ଆସିଲା ଆମ୍ପାନ୍‌ କ୍ଷୟକ୍ଷତି ରିପୋର୍ଟ : 10ଟି ଜିଲ୍ଲାର 44 ଲକ୍ଷ ଲୋକ ପ୍ରଭାବିତ

Published: May 23, 2020, 5:45 pm IST

ଭୁବନେଶ୍ବର : ଓଡିଶା ଦେଇ ଗତି କରିଥିବା ସାମୁଦ୍ରିକ ଝଡ ଆମ୍ପାନ୍‌ର କ୍ଷୟକ୍ଷତି ରିପୋର୍ଟ ଆସିଛି । ଜିଲ୍ଲାପାଳ ମାନଙ୍କ ପକ୍ଷରୁ ପଠାଯାଇଥିବା ରିପୋର୍ଟ ଆଧାରରେ ଓଡିଶା ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇଛି । ଓଡିଶାର 10ଟି ଜିଲ୍ଲା ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 4 ଟି ଜିଲ୍ଲା ଗଭୀର ଭାବରେ ପ୍ରଭାବିତ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ମୟୁରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀ ଆାଂଶିକ ଭାବରେ ପ୍ରଭାବିତ ହୋଇଛି । ଉପରଲିଖିତ 10 ଜିଲ୍ଲାର 92ଟି ବ୍ଲକ୍‌ର 1558 ଗ୍ରାମ ପଞ୍ଚାୟତ ଏବଂ 9883ଟି ଗ୍ରାମ ପ୍ରଭାବିତ ହୋଇଛି । ସେହିପରି 22ଟି ନଗର ପାଳିକା ଓ ପୌରପାଳିକାର 272ଟି ଓ୍ବାର୍ଡ ଏହା ଦ୍ବାରା ପ୍ରଭାବିତ ହୋଇଛି । ଏହି ବାତ୍ୟା ଦ୍ବାରା 44 ଲକ୍ଷ 44 ହଜାର 896 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 8,72,049ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ଏହି ବାତ୍ୟାରେ 500ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ 15 ହଜାର ଘର ଆାଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । କୌଣସି ମାନବ ଜୀବନ ହାନି ଘଟିନଥିବା ବେଳେ 28ଟି ବଡ ଗୃହପାଳିତ ପଶୁ, 9ଟି କ୍ଷୁଦ୍ର ଗୃହପାଳିତ ପଶୁ ଏବଂ 3680 କୁକୁଡା ପ୍ରାଣ ହରାଇଛନ୍ତି ।

ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ 2,00,346 ଜଣ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତ୍ବରିତ ଡାକ୍ତରୀ ସହାୟତା ନିମନ୍ତେ 210ଟି ମୋବାଇଲ୍‌ ମେଡିକାଲ ଟିମ୍‌ ମୁତୟନ କରାଯାଇଥିଲା । ପଶୁଚିକିତ୍ସା ପାଇଁ 75ଟି ଭେଟେନାରୀ ଟିମ୍‌ ମୁତୟନ କରାଯାଇଥିବା ବେଳେ ଏହା ମଧ୍ୟରେ 79 ଜଣ ଭେଟେନାରୀ ଡାକ୍ତର ଏବଂ 310 ଜଣ ପାରା ଭେଟ୍‌ସ ରହିଥିଲେ । 32ଟି ପୁଶୁଚିକିତ୍ସା କ୍ୟାମ୍ପ କରାଯାଇ 1242ଟି ଜୀବଜନ୍ତୁଙ୍କ ଚିକିତ୍ସା କରାଯାଇଥିବା 900ଙ୍କ ଟୀକାକରଣ କରାଯାଇଥିଲା ।

ଘରଭଙ୍ଗା କ୍ଷୟକ୍ଷତି ଆକଳନ ପୂର୍ଣ୍ଣକ୍ଷମତାର ସହ ଜାରି ରହିଥିବା ବେଳ 26 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ଆସିଯିବ । ସମସ୍ତ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ ନହେବା ପର୍ଯ୍ୟନ୍ତ ସମସ୍ତ ସର୍ବସାଧାରଣ ଛୁଟିକୁ ବାତିଲ କରିଛନ୍ତି ସରକାର ।

ଶକ୍ତି : ବାତ୍ୟା ସମୟରେ ବିଜୁଳି ବ୍ୟବସ୍ଥା ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି । 34 କିମିର 33 କେଭି ଲାଇନ୍‌ କ୍ଷୟକ୍ଷତି ହୋଇଥିବା ବେଳେ 453 କିମିର 11 କେଭି ଲାଇନ୍‌ ଏବଂ 680 କିମିର ଏଲ୍‌ଟି ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ 2439ଟି ଡିଷ୍ଟ୍ରିବ୍ୟୁସନ୍‌ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଅଞ୍ଚଳରେ 85 ପ୍ରତିଶତ ସ୍ଥାନରେ ବିଦ୍ୟୁତ ସେବା ପ୍ରଦାନ କରାଯାଇଥିବା ବେଳେ ଆଜି ସୁଦ୍ଧା ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ୍‌ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ କରାଯିବ ବୋଲି ଜଣାପଡିଛି ।

ଟେଲିକମ୍‌ : ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଜଗତସିଂହପୁର ଏବଂ ମୟୁରଭଞ୍ଜରେ 4930ଟି ମୋବାଇଲ୍‌ ଟାଓ୍ବାର ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଟାଓ୍ବାର ଗୁଡିକ ମଧ୍ୟରୁ 90 ପ୍ରତିଶତ କାର୍ଯ୍ୟକ୍ଷମ ହୋଇସାରିଛି ।

କୃଷି : ରାଜ୍ୟରେ ସମୁଦାୟ 1 ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଏହାର ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ଜାରି ରହିଛି ଏବଂ 26 ତାରିଖ ସୁଦ୍ଧା ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯିବ ।

ପାନୀୟ ଜଳ : ପାନୀୟ ଜଳରେ ସେଭଳି ବିଶେଷ କ୍ଷତି ହୋଇନାହିଁ । ରାଜ୍ୟର 93 ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି । ଆଜିସୁଦ୍ଧା ସମସ୍ତ ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରାଯିବ । ତେବେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଣ ଅବ୍ୟାହତ ରହିଛି । ବିଭିନ୍ନ ଅଞ୍ଚଳରେ 81ଟି ଟ୍ୟାଙ୍କର ଜରିଆରେ ଜଳଯୋଗାଣ ଜାରି ରହିଛି । ସହରାଞ୍ଚଳରେ ରହିଥିବା 401 ପମ୍ପହାଉସ୍‌ ମଧ୍ୟରୁ 376ଟି ସ୍ବାଭାବିକ ହୋଇ ସାରିଥିବା ବେଳେ ବଳକା 25ଟି ଜେନେରେଟର ଜରିଆରେ ଜଳଯୋଗାଣ ଜାରି ରହିଛି । ସହରାଞ୍ଚଳ ଗୁଡିକ ପାଇଁ 55ଟି ଟ୍ୟାଙ୍କର ଜଳଯୋଗାଣ ନିମନ୍ତେ ନିଯୁକ୍ତ କରାଯାଇଛି ।

ମତ୍ସ୍ୟ ଚାଷ : ବାତ୍ୟା ସମୟରେ 14ଟି ମାଛଧରା ବୋଟ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, 41ଟି ବୋଟ୍‌ ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ 41ଟି ଜାଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।

ଜଙ୍ଗଲ : କଟକ-ବାଲେଶ୍ବର ଜଙ୍ଗଲ ବିଭାଗ ଅଧୀନରେ ପ୍ରାୟ 4000 ଗଛ ଉପୁଡି ପଡିଥିବା ବେଳେ ଅସ୍ତରଙ୍ଗ ରେଞ୍ଜରେ 2 ହଜାର ଗଛ ଉପୁଡି ପଡିଛି ।

ରାସ୍ତା : 290ଟି ରାସ୍ତା ଅବରୋଧ ହୋଇଥିବା ବେଳେ 2592ଟଇ ଗଛ କଟାଯାଇ ଏହାକୁ କ୍ଲିଅର୍‌ କରାଯାଇଛି । ସେହିପରି ସୁମଦାୟ 151.05 କିମିର ରାସ୍ତା ନଷ୍ଟ ହୋଇଥିବା ବେଳେ 42ଟି ବ୍ରିଜ୍‌ ନଷ୍ଟ ହୋଇଛି ।

କୋଠାଘର : ପ୍ରାଥମିକ ରିପୋର୍ଟ ଅନୁଯାୟୀ 646ଟି ଅଙ୍ଗନବାଡି କେନ୍ଦ୍ର, 1552ଟି ପ୍ରାଥମିକ ବିଦ୍ୟାଳୟ ଏବଂ 298ଟି ଗ୍ରାମ ପଞ୍ଚାୟତ କୋଠା କ୍ଷତିଗ୍ରସ୍ତ ହୋଇଛି ।
ସେହିପରି ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମୁଦାୟ 19ଟି ଏନ୍‌ଡିଆରଏଫ୍‌ ଟିମ୍‌, 12ଟି ଓଡ୍ରାଫ୍‌ ଟିମ୍‌, 156ଟି ଅଗ୍ନିଶମ ବିଭାଗ ଟିମ୍‌ ଏବଂ ଦୁଇଟି ଓଏଫ୍‌ଡିସି ଟିମ୍‌ ମୁତୟନ କରାଯାଇଛି ।

Related posts