Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ, କହିଲେ ଧାମନଗରକୁ ଭୋଟ ବେଳେ ଆସିଥିଲେ ଆଉ ଦେଖା ନାହିଁ

ଧାମନଗର:ଭଦ୍ରକ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫ଟିଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ଆଜି ଧାମନଗର ନିର୍ବାଚନ ମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲା ବେଳେ ଧର୍ମେନ୍ଦ୍ରଙ୍କ ନାଁ ତୁଣ୍ଡରେ ନ ଧରିଲେ ବି ତାଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ କହିଛନ୍ତି, ୧୧ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତାପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି।

ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ। ଧାମନଗର ଭିନ୍ନ ଏକ ନିର୍ବାଚନ ମଣ୍ଡଳୀ ପାଲଟି ଯିବ। ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି?  ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି।

ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ। କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁକେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା। ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ,  କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ। ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ ୫ଟିଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି।

ଶ୍ରୀପାଣ୍ଡିଆନ ଆହୁରି କହିଥିଲେ ଯେ ଏବେ ଧାମନଗରରେ ଅନ୍ୟ ଦଳର ବିଧାୟକ ଅଛନ୍ତି। ସେଥିପାଇଁ ଧାମନଗର ନ ଯିବା ଲାଗି ତାଙ୍କୁ କିଛି ଲୋକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଧାମନଗର ଯାଇ ଧାମନଗରର ଉନ୍ନତି ଲାଗି ଯାହା ଆବଶ୍ୟକ ତାହା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି। ସାଢ଼େ ୪କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର। ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ।

ଅସୁରାଳିଜନସଭାରେଜୟ ଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଜୟ ବୋଲି କହି ୫ଟିଅଧ୍ୟକ୍ଷ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଗତ ଜୁନ ୧୨ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ଅଭିଯୋଗ, ପ୍ରସ୍ତାବ ଗ୍ରହଣ କରିଥିଲେ। ଧାମନଗରବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ କାମ କରିବା ଲାଗି ପ୍ରେରଣା ଦେଇଛି। ଜୁନ ମାସଠୁ ଇତି ମଧ୍ୟରେ ୧୦୦କୋଟି ଟଙ୍କା ଧାମନଗର ପାଇଁ ମଂଜୁର ହୋଇଛି। ଖୁବଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ଟଙ୍କାରେ ଏଥିରେ ଯାତ୍ରା କରିପାରିବେ।

ଧାମନଗର ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ୧୨କୋଟି ଟଙ୍କା ମଂଜୁର ହୋଇଛି ବୋଲିସୂଚନାଦେଇଶ୍ରୀପାଣ୍ଡିଆନକହିଥିଲେଯେଏହିନିର୍ବାଚନମଣ୍ଡଳୀର ୨୧ଟି କଲେଜର ରୂପାନ୍ତରଣ ପାଇଁ ୧୦କୋଟି ଟଙ୍କା, ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୨୨କୋଟି ଟଙ୍କା ମଂଜୁର ହୋଇଛି।ତିହିଡିରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ପାଇଁ ୫୦ଲକ୍ଷ, ବିଭିନ୍ନ ଧର୍ମସ୍ଥଳୀ ପାଇଁ  ୬କୋଟି ଟଙ୍କା ମଂଜୁର ହୋଇଛି। ଗତ ୬ମାସ ଭିତରେ ଧାମନଗର ନିର୍ବାଚନମଣ୍ଡଳୀକୁ ୧୦୦କୋଟି ଟଙ୍କା ଅନୁମୋଦନ ମିଳିଛି।

ଅସୁରାଳି ପରେ ଭଦ୍ରକ ନେହରୁ ଷ୍ଟାଡିୟମରୁ ମଧ୍ୟବିକାଶ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ୫ଟିଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ସେକହିଲେଯେ ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ।।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁ ଭଳି ଭାବେ ଶ୍ରୀମନ୍ଦିରଠୁ ନେଇ ଲିଙ୍ଗରାଜ ମନ୍ଦିର, ଭଦ୍ରକାଳୀ ମନ୍ଦିରଠୁ ନେଇ ବିଭିନ୍ନ ମଠ, ମନ୍ଦିର, ମସଜିଦ୍ ଓ ଚର୍ଚ୍ଚର ଉନ୍ନତିକରଣ ଓ ରୂପାନ୍ତରୀକରଣ ଚାଲିଛି, ତାହା ଦେଖି ବିରୋଧୀମାନଙ୍କ ନିଦ ଭାଙ୍ଗି ଯାଇଛି।

ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର। ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି। ସେମାନଙ୍କର ବିକାଶ ଉପରେ ବିଲକୁଲ୍ ବିଶ୍ବାସ ନାହିଁ। ହେଲେ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କରୁଥିବା ଏହି ବିରୋଧୀମାନଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ୫ଟି ଅଧ୍ୟକ୍ଷ କଟାକ୍ଷ କରିଥିଲେ।

ଭଦ୍ରକ ନେହେରୁ ଷ୍ଟାଡିୟମ ସଭାରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ସେ ଜୁନ୍ ୧୧ ତାରିଖରେ ଭଦ୍ରକ ଗସ୍ତରେ ଆସି ଲୋକଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ କଥା କମ୍ କାମ ବେଶୀ କରନ୍ତି। ୫ମାସ ଭିତରେ ଅନେକ ଅଭିଯୋଗର ସମାଧାନ ହୋଇଛି। ୫ମାସରେ ଭଦ୍ରକ ପାଇଁ ମଂଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା। ଭଦ୍ରକ ସହର ପାଇଁ ରିଂ ରୋଡ୍ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି।

ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା। ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଂଜୁର ହୋଇଛି। ଆହୁରି ଟଙ୍କା ଦରକାର ହେଲେ ଦିଆଯିବ। ନେହେରୁ ଷ୍ଟାଡିୟମ ଉନ୍ନତିକରଣ ଏବଂ ସୁଇମିଂ ପୁଲ୍ ପାଇଁ ୧୦କୋଟି, କାନ୍ତକବିଙ୍କ ନାଁରେ ପାର୍କ ପାଇଁ ୪କୋଟି ୬୦ଲକ୍ଷ, ଇଦଗା ଓ କମ୍ୟୁନିଟି ହଲ ପାଇଁ ୨କୋଟି, ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ୧୯ଟି କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୫ଟିରୂପାନ୍ତରଣ ପାଇଁ ୯କୋଟି ୨୫ଲକ୍ଷ ଟଙ୍କା ମଂଜୁର ହୋଇଛି।

ସେହିପରି ଭଦ୍ରକାଳୀ ମନ୍ଦିର ଉନ୍ନତି ପାଇଁ ଯାହା ଟଙ୍କା ଦରକାର ମଂଜୁର କରାଯିବ ବୋଲି ୫ଟିଅଧ୍ୟକ୍ଷ କହିଛନ୍ତି। ଯେଉଁ ଟଙ୍କା ଆସିବ ତାକୁ ସ୍ବଚ୍ଛତା ସହ କାମରେ ଲଗାଇବାକୁ ପରାମର୍ଶଦେଇଥିଲେ। ଏହାଛଡ଼ାଆମ ବ୍ୟାଙ୍କ ଯୋଜନାରେ ଦୁଇ ମାସ ଭିତରେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ଏବଂ ସେହିପରି ଫେବ୍ରୁଆରୀ ଶେଷ ସୁଦ୍ଧା ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ବୋଲି ସେସୂଚନାଦେଇଥିଲେ।

ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ୫ଟିତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ଆରଡିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଖଣ୍ଡଳମଣି ମନ୍ଦିରକୁ ୫୦କୋଟି ଟଙ୍କା ଅନୁଦାନ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା ସୂଚନା ଦେଇଥିଲେ। ଆରଡିଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳିର ବିକାଶ ପାଇଁ ମଂଜୁର ହୋଇଥିବା ଅର୍ଥରାଶି ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ, ଦାନକଣିଆ ଘାଟରୁ ଆରଡିକୁ ଯୋଗାଯୋଗ ପାଇଁ ସେତୁ ନିର୍ମାଣ ପାଇଁ ୮୦କୋଟି ମଂଜୁର ହୋଇଛି। ସେହିପରି ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦କୋଟି ମଂଜୁର ହୋଇଛି। ଚାନ୍ଦବାଲି ସହରରେ ପାଇପ ଯୋଗେ ଜଳ ଯୋଗାଣ ଲାଗି ୫୦କୋଟି ଟଙ୍କା ମଂଜୁର ହୋଇଛି। ସେହିପରି ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ୨୭କୋଟି, ଧାମରାଇ ମନ୍ଦିର ଉନ୍ନତି ପାଇଁ ୧କୋଟି, ପାଟଣମଙ୍ଗଳା ମନ୍ଦିର ଉନ୍ନତି ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି।

ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଥିବା ସବୁ କଲେଜର ରୂପାନ୍ତରଣ ପାଇଁ ୬କୋଟି ଟଙ୍କା ମଂଜୁର ହୋଇଛି। ମନ୍ଦିର, ମସଜିଦ ଓ କମ୍ୟୁନିଟି ସେଣ୍ଟର ପାଇଁ ୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଛି। ଗତ ୫ମାସ ମଧ୍ୟରେ ଭଦ୍ରକ ଜିଲ୍ଲାକୁ ୩୦୦କୋଟି ଟଙ୍କା ମଂଜୁର ହୋଇଥିବା ୫ଟିଅଧ୍ୟକ୍ଷଏହିଅବସରରେ  ସୂଚନାଦେଇଥିଲେ।

 

Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ନୂଆପଡ଼ା ଗସ୍ତ, ପାଞ୍ଚୋଟି ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।

ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ କରାଯାଇ ଚାଷୀ ମାନଂକୁ କିପରି ଅଧିକ ଜଳ ସେଚନ ସୁବିଧା ଦିଆ ଯାଇ ପାରିବ, ଶ୍ରୀ ପାଣ୍ଡିଆନ ସେ ସଂପର୍କରେ ଜଳ ସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କୋନବିରା ରେ ଜଳ ସେଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସ୍ଥାନୀୟ ଲୋକ ଓ ଜଳ ସେଚନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆପଡ଼ାର କେତକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ର ବିକାଶ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ନିଷ୍ପତ୍ତି ନେଇଛନ୍ତି। ପାଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ରୂପାନ୍ତର ସଂପର୍କରେ ସେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୁପାନ୍ତର ଓ ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳ କ୍ରୀଡା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପାତାଲଗଙ୍ଗା ଠାରେ ସେ ଜଗନ୍ନାଥ ମନ୍ଦିର ଓ ରାଧକୃଷ୍ଣ ମନ୍ଦିର ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ସଂପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଏହାର ରୁପାନ୍ତର ପାଇଁ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁନାବେଡ଼ା ର ସୁନଦେଇ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ମନ୍ଦିର ସହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଣୁ ସୁନାବେଡ଼ା ପାର୍ବତ୍ୟଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।

ବୋଡ଼େନ ଠାରେ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଲିତିସର୍ଗୀ ଠାରେ ସେ ରୂପାନ୍ତରିତ ଗୋପୀନାଥ ହାଇ ସ୍କୁଲ୍ ପରିଦର୍ଶନ କରି ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ପିଲା ମାନଙ୍କ ପାଇଁ ଆଧୁନିକ ଶିକ୍ଷାର ସୁବିଧା ହୋଇ ଥିବାରୁ ସେମାନେ ଖୁସି ପ୍ରକାଶ କରିଥିଲେ। ପିଲା ମାନେ ଭଲ ପାଠ ପଢି ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ୟବସ୍ଥାର ବିଭିନ୍ନ ମାପଦଣ୍ଡ ସଂପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନେ ଏହି ବ୍ୟବସ୍ଥା ଦ୍ବାରା କେତେ ସୁବିଧା ପାଉଛନ୍ତି, ସେମାନେ ଖୁସି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ

ଖଡିଆଳ ସବଡିଭିଜିନାଲ ହସ୍ପିଟାଲ ରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ସମୀକ୍ଷା କରି ରୋଗୀ ମାନଙ୍କୁ ସେମାନଙ୍କୁ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝି ଥିଲେ। ବ୍ୟବସ୍ଥାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସିଲଦା ଠାରେ ସେ ମିଶନ ଶକ୍ତି ସଦସ୍ୟା, ଗ୍ରାମ ପଞ୍ଚାୟତ ଫେଡେରସନ, ବ୍ଲକ୍ ସ୍ତରୀୟ ଫେଡେରସନ ଓ ଜିଲ୍ଲା ସ୍ତରୀୟ ଫେଡେରସନ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପରେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ନୂଆପଡ଼ା ଠାରେ ନିର୍ମାଣାଧୀନ ମଡେଲ ବସ ଷ୍ଟାଣ୍ଡ ପରିଦର୍ଶନ କରି ଏହାକୁ ନିର୍ଦ୍ଧାରତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସେ ନୂଆପଡ଼ା ନ୍ୟାସନାଲ କଲେଜ ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଯେଉଁ ସବୁ କାର୍ଯ୍ୟ ପାଇଁ ସରକାରଂକ ଅନୁମତି ଆବଶ୍ୟକ ସେସବୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଶାଲୀନି ପଣ୍ତିତ, କ୍ରୀଡା ବିଭାଗ ସଚିବ ଶ୍ରୀ ଆର. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୋ ସରକାର: ଲୋକଙ୍କ ମତକୁ ନେଇ କର୍ମଚାରୀଙ୍କୁ ପ୍ରଶଂସା ଓ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍‌ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।

ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାଯାଇଛି। ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଯାଇଛି। ପୂର୍ବରୁ ମ୍ୟୁଟେସନ କେସ୍‌ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ, ୨୦୨୩-୨୪ରେ ଏହା ୨୧ ଦିନରୁ କମ୍‌ ସମୟ ଲାଗୁଛି। ଏପରିକି ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା।

ରାଜସ୍ବ ବିଭାଗରେ ଫିଡବ୍ୟାକ ଭିତ୍ତିରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ, ୩୨ ଜଣ ଓଏଏସ୍‌ ଅଧିକାରୀ ଓ ୧୪ ଜଣ ଓଆରଏସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ୧୧ ଜଣ ଓଏଏସ୍‌ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନ୍‌ସନ୍ ବନ୍ଦ କରାଯାଇଛି। ସେହିପରି ୬୭ ଜଣ ଓଏଏସ୍‌ ଅଧିକାରୀ ଓ ୩୦ ଜଣ ଓଆରଏସ୍‌ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ୯୯ ପ୍ରତିଶତରୁ ଅଧିକ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂ ବା ଅତି ଭଲ ଅଛି ବୋଲି ଜଣାଯାଇଛି। ସରକାରୀ ହସ୍‌ପିଟାଲରେ ମାଗଣା ଚିକିତ୍ସା ମିଳୁଥିବା ବେଳେ, ବେସରକାରୀ ହସ୍‌ପିଟାଲ ଗୁଡିକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରୂପାୟନ କ୍ଷେତ୍ରରେ ସାମାନ୍ୟ ଅବହେଳା ହେଲେ, ତୁରନ୍ତ ପଦକ୍ଷେପ ନିଆଯାଉଛି।

ପେନ୍‌ସନ ପ୍ରଦାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସବୁ ବ୍ୟବସ୍ଥା ସତ୍ତ୍ବେ ଅବସରପ୍ରାପ୍ତ କର୍ମଚାରୀମାନେ ଠିକ୍‌ ସମୟରେ ପେନ୍‌ସନ୍‌ ପାଉନାହାନ୍ତି। ତେଣୁ ପ୍ରତ୍ୟେକ ବିଭାଗ ଏହାକୁ ସମୀକ୍ଷା କରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେଉଁସବୁ କ୍ଷେତ୍ରରେ ନିୟମିତ ଭାବରେ ଭଲ ଫିଡବ୍ୟାକ ମିଳୁନାହିଁ, ସେ ସବୁ କ୍ଷେତ୍ରରେ ଯୋଜନାର ବ୍ୟବସ୍ଥାକୁ ପରିବର୍ତ୍ତନ କରି ସେଥିରେ ଅଧିକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ଦକ୍ଷ ଭାବରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ନେଇ ମୋ ସରକାର ଫିଡ୍‌ବ୍ୟାକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫-ଟି ରେ ରୂପାନ୍ତରିକରଣ ହେବ ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି  ବା VSSUTର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲଟି ଡିସପ୍ଲିନାରୀ ଇଂଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ଭାବରେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଏବଂ ନିଟ୍ ପରି ସଂସ୍ଥା ମାନଙ୍କ ସହିତ ସମକକ୍ଷ ହେବ। ଏଥିରେ ସ୍କୁଲ ଅଫ ଇଜିନିୟରିଂ, ସ୍କିଲ ଡେଭଲପମେଣ୍ଟ ସେଣ୍ଟ, ସ୍କୁଲ ଅଫ ମେଡିକାଲ ଟେକନୋଲୋଜି, ସ୍କୁଲ ଅଫ ବେସିକ ସାଇନସ୍ ପରି ୭ଟି ସ୍କୁଲ ରହିବ।

ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସର ମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ।

ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍‌ଧ ହେବ। ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍‌ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ। ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ।

ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍‌ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା କରାଯିବ। ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରଫେସର ମାନଙ୍କ ସହିତ ଅଲୋଚନା କରିଥିଲେ। ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ

ଆଲୋଚନା ରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର କୋଭିଡ୍‌ -19 ହସ୍ପିଟାଲ ପରିଦର୍ଶନ କଲେ 5ଟି ସଚିବ ଓ ଉନ୍ନୟନ କମିଶନର

ସୀତାରାମ ଅଗ୍ରଓ୍ବାଲ
ନୟାଗଡ : ରାଜ୍ୟ ସରକାରଙ୍କର 5ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଗସ୍ତ କରିଛନ୍ତି । ନୟାଗଡର ଚାନ୍ଦପୁର ସ୍ଥିତ ସ୍ବତନ୍ତ୍ର କୋଭିଡ୍‌-19 ହସ୍ପିଟାଲ ଗସ୍ତ କରି ବିଭିନ୍ନ ସ୍ବାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଉଭୟ ଅଧିକାରୀ । ଚାନ୍ଦପୁରରେ ଏହି 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିବା ସହିତ ହସ୍ପିଟାଲର ଏସି ଏବଂ ଭେଣ୍ଟିଲେଟର ସୁବିଧା ବାବଦରେ ପଚାରି ବୁଝିଥିଲେ ଉଭୟ ଅଧିକାରୀ । ଏହା ସହିତ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 179 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡରେ ବର୍ତ୍ତମାନ ସୁଦ୍ଧା ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସରକାରଙ୍କ ପ୍ରକାଶିତ ଜୋନ୍‌ ଓ୍ବାରୀ ଜିଲ୍ଲା ତାଲିକାରେ ନୟାଗଡ ଗ୍ରୀନ୍‌ ଜୋନ୍‌ରେ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ: 5ଟି ସଚିବଙ୍କ କଳାହାଣ୍ଡି ଗସ୍ତ

ଭୁବନେଶ୍ବର: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି କୋଭିଡ୍‌ ହସ୍ପିଟାଲ। ଏହି ଅବସରରେ 5ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ କଳାହାଣ୍ଡି ଗସ୍ତ କରିଛନ୍ତି। 5ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ମଧ୍ୟ ଏହି ଗସ୍ତରେ ରହିଥିଲେ। ଉଭୟ ନିର୍ମାଣଧୀନ ହସ୍ପିଟାଲରେ ପହଞ୍ଚି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ଖୁବଶୀଘ୍ର ଏହି କୋଭିଡ୍‌ ହସ୍ପିଟାଲ୍‌ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡିରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବସ୍ତରୀୟ ହେବ ଏସ୍‌ସିବି : ଆସନ୍ତା କାଲି ସମୀକ୍ଷା କରିବେ ମୁ୍‌ଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
କଟକ : ଓଡିଶାର ସର୍ବପୁରାତନ ଶ୍ରୀରମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସମୀକ୍ଷା ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଏସ୍‌ସିବି ଗସ୍ତ ପରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫେବୃୟାରୀ 28 ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ କରାଯିବ ଏବଂ ମାର୍ଚ୍ଚ 1 ତାରିଖରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପାଣ୍ଡିଆନଙ୍କ ପ୍ରସ୍ତାବ ପରେ ସରକାର ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚିକିତ୍ସାଳୟକୁ ବିଶ୍ବସ୍ତରୀୟ କରିବା ପାଇଁ ଆବଶ୍ୟକ ଜମି ନିମନ୍ତେ ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶର କିଛି ସ୍ଥାନ ସମେତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଉଚ୍ଛେଦ କରାଯିବ । ଏହି ପ୍ରକ୍ରିୟାରେ 13 ଜଣ ଡାକ୍ତରଙ୍କ ଘର ମଧ୍ୟ ଉଚ୍ଛେଦ ହେବ । କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ଏହା ସହିତ ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଞ୍ଜୋଗ କରୁଥିବା ରାସ୍ତାକୁ ତିନି ଲେନ୍‌ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ୍‌ ନିର୍ମାଣ କରିବାର ଯୋଜନା ରହିଛି । ଏହି ଗସ୍ତରେ ପୂର୍ତ୍ତବିଭାଗ ସଚିବ ଡ. କ୍ରିଷନ୍‌ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଏବଂ ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥୁଭାଥନନ ପ୍ରମୁଖ 5ଟି ସଚିବଙ୍କ ସହିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଦୋନ୍ନତିରେ ଫାଇଭ-ଟିର ପ୍ରଭାବ: ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ପଦୋନ୍ନତି କ୍ଷେତ୍ରରେ ଫାଇଭ-ଟିର ପ୍ରଭାବ ଦେଖିବାକୁ ମିଳିଛି। ଡିସେମ୍ବର ମାସର ଅନ୍ତିମ ସପ୍ତାହରେ ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାରଙ୍କ ୩୯ଟି ବିଭାଗରେ ଏହି ପଦୋନ୍ନତି କରାଯାଇଛି। ଗ୍ରୁପ୍‌ ଏରୁ ଗ୍ରୁପ୍‌ ଡି ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର କର୍ମଚାରୀଙ୍କୁ ଏହି ପଦୋନ୍ନତିରେ ସାମିଲ କରାଯାଇଛି। ବିଭିନ୍ନ ବିଭାଗରେ ପଦୋନ୍ନତିରେ ବିଳମ୍ବ ହେଉଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୧ ତାରିଖରେ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରିବାର ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ, ଗ୍ରୁପ୍‌ ଏର ୮୫୨ ଜଣ, ଗ୍ରୁପ୍‌ ବିରୁ ୫୨୭ ଜଣ, ଗ୍ରୁପ୍‌ ସିରୁ ୧୪୯୬ ଜଣ ଏବଂ ଗ୍ରୁପ୍‌ ଡିରୁ ୨୯୧ ଜଣଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଏହି ସମସ୍ତ ପଦୋନ୍ନତିକୁ ମିଶାଇ ୨୦୧୯ରେ ସମୁଦାୟ ୧୨୯୩୨ କର୍ମଚାରୀଙ୍କ ପଦୋନ୍ନତି ହୋଇଛି। ବିଭାଗୀୟ ସ୍ତରରେ ସ୍ବରାଷ୍ଟ୍ର ବିଭାଗରେ ସର୍ବାଧିକ ୨୩୩୦ ଜଣ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ୧୩୦୭ ଜଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୨୫୧ ଜଣଙ୍କୁ ପଦୋନ୍ନତି ମିଳିଛି। ସେହିପରି ଜିଲ୍ଲା ଅନୁଯାୟୀ କଟକରୁ ସର୍ବାଧିକ ୭୪୮ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ମୟୁରଭଞ୍ଜରେ ୨୧୮ ଏବଂ ଗଞ୍ଜାମରେ ୧୯୪ ଜଣଙ୍କୁ ପଦୋନ୍ନତି ମିଳିଛି।

 

Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଇ ଆଇଏଏସ୍‌ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,30/12 : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଆଇଏଏସ୍‌ ଅଫିସର । 2009 ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରହିଥିବା ବିଜୟ କେତନ ଏକ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏକ ବିଲ୍‌ ପାଶ୍‌ କରାଇବା ପାଇଁ ଉପାଧ୍ୟାୟ ଏହି ଲାଞ୍ଚ ନେଉଥିବା ଜଣାପଡିଛି ।

Categories
ବିଶେଷ ଖବର

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କୁ ନେଇ ବିରୋଧୀ ଦଳ ଏତେ ଆତଙ୍କିତ କାହିଁକି ?

କେଦାର ମିଶ୍ର

ଗତ ମାସେ ହେଲା ଆମର ଗଣମାଧ୍ୟମ ଓ ବିରୋଧୀ ଦଳର ଏକମାତ୍ର ଆକର୍ଷଣ ହୋଇ ରହିଛନ୍ତି ରାଜ୍ୟ ସରକାରଙ୍କର ୫ଟି ବିଭାଗର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ। ଗଣମାଧ୍ୟମ ରେ ଜଣେ ପ୍ରଭାବଶାଳୀ ଶାସନ ସଚିବଙ୍କ ଗସ୍ତକୁ ନେଇ ଆଗ୍ରହ ରହିବା ସ୍ବାଭାବିକ। ହେଲେ ବିରୋଧୀ ଦଳ ଗୁଡିକ ଏହାକୁ ନେଇ ଏତେ ଆତଙ୍କିତ ହେବାର କାରଣ କଣ? ବିରୋଧୀ ଦଳ ଜଣେ ଶାସନ ସଚିବଙ୍କ ଗସ୍ତ କୁ ବିରୋଧ କରିବାର ଅର୍ଥ କଣ ଏଇଆ ଯେ, ନବୀନ ପଟ୍ଟନାୟକଙ୍କ ବଦଳରେ ଏବେ ପାଣ୍ଡିଆନ୍ ହିଁ ବିରୋଧୀ ଙ୍କ ଲକ୍ଷ୍ୟ! ମଜାର କଥା ହେଉଛି, ଓଡ଼ିଶାରେ ବିରୋଧୀ ଦଳ ଗୁଡିକ ସବୁବେଳେ ଏହି ଭୁଲ ହିଁ ଦୋହରାଇ ଚାଲିଛନ୍ତି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର, ତାଙ୍କ ପରେ ବିଜୟ ପଟ୍ଟନାୟକ ଓ କଳ୍ପତରୁ ଦାସ ଏବଂ ଏବେ ପାଣ୍ଡିଆନଙ୍କ ଉପରେ ବିରୋଧୀ ଙ୍କ ନଜର ରହିଛି। ଏହା ହିଁ ନବୀନ ପଟ୍ଟନାୟକଙ୍କ ସଫଳତା ର ଏକ ସହଜ ସୂତ୍ର। ନବୀନ ସବୁବେଳେ ସବୁ ପ୍ରକାର ଆଲୋଚନା ର ଉର୍ଦ୍ଧ୍ବ ରେ ରହିଛନ୍ତି ଓ ରହୁଛନ୍ତି।

ନବୀନଙ୍କୁ ଛାଡି ତାଙ୍କ ପାଖଲୋକ ପଛରେ ଦଉଡିବାର ଭୁଲ ବାରମ୍ବାର ବିରୋଧୀ ଦଳ କରି ଆସୁଛନ୍ତି। ଏଥିରେ ଗଣମାଧ୍ୟମ ବିରୋଧୀ ଦଳକୁ ସବୁଠୁ ବେଶୀ ବିଭ୍ରାନ୍ତ କରୁଛି। ଯାହା ରାଜ୍ୟର ଅସଲ ସମସ୍ୟା ତାକୁ ନେଇ ରାଜରାସ୍ତାକୁ ଓଲ୍ଲାଇବା ବଦଳରେ ଗଣମାଧ୍ୟମ ବଡ କରି ଉପସ୍ଥାପନ କରୁଥିବା ପ୍ରସଙ୍ଗ ପଛରେ ବିରୋଧୀ ଦଳ ମାଡି ଚାଲିଛନ୍ତି। ପାଣ୍ଡିଆନ ପ୍ରସଙ୍ଗ ତାର ସବୁଠୁ ବଡ ଉଦାହରଣ। ରାଜ୍ୟ ସରକାରଙ୍କର ଜଣେ ଶାସନ ସଚିବ ବିଭିନ୍ନ ସରକାରୀ ଅନୁଷ୍ଠାନକୁ ପରିଦର୍ଶନ କରିବା ବା ବିଭିନ୍ନ ଜିଲ୍ଲା କୁ ଯାଇ ସମୀକ୍ଷା କରିବା ତାଙ୍କ ଦାୟିତ୍ଵର ଅଂଶ ବିଶେଷ। ଏହା କିଛି ଗୋଟେ ବିଶେଷ ଘଟଣା ନୁହେଁ। ଆଗରୁ ଶାସନ ସଚିବମାନଙ୍କୁ ବାରମ୍ବାର ସରକାର ଏଇ କାମଟି କରିବା ଲାଗି ନିର୍ଦ୍ଦେଶ ଦେଉଥିଲେ, ଯାହାକୁ କି ସଚିବମାନେ ମାନୁ ନଥିଲେ। ଯଦିବା କେହି ସଚିବ ଜିଲା ଗସ୍ତ କରୁଥିଲେ, ତାହାକୁ ରୁଟିନ କାମ ବୋଲି କହି କେହି ଗୁରୁତ୍ଵ ଦେଉନଥିଲେ।ତେବେ ପାଣ୍ଡିଆନ ଗସ୍ତ କରିବା ଆରମ୍ଭ କଳା ପରେ ଏହାର ଗୁରୁତ୍ଵ ବଢିଗଲା। ଗଣମାଧ୍ୟମର ଦୟାରୁ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ପାଣ୍ଡିଆନ ବାବୁ ଏବେ ରାଜ୍ୟର ଦ୍ଵିତୀୟ କ୍ଷମତା କେନ୍ଦ୍ର ଭାବରେ ବିବେଚିତ। ତେଣୁ ତାଙ୍କର ଗସ୍ତକୁ ନେଇ ଗଣମାଧ୍ୟମରେ ଉତ୍ସାହ ଅଧିକ।

“ମୋ ସରକାର” ଯୋଜନାରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରି ସରକାର ଯେତିକି ଲୋକପ୍ରିୟତା ପାଇନଥିଲେ, ପାଣ୍ଡିଆନଙ୍କ ଗସ୍ତ ଯୋଗୁଁ ମାଗଣାରେ ଅଧିକ ପ୍ରଚାର ସୁଯୋଗ ମିଳିଲା। ଏହା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା କେବଳ ରାଜଧାନୀରେ ସୀମୀତ ରହିଥିଲା। ଏବେ ତାଙ୍କର ନାଁ ଗାଁ ଗହଳରେ ବି ଲୋକପ୍ରିୟ ହେବା ଆରମ୍ଭ କଲାଣି। ଏହାକୁ କୁହାଯାଏ ଗଣମାଧ୍ୟମର ମ୍ୟାଜିକ। ଆପଣ ପ୍ରଶଂସିତ ହୁଅନ୍ତୁ ବା ସମାଲୋଚିତ ହୁଅନ୍ତୁ, ଗଣମାଧ୍ୟମରେ ଆପଣ ରହିବା ଦରକାର। ଓଡିଶାର ଗଣମାଧ୍ୟମ ତଥା ବିରୋଧୀ ଦଳ ଏବେ ପାଣ୍ଡିଆନଙ୍କ ମାଗଣା ପ୍ରଚାରକ ଭାବେ କାମ କରୁଛନ୍ତି। କଂଗ୍ରେସ ଦଳ ଏ କ୍ଷେତ୍ରରେ ପାଦେ ଆଗକୁ ଯାଇ ଅନୁଗୁଳ ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତର ବିରୋଧ କରି ରାଲି ବାହାର କଲା। ବିରୋଧୀ ଦଳ ଯେତେବେଳେ ରାଜନୈତିକ ଲୋକଙ୍କୁ ଛାଡି ଅମଲାତନ୍ତ୍ର ପଛରେ ପଡନ୍ତି, ତାହା ସେମାନଙ୍କ ରାଜନୈତିକ ଆତ୍ମହତ୍ୟା ର କାରଣ ହୋଇଥାଏ। ବିରୋଧୀଙ୍କ ଲାଗି ମୂଳ ଲକ୍ଷ୍ୟ ନବୀନ ହେବା ଉଚିତ, ନା କି ପାଣ୍ଡିଆନ।

ବିଜେଡି ରଣନୀତିରେ ମଧ୍ୟ ଏବେ ପାଣ୍ଡିଆନ ଫେକ୍ଟରକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଉଛି। ପୂର୍ବରୁ ଗଣମାଧ୍ୟମ ଆଗକୁ ଆସିବାକୁ ଆଦୌ ଚାହୁଁ ନଥିବା ପାଣ୍ଡିଆନ ଏବେ ସହଜରେ କ୍ୟାମେରା ଆଗରେ ନିଜ କାମ କରୁଛନ୍ତି। ବିଭିନ୍ନ ଡାକ୍ତରଖାନା ଗସ୍ତରେ ଗଲାବେଳେ କିମ୍ବା ଦୀପାବଳୀ ପିଲାଙ୍କ ସହ ପାଳିଲା ବେଳେ ପାଣ୍ଡିଆନଙ୍କ ପଛରେ କ୍ୟାମେରା ଲାଗି ରହୁଛି ଓ ସେ ଏହାକୁ ନେଇ ଆଗପରି ବିରକ୍ତ ହେଉ ନାହାନ୍ତି। ଆପାତତଃ ବିଜେଡ଼ି ପାଇଁ ହେବାକୁ ଥିବା ସବୁ ସମାଲୋଚନା ଏବେ ପାଣ୍ଡିଆନଙ୍କ ବାଟ ଦେଇ ପହଞ୍ଚିବ। ସେହି ସୁରକ୍ଷା ବଳୟରେ ନବୀନ ପଟ୍ଟନାୟକ କିନ୍ତୁ ସବୁ ପ୍ରଶ୍ନ ଓ ଆଲୋଚନାର ଉର୍ଦ୍ଧ୍ଵରେ ରହିବେ।

ବିରୋଧୀ ଦଳଗୁଡିକର ଏପ୍ରକାର ଆତ୍ମଘାତି ନୀତି ଯୋଗୁଁ ରାଜ୍ୟରେ ନବୀନଙ୍କର ବିକଳ୍ପ ତିଆରି ହୋଇ ପାରୁନାହିଁ। ନବୀନଙ୍କ ବିରୋଧ ବଦଳରେ ଏବେ ବିରୋଧୀ ଦଳ ଗୁଡିକ “ମିଶନ ପାଣ୍ଡିଆନ”ରେ ମାତିଛନ୍ତି ଏବଂ ଏହାର ସବୁତକ ଲାଭ ନବୀନଙ୍କ ପାଖକୁ ହିଁ ଯାଉଛି।

 

Categories
ବିଶେଷ ଖବର

ସମ୍ବେଦନା ଓ ମାନବୀୟ ମୂଲ୍ୟବୋଧ ନ ରହିଲେ “ମୋ ସରକାର” ର କୌଣସି ମୂଲ୍ୟ ନାହିଁ

କେଦାର ମିଶ୍ର

ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ),  ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅନ୍ତତଃ ପ୍ରାଥମିକ ସ୍ତରରେ “ମୋ ସରକାର”କୁ ନେଇ ଓଡିଶା ସରକାର ଯେ ଅତ୍ୟନ୍ତ ଗମ୍ଭୀର  ଅଛନ୍ତି, ତାହା ପ୍ରମାଣିତ ହେଉଛି। ହେଲେ ଏତେ ସବୁ ସତର୍କତା ଭିତରେ ଏହାର ବିପରୀତ କିଛି ଚିତ୍ର ଓ ଖବର ମଧ୍ୟ ଆସୁଛି। ଆମ୍ବୁଲାନ୍ସ ରୋଗୀ ନେଇ ଆସିବା ବେଳେ ବାଟରେ ତେଲ ସରିଯାଉଛି, ଯାହା ଫଳରେ ରୋଗୀ ରାସ୍ତାରେ ମୃତ୍ୟୁ ବରଣ କରୁଛନ୍ତି। ଖୋଦ ରାଜଧାନୀ ଭୁବନେଶ୍ବରରେ ଡାକ୍ତରଖାନାରେ କୌଣସି ସହାୟତା ନ ପାଇ ଜଣେ ଗରିବ ମହିଳା ରାସ୍ତା କଡରେ ଛୁଆ ଜନ୍ମ କରୁଛନ୍ତି। ଏ ପ୍ରକାର ଖବର ରାଜ୍ୟ ସରକାରଙ୍କ ସବୁ ଭଲ ଉଦ୍ଦେଶ୍ୟକୁ ପାଣି ଫଟେଇ ଦେଉଛି।

ଗତ ଶୁକ୍ରବାର ଦିନ ସାଲିଆ ସାହିର ଜଣେ ଗର୍ଭବତୀ ମହିଳା ଭୁବନେଶ୍ୱର ସ୍ଥିତ ରାଜଧାନୀ ଡାକ୍ତରଖାନାକୁ ଆସିଥିଲେ। ହେଲେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ସହାୟତା ମିଳିନଥିଲା। ଡାକ୍ତରଖାନାରୁ ଫେରୁଥିବା ବେଳେ ସେ ଡାକ୍ତରଖାନା ପରିସରରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବେଲୁନରୁ ସବୁ ପବନ ଫୁସ ହୋଇ ଯାଇଛି। ଖୋଦ ରାଜଧାନୀରେ ଯଦି ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ଆମର ସରକାରୀ ଡାକ୍ତରଖାନା ଗୁଡିକ ଅକ୍ଷମ, ତାହେଲେ ଦୁର୍ଗମ ଅଞ୍ଚଳରେ ସ୍ଥିତି ଏହାଠୁ ଖରାପ ଥିବ ନିଶ୍ଚୟ। ରାଜଧାନୀ ଡାକ୍ତରଖାନାରେ ପ୍ରସୂତି ଓ ମାତୃ ମଙ୍ଗଳ ବିଭାଗର ଅବ୍ୟବସ୍ଥାକୁ ନେଇ ଆଗରୁ ଅନେକ ରିପୋର୍ଟ ବାହାରିଛି। ଅନେକ ସମୟରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଅପବ୍ୟବହାରକୁ ନେଇ ଅଭିଯୋଗ ମଧ୍ୟ ଆସିଛି। ହେଲେ ଏହାର ସମାଧାନ ସମ୍ଭବ ହୋଇ ପାରୁନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ଡାକ୍ତରଖାନା ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଲୋକ ବଳର ଅଭାବ ରହିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ନଥିବାରୁ ଅଳ୍ପ କେତେଜଣ ଡାକ୍ତରଙ୍କ ଉପରେ ପ୍ରବଳ ମାନସିକ ବୋଝ ବଢୁଛି। ଏହାର ପ୍ରଭାବ ଡାକ୍ତରଙ୍କ ଆଚରଣ ଓ ବ୍ୟବହାର ଉପରେ ପଡୁଛି। ହେଲେ ଏହା ମୌଳିକ ସ୍ୱାସ୍ଥ୍ୟ ସେବାରୁ ଲୋକଙ୍କୁ ବଞ୍ଚିତ କରିବାର ଏକ କାରଣ ହୋଇ ନପାରେ। ଯେତିକି ଭିତ୍ତିଭୂମି ଓ ଲୋକବଳ ଅଛି ତାର ସଠିକ ପରିଚାଳନା ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇଯିବ।

ତେବେ ଏହାର ସଠିକ ପରିଚାଳନା ଓ ସରକାରୀ ଅନୁଷ୍ଠାନଗୁଡିକରେ ଲୋକଙ୍କୁ ମାନବୀୟ ବ୍ୟବହାର ଦେଖାଇବାର ଦାୟିତ୍ଵ ସଚିବାଳୟରୁ ତୁଲାଇହେବ କି? ଥାନା, ଡାକ୍ତରଖାନା, ବ୍ଲକ ଓ ତହସିଲ ଅଫିସ ଭଳି ଲୋକଙ୍କ ଗତାଗତ ରହୁଥିବା ଅଫିସ ଗୁଡିକରେ କର୍ମଚାରୀମାନେ ଲୋକଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି? ଏହାର ସିଧା ଉତ୍ତର ହେବ-ନା। ଏବେ ମଧ୍ୟ ସରକାରୀ ଅଫିସ ଗୁଡିକ “ଜୀ ହଜୁର” ଅମଳର ମାନସିକତା ନେଇ ଚାଲିଛନ୍ତି। ଏହାକୁ ବଦଳାଇବା “ମୋ ସରକାର”ପାଇଁ ସବୁଠୁ ବଡ ଆହ୍ଵାନ। ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଫାଇବ ଟି ଆଧାରରେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଲାଗି, ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି।

କୌଣସି ଅଧିକାରୀ ବା ସରକାରୀ ଅନୁଷ୍ଠାନ ଚାହିଁଲେ ରାତାରାତି ଶାସନ ବ୍ୟବସ୍ଥା ବଦଳି ଯିବନାହିଁ। ଏଥି ପାଇଁ  ଦୃଶ୍ୟ ଓ ଅଦୃଶ୍ୟ- ଦୁଇ ସ୍ତରରେ ସତର୍କତାର ଆବଶ୍ୟକତା ରହିଛି। ଉପରସ୍ତରର ଅଧିକାରୀଙ୍କ ଗସ୍ତ ସହିତ ସ୍ଵାଧୀନ ଭାବରେ କାମ କରୁଥିବା ନାଗରିକମାନଙ୍କ ଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। “ମୋ ସରକାର” ବ୍ୟବସ୍ଥାରେ ସ୍ଵାଧୀନ ଓ ନିରପେକ୍ଷ ପ୍ରସ୍ତାବ ପାଇବାକୁ ରାଜ୍ୟ ସରକାର ଏକ “ନାଗରିକ କମିଶନ ବା କମିଟି” କଥା ଚିନ୍ତା କରି ପାରନ୍ତି। ସେହିପରି ସୋସିଆଲ ମିଡିଆ ଓ ଗଣମାଧ୍ୟମ ଜରିଆରେ ବାସ୍ତବ ସ୍ଥିତି ପରଖିବାକୁ ଏକ ସ୍ଵତନ୍ତ୍ର ବୈଷୟିକ ବ୍ୟବସ୍ଥା ତିଆରି କରିବା ଜରୁରୀ।

ହୁଏତ ଅଧିକାରୀଙ୍କୁ ଦେଖି ଲୋକେ ସବୁ ଠିକ ଚାଲିଛି ବୋଲି କହି ଦେବେ, କିନ୍ତୁ ତାହା ଏକମାତ୍ର ସତ୍ୟ ନ ହୋଇ ନ ପାରେ। ତେଣୁ ଭିନ୍ନ ସ୍ତରରୁ ଓ ବିବିଧ ଗୋଷ୍ଠୀରୁ ଏ ସଙ୍କ୍ରାନ୍ତରେ ମତାମତ ନେଇ କାମ କରିବା ଜରୁରୀ। ସରକାର ଯେତେ ଭଲ କାମ କଲେ ମଧ୍ୟ ଯଦି ରାଜଧାନୀ ଡାକ୍ତରଖାନାରେ ଗତ ଶୁକ୍ରବାର ଭଳି ଘଟନା ଘଟେ, ତାହେଲେ ସବୁ ତପସ୍ୟା ଶୁଖୁଆ ପୋଡାରେ ହିଁ ଯିବ!!

ପଢନ୍ତୁ-     ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ