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ସେ ଲୋକାଲ ଟୁ ଗ୍ଲୋବାଲ ଏବଂ ଭୋକାଲ ଫର ଲୋକାଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏବଂ ଲକ୍ଷ୍ୟ ହାସଲ ପାଇଁ ଆମେ କାର୍ଯ୍ୟ କରିବା ଉଚିତ୍ । ସେ ସମୟର ଆବଶ୍ୟକତା ଅନୁଯାୟୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶେଷ କରି ଜିଓ ସ୍ପେସିଆଲ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇଥିଲେ । ଦେଶ ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ସଫଳତା ହାସଲ ପାଇଁ ଶୃଙ୍ଖଳିତ ଭାବେ ପାଠ ପଢ଼ିବାକୁ ଅନୁରୋଧ କରିଥିଲେ।

ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ଅଧିକାରୀ ପ୍ରଫେସର ଏନ୍ ସି ପଣ୍ଡା ସ୍ୱାଗତ ଭାଷଣ ଦେଇ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ ବିଶ୍ବବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନର କୁଳପତିଙ୍କ ନେତୃତ୍ବରେ ବିଶ୍ବବିଦ୍ୟାଳୟ ସଫଳତାର ନୂତନ ସୋପାନରେ ପହଞ୍ଚି ପାରିଛି ବୋଲି କହିଥିଲେ। ଆସୋସିଏଟ୍ ପ୍ରଫେସର ଡ. ରୁଦ୍ରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ଡ. ନିର୍ଝରିନି ତ୍ରିପାଠୀ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଜ୍ଞାନ ଓ ସଂସ୍କୃତି’ ପତ୍ରିକାର ଦୁଇଟି ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚନ କରାଯାଇଥିଲା, ଯାହାର ସମ୍ପାଦନା କରିଥିଲେ ସିୟୁଓର ଏକାଡେମିକ୍ ପରାମର୍ଶଦାତା ପ୍ରଫେସର ସୁଧେନ୍ଦୁ ମଣ୍ଡଳ। ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ସିୟୁଓର ବରିଷ୍ଠ ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଗବେଷକ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଡିସେମ୍ବରରେ ଲୋକସଭା ନିର୍ବାଚନ ହୋଇପାରେ: ମମତା ବାନାର୍ଜୀ

କୋଲକାତା: ଡିସେମ୍ବରରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ଯଦି ବିଜେପି ଏପରି କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆମେ ପଶ୍ଚିମବଙ୍ଗରେ ସିପିଆଇ(ଏମ୍) ଶାସନର ଅନ୍ତ ଘଟାଇଛୁ, ଏବେ ଲୋକସଭାରେ ବିଜେପିକୁ ପରାସ୍ତ କରିବୁ ବୋଲି ମମତା କହିଛନ୍ତି। ସେ ରାଜ୍ୟର ରାଜ୍ୟପାଳ ସିଭି ବୋଷଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ରାଜ୍ୟପାଳ ନିର୍ବାଚିତ ସରକାର ସହ ଗଣ୍ଡଗୋଳ କରିବା ଉଚିତ ନୁହେଁ। ସେମାନେ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରୁଛନ୍ତି। ମୁଁ ଏହି ପଦକୁ ସମ୍ମାନ କରେ କିନ୍ତୁ ତାଙ୍କ ଅସାମ୍ବିଧାନିକ କାର୍ଯ୍ୟକଳାପକୁ ସମର୍ଥନ କରେ ନାହିଁ।

ତୃଣମୂଳ (ଟିଏମସି) ଛାତ୍ର ପରିଷଦର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ କୋଲକାତାର ମାୟୋ ରୋଡରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ମମତା ଏହା କହିଛନ୍ତି। ଦିନକ ପୂର୍ବରୁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ସିଲିଗୁଡ଼ିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜ୍ୟପାଳ ବୋଷ ରବିବାର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। କନ୍ୟା ସନ୍ତାନର ଜୀବନ ବଞ୍ଚାଇବା ବିନା କନ୍ୟାଶ୍ରୀ ଯୋଜନାର କୌଣସି ଅର୍ଥ ନାହିଁ ବୋଲି ସେ କହିଥିଲେ।

“ମୁଁ କନ୍ୟାଶ୍ରୀ ଯୋଜନା ବିଷୟରେ କହିବାକୁ ଚାହୁଁଛି। କନ୍ୟା ଜୀବନ ବିନା କନ୍ୟାଶ୍ରୀର ଅର୍ଥ କ’ଣ ? ଯେପର୍ଯ୍ୟନ୍ତ ସମାଜ ଝିଅର ଜୀବନ ବଞ୍ଚାଇ ପାରିବ ନାହିଁ, ସେ ପର୍ଯ୍ୟନ୍ତ ବଡ଼ ବଡ଼ ଦାବି କରିବାର କୌଣସି ଅର୍ଥ ନାହିଁ।’’

ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କନ୍ୟାଶ୍ରୀ ଯୋଜନାରେ ଗରିବ ପରିବାରର ଝିଅମାନଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ରହିଛି।

ଯେଉଁମାନେ ଗୋଲି ମାରୋ ଭଳି ସ୍ଲୋଗାନ ଦେବେ ସେମାନଙ୍କୁ ଗିରଫ କରାଯିବ: ମମତା ଯାଦବପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ବିକ୍ଷୋଭ ସମ୍ପର୍କରେ ମମତା କହିଛନ୍ତି ଯେ ଏହା ଉତ୍ତର ପ୍ରଦେଶ ନୁହେଁ। ଯେଉଁମାନେ ‘ଗୁଳି’ ଭଳି ସ୍ଲୋଗାନ ଦେବେ ସେମାନଙ୍କୁ ଗିରଫ କରାଯିବ। କୋଲକାତା ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ପ୍ରସଙ୍ଗରେ ସେ କହିଛନ୍ତି ଯେ କିଛି ପୋଲିସ କର୍ମଚାରୀଙ୍କ ସହାୟତାରେ କିଛି ଲୋକ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ୬୧ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଦେଶରେ ଅଗ୍ରଣୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆଜି ୬୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି ଏହି ପ୍ରତିଷ୍ଠା ଦିବସକୁ ଉଦ୍‌ଘାଟନ କରି ସାମଗ୍ରିକ ବିକାଶ ପାଇଁ ଖେଳକୁଦ, କଳା ପାଠ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ। ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକ୍‌ଲାନୀ ଛାତ୍ରଛାତ୍ରୀ, ପୁରାତନ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କର ନିରବଚ୍ଛିନ୍ନ ସେବା କିପରି ପ୍ରତିଷ୍ଠାନର ବିକାଶ ଓ ଦେଶର ଶିକ୍ଷାର ଗୁଣବତ୍ତାରେ ସହାୟକ ହେବ ସେ ବିଷୟରେ କହିଥିଲେ।

ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ସ୍ୱାଗତ ଭାଷଣ ଦେବା ସହ ପ୍ରତିଷ୍ଠାନ କିପରି ବିଗତ ବର୍ଷରେ ଶିକ୍ଷଣ, ଶିକ୍ଷାଦାନ, ଅନୁସନ୍ଧାନ ଓ ବିସ୍ତାର କାର୍ଯ୍ୟକ୍ରମରେ ପ୍ରଭାବଶୀଳ କାର୍ଯ୍ୟ କରିଛି ବର୍ଣ୍ଣନା କରିଥିଲେ। ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ପୁରାତନ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ପୁଷ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ: ଆରମ୍ଭ ହେଲା ଇ-ଅଫିସ ବ୍ୟବସ୍ଥା

ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍‌ସ ଭୁବନେଶ୍ୱର ଶନିବାର ଦିନ ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ଏମ୍‌ସରେ ପ୍ରାଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ଉନ୍ନତି ଆଣିବ। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ଇଣ୍ଡିଆ ଅଭିଯାନକୁ ସାକାର କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଇ-ଅଫିସ୍‌ ବ୍ୟବସ୍ଥା ନିଷ୍ପତି ନେବା ପ୍ରକ୍ରିୟାକୁ ମଧ୍ୟ ଗତି ପ୍ରଦାନ କରିବ। ଯାହାକି ଏମ୍‌ସର କାର୍ଯ୍ୟଧାରାକୁ ଆହୁରି ଅଧିକ ଆଗକୁ ନେବ ବୋଲି ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।

୧୧ତମ ପ୍ରତିଷ୍ଠା ଦିବସ ଅବସରରେ ଏମ୍‌ସ ଧର୍ମଶାଳା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ପର୍ଯ୍ୟାୟକ୍ରମେ ଏହି ଧର୍ମଶାଳା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାନେଇ ସୂଚନା ମିଳିଛି। ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟ ଏହି ଧର୍ମଶାଳାର ସୁବିଧା ନେବାକୁ ହେଲେ ଧର୍ମଶାଳା କମିଟି କିମ୍ବା ଏମ୍‌ସ ମେଡିକାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ପଡ଼ିବ। ତେବେ ଏହି ସୁବିଧାର ସୁଯୋଗ ନେବାକୁ ହେଲେ ରୋଗୀଙ୍କୁ ଚିକିତ୍ସା କରୁଥିବା ସଂପୃକ୍ତ ଡାକ୍ତରଙ୍କ ନିକଟରୁ ଧାର୍ଯ୍ୟ ଫର୍ମରେ ଆବଶ୍ୟକ ଲେଖା ଆଣିବାକୁ ହେବ ବୋଲି ଡ. ବିଶ୍ବାସ ସୂଚନା ପ୍ରଦାନ କରିଛନ୍ତି।

ମୁଖ୍ୟ ଅତିଥି ଭାବରେ ଏମ୍‌ସ ପାଟ୍‌ନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଗୋପାଳ କୃଷ୍ଣ ପାଲ ଅଭିଭାଷଣ ପ୍ରଦାନ କରି ଏନ୍‌ଆଇଆରଏଫ୍‌ ତାଲିକାରେ ଏମ୍‌ସ ଭୁବନେଶ୍ୱର ୨୬ରୁ ୧୭ତମ ସ୍ଥାନକୁ ଲମ୍ଫ ପ୍ରଦାନ କରି ଜାତୀୟସ୍ତରରେ ଗୌରବ ବୃଦ୍ଧି କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ଇଣ୍ଡିଆ ଟୁଡେରେ ମଧ୍ୟ ଏମ୍‌ସ ଭୁବନେଶ୍ବର ୨୦ରୁ ୧୮ତମ ସ୍ଥାନକୁ ଉନ୍ନୀତ ହୋଇଛି। ଯାହାକି ନିଶ୍ଚିତଭାବେ ପ୍ରଶଂସନୀୟ ବୋଲି ଡ. ପାଲ୍‌ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ପ୍ରାଣାୟମର ଉପଯୋଗିତା ସମ୍ପର୍କରେ ଯୁକ୍ତିସମ୍ବଳିତ ମତ ଉପସ୍ଥାପନ କରିଥିଲେ। ଜଣେ ପ୍ରାଣାୟମ ମାଧ୍ୟମରେ ନିଜର ଶ୍ବାସକ୍ରିୟା ଉପରେ ନିୟନ୍ତ୍ରଣ ରଖି ସ୍ବାସ୍ଥ୍ୟବାନ ହେବା ସହିତ ଦୀର୍ଘଜୀବୀ ହୋଇପାରିବେ ବୋଲି ଡ. ପାଲ ଦୃଢ଼ ମତ ରଖିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ମଣିଷ ଜୀବନରେ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ଚଳିତ ବର୍ଷ ଏମ୍‌ସ ଭୁବନେଶ୍ବରକୁ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଦାୟିତ୍ବ ମିଳିଥିଲା। ଦୁର୍ଭାଗ୍ୟପୂର୍ଣ୍ଣ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ପରିଚାଳନା। ଯାହାକି କଷ୍ଟସାଧ୍ୟ ଥିଲା ନିଶ୍ଚିତ। ମାତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ରେଳ ବିଭାଗ ଏବଂ ଅନୁଷ୍ଠାନର ସମସ୍ତ ଅଂଶୀଦାରଙ୍କ କଠିନ ପରିଶ୍ରମ ଫଳରେ ଏହାକୁ ସଫଳତାର ସହିତ ପରିଚାଳନା କରାଯାଇଥିଲା। ଯାହାକି ଜାତୀୟ ସ୍ତରରେ ମଧ୍ୟ ଏହି ଅନୁଷ୍ଠାନକୁ ପ୍ରଶଂସା କରାଯାଇଥିବା ପ୍ରକାଶ କରିଥିଲେ ଆଜିର ସମାରୋହରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ।

ଏମ୍‌ସ ଭୁବନେଶ୍ୱରର ପ୍ରେସିଡେଣ୍ଟ୍‌ ପ୍ରଫେସର ଅକ୍ଷୟ କୁମାର ବିଶୋଇ କହିଥିଲେ ଯେ ରୋଗୀ ସେବା ହେଉ ଅଥବା ଗବେଷଣା କିମ୍ବା ଅନ୍ୟାନ୍ୟ ସାମାଜିକ କଲ୍ୟାଣକାରୀ କାର୍ଯ୍ୟ, ଏହି ଅନୁଷ୍ଠାନ ରାଜ୍ୟ ତଥା ପଡୋଶୀ ରାଜ୍ୟବାସୀଙ୍କ ହୃଦୟ ଜିତିପାରିଛି।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ.ପ୍ରଶାନ୍ତ ରାଘବ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଏହି ଜାତୀୟ ଅନୁଷ୍ଠାନ ହାସଲ କରିଥିବା ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏମ୍‌ସ ଭୁବନେଶ୍ୱରରେ ବୃକକ୍ ପ୍ରତିରୋପଣ ସଫଳତାର ସହିତ ଆରମ୍ଭ ହୋଇସାରିଛି। ଶୀଘ୍ର ଏଠାରେ ଲିଭର ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି। ସେହିପରି ଏକାଧିକ ଜାତୀୟ ଅନୁଷ୍ଠାନ ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଚ୍ଚତର ଗବେଷଣା ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସ୍ବାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତା(ଏଆଇ)ର ବ୍ୟବହାର ନିମନ୍ତେ ଆଇଆଇଟି ଭୁବନେଶ୍ବର ସହିତ ବୁଝାମଣା ହୋଇଛି। ସେହିପରି ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍‌ଭିନିର୍‌ତାର), କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍‌) ଏବଂ ଜାତୀୟ ଆର୍ୟୁବେଦ ଅନୁସନ୍ଧାନ ପରିଷଦ (ସିସିଆର୍‌ଏଏସ୍‌) ସହିତ ମଧ୍ୟ ବୁଝାମଣା ହୋଇଛି।

ଏହି ଅବସରରେ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଡ. ଶ୍ବେତା ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟଯେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଏବଂ ଏହି ଅନୁଷ୍ଠାନ ୨୦୧୨ ରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୪ ରେ ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା। ଏମ୍ସ ଭୁବନେଶ୍ୱର ହେଉଛି ଦେଶର ଏକମାତ୍ର ଏମ୍ସ ଯାହା ଶ୍ରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସଦ୍ୟ ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ପ୍ରତିଦିନ ପ୍ରାୟ ସାଢ଼େ ଚାରି ହଜାରରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

Categories
ବିଶେଷ ଖବର

ଭୁବନେଶ୍ଵରରେ ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ: ଓଡ଼ିଶାର ୩ ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସେ କହିଥିଲେ, “ୟୁସିସିଆଇ ଲେଡିଜ୍ ଫୋରମ ଓଡ଼ିଶାର ମହିଳାମାନଙ୍କ ପାଇଁ ଏକ ବିଶେଷ ଅନୁଷ୍ଠାନ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଫୋରମ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରଶଂସନୀୟ। ନିକଟରେ ଲେଡିଜ ଫୋରମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଶିକ୍ଷା ପାଇଁ କେତେକ ସ୍କୁଲକୁ କମ୍ପ୍ୟୁଟର ଦିଆଯାଇଥିଲା। ଏହା ବେଶ୍ ଖୁସିର କଥା।”

ଏହି କାର୍ଯ୍ୟକ୍ରମରେ ଲୁମିନସ୍ ଇନଫୋଓ୍ଵେଜର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଜୟଶ୍ରୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନାରୀ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ।

ସେହିପରି ବିଶିଷ୍ଟ ଲେଖିକା ତଥା ‘କାଦମ୍ଵିନୀ’ ଏବଂ ‘କୁନିକଥା’ର ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ଧର୍ମ ପୂରାଣରେ କିପରି ନାରୀ ସଶକ୍ତିକରଣ ବାବଦରେ ବିଶେଷ ଆଲୋଚନା କରାଯାଇଛି ଉଦାହରଣ ସହ ସେସବୁ ବିଷୟ ଉପରେ ଆଲୋକପାତ କରିଥିଲେ।

“ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଏହି ଫୋରମ ଜରିଆରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଶକ୍ତ ହୋଇ ଆଗକୁ ଆସୁଛନ୍ତି ଏବଂ ସମାଜ ଗଠନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ବିଶେଷକରି ଉଦ୍ୟୋଗ ପ୍ରତିଷ୍ଠା ଏବଂ ତା’ର ଅଭିବୃଦ୍ଧି କ୍ଷେତ୍ରରେ ମହିଳାମାନେ କିଭଳି ଆଗକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ”, କହିଛନ୍ତି ବିଶିଷ୍ଟ ଲେଖିକା ଡକ୍ଟର ଇତିରାଣୀ ସାମନ୍ତ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ୟୁସିସିଆଇ ଲେଡିଜ୍ ଫୋରମର ବିଶେଷ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ୩ ଜଣ ନାରୀ ପ୍ରତିଭାମାନେ ହେଲେ ବିଶିଷ୍ଟ ସମାଜସେବୀ କବିତା ମହାପାତ୍ର, ମହିଳା ଉଦ୍ୟୋଗୀ ଚୁମକି ଦତ୍ତ ଏବଂ ସୀମା ମହାନ୍ତି। ଏହାପରେ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ରଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ୟୁସିସିଆଇ ଲେଜିଡ୍ ଫୋରମର ସଭାପତି ସ୍ଵର୍ଣ୍ଣପ୍ରଭା ସାମଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ହିମାଂଶୁବାଳା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଲେଡିଜ ଫୋରମର ପୂର୍ବତନ ସମ୍ପାଦିକା ପ୍ରଫେସର ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ୱେତା ପ୍ରଧାନ, ସବିତା ଦାସ, ନମିତା ମହାପାତ୍ର, ଅର୍ଚ୍ଚନା ମହାପାତ୍ର, ମିନତୀ ଦାସ, ପ୍ରଣତୀ ପରିଡ଼ା, ପ୍ରଣତୀ ମହାନ୍ତି, ଜୟଶ୍ରୀ ମିଶ୍ର, ସୋନାଲି ଚୌଧୁରୀ ଏବଂ ସ୍ଵର୍ଣ୍ଣଲତା ଜେନାଙ୍କ ସମେତ ୟୁସିସିଆଇ ଲେଡିଜ୍ ଫୋରମର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଉତ୍କଳିକାର ପ୍ରତିଷ୍ଠା ଦିବସ: ମାର୍କେଟିଂ ଓ ସୋର୍ସିଂ ହବ୍‌ର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପ ଉଦ୍ୟୋଗର ବିକାଶ ତଥା ହସ୍ତଶିଳ୍ପ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୟ ମାଧ୍ୟମରେ ଓଡ଼ିଶାର କାରିଗରମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ କାରିଗରମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଏକ ଶୀର୍ଷ ସମବାୟ ଅନୁଷ୍ଠାନ ଭାବରେ ୧୯୫୯ ମସିହା ମଇ ୧୩ ତାରିଖରେ ଗଠିତ ହୋଇଥିଲା। ଏହି ଶୀର୍ଷ ସମବାୟ ଅନୁଷ୍ଠାନରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ୧୧୬ ଗୋଟି ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ସଦସ୍ୟ ଅଛନ୍ତି।

ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ସାମଗ୍ରିକ ଉନ୍ନତି ନିମନ୍ତେ ଉତ୍କଳିକା ଊଭୟ ରାଜ୍ୟ ଭିତରେ ୮ ଗୋଟି ଶାଖା ଯଥା: ଭୁବନେଶ୍ୱର, କଟକ, ପୁରୀ, ଭୁବନେଶ୍ୱର ଏୟାରପୋର୍ଟ, ଅନୁଗୋଳ, ରାଉରକେଲା, ସମ୍ବଲପୁର ଓ ଜୟପୁର ଏବଂ ରାଜ୍ୟ ବାହାରେ ୬ ଗୋଟି ଶାଖା ଯଥା: ନୂଆଦିଲ୍ଲୀ, ମୁମ୍ବାଇ, କଲିକତା, ପୁନେ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ସର୍ବମୋଟ ୧୪ଟି ଶାଖା କାର୍ଯ୍ୟ କରୁଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଆୟୋଜିତ ପ୍ରଦର୍ଶନୀ ମାଧ୍ୟମରେ କାରିଗରମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକ୍ରୟ କରାଯାଉଛି।

ଏକ ବୃହତ୍‌ ଏବଂ ଆଧୁନିକ ହସ୍ତଶିଳ୍ପ ବିପଣନ କେନ୍ଦ୍ର ମାଧ୍ୟମରେ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ ଏବଂ ବିକ୍ରୟ କରିବା ସହିତ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ଭାବବିନିମୟ ମାଧ୍ୟମରେ ଗୁଣବତ୍ତା ସାମଗ୍ରୀର ଉତ୍ପାଦନ ନିମନ୍ତେ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ଓ ହସ୍ତଶିଳ୍ପ ପ୍ରତି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ମୁଖ୍ୟ କାର୍ଯ୍ୟାଳୟ ରସୁଲଗଡ଼, ଭୁବନେଶ୍ୱରଠାରେ ମାର୍କେଟିଂ ଓ ସୋର୍ସିଂ ହବ୍‌ର ଶୁଭ ଉଦ୍‌ଘାଟନ ହୋଇଛି।

ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ଏକ ୪୫ ଦିନ ବ୍ୟାପୀ ରାଜ୍ୟସ୍ତରୀୟ ପ୍ରଦର୍ଶନୀ (ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ-୨୦୨୩) ୧୩ ମଇ ୨୦୨୩ରୁ ୨୬ ଜୁନ ୨୦୨୩ ପର୍ଯ୍ୟନ୍ତ ମାର୍କେଟିଂ ଓ ସୋର୍ସିଂ ହବ୍‌, ରସୁଲଗଡ଼, ଭୁବନେଶ୍ୱରଠାରେ ଆୟୋଜିତ ହେଉଛି।

ଏଥିରେ ଓଡ଼ିଶାର ୧୧ଟି ଜିଲ୍ଲାର ୩୦ ଜଣ ହସ୍ତଶିଳ୍ପ କାରିଗର ଅଂଶଗ୍ରହଣ କରିବା ସହିତ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରିବାର ସୁବିଧା କରାଯାଇଛି । ଓଡ଼ିଶାର ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବଲାଙ୍ଗିର, ବରଗଡ଼, କୋରାପୁଟ ଓ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ/ହସ୍ତତନ୍ତ ସାମଗ୍ରୀ ଯଥା ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍‌ଡେନ୍‌ ଗ୍ରାସ୍‌, ଚାନ୍ଦୁଆ, ପଟ୍ଟଚିତ୍ର, ରୂପା ତାରକସୀ, ଆଦିବାସୀ ଜୁଏଲାରୀ, ତାଳପତ୍ର ଖୋଦେଇ, ଶାମୁକା, କଂସା ଓ ପିତ୍ତଳ, ଡୋକ୍ରା, ଶିଙ୍ଘ, ଝୋଟ କାମ, ଧାନଶିଳ୍ପ, ଟେରାକୋଟା, ହସ୍ତତନ୍ତ ଶାଢ଼ି, ଡ୍ରେସ୍‌ ଇତ୍ୟାଦି ଭଳି ଅତି ଉତ୍କୃଷ୍ଟ ମାନର ସାମଗ୍ରୀଗୁଡ଼ିକର ପ୍ରଦର୍ଶନ କରୁଛନ୍ତି।

ଏହିଭଳି ଏକ ପ୍ରଦର୍ଶନୀର ଆୟୋଜନ ଓ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଛି ଏବଂ ୩୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି।

ଓଡ଼ିଶା ଉତ୍କୃଷ୍ଟ କଳାର ରାଜ୍ୟ। ଆମର ଏକ ମହାନ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରା ରହିଛି। ଏଭଳି ପ୍ରଦର୍ଶନୀର ଆୟୋଜନ ଦ୍ୱାରା ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାରପ୍ରସାର ହେବା ସହ ଆମର କାରିଗରମାନେ ସେମାନଙ୍କ ସାମଗ୍ରୀର ବିକ୍ରୟ ପାଇଁ ସୁଯୋଗ ପାଇବେ। ଏହା ସେମାନଙ୍କର ଆର୍ଥିକ ଉନ୍ନତି ସହ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ଦେଶବିଦେଶରେ ଆଦୃତି ବୃଦ୍ଧି ପାଇପାରିବ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି ଉତ୍ସବର ଶୁଭ ଉଦ୍‌ଘାଟନ କରିଛନ୍ତି। ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ପଟେଲ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଉତ୍କଳିକାର ସଭାପତି କୁମାରୀ ଦେବସ୍ମିତା ସାହୁ, ଉତ୍କଳିକାର ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା କଲ୍ୟାଣୀ ପଟ୍ଟନାୟକ, ଭାରତ ସରକାରଙ୍କ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ବୟନ ମନ୍ତ୍ରାଳୟର ବରିଷ୍ଠ ସହନିର୍ଦ୍ଦେଶକ ଅଶୋକ କୁମାର ହୋତା ଏବଂ ଅନ୍ୟ ଅଧିକାରୀଗଣ ଏହି ବିଶେଷ ଉତ୍ସବରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଆଶା ଓ ଆଶଙ୍କାର ଦୋଛକିରେ ୭୫ ବର୍ଷର ରାଜଧାନୀ

ସୁବାଷ କୁମାର ତାରଣିଆଁ

ଭୁବନେଶ୍ଵର: ଏପ୍ରିଲ ମାସ ୧୩ ତାରିଖରୁ ୧୫ ତାରିଖ ତିନିଦିନ ଧରି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ରାଜଧାନୀ ଭାବରେ ୭୫ ବର୍ଷରେ ପଦାର୍ପଣ କରିଥିବାରୁ ଏ ନେଇ ପୂର୍ବରୁ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ୧୯୪୮ ମସିହା ଅପ୍ରେଲ ମାସ ୧୪ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସର ମୂଳଦୁଆ ପଡ଼ିଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଆଜିର ଦିନରେ ଭୁବନେଶ୍ୱରରେ ରାଜଧାନୀର ଶିଳାନ୍ୟାସ ସ୍ଥାପନ କରିଥିଲେ।

ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଐତିହାସିକ ସହର ତଥା ଓଡ଼ିଶାର ସର୍ବ ପୁରାତନ ସହର କଟକ ଥିଲା ଓଡ଼ିଶାର ରାଜଧାନୀ। କିନ୍ତୁ କଟକର ସହରର ଦୁଇ ପାର୍ଶ୍ଵ ଦେଇ ମହାନଦୀ ଓ କାଠଯୋଡ଼ି ନଦୀ ପ୍ରବାହିତ ହେବା ତଥା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ କଟକ ସହର ରାଜଧାନୀ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ହେବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା।

ଉକ୍ତ କମିଟି ପ୍ରଥମେ ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟଭାଗରେ ଥିବା ରଙ୍ଗେଇଲୁଣ୍ଡାକୁ ଓଡ଼ିଶାର ରାଜଧାନୀ ସ୍ଥାପନ ନିମନ୍ତେ ଉପଯୁକ୍ତ ସ୍ଥାନ ଭାବେ ପରିକଳ୍ପନା କରିଥିଲେ। ମାତ୍ର ଉକ୍ତ କମିଟି ରଙ୍ଗେଇଲୁଣ୍ଡା ସମ୍ପର୍କରେ ସବିଶେଷ ବିଚାର ବିମର୍ଷ ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଧ୍ୟାନ କରାଯାଇଥିଲା। ମାତ୍ର ଏହି ନୂତନ କମିଟି ରଙ୍ଗେଇଲୁଣ୍ଡାର ପାରିପାର୍ଶ୍ଵିକ ପରସ୍ଥିତିକୁ ତର୍ଜମା କରି ଏଠାରେ ରାଜଧାନୀ ସ୍ଥାପନକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସରକାର ପୁଣି ସ୍ଥାନ ନିରୂପଣ ପାଇଁ ଆଉ କମିଟି ଗଠନ କରିଥିଲେ ଏବଂ ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଓ ପ୍ରତିବନ୍ଧକ ଦେଖାଯିବାରୁ ତାକୁ ମଧ୍ୟ ବାତିଲ୍ କରିବାକୁ ପଡ଼ିଥିଲା। ସେହି ସମୟ ମଧ୍ୟରେ କଟକ ଜିଲ୍ଲାର ବାରଙ୍ଗ, ଚୌଦ୍ୱାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ରାଜ୍ୟର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା।

ପରବର୍ତ୍ତୀ ଭୁବନେଶ୍ୱରର ପ୍ରାକୃତିକ ପରିବେଶ, ଐତିହାସିକ କୀର୍ତ୍ତିରାଜି, କଳାସ୍ଥାପତ୍ୟ, ଉନ୍ନତମାନର ସ୍ୱାସ୍ଥ୍ୟସେବା ସର୍ବୋପରି ଗମନା ଗମନର ସୁବିଧା ଓ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ରାଜଧାନୀ ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ହିଁ ଉପଯୁକ୍ତ ସହର ବୋଲି ଗଠିତ କମିଟି ଦ୍ୱାରା ଚୟନ କରାଯାଇଥିଲା।

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର ଆସି ନୂତନ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ସେ ସମୟରେ ଭୁବନେଶ୍ୱର ଲୋକସଂଖ୍ୟା ଥିଲା କେବଳ ୧୭ ହଜାର। ମାତ୍ର ୨୦୨୨ ସୁଦ୍ଧା ଭୁବନେଶ୍ୱର ଲୋକ ସଂଖ୍ୟା ୧୨ ଲକ୍ଷ ୫୮ ହଜାରରେ ପହଞ୍ଚିଛି। ୨୦୧୯ ମସିହାରେ ୧୧ ଲକ୍ଷ ୬୩ ହଜାର ଥିଲାବେଳେ, ୨୦୨୦ରେ ୧୧ ଲକ୍ଷ ୯୪ ହଜାର, ୨୦୨୧ରେ ୧୨ ଲକ୍ଷ ୨୬ ହଜାର ଥିଲା। ଏହି ପରିସଂଖ୍ୟନକୁ ତର୍ଜମା କଲେ ପ୍ରତିବର୍ଷ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଉଛି ବୋଲି ଧରିନେବାକୁ ହେବ।

ସେ ସମୟର ସ୍ୱଳ୍ପ ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର ଏକ ଛୋଟ ଏନ୍‌ଏସି ଜରିଆରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲା। ସମୟକ୍ରମେ ଭୁବନେଶ୍ୱରର ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ମ୍ୟୁନିସିପାଲିଟିରେ ପରିଣତ କରାଯାଇଥିଲା। ସେ ସମୟରେ ମାତ୍ର ୩୦ଜଣ କାଉନସିଲରଙ୍କୁ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ କରୁଥିଲା। ମାତ୍ର ରାଜଧାନୀ ପ୍ରତିଷ୍ଠା ପରେ ଭୁବନେଶ୍ୱରର ବିକାଶ ଓ ଅଭିବୃଦ୍ଧି ଦୃତଗତିରେ ବୃଦ୍ଧି ପାଇଥିଲା ଏବଂ କିଛି ବର୍ଷପରେ ଭୁବନେଶ୍ୱର ମହାନଗର ନିଗମ ପରିସରକୁ ଆସିଲା ଏବଂ ୬୭ କର୍ପୋରେଟ ଓ ଜଣେ ମେୟରଙ୍କୁ ନେଇ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାରୀ ହୋଇ ସହରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ପରିବେଶ ଦିଗରେ କାର୍ଯ୍ୟ କରିଚାଲିଛି।

ରାଜଧାନୀ ପ୍ରତିଷ୍ଠା ପରେ ଏବେ ଏହି ସହରରେ ବିଧାନସଭା, ସଚିବାଳୟ, ମୁଖ୍ୟ ଡ଼ାକଘର, ରିଜର୍ଭ ବ୍ୟାଙ୍କ, ପୋଲିସ୍ କମିଶନରେଟ କାର୍ଯ୍ୟାଳୟ, ବାଣୀବିହାର, ବିଭାଗୀୟ ମୁଖ୍ୟ ଦପ୍ତର, ବିଧାୟକ ଓ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ସମେତ ଅନେକ ସରକାରୀ ବେସରକାରୀ ସଂସ୍ଥା ଗଢିଉଠିଛି। ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରାଜଧାନୀ ଭୁବନେଶ୍ୱରର ପରିବେଶ, ପରିମଳ, ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଦିନକୁ ଦିନ ରାଜଧାନୀ ବହୁ ସମସ୍ୟା ଦେଇ ଗତି କରୁଛି।

ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଯଦି ଭୁବନେଶ୍ୱର କଥା ଆଲୋଚନା କରିବା, ତେବେ ସେତେବେଳେ ଭୁବେନଶ୍ୱରର ରାସ୍ତାଘାଟ ଏତେ ଉନ୍ନତମାନର ନଥିଲା। ଭୁବନେଶ୍ୱରରୁ କଟକ ଯିବା ପାଇଁ ଏକଥାକିଆ ଅଣଓସାରିଆ ରାସ୍ତା ଥିଲା। ଫଳରେ ଭୁବନେଶ୍ୱରରୁ କଟକ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ରାସ୍ତା ପ୍ରଶସ୍ତ ନଥିବାରୁ ଯାତ୍ରୀମାନଙ୍କୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସେ ଅସୁବିଧା ଦୂର ହୋଇଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ରାସ୍ତାଘାଟ, ପରିବେଶ, ପରିଚ୍ଛନ୍ନତା ଓ ସହରର ସୌନ୍ଦର୍ଯ୍ୟକରଣ ଦୃତଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ ଭୁବନେଶ୍ୱରକୁ ‘ସ୍ମାର୍ଟ ସହରର’ର ମାନ୍ୟତା ମିଳିଛି। ଭୁବନେଶ୍ୱରକୁ ସ୍ମାର୍ଟ ସହର ମାନ୍ୟତା ମିଳିବା ପରେ ଏହି ସହର ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଦେଶ ସ୍ୱାଧୀନ ହେବା ପରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ତଥା ରାଜଧାନୀ ନିର୍ମାତା ଡଃ ହରେକୃଷ୍ଣ ମହତାବ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ପ୍ରଥମ ନିଳଗିରି ଗଡ଼ଜାତ ମିଶ୍ରଣ, ଡିସେମ୍ବର ୧୪ରେ ୨୪ଟି ଗଡ଼ଜାତ ମିଶ୍ରଣ ଓ ୧୯୪୮ ମସିହା ଜାନୁୟାରୀ ୧ରେ ମୟୁରଭଞ୍ଜ ଗଡ଼ଜାତ ମିଶ୍ରଣ ଏହିପରି ମୋଟ ୨୬ଟି ଗଡ଼ଜାତ ମିଶ୍ରଣ କରି ୧୩ଟି ଜିଲ୍ଲା ଗଠନ କରିଥିଲେ। ଓଡ଼ିଶାରେ ୧୩ଟି ଜିଲ୍ଲା ଗଠନର ୪୫ ବର୍ଷ ପୂର୍ତ୍ତି ପରେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ୧୩ଟି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରେ ରଖି ତଥା ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି, ଓଡ଼ିଶାର ସ୍ୱାଭିମାନ ଦୃଷ୍ଟିରୁ ଓଡ଼ିଶାରେ ୧୩ରୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ।

ଯାହା ଆଜି ପର୍ଯ୍ୟନ୍ତି ବଳବତ୍ତର ରହିଛି। ବର୍ତ୍ତମାନ ଭୁବନେଶ୍ୱରର ଲୋକଂସଖ୍ୟା ୧୨ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଓଡ଼ିଶାର ୧୨ଜିଲ୍ଲା ଯଥା ଗଜପତି, ଦେବଗଡ଼, ବୌଦ୍ଧ, ଜଗତସିଂହପୁର, ସୁବର୍ଣ୍ଣପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ମାଲକାନଗିରି , ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ୭୫ ବର୍ଷରେ ପଦାର୍ପଣ କରିଥିବା ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ନ ମିଳିବା ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି।

ଯାହାକୁ ନେଇ କିଛି ସ୍ୱେଚ୍ଛାସେବୀ ସଂଗଠନ, ଚିନ୍ତନଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ, ସ୍ୱାମିମାନ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ତାହା ବାସ୍ତବରେ ପରିଣତ ହୋଇପାରି ନାହିଁ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଭୁବନେଶ୍ୱର ବହୁବର୍ଷ ଧରି ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲାବେଳେ ନବେ ଦଶକରୁ ଖୋର୍ଦ୍ଧା ଜିଲ୍ଲା ଅଧିନରେ ପରିଣତ ହୋଇଛି। ରାଜଧାନୀର ଦୃତ୍ତ ଭିତ୍ତିଭୂମି, ବିକାଶ, ପରିବେଶ ପରିମଳ, ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ଏବଂ ସର୍ବୋପରି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ତାହା ହିଁ ହେବ ଭୁବନେଶ୍ୱରବାସୀଙ୍କ ପ୍ରତି ଏକ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବୟନିକା ମାର୍କେଟ ବିଲ୍‌ଡିଂ ଶାଖାରେ ରେକର୍ଡ ବିକ୍ରି

ଭୁବନେଶ୍ୱର: ବୟନିକା ୬୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମଇ ୫ ତାରିଖ ଦିନ ସମସ୍ତ ବୟନିକା ଶାଖାରେ ପାଖାପାଖି ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି । ସେଥି ମଧ୍ୟରୁ ବୟନିକା ମାର୍କେଟ ବିଲ୍‌ଡିଂ ଶାଖାରେ ୩୨ ଲକ୍ଷ ଟଙ୍କାର ବିକି୍ର ହୋଇଛି, ଯାହା ଗୋଟିଏ ଦିନରେ ହୋଇଥିବା ବିକି୍ରର ସର୍ବକାଳୀନ ରେକର୍ଡ ଅଟେ। ଆଗାମୀ ସାବିତ୍ରୀକୁ ଆଖି ଆଗରେ ରଖି ବୟନିକା ଏହାର ସମସ୍ତ ଶାଖାରେ ନୂଆ ଡିଜାଇନ୍‌ ତଥା ରଙ୍ଗର ଶାଢ଼ି, ଡ୍ରେନ୍‌ ସେଟ୍‌ ତଥା ଅନ୍ୟାନ୍ୟ ଜିନିଷ ଭରପୂର କରି ରଖିଛି। ଏଗୁଡ଼ିକ ଜାତୀୟ ତଥା ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ବୁଣାକାର ତଥା ଓଡ଼ିଶାର ଛୋଟବଡ ପ୍ରାଥମିକ ବୁଣାକାର ସମବାୟ ସମିତିମାନଙ୍କ ଦ୍ୱାରା ବୁଣାଯାଉଛି।

ବୟନିକାର ମାର୍କେଟ୍‌ ବିଲ୍‌ଡିଂ ଶାଖାରେ କିଛି ସନ୍ଥକବୀର ପୁରସ୍କାରପ୍ରାପ୍ତ ବୁଣାକାର ତଥା ଟାଟା ଅନ୍ତରନ୍‌, ମାଣିଆବନ୍ଧ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ଡିଜାଇନ୍‌ ଶାଢ଼ିମାନ ସୀମିତ ସମୟ ପାଇଁ ପ୍ରଦର୍ଶିତ ହେଉଛି ଓ ଏହାର ଅର୍ଡର ରଖାଯାଉଛି ବୋଲି ବୟନିକା ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ବୟନିକାର ୬୭ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ଭୁବନେଶ୍ୱର: ଉକିର୍ଷ କଳାର ରାଜ୍ୟ ଓଡିଶା ନିଜର କଳା ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ବିଶ୍ୱବିଦିତ। ଉକିଳୀୟ କଳା ସଂସ୍କୃତି ପାଇଁ “ହସ୍ତତନ୍ତ ବସ୍ତ୍ର’’ର ଭୂମିକା ସ୍ୱତନ୍ତ୍ର। ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ “ବାନ୍ଧବସ୍ତ୍ର’’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ଏହି ପ୍ରାଚୀନ କଳାକୁ ଉଜ୍ଜିବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡିଶାର ଅଗଣିତ ବୁଣାକାର। ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରୁଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଞ୍ଜିକୃତ ହୋଇ କାର୍ଯ୍ୟ କରୁଥିବା ପ୍ରାଥମିକ ବୁଣାକାର ସମିତିମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୭ ବର୍ଷଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଅଛି।

୧୯୫୬ ମସିହାରେ ପ୍ରତିଷ୍ଠିତ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ଯାହାକି ଆଜି “ବୟନିକା’’ ନାମରେ ସୁଖ୍ୟାତି ଅର୍ଜନ କରିଅଛି। ବୟନିକା ଏହାର ୬୭ତମ ପ୍ରତିଷ୍ଠା ଦିବସ ସମାରୋହକୁ ଏହାର ସମସ୍ତ ଶାଖା ଓ ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରୁଅଛି। ବିକ୍ରୟ ଶାଖାମାନଙ୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳ ଏବଂ ତହସିଲ୍‌ଦାରମାନେ ଉଦ୍‌ଘାଟନ କରିଅଛନ୍ତି। ବୟନିକାର ୱେଷ୍ଟର୍ଣ୍ଣ ମାର୍କେଟ ବିଲ୍‌ଡିଂ, ଭୁବନେଶ୍ୱରସ୍ଥିତ ବିକ୍ରୟ କେନ୍ଦ୍ରକୁ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଉଦ୍‌ଘାଟନ କରିଛନ୍ତି। ବୟନିକାର ୬୭ତମ ପ୍ରତିଷ୍ଠାଦିବସ ସମାରୋହ “ବୟନ ଭବନ’’ ପ୍ରାଙ୍ଗଣରେ ଆଜି ସଂଧ୍ୟାରେ ପାଳିତ ହୋଇଯାଇଛି।

ଏହି ସମାରୋହକୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମାନ୍ୟବର ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ, ଓଡିଶା, ସୁଲୋଚନା ଦାସ, ମେୟର, ଭୁବନେଶ୍ୱର ମହାନଗର ନିଗମ, ସୋଭନ କ୍ରିଷ୍ଣ ସାହୁ, ନିର୍ଦ୍ଦେଶକ, ବୟନ ଶିଳ୍ପ ଓ ହସ୍ତତନ୍ତ, ଓଡିଶା, ପ୍ରକାଶ ଚନ୍ଦ୍ର ମେହେର, ସଭାପତି, ବୟନିକା, ପ୍ରଣତି ଛୋଟରାୟ, ପରିଚାଳନା ନିର୍ଦ୍ଦେଶକ ବୟନିକା ଓ ବୟନିକା ପରିଚାଳନା କମିଟିର ସଭ୍ୟା/ସଭ୍ୟ ବୃନ୍ଦଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଛନ୍ତି।

ବୟନିକା ୨୦୨୨-୨୩ ବର୍ଷରେ ନିଜର ପ୍ରତିଷ୍ଠିତ ବିକ୍ରୟ ଶାଖା ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଓ ପ୍ରଦର୍ଶନୀର ଆୟୋଜନ କରି ଟ.୧୬୨.୦୦ କୋଟିର ବ୍ୟବସାୟ ହାସଲ କରିଅଛି। ୨୦୨୩-୨୪ ବର୍ଷରେ ମୋଟ ଟ.୨୦୦.୦୦ କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ଏକ ହସ୍ତତନ୍ତ ସଂସ୍ଥା ହିସାବରେ ଟ.୧୬୨.୦୦ କୋଟିର ବ୍ୟବସାୟ କରିବା, ଓଡିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ମାଇଲ୍‌ ଖୁଂଟ। ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ପାଇଁ ବଦ୍ଧପରିକର ହେବା ସଙ୍ଗେ ସଙ୍ଗେ ଏହି ସଂସ୍ଥା ସହ ଜଡିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବାପାଇଁ ଚେଷ୍ଟିତ।

ବୟନିକା ଏହାର ୬୭ତମ ପ୍ରତିଷ୍ଠା ଦିବସରେ, ଓଡିଶାର ଅଗଣିତ ବୁଣାକାର ଭାଇଭଉଣୀ, ଏହାର ସଦିଚ୍ଛୁ ଗ୍ରାହକ ଏବଂ ପୃଷ୍ଠପୋଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

Categories
ଆଜିର ଖବର ରାଜ୍ୟ ଖବର

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତି୍ରତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି। ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ।

ଉଦ୍‌ଘାଟନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି ଫଟୋଚିତ୍ରଗୁଡ଼ିକ ସମ୍ବନ୍ଧରେ ଅତିଥିମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ସ୍ୱତନ୍ତ୍ର ଓ ସୁନ୍ଦର ପ୍ରଦର୍ଶନୀଟି ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଘଟିକାରୁ ରାତି ୯ ଘଟିକା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ୬ ଜଣିଆ ଡାକ୍ତରୀ ଟିମ୍‌ଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଶାଖାରେ ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବ୍ୟାଙ୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇଛି।

ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଏନ୍‌ବି ସର୍କଲର ମୁଖ୍ୟ ଚିିତରଂଜନ ପୁଷ୍ଟି, ଭୁବନେଶ୍ୱର ପିଏନ୍‌ବି ଜୋନାଲ୍ ଅଫିସର ମୁଖ୍ୟ ଏ.ଉଦୟ ଭାସ୍କର ରେଡୀ, ଡେପୁଟି ଜୋନାଲ୍ ମ୍ୟାନେଜର ଜନ୍ମେଜୟ ଦୀକ୍ଷିତ, ପୋଖରୀପୁଟ ସ୍ଥିତ ପିଏନ୍‌ବି ଶାଖା ମୁଖ୍ୟ (ବ୍ରାଂଚ ମ୍ୟାନେଜର) ସୁରେଶ କୁମାର ସାହୁ, ଅଲ ଇଣ୍ଡିଆ ପିଏନ୍‌ବି ଅଫିସର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ଇଂଟର୍ଣ୍ଣ ଡାକ୍ତର ଆଦ୍ୟାଶା ଆଚାର୍ଯ୍ୟ, ଡାକ୍ତର ଏଲିନା ବାହିନିପତି ଓ ଡାକ୍ତର ସୌମ୍ୟଦୀପ୍ ମିଶ୍ରଙ୍କ ସମେତ ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ବିଶ୍ୱଜିତ ପରିଡ଼ା, ଡାକ୍ତର ଲିଙ୍ଗରାଜ ରଥ ଓ ଇଞ୍ଜିନିୟର ପ୍ରେମନାଥ ତାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଆଜି ଦୀର୍ଘ ୪୩ ବର୍ଷର ଯାତ୍ରା ପୂରଣ କରି ଭାରତୀୟ ଜନତା ପାର୍ଟୀ ୪୪ ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି। କୋଟି କୋଟି କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି। ସଂଗଠନକୁ ମଜଭୁତ୍ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢି ତୋଳିଥିବା ସମସ୍ତ କାର୍ଯ୍ୟକର୍ତା ଚିର ସ୍ମରଣୀୟ ହୋଇ ରହିବା ସହ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। “ସେବା ହିଁ ସଂଗଠନ” କୁ ମୁଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି।

“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି। ସଶକ୍ତ ଭାରତବର୍ଷ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଆମ ସମସ୍ତଙ୍କର ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। “ବସୁେଧୈବ କୁଟୁମ୍ବକମ୍‌” ହେଉଛି ଆମର ପରିଚୟ ଏବଂ ସ୍ୱତନ୍ତ୍ରତା। ସ୍ୱାଧୀନତା ପାଇଁ ତ୍ୟାଗ, ତପସ୍ୟା ଓ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ସ୍ୱପ୍ନ ଆଜି ବାସ୍ତବ ହେବାରେ ଲାଗିଛି। ସ୍ୱାଧୀନତାର ୧୦୦ବର୍ଷ ପୂର୍ତି ଅବସରରେ ନିଶ୍ଚିତ ରୂପେ ଭାରତବର୍ଷ ବିଶ୍ୱରେ ଏକ ସର୍ବଶ୍ରେଷ୍ଠ ଦେଶ ଭାବେ ଉଭା ହୋଇସାରିଥିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାରେ ବିଜେପିକୁ ଯେଉଁ ଭଳି ଜନସମର୍ଥନ ମିଳୁଛି ତାହା ଅତ୍ୟନ୍ତ ଉତ୍ସାହଜନକ ଏବଂ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟବାସୀ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି, ତାକୁ ସୂଚାରୁ ରୂପେ ନିର୍ବାହ କରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ। କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଦ୍ୱାରା ଭାରତୀୟ ଜନତା ପାର୍ଟୀକୁ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ଦେବାକୁ ସଂକଳ୍ପ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି।

ଦୁଇ ଜଣ ସାଂସଦଙ୍କଠାରୁ ୧୯୮୦ ମସିହାରେ ଜନ୍ମଗ୍ରହଣ କରିଥିବା ଭାରତୀୟ ଜନତା ପାର୍ଟି ଆଜି ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଏବଂ ସଂକଳ୍ପ ମାଧ୍ୟମରେ ସର୍ବବୃହତ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ପଣ୍ଡିତ ଦୀନଦୟାଲଙ୍କ ଅନ୍ତ୍ୟୋଦ୍ୱୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢ଼ି ଉଠିଥିଲା ଭାରତୀୟ ଜନତା ପାର୍ଟି। ଲକ୍ଷ୍ୟ ଥିଲା ସମାଜର ତଳ ସ୍ତରରେ ରହୁଥିବା ଲୋକ ପାଖରେ ବିକାଶ ପହଂଚାଇବା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିକାଶମୁଖୀ ହୋଇଛି ଏବଂ ତାଙ୍କର ନେତୃତ୍ୱକୁ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରତିଷ୍ଠା ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଅଭିଭାଷଣକୁ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଏକାଠି ମିଶି ଶୁଣିଥିଲେ। ଏହା ପରେ ଜାତୀୟ ପରିଷଦ ସଦସ୍ୟ ଏବଂ ରାଜ୍ୟ ପରିଷଦ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳ ଏବଂ ଭାରତୀୟ ଜନତା ପାର୍ଟୀର ବିଚାର ଓ ଆଦର୍ଶକୁ ଲୋକମାନଙ୍କ ଭିତରେ ପହଂଚାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ପାର୍ଟୀର ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ୟନ୍ତ ଓଡିଶାରେ ବିଜେପିର ଇତିହାସ, ଅଭିଯାନ ଓ କାର୍ଯ୍ୟକଳାପ ସଂପର୍କରେ ବରିଷ୍ଠ ନେତା ସଜ୍ଜନ ଶର୍ମା ଆଲୋଚା କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ଏବଂ ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ ପାର୍ଟୀର ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏହି ବୈଠକକୁ ସଂଚାଳନା କରିଥିବାବେଳେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଯତିନ୍ ମହାନ୍ତି, ଧୀରେନ ସେନାପତି, ଠାକୁର ରଞ୍ଜିତ ଦାସ, ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର, ସୋନାଲୀ ସାହୁ, ବରିଷ୍ଠ ନେତା ସଜ୍ଜନ ଶର୍ମା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କର୍ଣ୍ଣେଲ ବି.କେ.ବସ୍ତିଆ, ରଶ୍ମିରଞ୍ଜନ କାନୁନଗୋ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଆଜି ରାଜ୍ୟର ସମସ୍ତ ଜିଲ୍ଲା, ମଣ୍ଡଳ ଏବଂ ବୁଥ୍‌ମାନଙ୍କରେ ‘ପ୍ରତିଷ୍ଠା ଦିବସ’ ପାଳନ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ଛଅ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି କଟାରିଆ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଣି ଅଞ୍ଜଳି ମଲ୍ଲିକ , ବାଲୁଗାଁ ଥାନା ଏଏସଆଇ ଶରତ ଚନ୍ଦ୍ର ପ୍ରଧାନ ,ଟାଉନ ଥାନା କନଷ୍ଟେବଳ ବି.କେ ପ୍ରତାପସିଂହ , କନଷ୍ଟେବଳ ଲଳିତ କୁମାର ଧଳ,ଜ୍ଞାନରଞ୍ଜନ ମଙ୍ଗରାଜ ଏବଂ ସନ୍ତୋଷ କୁମାର ବେହେରା ଆଦି ୬ ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ , ସମସ୍ତ ଡ଼ିଏସପି, ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।