Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମବଙ୍ଗ ଫେରନ୍ତା ଏନ୍‌ଡିଆରଏଫ୍‌ ଯବାନଙ୍କୁ କରୋନା : କ୍ବାରେଣ୍ଟିନ୍‌ରେ 372 ଜଣ

ଭୁବନେଶ୍ବର : ପଶ୍ଚିମବଙ୍ଗରୁ ଆମ୍ପାନ ମୁକାବିଲା ପରେ ଫେରିଥିବା ଜଣେ ଏନ୍‌ଡିଆରଏଫ୍‌ ଯବାନ କରୋନା ଆକ୍ରାନ୍ତ ହେବା ପରେ ଅନ୍ୟ 389 ଜଣଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମୁଦ୍ରିକ ବାତ୍ୟା ଆମ୍ପାନରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତି ଘଟିବା ପରେ ଓଡିଶାରୁ 500 ଜଣ ଓଡ୍ରାଫ୍‌ ଏବଂ ଅଗ୍ନିଶମ କର୍ମୀଙ୍କ ସହିତ 10ଟି ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଥିଲା । ସଫେଇ ଏବଂ ଉଦ୍ଧାର କାର୍ଯ୍ୟ ଶେଷ କରି ଏହି ଟିମ୍‌ ଫେରିବା ପରେ ଜଣେ ଏନ୍‌ଡିଆରଏଫ୍‌ ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଯବାନ ଜଣକ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଅନ୍ୟ 389 ଜଣଙ୍କୁ 14 ଦିନିଆ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସହାକାରୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Categories
ବିଶେଷ ଖବର

ଆସିଲା ଆମ୍ପାନ୍‌ କ୍ଷୟକ୍ଷତି ରିପୋର୍ଟ : 10ଟି ଜିଲ୍ଲାର 44 ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ବର : ଓଡିଶା ଦେଇ ଗତି କରିଥିବା ସାମୁଦ୍ରିକ ଝଡ ଆମ୍ପାନ୍‌ର କ୍ଷୟକ୍ଷତି ରିପୋର୍ଟ ଆସିଛି । ଜିଲ୍ଲାପାଳ ମାନଙ୍କ ପକ୍ଷରୁ ପଠାଯାଇଥିବା ରିପୋର୍ଟ ଆଧାରରେ ଓଡିଶା ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇଛି । ଓଡିଶାର 10ଟି ଜିଲ୍ଲା ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 4 ଟି ଜିଲ୍ଲା ଗଭୀର ଭାବରେ ପ୍ରଭାବିତ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ମୟୁରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀ ଆାଂଶିକ ଭାବରେ ପ୍ରଭାବିତ ହୋଇଛି । ଉପରଲିଖିତ 10 ଜିଲ୍ଲାର 92ଟି ବ୍ଲକ୍‌ର 1558 ଗ୍ରାମ ପଞ୍ଚାୟତ ଏବଂ 9883ଟି ଗ୍ରାମ ପ୍ରଭାବିତ ହୋଇଛି । ସେହିପରି 22ଟି ନଗର ପାଳିକା ଓ ପୌରପାଳିକାର 272ଟି ଓ୍ବାର୍ଡ ଏହା ଦ୍ବାରା ପ୍ରଭାବିତ ହୋଇଛି । ଏହି ବାତ୍ୟା ଦ୍ବାରା 44 ଲକ୍ଷ 44 ହଜାର 896 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 8,72,049ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ଏହି ବାତ୍ୟାରେ 500ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ 15 ହଜାର ଘର ଆାଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । କୌଣସି ମାନବ ଜୀବନ ହାନି ଘଟିନଥିବା ବେଳେ 28ଟି ବଡ ଗୃହପାଳିତ ପଶୁ, 9ଟି କ୍ଷୁଦ୍ର ଗୃହପାଳିତ ପଶୁ ଏବଂ 3680 କୁକୁଡା ପ୍ରାଣ ହରାଇଛନ୍ତି ।

ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ 2,00,346 ଜଣ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତ୍ବରିତ ଡାକ୍ତରୀ ସହାୟତା ନିମନ୍ତେ 210ଟି ମୋବାଇଲ୍‌ ମେଡିକାଲ ଟିମ୍‌ ମୁତୟନ କରାଯାଇଥିଲା । ପଶୁଚିକିତ୍ସା ପାଇଁ 75ଟି ଭେଟେନାରୀ ଟିମ୍‌ ମୁତୟନ କରାଯାଇଥିବା ବେଳେ ଏହା ମଧ୍ୟରେ 79 ଜଣ ଭେଟେନାରୀ ଡାକ୍ତର ଏବଂ 310 ଜଣ ପାରା ଭେଟ୍‌ସ ରହିଥିଲେ । 32ଟି ପୁଶୁଚିକିତ୍ସା କ୍ୟାମ୍ପ କରାଯାଇ 1242ଟି ଜୀବଜନ୍ତୁଙ୍କ ଚିକିତ୍ସା କରାଯାଇଥିବା 900ଙ୍କ ଟୀକାକରଣ କରାଯାଇଥିଲା ।

ଘରଭଙ୍ଗା କ୍ଷୟକ୍ଷତି ଆକଳନ ପୂର୍ଣ୍ଣକ୍ଷମତାର ସହ ଜାରି ରହିଥିବା ବେଳ 26 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ଆସିଯିବ । ସମସ୍ତ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ ନହେବା ପର୍ଯ୍ୟନ୍ତ ସମସ୍ତ ସର୍ବସାଧାରଣ ଛୁଟିକୁ ବାତିଲ କରିଛନ୍ତି ସରକାର ।

ଶକ୍ତି : ବାତ୍ୟା ସମୟରେ ବିଜୁଳି ବ୍ୟବସ୍ଥା ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି । 34 କିମିର 33 କେଭି ଲାଇନ୍‌ କ୍ଷୟକ୍ଷତି ହୋଇଥିବା ବେଳେ 453 କିମିର 11 କେଭି ଲାଇନ୍‌ ଏବଂ 680 କିମିର ଏଲ୍‌ଟି ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ 2439ଟି ଡିଷ୍ଟ୍ରିବ୍ୟୁସନ୍‌ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଅଞ୍ଚଳରେ 85 ପ୍ରତିଶତ ସ୍ଥାନରେ ବିଦ୍ୟୁତ ସେବା ପ୍ରଦାନ କରାଯାଇଥିବା ବେଳେ ଆଜି ସୁଦ୍ଧା ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ୍‌ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ କରାଯିବ ବୋଲି ଜଣାପଡିଛି ।

ଟେଲିକମ୍‌ : ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଜଗତସିଂହପୁର ଏବଂ ମୟୁରଭଞ୍ଜରେ 4930ଟି ମୋବାଇଲ୍‌ ଟାଓ୍ବାର ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଟାଓ୍ବାର ଗୁଡିକ ମଧ୍ୟରୁ 90 ପ୍ରତିଶତ କାର୍ଯ୍ୟକ୍ଷମ ହୋଇସାରିଛି ।

କୃଷି : ରାଜ୍ୟରେ ସମୁଦାୟ 1 ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଏହାର ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ଜାରି ରହିଛି ଏବଂ 26 ତାରିଖ ସୁଦ୍ଧା ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯିବ ।

ପାନୀୟ ଜଳ : ପାନୀୟ ଜଳରେ ସେଭଳି ବିଶେଷ କ୍ଷତି ହୋଇନାହିଁ । ରାଜ୍ୟର 93 ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି । ଆଜିସୁଦ୍ଧା ସମସ୍ତ ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରାଯିବ । ତେବେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଣ ଅବ୍ୟାହତ ରହିଛି । ବିଭିନ୍ନ ଅଞ୍ଚଳରେ 81ଟି ଟ୍ୟାଙ୍କର ଜରିଆରେ ଜଳଯୋଗାଣ ଜାରି ରହିଛି । ସହରାଞ୍ଚଳରେ ରହିଥିବା 401 ପମ୍ପହାଉସ୍‌ ମଧ୍ୟରୁ 376ଟି ସ୍ବାଭାବିକ ହୋଇ ସାରିଥିବା ବେଳେ ବଳକା 25ଟି ଜେନେରେଟର ଜରିଆରେ ଜଳଯୋଗାଣ ଜାରି ରହିଛି । ସହରାଞ୍ଚଳ ଗୁଡିକ ପାଇଁ 55ଟି ଟ୍ୟାଙ୍କର ଜଳଯୋଗାଣ ନିମନ୍ତେ ନିଯୁକ୍ତ କରାଯାଇଛି ।

ମତ୍ସ୍ୟ ଚାଷ : ବାତ୍ୟା ସମୟରେ 14ଟି ମାଛଧରା ବୋଟ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, 41ଟି ବୋଟ୍‌ ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ 41ଟି ଜାଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।

ଜଙ୍ଗଲ : କଟକ-ବାଲେଶ୍ବର ଜଙ୍ଗଲ ବିଭାଗ ଅଧୀନରେ ପ୍ରାୟ 4000 ଗଛ ଉପୁଡି ପଡିଥିବା ବେଳେ ଅସ୍ତରଙ୍ଗ ରେଞ୍ଜରେ 2 ହଜାର ଗଛ ଉପୁଡି ପଡିଛି ।

ରାସ୍ତା : 290ଟି ରାସ୍ତା ଅବରୋଧ ହୋଇଥିବା ବେଳେ 2592ଟଇ ଗଛ କଟାଯାଇ ଏହାକୁ କ୍ଲିଅର୍‌ କରାଯାଇଛି । ସେହିପରି ସୁମଦାୟ 151.05 କିମିର ରାସ୍ତା ନଷ୍ଟ ହୋଇଥିବା ବେଳେ 42ଟି ବ୍ରିଜ୍‌ ନଷ୍ଟ ହୋଇଛି ।

କୋଠାଘର : ପ୍ରାଥମିକ ରିପୋର୍ଟ ଅନୁଯାୟୀ 646ଟି ଅଙ୍ଗନବାଡି କେନ୍ଦ୍ର, 1552ଟି ପ୍ରାଥମିକ ବିଦ୍ୟାଳୟ ଏବଂ 298ଟି ଗ୍ରାମ ପଞ୍ଚାୟତ କୋଠା କ୍ଷତିଗ୍ରସ୍ତ ହୋଇଛି ।
ସେହିପରି ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମୁଦାୟ 19ଟି ଏନ୍‌ଡିଆରଏଫ୍‌ ଟିମ୍‌, 12ଟି ଓଡ୍ରାଫ୍‌ ଟିମ୍‌, 156ଟି ଅଗ୍ନିଶମ ବିଭାଗ ଟିମ୍‌ ଏବଂ ଦୁଇଟି ଓଏଫ୍‌ଡିସି ଟିମ୍‌ ମୁତୟନ କରାଯାଇଛି ।

Categories
ବିଶେଷ ଖବର

ଆକାଶମାର୍ଗରୁ ବାତ୍ୟା ପ୍ରପୀଡିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ: ତିନି ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଆମ୍ପାନ ପ୍ରଭାବରେ ଉତ୍ତର ଓଡିଶାର 4 ଜିଲ୍ଲା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ପରିଦର୍ଶନ କରିବା ସହିତ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଛନ୍ତି। ଏପରି ଘଡିସନ୍ଧି ମୂହୂର୍ତ୍ତରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ପ୍ରତି ସହାୟତାର ହାତ ବଢାଇବା ସହିତ ମୁଖ୍ୟ ଶାସନ ସଚିବଙ୍କୁ ମମତାଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏହା ସହିତ ମମତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଭାବିତ ଜିଲ୍ଲାକୁ ଆକାଶ ମାର୍ଗରେ ଗସ୍ତ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି। ବିଭିନ୍ନ କ୍ଷତିଗ୍ରସ୍ତ ସଡକ ପଥ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଗୁଡିକର ନିର୍ମାଣ ତ୍ବରିତ ଭାବରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେସୁ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏବଂ ନେସ୍କୋ ଅଧୀନରେ ରହିଥିବା ବିଦ୍ୟୁତ୍‌ ଗ୍ରୀଡ୍‌ ଗୁଡିକରେ 72 ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ପୁନର୍ସ୍ଥାପିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫସଲ କ୍ଷୟକ୍ଷତିର ରିପୋର୍ଟ ତିନିଦିନ ମଧ୍ୟରେ ଏବଂ ଏକ ସପ୍ତାହ ମଧ୍ୟରେ ଘରଭଙ୍ଗା ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ପାନ ପ୍ରଭାବରେ ରାଜ୍ୟର 89ଟି ବ୍ଲକ୍‌ର 44 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ପାନ୍‌ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ : ସୁନ୍ଦରବନରେ ହେବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ବର : ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ 4 ଘଣ୍ଟା ଧରି ଚାଲିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ଏହି ପ୍ରକିୟା ପ୍ରାୟ ସନ୍ଧ୍ୟା 6.30 ପର୍ଯ୍ୟନ୍ତ ଜାରି ରହିବ । ଲ୍ୟାଣ୍ଡଫଲର ପ୍ରାୟ 30 ମିନିଟ୍‌ ପର୍ଯ୍ୟନ୍ତ ଏହି ବାତ୍ୟା ବ୍ୟାପକ କ୍ଷତି ଘଟାଇବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏହି ବାତ୍ୟା ପ୍ରଭାବରେ ଉତ୍ତର ଓଡିଶା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାତି 9ଟା ସୁଦ୍ଧା ବାଲେଶ୍ବରରେ ବର୍ଷା କମିଯିବା ନେଇ ମଧ୍ୟ ପୂର୍ବାନୂମାନ ଲଗାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଆମ୍ପାନ୍‌ ଅପ୍‌ଡେଟ୍‌ : ମଧ୍ୟରାତ୍ରିରୁ ବଢିବ ପବନର ବେଗ!

ଭୁବନେଶ୍ବର : ଆମ୍ପାନ ଦ୍ବାରା ରାଜ୍ୟର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମୁକାବିଲା ନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ବିଭିନ୍ନ ଜିଲ୍ଲାକୁ 15ଟି ଏନ୍‌ଡିଆର୍‌ଏଫ୍‌ ଏବଂ 16ଟି ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବା ବେଳେ 217ଟି ଅଗ୍ନିଶମ ଟିମ୍‌କୁ ପଠାଯାଇଛି । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଲୋକମାନଙ୍କର ସ୍ଥାନାନ୍ତରଣ ଜାରି ରହିଛି । ମଧ୍ୟରାତ୍ରରୁ ପବନର ବେଗ ବଢିବାର ସମ୍ଭାବନା ରହିଥିବାରୁ ଲୋକମାନଙ୍କୁ ଏହାପୂର୍ବରୁ ସ୍ଥାନାନ୍ତର କରାଯିବ । ଦିନ 3ଟା ସୁଦ୍ଧା 35 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ବିଦ୍ୟୁତ୍‌ ସେବା ଏବଂ ପାନୀୟ ଜଳକୁ ନିରବଛିନ୍ନ ଭାବରେ ଜାରି ରଖିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାରେ ପହଞ୍ଚିଥିବା ନେଇ ଏସ୍‌ଆରସି କହିଛନ୍ତି । ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ସାମାଜିକ ଦୂରତ୍ବକୁ ମାନିବା ପାଇଁ ଏସ୍‌ଆରସି ନିବେଦନ କରିଛନ୍ତି । ବାତ୍ୟା ସମୟରେ ବାହାରକୁ ନବାହାରିବା ପାଇଁ ଏସ୍‌ଆରସି ନିବେଦନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ପାନ୍‌ରେ ପ୍ରଭାବିତ ହେବ ନାହିଁ ମୋବାଇଲ୍‌ ସେବା

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ରେ ପ୍ରଭାବିତ ହେବ ନାହିଁ ମୋବାଇଲ୍‌ ସେବା । ଏନେଇ ରାଜ୍ୟର ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ସହ ସରକାରଙ୍କ ଆଲୋଚନା ହୋଇଛି । ଡିଜି ସହିତ ସମସ୍ତ କମ୍ପାନୀ ପ୍ରସ୍ତୁତ ଅଛନ୍ତି । ଏପରିକି ଗୋଟିଏ ବି ଟାଓ୍ବାର କାର୍ଯ୍ୟକ୍ଷମ ଥିଲେ ଅନ୍ୟ ସମସ୍ତ ଉପଭୋକ୍ତା ମୋବାଇଲ ସେବାର ଲାଭ ଉଠାଇ ପାରିବେ । ଓଡିଶାର ସମସ୍ତ କମ୍ପାନୀ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାମୁଦ୍ରିକ ବାତ୍ୟା ଆମ୍ଫାନ କ୍ରମଶଃ ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବାର ସମ୍ଭାବନା ନଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ବାତ୍ୟାଟି ପାରାଦ୍ବୀପ ଠାରୁ 420 କିମି ଦୂରରେ ରହିଥିବା ବେଳେ ଘଣ୍ଟାପ୍ରତି ଏହାର ବେଗ 15 କିମି ରହିଛି ।