Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସମର ଶିକ୍ଷାର୍ଥୀ ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କୁ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସମର ଶିକ୍ଷାର୍ଥୀ ଓ ଜାତୀୟ ସମାଜସେବୀ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି । ସମବେତ ବ୍ୟକ୍ତିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଗବିତ୍‌ର୍ ହେବା ସହ ଏହା ଭାରତୀୟ ଇତିହାସକୁ ଆଜି ସଜୀବ କରିଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଦଳକୁ ପ୍ରଶଂସା କରିବା ସହ ସେମାନେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି । ଏହି କ୍ଷଣ ଦୁଇଟି କାରଣ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ତାହା ହେଲା “୭୫ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଓ ଭାରତର ନାରୀଶକ୍ତି ପ୍ରତି ଏହା ଉତ୍ସର୍ଗ ହୋଇଛି ।”

ଦେଶବ୍ୟାପୀ ଏଠାରେ ଅଂଶଗ୍ରହଣ କରିବାକୁ ଆସିଥିବା ମହିଳା ମାନେ କେବଳ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ଆସିନାହାଁନ୍ତି । ବରଂ ସେମାନେ ନିଜ ନିଜ ରାଜ୍ୟରେ ସଂସ୍କୃତି, ପରମ୍ପରା ଓ ସେମାନଙ୍କ ସମାଜର ଅଗ୍ରଣୀ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଆଉ ଏକ ସ୍ୱତନ୍ତ୍ର ଅବସର ସମ୍ପର୍କରେ ସେ କହିଥିଲେ ଯେ ରାଷ୍ଟ୍ରୀୟ ବାଳିକା ଦିବସ ହେଉଛି ସେମାନଙ୍କ ଶୌର୍ଯ୍ୟ, ସଂକଳ୍ପ ଓ ସଫଳତାର ଉତ୍ସବ । ଭାରତର କନ୍ୟାମାନେ ସମାଜର ହିତ କରିବା ପାଇଁ ସମର୍ଥ । ଭାରତୀୟ ମହିଳାମାନଙ୍କ ଦେଶଗଠନ ଇତିହାସ ଉପରେ ଆଲୋକପାତ କରି ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ତାହା ଉପରେ ପରିବେଶିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ଜନନାୟକ କର୍ପୁରୀ ଠାକୁରଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସରକାରଙ୍କ ସୌଭାଗ୍ୟ ବୋଲି କହିବା ସହ ଆଜିର ଯୁବପିଢି ଏହି ମହାନ୍ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ନେଇ ଅବଗତ ହୋଇପାରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଉତ୍କଟ ଦାରିଦ୍ର‌୍ୟ ଓ ସାମାଜିକ ଅସମାନତା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ସାଧାରଣ ଜୀବନ ଅତିବାହିତ କରୁଥିଲେ । ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ଓ ଅବହେଳିତ ଉତ୍‌ଥାନ ନିମନ୍ତେ ଉତ୍ସର୍ଗୀକୃତ ଥିଲା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଗରିବଙ୍କ କଲ୍ୟାଣ ଓ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାଜର ଶେଷ ହିତାଧିକାରୀ ନିକଟରେ ପହଞ୍ଚିବା କର୍ପୁରୀ ଠାକୁରଙ୍କ ପ୍ରେରଣା ଦ୍ୱାରା ପ୍ରତିଫଳିତ ବୋଲି ସେ କହିଥିଲେ ।

ଅନେକ ପ୍ରଥମ ଥର ନିମନ୍ତେ ପରିଦର୍ଶନରେ ସେ ଆସିଛନ୍ତି ଓ ସାଧାରଣତନ୍ତ୍ର ଦିବସ ପାଳନରେ ସେମାନଙ୍କ ଉତ୍ସାହ ଓ ଉଦ୍ଦୀପନା ସହ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଦିଲ୍ଲୀର ପ୍ରବଳ ଶୀତକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ଅଂଶଗ୍ରହଣ କାରୀ ପ୍ରଥମ ଥର ନିମନ୍ତେ ଏଭଳି ପାଗର ସମ୍ମୁଖୀନ ହେଉଥିବେ ଓ ଏହି ପରିପ୍ରେକ୍ଷୀରେ ସେ ଦେଶର ବିଭିନ୍ନ ଅଞ୍ଚଳ ବିବିଧ ଜଳବାୟୁ ଉପରେ ଆଲୋକପାତ କରିଥିଲେ । ଏଭଳି ପ୍ରତିକୂଳ ପାଗ ସତ୍ୱେ ସେମାନେ ଅଭିନୟ ଅଭ୍ୟାସ ଜାରି ରଖିଥିବାରୁ ସେ ଏହାର ପ୍ରଶଂସା କରିଥିଲେ । “ଏହା ହେଉଛି ଭାରତର ସ୍ୱତନ୍ତ୍ରତା । “ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପ୍ରତ୍ୟେକ ନାଗରିକଙ୍କ ନିମନ୍ତେ ଏକ ନୂତନ ଅଭିଜ୍ଞତା” ବୋଲି ସେ କହିଥିଲେ ।

“ଯଦିଓ ବର୍ତ୍ତମାନର ପିଢିକୁ ଜେନ ଜେଡ କୁହାଯାଉଛି, ମୁଁ ଆପଣ ମାନଙ୍କୁ ଅମୃତ ବଂଶଧର ବୋଲି ଡାକିବି” ବର୍ତ୍ତମାନ ପିଢିର ଶକ୍ତିବଳରେ ହିଁ ଅମୃତକାଳରେ ଦେଶର ପ୍ରଗତି ସମ୍ଭବ ହେବ । ୨୦୪୭ ସୁଦ୍ଧା ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଆଗାମୀ ୨୫ବର୍ଷ ଭବିଷ୍ୟତ ଭାରତ ଓ ବର୍ତ୍ତମାନ ବଂଶଧରମାନଙ୍କ ନିମନ୍ତେ ଗୁୁରୁତ୍ୱପୂର୍ଣ୍ଣ ବୋଲି ଜୋର ଦେଇ କହିଥିଲେ । “ଅମୃତ ପିଢିର ସମସ୍ତ ସ୍ୱପ୍ନକୁ ସାକାର କରିବା, ଅସଂଖ୍ୟ ସୁଯୋଗ ସୃଷ୍ଟି କରିବା ଓ ସେ ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ଶ୍ରୀ ମୋଦୀ କହିଥିଲେ ।

‘ଦେଶ ଆଗ’ ଅମୃତ ପିଢିର ମାର୍ଗଦର୍ଶିକା ହେବା ଉଚିତ ବୋଲି ସେ କହିଥିଲେ । ଯୁବାଗୋଷ୍ଠୀ ସେମାନଙ୍କ ଜୀବନରେ ହତାଶକୁ ସ୍ଥାନ ଦେବା ଅନୁଚିତ । ପ୍ରତ୍ୟେକଙ୍କ କ୍ଷୁଦ୍ରାତିକ୍ଷୁଦ୍ର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ବର୍ତ୍ତମାନ ହିଁ ସଠିକ ସମୟ ଓ ଆପଣ ମାନଙ୍କ ସମୟ ବୋଲି କହିଥିଲେ । ବର୍ତ୍ତମାନ ସମୟର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଯୁବାଗୋଷ୍ଠୀକୁ ସେମାନଙ୍କ ସଂକଳ୍ପକୁ ଶକ୍ତି ଯୋଗାଇ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ପରାମର୍ଶ ଦେଇଥିଲେ । ଜ୍ଞାନର ଦିଗ୍‌ବଳୟକୁ ସମ୍ପ୍ରସାରିତ କଲେ ଭାରତୀୟ ବିଦ୍ୱାନମାନେ ନୂତନ ଦିଗ୍‌ଦର୍ଶନ ଦେଇ ବୈଶ୍ୱିକ ସମସ୍ୟାର ସମାଧାନ ସୂତ୍ର ବାହାର କରିପାରିବେ । ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଦିଆଯାଇଥିବା ନୂତନ ସୁଯୋଗ, ବ୍ୟାବସାୟିକ ସୁଗମତା, ପ୍ରତିରକ୍ଷା ଶିଳ୍ପରେ ଘରୋଇ କ୍ଷେତ୍ରର ପ୍ରବେଶ ଅନୁମତି, ଜାତୀୟ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ଓ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷା ସୁବିଧା ଇତ୍ୟାଦିର ଉଦାହରଣ ଦେଇଥିଲେ । ମାତୃଭାଷାରେ ଉଚ୍ଚଶିକ୍ଷା ଲାଭ, ନବୋନ୍ମେଷ ଓ ଗବେଷଣା କ୍ଷେତ୍ରରେ ଯୁବାଗୋଷ୍ଠୀଙ୍କୁ ପ୍ରୋତ୍ସାହନ ସହ ଅଟଲ ଟିଙ୍କରିଂ ଲ୍ୟାବ କିପରି ସୃଜନଶୀଳତା ଓ ନବୋନ୍ମେଷ ବୃଦ୍ଧି କରୁଛି, ତା’ର ଉଦାହରଣ ଶ୍ରୀ ମୋଦୀ ଦେଇଥିଲେ । ସେନାରେ ନିଜର ବୃତ୍ତି ପାଇଁ ଉଚ୍ଚୁକ ଝିଅମାନଙ୍କ ପାଇଁ ସରକାର ନୂତନ ସୁଯୋଗ ଦେଇଛନ୍ତି । ବର୍ତ୍ତମାନ ଝିଅମାନେ ବିଭିନ୍ନ ସୈନିକ ବିଦ୍ୟାଳୟରେ ନାମ ଲେଖାଇ ପାରିବେ ଓ ସେମାନ ଗଭୀର ଆତ୍ମବିଶ୍ୱାସର ସହ ଆଗେଇବା ନିମନ୍ତେ ସେ ନିବେଦନ କରିଥିଲେ । “ତୁମମାନଙ୍କ ଉଦ୍ୟମ, ଦୂରଦୃଷ୍ଟି, ସାମର୍ଥ ଭାରତକୁ ନୂତନ ଶିଖରରେ ପହଞ୍ଚାଇବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସ୍ୱେଚ୍ଛାସେବୀମାନେ ସେମାନଙ୍କ ଶକ୍ତିର ସଠିକ୍ ଉପଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଥିଲେ । ଯେଉଁ ଶକ୍ତିର ଶୃଙ୍ଖଳା ଜ୍ଞାନ ଥିବା ସହ ଦେଶର ଭ୍ରମଣ କରିଥିବେ ଓ ବିଭିନ୍ନ ପ୍ରାନ୍ତରେ ବନ୍ଧୁତା ଥିବ ସେ କ୍ଷେତ୍ରରେ ବ୍ୟକ୍ତିତ୍ୱର ବିକାଶ ଖୁବ୍ ସ୍ୱାଭାବିକ । “ଏହାକୁ ଅଣଦେଖା ବା ହୀନମାନ୍ୟତାର ସହ ଦେଖିବା ଅନୁଚିତ । ସୁସ୍ଥତାକୁ ମଧ୍ୟ ପ୍ରାଧାନ୍ୟ ଦେବା ସହ ଏଥିପାଇଁ ଶୃଙ୍ଖଳା ଜ୍ଞାନ ଆବଶ୍ୟକ ବୋଲି ସେ କହିଥିଲେ । “ପ୍ରେରଣା ବେଳେ ବେଳେ କ୍ଷୟକାରୀ ହୋଇପାରେ ମାତ୍ର ଶୃଙ୍ଖଳା ତୁମକୁ ଠିକ୍ ବାଟରେ ନେଇପାରିବ ଏବଂ ପ୍ରେରଣାର ରୂପ ନେଲେ ବିଜୟ ସୁନିଶ୍ଚିତ ବୋଲି ସେ କହିଥିଲେ ।

ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସହ ତାଙ୍କର ସମ୍ପର୍କ ଉପରେ ଆଲୋପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନସିସି, ଏନଏସଏସ୍ ବା ସାଂସ୍କୃତିକ ଶିବିର ଯୁବାଗୋଷ୍ଠୀକୁ ସମାଜ ଓ ସାମାଜିକ କର୍ତ୍ତବ୍ୟ ଉପରେ ସଚେତନ କରାଇଥାଏ । ସେ ମାଇଁ ଯୁବା ଭାରତ ଭଳି ଆଉ ଏକ ସଂଗଠନର ସୃଷ୍ଟି ଉପରେ ସୂଚନା ଦେଇ ଯୁବା ଗୋଷ୍ଠୀ “ମୋ ଭାରତ ସ୍ୱେଚ୍ଛାସେବକ’ ଗୋଷ୍ଠୀରେ ନିଜକୁ ପଞ୍ଜୀକୃତ କରିବାକୁ ପରାମର୍ଶ ଦେଇଥିଲେ ।

ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ, ଐତିହାସିକ ସ୍ଥଳ ପରିଦର୍ଶନ, ଅଭିଜ୍ଞ ବ୍ୟକ୍ତିଙ୍କ ସହ ସାକ୍ଷାତ ଭଳି ସୁଯୋଗ ଉପରେ ସେ ଆଲୋକପାତ କରିଥିଲେ । ଏଭଳି ଅଭିଜ୍ଞତା ତୁମେମାନେ ସାରା ଜୀବନ ମନେ ରଖିବ । ପ୍ରତିବର୍ଷ ସାଧାରଣ ତନ୍ତ୍ର ଦିବସ ସମାରୋହ ପ୍ୟାରେଡ ଅବଲୋକନ କଲାବେଳେ, ମୁଁ ଏହା କହିଥିଲେି ବୋଲି ମନେ ପକାଇବ ବୋଲି ଶ୍ରୀ ମୋଦୀ କହିବା ସହ ତାଙ୍କ ସହ ନମୋ ଆପ୍‌ରେ ଯୋଡି ରଖିବା ନେଇ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ପରିଶେଷରେ ଯୁବା ପିଢିର ଶକ୍ତି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ । ସେମାନଙ୍କୁ ସେ ବିବେକବାନ ନାଗରିକ ହେବା ସହ କଠିନ ପରିଶ୍ରମ କରିବା, ପରିବେଶ ସୁରକ୍ଷା, ଖରାପ ଅଭ୍ୟାସ ତ୍ୟାଗ କରିବା ସହ ଦେଶର ଐତିହ୍ୟକୁ ନେଇ ଗର୍ବ କରିବାକୁା ପରାମର୍ଶ ଦେଇଥିଲେ ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଆଦିବାସୀ ବ୍ୟ।ପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ବାଲୁଗାଁ: ଉଦଯାପିତ ହେଲା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉତ୍କଳ ବିଶଵବିଦ୍ୟାଳୟର ପ୍ରଯୋଜନା ଓ ବାଲୁଗାଁ ମହାବିଦ୍ୟାଳୟର ଆନୁକୁଲ୍ୟରେ ଗତ ଜାନୁୟାରୀ ମାସ ୩ ତାରିଖରୁ ଜାନୁୟାରୀ ୮ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ବାଲୁଗାଁ ମହାବିଦ୍ୟାଳୟରେ ସଭାଗୃହରେ ଆୟୋଜିତ ସଭା ଓ ଆଲୋଚନା ମାଧ୍ୟମରେ ମହାସମାରୋହରେ ଉଦଯାପିତ ହୋଇଅଛି। ଏହି ଅବସରରେ ଆୟୋଜିତ ହୋଇଥିବା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାସ ସଭାପତିତ୍ବ କରିଥିବା ସମୟରେ +୨ ଅଧ୍ୟକ୍ଷା ଡଃ ଜୟନ୍ତୀ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଓଡ଼ିଶାର ସୁପ୍ରସିଦ୍ଧ ସମାଜସେବୀ ତଥା ଜାତୀୟ ଯୁବ ପ୍ରକଳ୍ପର ଟ୍ରଷ୍ଟିବୋର୍ଡ ସଭ୍ୟ ମଧୁସୂଦନ ଦାସ, ଓଡ଼ିଶା ପୁନର୍ଗଠନ ସଂଘର ସମ୍ପାଦକ ମାନସ କୁମାର ଦାସ ଓ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ଯଥାକ୍ରମେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତାରୂପେ ଯୋଗଦେଇ ନୂତନ ଓଡ଼ିଶା ଓ ଭାରତ ଗଠନ ନିମନ୍ତେ ଯୁବ ସମାଜ ସଂକଳ୍ପ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଏହି ସ୍ଵତନ୍ତ୍ର ଶିବିରର ବିଭିନ୍ନ ଦିବସରେ ପୋଷ୍ୟଗ୍ରାମ ଓ ଗୋପବନ୍ଧୁ କଲୋନୀ, ଶାନ୍ତି ନଗର ଓ ଉପକୂଳରେ ସଫେଇ ଅଭିଯାନ, ସାକ୍ଷରତା ସର୍ଭେ, ସଡ଼କ ସୁରକ୍ଷା, ଗନ୍ଧିବାଦର ପ୍ରାସଙ୍ଗିକତା, ନାରୀ ସଶକ୍ତିକରଣର ସାମର୍ଥ୍ୟ ବିକାଶ କୌଶଳ, ବୃକ୍ଷରୋପଣ, ତମାଖୁ ମୁକ୍ତ ମହାବିଦ୍ୟାଳୟ ରକ୍ତଦାନ ଓ କୋଭିଡ-୧୯ ସମ୍ପର୍କିତ ସଚେତନତାର ବାର୍ତ୍ତା ଓ ମହତ୍ତ୍ଵ ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ କୌଶଳ ଅର୍ଜନ କରିବାରେ ସାମର୍ଥ୍ୟବାନ ହୋଇଥିଲେ। ବିଭିନ୍ନ ଦିବସରେ ସମ୍ବଳ ଅଧିକାରୀରୂପେ, ଅଧ୍ୟାପିକା ମନସ୍ଵିନୀ ପଟ୍ଟନାୟକ, ହିମାଂଶୁ କୁମାର ଦାସ, ଅଧ୍ୟାପକ ପ୍ରବୀଣ କୁମାର ଜେନା, ବାଣପୁର ଗ୍ରାମୀଣ ମହିଳା ମହାିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟସ୍ତରୀୟ ସମ୍ପାଦକ ଶ୍ରୀ ସୋମ, ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ, ଏନ.ସି.ସି ଅଫିସର ଡଃ ଅକ୍ଷର କୁମାର ମିଶ୍ର ପ୍ରମୁଖ ସ୍ବେଚ୍ଛାସେବୀଙ୍କ ଗ୍ରହଣରେ ନିଜର ଅଭିଜ୍ଞତା ପ୍ରକାଶ କରିବା ସହ ଯୁବ ମାନ ପ୍ରାଣକୁ ଉଦୀପିତ କରିଥିଲେ।

ଏହି ଶିବିରରେ ଜାତୀୟ ସେବା ଯୋଜନାର ଜିଲ୍ଲା ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡଃ ଜୟଶ୍ରୀବାଳା ମଲ୍ଲିକ ଓ ସି.ୱାଇ.ଏସ.ଡି ର ସମ୍ପାଦକ ଜିତେନ୍ଦ୍ର କୁମାର ସୁନ୍ଦରାୟ, ଜାତୀୟ ସେବା ଯୋଜନାର ଆଞ୍ଚଳିକ କର୍ଯ୍ୟାଳୟର ଯୁବ ଅଧିକାରୀ ଅଜିତ କୁମାର, ମଳୟ ରଞ୍ଜନ ତ୍ରିପାଠୀ ଓ ନିଖିଳ ପାଣିଗ୍ରାହୀ ପ୍ରମୁଖ ଅଧିକାରୀଗଣ ପରିଦର୍ଶନରେ ଆସି ସ୍ବେଚ୍ଛାସେବୀ କାର୍ଯ୍ୟାବଳୀ ଓ ଶୃଙ୍ଖଳାକୁ ବେଶ ପ୍ରଶଂସା କରିଥିଲେ।

ଏହି ଉଦଯାପନି ସମାରୋହରେ ବିଭିନ୍ନ ଦିବସରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ନିଜର ଉତ୍କର୍ଷତା ନିମନ୍ତେ ସ୍ବେଚ୍ଛାସେବୀ ଆଲୋକ କୁମାର ବେହେରା, ସଂଗ୍ରାମ କେଶରୀ ବେହେରା, ରଶ୍ମିରେଖା ବେହେରା, ସଂଚିତା ନାୟକ, ସୋନାଲି ଜାଲି, ଶୁଭସ୍ମିତା ମହାରଣା, ରାଜସ୍ମିତା ଦସ, ସନ୍ତୋଷ କୁମାର ବାରିକ, କାର୍ତ୍ତିକଶ୍ୱର ଜେନା, ବିଚିତ୍ର ପରିଡ଼ା, ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ କୈଳାସ ଚନ୍ଦ୍ର ମହାରଣା, ଏବଂ ଶିବିରକୁ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଓଡ଼ିଶାର ୩ ଜଣଙ୍କୁ ମିଳିଲା ଏନଏସଏସ ପୁରସ୍କାର

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି। ଶନିବାର (ସେପ୍ଟେମ୍ବର ୨୪, ୨୦୨୨)ରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ଏବଂ ସ୍ବେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା। ଚଳିତ ଥର ଓଡ଼ିଶାର ତିନି ଜଣ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କ ଠାରୁ ଏନଏସଏସ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି।

ସେହିପରି ଏନଏସଏସ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚର ପ୍ରତୀକ ଦାଶ ଏବଂ ଭୁବନେଶ୍ବର ସ୍ଥିତ ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଏନ୍‌ଏସ୍‌ଏସ୍‌ ଉପଦେଷ୍ଟା ପରିଷଦର ବୈଠକ

ଭୁବନେଶ୍ୱର: ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)କୁ ଅଧିକ କ୍ରିୟାଶୀଳ କରାଯିବ । ରାଜ୍ୟର ୧ ଲକ୍ଷ ୧୫ ହଜାର ୫୦୦ ସେ୍ୱଚ୍ଛାସେବୀଙ୍କୁ ଚଳିତ ଶିକ୍ଷା ବର୍ଷରେ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ, ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍‌ରେ ପରିଣତ କରିବା ସହିତ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ । ଏଥି ସହ ବୃକ୍ଷରୋପଣ ଓ ବିଭିନ୍ନ ଜନସେଚତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ।

ଆଜି ପୁସ୍ତକ ଭବନଠାରେ ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ ଏନ୍‌ଏସ୍‌ଏସ୍‌ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଏଣିକି ପ୍ରତି ଏନ୍‌ଏସ୍‌ଏସ୍‌ ୟୁନିଟ୍‌ର ସେ୍ୱଚ୍ଛାସେବୀ ସଂଖ୍ୟା ୫୦ରୁ ୧୦୦କୁ ବୃଦ୍ଧି କରାଯିବ । ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକରେ ଏନ୍‌ଏସ୍‌ଏସ୍‌କୁ ସକି୍ରୟ କରାଯିବ । ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ସେ୍ୱଚ୍ଛାସେବୀମାନଙ୍କୁ ଆନ୍ତଃରାଜ୍ୟ ଭ୍ରମଣ ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତି୍ରପାଠୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସତ୍ୟରଞ୍ଜନ ସାହୁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ ସଂଯୋଜକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ନିରଦ ବରଣ ଖୁଣ୍ଟିଆ, ସମାଜସେବୀ ମଧୁସୂଦନ ଦାସଙ୍କ ସମେତ ୨୪ଟି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଯୋଗଦେଇ ଏନ୍‌ଏସ୍‌ଏସ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା ପୂର୍ବବର୍ଷର ବିବରଣୀ ସହ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ବରିଷ୍ଠ ସ୍ବେଚ୍ଛାସେବୀ ମୋନାଲିସା ରାଉତଙ୍କୁ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନ ଜନକ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋନାଲିସାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରକାଶ ଥାଉକି ମୋନାଲିସା ରାଉତ ବିଗତ ତିନି ବର୍ଷ ଧରି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଭିନ୍ନ ଜାତୀୟ, ରାଜ୍ୟସ୍ତରୀୟ ଓ ମହାବିଦ୍ୟାଳୟ ସ୍ତରୀୟ ସ୍ବତନ୍ତ୍ର ଶିବିର ସମେତ ଦିନିକିଆ ଶିବିରରେ ନିୟମିତ ଯୋଗଦାନ କରି ସ୍ୱଚ୍ଛ ଭାରତ ଅଭିଯାନ, ବିଦେଶାଗତ ପକ୍ଷୀ ସୁରକ୍ଷା- ଚିଲିକା ରକ୍ଷା, ବନ୍ୟପ୍ରାଣୀ ସଚେତନତା, କରୋନା ସଚେତନତା, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଯୁବ ନେତୃତ୍ବ, ନାରୀ ସଶକ୍ତିକରଣ, ସାକ୍ଷରତା ଆଦି ବିବିଧ ସମାଜସେବା କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହି ରାଷ୍ଟ୍ର ନିର୍ମାଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ୍ ଓ ବାଗ୍ମୀ ଡକ୍ଟର ରଜତ କର ଅତିଥି ଭାବରେ ଯୋଗଦେଇ ମୋନାଲିସା ରାଉତଙ୍କୁ ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ମହିଳା ସ୍ବେଛାସେବୀ ଭାବେ ସରସ୍ଵତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରିଥିଲେ।

ମୋନାଲିସା ରାଉତଙ୍କ ଏହି ପୁରସ୍କାର ଲାଭ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପକ ବାଳକୃଷ୍ଣ ପାଢ଼ୀ, ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସହ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।