ବିଶ୍ବସ୍ତରୀୟ ହେବ ଏସ୍‌ସିବି : ଆସନ୍ତା କାଲି ସମୀକ୍ଷା କରିବେ ମୁ୍‌ଖ୍ୟମନ୍ତ୍ରୀ

Published: Jan 22, 2020, 7:44 pm IST

ସମୀକ୍ଷା ବ୍ୟୁରୋ
କଟକ : ଓଡିଶାର ସର୍ବପୁରାତନ ଶ୍ରୀରମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସମୀକ୍ଷା ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଏସ୍‌ସିବି ଗସ୍ତ ପରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫେବୃୟାରୀ 28 ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ କରାଯିବ ଏବଂ ମାର୍ଚ୍ଚ 1 ତାରିଖରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପାଣ୍ଡିଆନଙ୍କ ପ୍ରସ୍ତାବ ପରେ ସରକାର ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚିକିତ୍ସାଳୟକୁ ବିଶ୍ବସ୍ତରୀୟ କରିବା ପାଇଁ ଆବଶ୍ୟକ ଜମି ନିମନ୍ତେ ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶର କିଛି ସ୍ଥାନ ସମେତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଉଚ୍ଛେଦ କରାଯିବ । ଏହି ପ୍ରକ୍ରିୟାରେ 13 ଜଣ ଡାକ୍ତରଙ୍କ ଘର ମଧ୍ୟ ଉଚ୍ଛେଦ ହେବ । କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ଏହା ସହିତ ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଞ୍ଜୋଗ କରୁଥିବା ରାସ୍ତାକୁ ତିନି ଲେନ୍‌ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ୍‌ ନିର୍ମାଣ କରିବାର ଯୋଜନା ରହିଛି । ଏହି ଗସ୍ତରେ ପୂର୍ତ୍ତବିଭାଗ ସଚିବ ଡ. କ୍ରିଷନ୍‌ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଏବଂ ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥୁଭାଥନନ ପ୍ରମୁଖ 5ଟି ସଚିବଙ୍କ ସହିତ ରହିଥିଲେ ।

Related posts