Categories
ଆଜିର ଖବର ରାଜ୍ୟ ଖବର

ତପ୍ତପାଣି ଦୁର୍ଘଟଣା : ମୃତକଙ୍କ ପରିବାରକୁ 2 ଲକ୍ଷର ସହାୟତା ଘୋଷଣା କଲେ ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ତପ୍ତପାଣିରେ ଘଟିଥିବା ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶକି ଘୋଷଣା କରିଛନ୍ତି । ତପ୍ତପାଣିର ପାଳୁଖୋଲାରେ ବସ୍‌ ଓଲଟି 7ଜଣଙ୍କର ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଥିଲେ । ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏହା ବ୍ୟତିତ ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସହିତ ଯୋଜନା ନିମନ୍ତେ ଆବଶ୍ୟକ ଥିବା ବାସଗୃହ, ମଠ ଏବଂ ଦୋକାନ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ଅଧିନିୟମ 2013 ଅନୁଯାୟୀ ଏହି କ୍ଷତିପୂରଣ ପ୍ରଦାନ କରାଯିବ ।

ବିସ୍ଥାପିତ ହେଉଥିବା ପରିବାର ଏବଂଦୋକାନୀଙ୍କୁ ପରିବହନ ଏବଂ ଅନ୍ୟ ବ୍ୟବସ୍ଥା ନିମନ୍ତେ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଜମି ଅଧିଗ୍ରହଣ ଦିନଠାରୁ 12 ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମାସିକ 15 ହଜାର ଟଙ୍କା ଘର ଭଡା ବାବଦରେ ପ୍ରଦାନ କରାଯିବ । 200 ମିଟରରୁ କମ୍‌ ଅଞ୍ଚଳରେ ପରିବ୍ୟାପ୍ତ ଦୋକାନ ପାଇଁ ମାସିକ 15 ହଜାର ଏବଂ 200 ବର୍ଗ ମିଟରରୁ ଅଧିକ ବଡ ଦୋକାନ ପାଇଁ ମାସିକ 20 ହଜାରର ଭଡା ପ୍ରଦାନ କରାଯିବ । ବାସଗୃହ ହରାଉଥିବା ଘର ମାଲିକଙ୍କୁ 20 ଲକ୍ଷଟଙ୍କାର ଥଇଥାନ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜମି ହରାଇଥିବା ମାଲିକଙ୍କୁ ଜମି ବଦଳରେ ଜମି ପ୍ରଦାନ କରାଯିବ । ଯଦି ଜମିର ମୂଲ୍ୟ କମ୍‌ ରୁହେ ତେବେ ଅବଶିଷ୍ଟ ପ୍ରାପ୍ୟ ଅର୍ଥ ଆକାରରେ ପ୍ରଦାନ କରାଯିବ ।
ସ୍ଥିତିବାନ ସ୍ବତ୍ବରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦୋକାନ ହରାଇଥିବା ସମସ୍ତ ଦୋକାନୀଙ୍କୁ ମାର୍କେଟ୍‌ କମ୍ପ୍ଲେକ୍ସରେ 50 ପ୍ରତିଶତ ରିହାତିରେ ଘର ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଅନ୍ୟଥା ଦୋକାନୀ ଚାହିଁଲେ ଏକକାଳୀନ 20 ଲକ୍ଷ ଟଙ୍କାର ସହାୟତା ନେଇପାରିବେ ।

ଉଠାଦୋକାନୀ ମାନଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ଏକକାଳୀନ 30 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ଏହା ସହିତ ନିୟମ ଅନୁଯାୟୀ ଭେଣ୍ଡିଂ ଯୋଜନା କରାଯାଇ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ । ଯୋଜନାରେ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନ ପାଇଁ ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ । ସେହିପରି ଉଚ୍ଛେଦ ହୋଇଥିବା ମଠର ପୁନର୍ବିନ୍ୟାସ ବିଏମ୍‌ସି କମିଶନରଙ୍କ ନେତୃତ୍ବରେ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବସ୍ତରୀୟ ହେବ ଏସ୍‌ସିବି : ଆସନ୍ତା କାଲି ସମୀକ୍ଷା କରିବେ ମୁ୍‌ଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
କଟକ : ଓଡିଶାର ସର୍ବପୁରାତନ ଶ୍ରୀରମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସମୀକ୍ଷା ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଏସ୍‌ସିବି ଗସ୍ତ ପରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫେବୃୟାରୀ 28 ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ କରାଯିବ ଏବଂ ମାର୍ଚ୍ଚ 1 ତାରିଖରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପାଣ୍ଡିଆନଙ୍କ ପ୍ରସ୍ତାବ ପରେ ସରକାର ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚିକିତ୍ସାଳୟକୁ ବିଶ୍ବସ୍ତରୀୟ କରିବା ପାଇଁ ଆବଶ୍ୟକ ଜମି ନିମନ୍ତେ ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶର କିଛି ସ୍ଥାନ ସମେତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଉଚ୍ଛେଦ କରାଯିବ । ଏହି ପ୍ରକ୍ରିୟାରେ 13 ଜଣ ଡାକ୍ତରଙ୍କ ଘର ମଧ୍ୟ ଉଚ୍ଛେଦ ହେବ । କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ଏହା ସହିତ ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଞ୍ଜୋଗ କରୁଥିବା ରାସ୍ତାକୁ ତିନି ଲେନ୍‌ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ୍‌ ନିର୍ମାଣ କରିବାର ଯୋଜନା ରହିଛି । ଏହି ଗସ୍ତରେ ପୂର୍ତ୍ତବିଭାଗ ସଚିବ ଡ. କ୍ରିଷନ୍‌ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଏବଂ ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥୁଭାଥନନ ପ୍ରମୁଖ 5ଟି ସଚିବଙ୍କ ସହିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସମଲେଶ୍ବରୀ ଏବଂ ହୀରାକୁଦ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବରଗଡ ଗସ୍ତ ସମୟରେ ସମଲେଶ୍ବରୀ ମନ୍ଦିର ଏବଂ ହୀରାକୁଦ ପରିଦର୍ଶନ କରିଛନ୍ତି । ସମଲେଶ୍ବରୀ ମନ୍ଦିର ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ସୁବିଧା ସୁଯୋଗ ପାଇଁ ଘୋଷଣା କରିଥିଲେ । ମନ୍ଦିରର ବିକାଶ ପାଇଁ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହୀରାକୁଦରେ ଜଳକ୍ରୀଡାର ବିକାଶ ସହିତ ଉଦ୍ୟାନ ଏବଂ ସମ୍ମିଳନୀ କକ୍ଷ ସ୍ଥାପନ କରାଯାଇ ହୀରାକୁଦକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରପର୍ଟି ଟ୍ୟାକ୍ସ ମଡ୍ୟୁଲ୍‌ ଏବଂ ମ୍ୟୁନିସିପାଲ ପ୍ରିମିଅର ଲିଗ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆୟକର ଆଦାୟରେ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଟିକସ୍‌ ପୈଠ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ରେ ରଖାଯାଇଛି । ଭୁବନେଶ୍ବର ଅଧିବାସୀ http://bhubaneswar.me ଜରିଆରେ ଟିକସ ପୈଠ କରୁଥିବା ବେଳେ ପୌରାଞ୍ଚଳ ଅଧିବାସୀ http://ulbodisha.gov.inରେ ଟିକସ ଭରିବେ । ପ୍ରତିଯୋଗିତା ମୂଳକ ଉପାୟରେ କର ସଂଗ୍ରହ ପାଇଁ ମ୍ୟୁନିସିପାଲ ପ୍ରିମିଅର ଲିଗ୍‌ ପ୍ରଣୟନ କରାଯାଇଛି । 9ଟି ସହର ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ଜଣାପଡିଛି । କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ ଏବଂ ଇ ଓ୍ବାଲେଟ୍‌ ଜରିଆରେ ଜନ ସାଧାରଣ ଟିକସ ଦାଖଲ କରିପାରିବେ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରୁ ଫେରିଲେ 11 ଓଡିଆ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଶ୍ରୀଲଙ୍କାରେ ଅଟକ ରହିଥିବା 11 ଓଡିଆଙ୍କୁ ଉଦ୍ଧାର କରାଯାଇଛି । ଠିକାଦାରଙ୍କ ଦ୍ବାରା ଏହି 11 ଜଣ ଶ୍ରମିକଙ୍କୁ ବେଆଇନ ଭାବରେ ଅଟକ ରଖାଯାଇଥିଲା । ବିଜେଡି ସାଂସଦ ସସ୍ମିତ ପାତ୍ର ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଆଜି ଓଡିଶା ଅଣାଯାଇଛି । ସମସ୍ତ 11 ଜଣ ଶ୍ରମିକ ସୁରକ୍ଷିତ ଭାବରେ ଓଡିଶାରେ ପହଞ୍ଚିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପଦୋନ୍ନତିରେ ଫାଇଭ-ଟିର ପ୍ରଭାବ: ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ପଦୋନ୍ନତି କ୍ଷେତ୍ରରେ ଫାଇଭ-ଟିର ପ୍ରଭାବ ଦେଖିବାକୁ ମିଳିଛି। ଡିସେମ୍ବର ମାସର ଅନ୍ତିମ ସପ୍ତାହରେ ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାରଙ୍କ ୩୯ଟି ବିଭାଗରେ ଏହି ପଦୋନ୍ନତି କରାଯାଇଛି। ଗ୍ରୁପ୍‌ ଏରୁ ଗ୍ରୁପ୍‌ ଡି ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର କର୍ମଚାରୀଙ୍କୁ ଏହି ପଦୋନ୍ନତିରେ ସାମିଲ କରାଯାଇଛି। ବିଭିନ୍ନ ବିଭାଗରେ ପଦୋନ୍ନତିରେ ବିଳମ୍ବ ହେଉଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୧ ତାରିଖରେ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରିବାର ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ, ଗ୍ରୁପ୍‌ ଏର ୮୫୨ ଜଣ, ଗ୍ରୁପ୍‌ ବିରୁ ୫୨୭ ଜଣ, ଗ୍ରୁପ୍‌ ସିରୁ ୧୪୯୬ ଜଣ ଏବଂ ଗ୍ରୁପ୍‌ ଡିରୁ ୨୯୧ ଜଣଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଏହି ସମସ୍ତ ପଦୋନ୍ନତିକୁ ମିଶାଇ ୨୦୧୯ରେ ସମୁଦାୟ ୧୨୯୩୨ କର୍ମଚାରୀଙ୍କ ପଦୋନ୍ନତି ହୋଇଛି। ବିଭାଗୀୟ ସ୍ତରରେ ସ୍ବରାଷ୍ଟ୍ର ବିଭାଗରେ ସର୍ବାଧିକ ୨୩୩୦ ଜଣ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ୧୩୦୭ ଜଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୨୫୧ ଜଣଙ୍କୁ ପଦୋନ୍ନତି ମିଳିଛି। ସେହିପରି ଜିଲ୍ଲା ଅନୁଯାୟୀ କଟକରୁ ସର୍ବାଧିକ ୭୪୮ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ମୟୁରଭଞ୍ଜରେ ୨୧୮ ଏବଂ ଗଞ୍ଜାମରେ ୧୯୪ ଜଣଙ୍କୁ ପଦୋନ୍ନତି ମିଳିଛି।

 

Categories
ଆଜିର ଖବର ରାଜ୍ୟ ଖବର

ରେଳବାଇ ଅଡିଟୋରିୟମ୍‌ରେ ଖେଲୋ ଇଣ୍ଡିଆ ଜର୍ସି ଉନ୍ମୋଚନ କଲେ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,06/01: ଚନ୍ଦ୍ରଶେଖରପୁର ସ୍ଥିତ ରେଳବାଇ ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଲୋ ଇଣ୍ଡିଆ ଜର୍ସି ଉନ୍ମୋଚନ କରିଛନ୍ତି । ଆସନ୍ତା ଫେବୃୟାରୀ 22 ତାରିଖରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଦେଶର 6 ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରମେଶ ପୋଖରିୟାଲ ନିଶଙ୍କ ପ୍ରମୁଖ ଯୋଗ ଦେଇଥିଲେ । ଏହା ବ୍ୟତିତ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭିସି ମାଧ୍ୟମରେ ବୌଦ୍ଧ ମହୋତ୍ସବ ଉଦ୍‌ଘାଟନ, ୧୧୪ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୦୨/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆର ବୌଦ୍ଧ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। କଳାର ପ୍ରସାରରେ ବୌଦ୍ଧ ମହୋତ୍ସବ ରାଜ୍ୟ ତଥା ଦେଶର କଳାକାରଙ୍କ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ପାଇଁ ୨୭ଟି ନୂତନ ପ୍ରକଳ୍ପର ଘୋଷଣା କରିବା ସହିତ ଏହାର ଉଦ୍‌ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ୨୭ଟି ପ୍ରକଳ୍ପରେ ୧୧୪ କୋଟି ଟଙ୍କା ବିନିଯୋଗ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୬୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ସରକାରଙ୍କ ପକ୍ଷରୁ ସଡକ ପ୍ରକଳ୍ପ, ସ୍ପୋର୍ଟସ୍‌, ଛାତ୍ରୀ ନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ବିଭିନ୍ନ ବିଭାଗର ସଚିବ ଏବଂ ବୌଦ୍ଧ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲାର କଳାକାର ମାନେ ପ୍ରସ୍ତୁତ କରିଥିବା ମାଟିର ଏକ ବୌଦ୍ଧ ମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

 

 

Categories
ଆଜିର ଖବର ରାଜ୍ୟ ଖବର

ଗୀତା ମେହେଟ୍ଟାଙ୍କ ସ୍ବାମୀଙ୍କ ପରଲୋକ: ସୋସିଆଲ ମିଡିଆରେ ନବୀନଙ୍କ ଶୋକ ପ୍ରକାଶ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 31/12: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ନବୀନ ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ନବୀନ। ସୋନି ଜଣେ ଉତ୍ତମ ସମ୍ପାଦକ ଏବଂ ଭଲ ମଣିଷ ଥିଲେ ଭଗବାନ ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର

ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ମହିଳା ଏସ୍‌ଏଚ୍‌ଜିକୁ ଜଳଯୋଗାଣ ପରିଚାଳନା ଦାୟିତ୍ବ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,18/12 : ଭୁବନେଶ୍ବର ସ୍ଥିତ ରେଳବାଇ ଅଡିଟୋରିୟମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସାଥୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଏହା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜଳଯୋଗାଣ ପରିଚାଳନା ଦାୟିତ୍ବ ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମହିଳା ମାନେ ଛତୁଆ ତିଆରି, ବିଦ୍ୟୁତ୍‌ ମିଟର ରିଡିଙ୍ଗ ଏବଂ ଧାନ ସଂଗ୍ରହ ପରି କାର୍ଯ୍ୟକ୍ରମରେ ସଫଳ ଯୋଗଦାନ ଦେଇଥିବା ବେଳେ ଏଣିକି ଜଳଯୋଗାଣ ପ୍ରକଳ୍ପରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜ୍ୟର ପ୍ରତ୍ୟୋକ ଘରକୁ ପିଇବା ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀ ମାନେ ସଫଳତାର ସହିତ ଆଗକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀ ମାନଙ୍କୁ ଜଳର ମାନ ପରୀକ୍ଷଣ କିଟ୍‌ ଏବଂ ପିଓଏସ୍‌ ମେସିନ୍‌ ବଣ୍ଟନ କରିଥିଲେ । ନୂତନ ଜଳ ସଂଯୋଗ ସହିତ ମାସିକ ଦେୟ ଆଦାୟ ଏବଂ ଜଳର ମାନ ପରୀକ୍ଷଣ କରିବେ ଜଳସାଥୀ । ଓ୍ବାଟ୍‌କୋ ଦ୍ୱାରା ଏହି ଯୋଜନା ହାତକୁ ନିଆଯାଇଥିବା ବେଳେ ନବୀନ ନିବାସର ଜଳକର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳକର ବାବଦକୁ ରୂପେ କାର୍ଡରେ 593 ଟଙ୍କା ଜଳସାଥୀଙ୍କୁ ଦେଇ ଯୋଜନାର ଶୁଭାରମ୍ଭ କରିଛନ୍ତି ନବୀନ ।

Categories
ବିଶେଷ ଖବର

ବିଜେଡି ବିଜେପି ଭାଇ ଭାଇ ,ହେଲେ ବିରୋଧୀ ହେବାର ଏ ନାଟକ କାହା ପାଇଁ?

ସମୀକ୍ଷା ବ୍ୟୁରୋ

୨୦୦୭-୦୮ କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ କରନ ଥାପରଙ୍କୁ ଏକ ସାକ୍ଷାତ୍କାର ଦେଇ କହିଥିଲେ ଯେ- ତାଙ୍କର ଧର୍ମ ନିରପେକ୍ଷ ଚରିତ୍ର ଉପରେ କେହି ବି ଆଙ୍ଗୁଳି ଉଠାଇ ପାରିବେ ନାହିଁ, କାରଣ ତାଙ୍କର ହାଡେ ହାଡେ ଧର୍ମନିରପେକ୍ଷତାର ବିଚାର ରହିଛି। ନିଜ କଥା ପ୍ରମାଣିତ କରିବାକୁ ଯାଇ ନବୀନ ୯ ବର୍ଷ ଧରି ରହିଥିବା ବିଜେପି ସହିତ ବିଜେଡ଼ିର ସମ୍ପର୍କ ତୁଟାଇ ଦେଇଥିଲେ। ୨୦୦୯ ନିର୍ବାଚନ ବିଜେଡି ଏକାକୀ ଲଢିଲା ଓ ବେଶ ଭଲ ଭାବରେ ଜିତିଲା। ୨୦୦୯, ୨୦୧୪ଓ ୨୦୧୯ ନିର୍ବାଚନରେ ଏକାକୀ ନିର୍ବାଚନ ଲଢି ବିଜେଡି ୧୦୦ ରୁ ଅଧିକ ଆସନ ପାଇ ଆସୁଛି। ୨୦୦୯ ପରଠୁ ବିଜେପି ସହିତ ବିଜେଡିର ମତଭେଦ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ବାଚନୀ ରାଜନୀତିରେ ଉଭୟ ପରଷ୍ପର ର ଶତ୍ରୁ ଭଳି ରହିଛନ୍ତି। ୨୦୧୯ ନିର୍ବାଚନପ୍ରଚାର ସମୟରେ ମଧ୍ୟ ନବୀନ ବାବୁ ବିଜେପି ର ସାମ୍ପ୍ରଦାୟିକ ଚରିତ୍ରକୁ ନେଇ ସମାଲୋଚନା କରିଥିଲେ। ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେସାଇଙ୍କୁ ସାକ୍ଷତକାର ଦେଇ ନବୀନ ବାବୁ କହିଥିଲେ ଯେ ବିଜେପିର ଉଗ୍ର ସାମ୍ପ୍ରଦାୟିକ ଚରିତ୍ର କାରଣରୁ ତାଙ୍କ ସହ ସହଯୋଗ କରିବା ବିଜେଡି ପକ୍ଷରେ ସମ୍ଭବ ନୁହେଁ।

ହଠାତ ନିର୍ବାଚନ ସରିବା ପରେ ନବୀନ ବାବୁ ଓ ତାଙ୍କ ବିଜେଡି ଦଳ ବିଜେପିର ସାମ୍ପ୍ରଦାୟିକ ଚରିତ୍ର କଥା ଭୁଲିଗଲେ ଓ ନିଃସର୍ତ୍ତରେ ବିଜେପିର ସବୁଠୁ ବିଶ୍ଵସ୍ତ ସହଯୋଗୀ ହୋଇ ପଡିଲେ। ଯଦିଓ ବିଜେଡି ସମର୍ଥନ ବିଜେପି ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା, ତେବେ ସଂସଦରେ ବିଭିନ୍ନ ବିଲ ଗୃହୀତ କରାଇବା ଲାଗି ବିଜେଡି ସମର୍ଥନ ବିଜେପି ଲାଗି ଅତ୍ୟନ୍ତ ଜରୁରୀ ଥିଲା। ରାଜ୍ୟର ବିଧାନସଭା ନିର୍ବାଚନ ଗଣିତକୁ ଦେଖିଲେ, ବିଜେଡ଼ିକୁ ସାମ୍ନା କରିବାର ସ୍ଥିତି ବିଜେପି ପାଖରେ ନାହିଁ। ପ୍ରଚଣ୍ଡ ସଂଖ୍ୟାମତ ଓ ଲୋକ ବିଶ୍ଵାସସତ୍ତ୍ଵେ ବିଜେପି ପାଖରେ ବିଜେଡି ଆତ୍ମ ସମର୍ପଣ କରିଚାଲିଛି କାହିଁକି?ତିନୋଟି ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପରେ ଓ ସାରାଦେଶରେ ପ୍ରବାହିତ ହେଉଥବା ପ୍ରବଳ ମୋଦୀ ହାୱାକୁ ପରାହତ କଲା ପରେ ବିଜେପି ପାଖରେ ଏ ଆତ୍ମ ସମର୍ପଣ ପଛର ରହସ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵୟ କଥା ଆଜି ବିଜେଡି କହୁଛି। ତେବେ ୨୦୧୯ ପର୍ୟନ୍ତ ବିଜେଡ଼ିର ନିଜସ୍ଵ ସ୍ଲୋଗାନ ଥିଲା “କେନ୍ଦ୍ର ଅବହେଳା”। ୨୦୧୯ ନିର୍ବାଚନ ଆଗରୁ ନବୀନ ବାବୁ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର କଥା ମଧ୍ୟ ଉଠାଇଥିଲେ। ବାସ୍ତବତା ଦୃଷ୍ଟିରୁ ଦେଖିଲେ ନରେନ୍ଦ୍ର ମୋଦୀ- ଅମିତ ଶାହାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରବଳ ଜନ ସମର୍ଥନ ପାଇଥିବା ନବୀନ ପଟ୍ଟନାୟକ ଆଜି ହଠାତ ମୋଦୀ-ଶାହାଙ୍କ ସବୁକଥାରେ ହଁ ମାରିବା ଅନେକଙ୍କୁ ଚକିତ କରିଛି।

ବିଜେଡି ରାଜ୍ୟର ସ୍ଵାର୍ଥ ଲାଗି କେନ୍ଦ୍ର ସହ ସହଯୋଗ କରୁଛି ବୋଲି ଯେଉଁ ଯୁକ୍ତି କରୁଛି, ତାହା ପଛରେ ସେମିତି କିଛି ଟାଣୁଆ ଯୁକ୍ତି ମଧ୍ୟ ନାହିଁ। କାଶ୍ମୀର ପ୍ରସଙ୍ଗ ହେଉ କି ଧର୍ମ ଆଧାରିତ ନାଗରିକ ସଂଶୋଧନ ବିଲ, ଏ ଦୁଇଟି ଯାକ ଆଇନ ବିଜେଡ଼ିର ଆଦର୍ଶ ପରିପନ୍ଥୀ। ବିଜୁ ପଟ୍ଟନାୟକଙ୍କ ରାଜନୀତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଚାର ଥିଲା ଧର୍ମ ନିରପେକ୍ଷତା। ନିଜ ଜୀବନ କାଳରେ ବିଜେପିକୁ ସାମ୍ପ୍ରଦାୟିକ କହି ସେ ଏହି ଦଳ ସହିତ କୌଣସି ବୁଝାମଣାକୁ ଅସ୍ଵୀକାର କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଗଠିତ ଦଳପ୍ରଥମେ ବିଜେପି ବୁଝାମଣା କରି ଦୁଇଥର ସରକାର ଗଢିଥିଲା। ତେବେ ଅଣ କଂଗ୍ରେସ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏହା ଏକ ବାସ୍ତବାଭିମୁଖୀ ପଦକ୍ଷେପ ଥିଲା ବୋଲି କୁହାଯାଇପାରେ।

ଆଜି ନବୀନଙ୍କ ନିଜ ରାଜନୈତିକ ପତିଆରା ଅତ୍ୟନ୍ତ ଦୃଢ ଓ ଓଡିଶାର ଜନମାନସରେ ତାଙ୍କ ବିରୋଧରେ ସେମିତି କୌଣସି ଅସନ୍ତୋଷ ନାହିଁ। ଗତ ନିର୍ବାଚନରେ ବିଜେପି ବିରୋଧରେ ହିଁ ନବୀନ ଜିତିଛନ୍ତି। ତେବେ ଏହି ବିପୁଳ ବିଜୟକୁ ସେ ବିଜେପି ପାଖରେ ସମର୍ପି ଦେବାର କାରଣ କଣ? ଧର୍ମ ଆଧାରରେ ନାଗରିକ ସଂଶୋଧନ ବିଲ ଅଣା ଯାଇଥିବାରୁ ଏହା ଦେଶର ସାମ୍ବିଧାନିକ ମୂଳ ଆଦର୍ଶ ବିରୋଧୀ। ନିଜକୁ ଧର୍ମ ନିରପେକ୍ଷ ଆଦର୍ଶ ଓ ଗାନ୍ଧୀବାଦର ଉତ୍ତରାଧିକାରୀ ବୋଲି କହୁଥିବା ଏହି ବିଲକୁ ନିଃସର୍ତ୍ତ ସମର୍ଥନ ଦେବାର କି କାରଣ ରହିଛି?

ବିଜେପି ସଂଘ ପରିବାରର ବିଚାରକୁ ନିଜର ନୂଆ ବିଚାର ଭାବେ ଗ୍ରହଣ କରିଛି କି? କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ବିଜେପି ସାଂସଦମାନେ ଯେଉଁ ଭାଷଣ ଦେଇଛନ୍ତି, ତାହା ସଂଘ ବିଚାରର ସମର୍ଥନ କରୁଛି। ତେଣୁ ବିଜେଡି ନିଜକୁ ଆଉ ଧର୍ମ ନିରପେକ୍ଷ ଆଦର୍ଶର ପ୍ରତିନିଧି ବୋଲି କହିବା ହାସ୍ୟାସ୍ପଦ ମନେହେବ। ବିଜେପି ଓଡିଶାରେ ପରାଜିତ ହୋଇ ମଧ୍ୟ ଆଜି ଓଡିଶାର ବିପୁଳ ସମର୍ଥନ ପାଉଛି, ତାର ଏକମାତ୍ର କାରଣ ହେଉଛି, ବିଜେପି ବିରୋଧୀ ଜନମତ ସହ ବିଜେଡି ବିଶ୍ଵାସଘାତକତା କରିଛି। ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିଜେପିର ପ୍ରଚଣ୍ଡ ଆକ୍ରମଣରୁ ସୁରକ୍ଷା ଦେଇ ନିଜର ନେତା ବାଛିଥିଲେ ସେମାନେ ଆଜି ଠକି ଯାଇଥିବାର ଅନୁଭବ କରିବାକୁ ବାଧ୍ୟ।

Categories
ଆଜିର ଖବର

ଶ୍ରୀମନ୍ଦିର ସୁରକ୍ଷା ବଳୟ ପାଇଁ 75 ପ୍ରତିଶତ ଜମି ଅଧିଗ୍ରହଣ : ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଅର୍ପଣ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,2/12: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବଳୟ ନିମନ୍ତେ ଆବଶ୍ୟକ ଥିବା ଜମିର 75 ପ୍ରତିଶତ ଘରୋଇ ଜମି ସ୍ବେଚ୍ଛାକୃତ ଭାବରେ ସଂଗୃହୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ସେପ୍ଟେମ୍ବର 25 ତାରିଖରେ ସୁରକ୍ଷା ବଳୟ ନିମନ୍ତେ 15 ଏକର ଜମି ଅଧିଗ୍ରହଣ କରାଯିବା ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସାଧାରଣ ଜନତା ନିଜର ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ,ହୋଟେଲ ଏବଂ ଲଜିଂ ପରିତ୍ୟାଗ କରିଛନନ୍ତି । ମହାପ୍ରଭୁଙ୍କ ଇଚ୍ଛା ଏବଂ ପ୍ରେରଣାରେ ଏହା ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଜନତାଙ୍କ ଏହି ତ୍ୟାଗ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢିତୋଳିବା ପାଇଁ ସରକାରଙ୍କ ସଙ୍କଳ୍ପକୁ ଦୃଢ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର

27 ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : 9 ହଜାର କୋଟିର ବ୍ୟୟବରାଦ, 12 ହଜାର ନୂତନ ନିଯୁକ୍ତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,30/11: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ 27ଟି ନୂତନ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି । ଖାରବେଳ ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । 27 ପ୍ରକଳ୍ପ ମଧ୍ୟରୁ 5ଟି ନୂତନ ପ୍ରକଳ୍ପ ହୋଇଥିବା ବେଳେ 22ଟି ପ୍ରକଳ୍ପ ନେଇ ପୂର୍ବରୁ ଘୋଷଣା କରାଯାଇଥିବା ଜଣାପଡିଛି । ସମୁଦାୟ ପ୍ରକଳ୍ବ ନିମନ୍ତେ 8938.81 କୋଟିର ବ୍ୟୟବରାଦ ରହିଥିବା ବେଳେ ଏହା ଦ୍ବାରା 12 ହଜାର 142 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି ।
ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଶାସନ ସଚିବଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏପ୍ରିଲ୍‌-ସେପ୍ଟେମ୍ବର ମଧ୍ୟରେ ଓଡିଶା ଦେଶର ହୋଇଥିବା ନିବେଶର 18 ପ୍ରତିଶତ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ ଆଗାମୀ ଦିନରେ ଓଡିଶା ଦେଶର ଏକ ନମ୍ବର ନିବେଶ ହାସଲକାରୀ ରାଜ୍ୟର ମାନ୍ୟତା ହାସଲ କରିବ ବୋଲି ନବୀନ କହିଥିଲେ । ରାଜ୍ୟ ସରକାରଙ୍କ 5ଟି ଯୋଜନାରେ ଏହା ସମ୍ଭବ ହେବ ବୋଲି ନବୀନ ପ୍ରକାଶ କରିଥିଲେ । ଏହାସହିତ ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ ଓଡିଶା କନ୍‌କ୍ଲେଭ୍‌ରେ ନିବେଶ କରିବା ପାଇଁ ଆହ୍ବାନ ଦେଇଥିଲେ ।2020ରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ ପାଇଁ ଏକ 365 ଦିନିଆ କାଉଣ୍ଟ ଡାଉନ୍‌ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡିଶା ଫିଲ୍ମ ନିର୍ମାଣ ସଂଘ ପାଇଁ ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ କରିଛନ୍ତି ନବୀନ ।

Categories
ଆଜିର ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଘୋଷଣା

ଭୁବନେଶ୍ବର ୨୩.୧୧(ସମୀକ୍ଷା ବ୍ୟୁରୋ): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦୦ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୬ଟି ଶାଖା ନିମନ୍ତେ ଏହି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅର୍ଥ ବିଶ୍ବ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ଯୁବଶକ୍ତି ଦେଶର ପ୍ରକୃତ ସମ୍ପଦ। ଶିକ୍ଷା,ଜ୍ଞାନ ଏବଂ ସୃଜନଶୀଳତା ବଳରେ ଯୁବଶକ୍ତି ଦେଶର ନେତୃତ୍ବ ନେବେ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ସେଣ୍ଟର ଏବଂ ଡିଜିଟାଲ ଲାଇବ୍ରେରୀର ଉଦ୍‌ଘାଟନ କରିଥିଲେ। ଏତଦ୍‌ବ୍ୟତିତ ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।

Categories
ଆଜିର ଖବର

ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍‌

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁପରଷ୍ଟାର ତଥା ଏମ୍ଏନ୍‌ଏମ୍‌ ଦଳର ଅଧ୍ୟକ୍ଷ କମଲ ହସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଲ ହାସନଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ କମଲ ହସନ୍ ଉନ୍ମଚୋନ କରିଛନ୍ତି । ଏହି ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହସନ ସେଞ୍ଚୁରିଅନର ସବୁଜିମାଭରା ସୁନ୍ଦର କ୍ୟାମ୍ପସ ପରିଦର୍ଶନ କରିଥିଲେ । ଇଡକୋ ସହାୟତାରେ ପ୍ରତିଷ୍ଠିତ ଆପାରେଲ ଓ ଟେକ୍ସଟାଇଲ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଏବଂ କାଫେ କଫି ଡେ ସହଯୋଗରେ ପ୍ରତିଷ୍ଠିତ ହସ୍ପିଟାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପରିଦର୍ଶନ କରିବା ସମୟରେ ସେଠାରେ ଶିକ୍ଷା ଲାଭ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପାଠପଢା ବିଷୟରେ ପଚାରି ବୁଝିଥିଲେ ।