ପଦୋନ୍ନତିରେ ଫାଇଭ-ଟିର ପ୍ରଭାବ: ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି

Published: Jan 6, 2020, 8:59 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ପଦୋନ୍ନତି କ୍ଷେତ୍ରରେ ଫାଇଭ-ଟିର ପ୍ରଭାବ ଦେଖିବାକୁ ମିଳିଛି। ଡିସେମ୍ବର ମାସର ଅନ୍ତିମ ସପ୍ତାହରେ ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାରଙ୍କ ୩୯ଟି ବିଭାଗରେ ଏହି ପଦୋନ୍ନତି କରାଯାଇଛି। ଗ୍ରୁପ୍‌ ଏରୁ ଗ୍ରୁପ୍‌ ଡି ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର କର୍ମଚାରୀଙ୍କୁ ଏହି ପଦୋନ୍ନତିରେ ସାମିଲ କରାଯାଇଛି। ବିଭିନ୍ନ ବିଭାଗରେ ପଦୋନ୍ନତିରେ ବିଳମ୍ବ ହେଉଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୧ ତାରିଖରେ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରିବାର ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ, ଗ୍ରୁପ୍‌ ଏର ୮୫୨ ଜଣ, ଗ୍ରୁପ୍‌ ବିରୁ ୫୨୭ ଜଣ, ଗ୍ରୁପ୍‌ ସିରୁ ୧୪୯୬ ଜଣ ଏବଂ ଗ୍ରୁପ୍‌ ଡିରୁ ୨୯୧ ଜଣଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଏହି ସମସ୍ତ ପଦୋନ୍ନତିକୁ ମିଶାଇ ୨୦୧୯ରେ ସମୁଦାୟ ୧୨୯୩୨ କର୍ମଚାରୀଙ୍କ ପଦୋନ୍ନତି ହୋଇଛି। ବିଭାଗୀୟ ସ୍ତରରେ ସ୍ବରାଷ୍ଟ୍ର ବିଭାଗରେ ସର୍ବାଧିକ ୨୩୩୦ ଜଣ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ୧୩୦୭ ଜଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୨୫୧ ଜଣଙ୍କୁ ପଦୋନ୍ନତି ମିଳିଛି। ସେହିପରି ଜିଲ୍ଲା ଅନୁଯାୟୀ କଟକରୁ ସର୍ବାଧିକ ୭୪୮ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ମୟୁରଭଞ୍ଜରେ ୨୧୮ ଏବଂ ଗଞ୍ଜାମରେ ୧୯୪ ଜଣଙ୍କୁ ପଦୋନ୍ନତି ମିଳିଛି।

 

Related posts