Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତର ଚୀନ ନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ଲୋଡା, ଚୀନକୁ ତିବ୍ବତ ଓ ହଂକଂ ପ୍ରସଙ୍ଗରେ ଆମେ ଘେରି ପାରିବା କି?
ଅନ୍ତରାଷ୍ଟ୍ରୀୟ

ଭାରତର ଚୀନ ନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ଲୋଡା, ଚୀନକୁ ତିବ୍ବତ ଓ ହଂକଂ ପ୍ରସଙ୍ଗରେ ଆମେ ଘେରି ପାରିବା କି?

June 18, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
Patna: BJP workers burn the posters of Chinese President Xi Jinping during a protest against China over the brutal attack on Indian Army personnel at Galwan valley at the Line of Actual Control that has killed 20 Indian soldiers during the Indo-Chinese face off in Ladakh; in Patna on June 17, 2020. (Photo: IANS)

କେଦାର ମିଶ୍ର

ଗଲାୱାନ ନଦୀ ଉପତ୍ୟକାରେ ଯାହା ଘଟିଲା, ତାହା କେବଳ ଦୁଃଖଦ ବା ଦୁର୍ଭାଗ୍ୟଜନକ ନୁହେଁ, ଏହା ଅନେକାଂଶରେ ଦାନବୀୟ। ୨୦ ରୁ ଅଧିକ ଭାରତୀୟ ସୈନିକଙ୍କୁ ଯେଉଁ ଢଙ୍ଗରେ ଚୀନର ସୈନିକମାନେ ହତ୍ୟା କଲେ ତାହା ସେନା ସୁଲଭ ଆଚରଣ ନୁହେଁ। କୌଣସି ପେଷାଦାର ସେନାବାହିନୀ ଏ ପ୍ରକାର ଆଚରଣ ପ୍ରଦର୍ଶନ କରନ୍ତି ନାହିଁ। ବାଡି, ଲୁହାରଡ ଓ ପଥର ମାଡ କରି ରକ୍ତାକ୍ତ ଭାରତୀୟ ସୈନିକମାନଙ୍କୁ ଗଲାୱାନ ନଦୀର ହିମ ପ୍ରବାହରେ ଭସେଇ ଦିଆ ଯାଇଥିଲା। ଚୀନ ଓ ଭାରତ ସେନା ଭିତରେ ହୋଇଥିବା ମୁହାଁମୁହିଁ ର ପରିଣତି ସ୍ୱରୂପ ୨୦ ଜଣ ଯବାନ ପ୍ରାଣ ହରାଇବା ଓ ଆଉ କିଛି ଜଣ ଏବେ ଜୀବନ ସହିତ ସଂଘର୍ଷ କରୁଥିବାର ଖବର ଆମେ ବହୁତ ଡେରି ରେ ପାଇଲୁ।

ଦେଶର ବିଡମ୍ବନା ହେଉଛି, ଗତ ଏପ୍ରିଲ ମାସ ଶେଷ ସପ୍ତାହରୁ ଚୀନ ଓ ଭାରତ ସେନା ମୁହାଁମୁହିଁ ଅବସ୍ଥାରେ ରହିଲେଣି। ଅଥଚ ସେମିତି କିଛି ଘଟିନାହିଁ ଓ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇଯାଇଛି ବୋଲି ଆମକୁ ବାରମ୍ବାର କୁହା ଯାଉଥିଲା। ସରକାରଙ୍କ ବୋଲ ମାନି ଆମର ଜାତୀୟ ଗଣମାଧ୍ୟମ ଏ ପ୍ରସଙ୍ଗରେ “ସବୁକିଛି ଠିକ ଅଛି” ବୋଲି ଆମକୁ କହି ଆସୁଥିଲେ। ତେବେ ଭାରତ ଚୀନ ସମ୍ପର୍କ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲି ଆସିଛି ବୋଲି ଜାଣିବା ପାଇଁ, ଆମକୁ ବହୁତ ବଡ ମୂଲ୍ୟ ଦେବାକୁ ପଡିଲା।

ତେବେ ଏ ଘଟଣା ଏମିତି ଅବସ୍ଥାକୁ ଆସିଲା କାହିଁକି? ଏଥିଲାଗି କିଏ ଦାୟୀ? ଏପ୍ରିଲ ଶେଷ ସପ୍ତାହରୁ ଏ ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା କିଛି କିଛି ଆରମ୍ଭ ହୋଇଥିଲା। କିଛି ସପ୍ତାହ ଆଗରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଚୀନ ଓ ଭାରତ ମଧ୍ୟରେ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲେ ଓ ତାର ଦିନକ ପରେ କହିଥିଲେ ଯେ ଚୀନକୁ ନେଇ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମୁଡ ଭଲ ନାହିଁ”। ସେତେବେଳେ ପ୍ରେସିଡେଣ୍ଟ ଟ୍ରମ୍ଫଙ୍କ ସହିତ ପ୍ରଧାନମନ୍ତ୍ରୀ ଆଦୌ କଥା ହୋଇନାହାନ୍ତି ବୋଲି ଭାରତ ସରକାର ସଫେଇ ଦେଲେ। ପରିସ୍ଥିତି ଗମ୍ଭୀର ନଥିଲେ ଆମେରିକା ଏ ପ୍ରସଙ୍ଗରେ ସହଜରେ ପାଟି ଫିଟାଇ ନଥାନ୍ତା। ସେତେବେଳେ ମଧ୍ୟ ଆମର ଗଣମାଧ୍ୟମ ଏହାକୁ ଅଣଦେଖା କରିଥିଲା।

୧୯୭୫ ମସିହା ପରଠୁ ଚୀନ ଓ ଭାରତ ମଧ୍ୟରେ ସୀମାରେଖାକୁ ନେଇ ଛୋଟ ମୋଟ ଝଗଡା ହୋଇଛି ସିନା ଏହାକୁ ନେଇ କେବେ ମାରପିଟ ଯାଏଁ କଥା ଯାଇନି। ଆପୋଷ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଛି। ହଠାତ ଏ ସମସ୍ଯା ସଙ୍କଟ ପାଲଟିଗଲା କେମିତି? ଏହାର ଅନେକ କାରଣ ରହିଛି। ଲଦ୍ଦାଖକୁ ଏକ ସ୍ଵତନ୍ତ୍ର କେନ୍ଦ୍ର ଶାସିତ ପ୍ରଦେଶ କରିବା ପାଇଁ ଭାରତ ସରକାରଙ୍କର ବିଜ୍ଞପ୍ତିକୁ ଚୀନ ବିରୋଧ କରିଛି। ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଜାତିସଙ୍ଘରେ ପାକିସ୍ତାନ ସହିତ ଚୀନର ସମର୍ଥନ ଖୋଲାଖୋଲି ଆମେ ଦେଖିଛୁ। ତା ସତ୍ତ୍ୱେ ଚୀନକୁ ଭାରତ ସରକାରଙ୍କ ତରଫରୁ ସ୍ପଷ୍ଟ ଜବାବ ଦିଆ ହୋଇନି।

ଗତ ଅକ୍ଟୋବର ରେ ଚୀନ ରାଷ୍ଟ୍ରପତି ସି ଜିଂପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ମାମଲାପୁରମ/ ଚେନ୍ନାଇ ରେ ଯେଉଁ ଶିଖର ସମ୍ମିଳନୀ ହୋଇଥିଲା, ସେଥିରେ ଏହି ସବୁ ପ୍ରସଙ୍ଗ ବିଲକୁଲ ଆଲୋଚନା ହୋଇ ନଥିଲା। ସି ଜିଂପିଙ୍ଗ ଭାରତ ଆସିବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭେଟିଥିଲେ ଓ ଉଭୟ ନେତା ଆଧିକାରିକ ଭାବରେ କାଶ୍ମୀର ପ୍ରସଙ୍ଗରେ କଥା ହୋଇଥିଲେ। ସେତେବେଳେ ଭାରତ ତରଫରୁ ଏହି ପ୍ରସଙ୍ଗକୁ ଉଠା ନଯିବା ଆଶ୍ଚର୍ୟଜନକ ଥିଲା।

ବର୍ତ୍ତମାନ ସମୟରେ ଚୀନ ଏକ ପାଖିଆ ଭାବରେ ଭାରତ ଓ ଚୀନ ମଧ୍ୟରେ ରହିଥିବା ବାସ୍ତବ ସୀମାରେଖା ବା ଏଲଏସି କୁ ବଦଳାଇବାକୁ ଚାହୁଁଛି। ବର୍ତ୍ତମାନ ଯେଉ ସବୁ ଅଞ୍ଚଳରେ ଚୀନ ସେନାର କାର୍ୟକଳାପ ବିଶେଷ ବଢିଛି, ପୂର୍ବରୁ ସେ ସବୁ କ୍ଷେତ୍ରରେ ଚୀନର ଉପସ୍ଥିତି ହିଁ ନଥିଲା। ଗଲାୱାନ ଉପତ୍ୟକା ପାରମ୍ପରିକ ଭାବରେ ଭାରତର ଅଞ୍ଚଳ ବୋଲି ଧାରଣା ରହି ଆସିଥିଲା। ହଠାତ ଏହାକୁ ନିଜର ବୋଲି ଦାବି କରିବା ପଛରେ ଚୀନର ଏକ ଭିନ୍ନ ଅଭିସନ୍ଧି ରହିଛି। ଭୌଗୋଳିକ-ରାଜନୀତି କାରଣରୁ ଏହି ଅଞ୍ଚଳରେ ଭାରତର ସଶକ୍ତ ଉପସ୍ଥିତି ଉଭୟ ପାକିସ୍ତାନ ଓ ଚୀନ ପାଇଁ ଚିନ୍ତାର କାରଣ ପାଲଟିଛି। ସେଥିଲାଗି କେବେ ହେଲେ ଗଲାୱାନ ଉପତ୍ୟକା ରେ ପାଦ ଦେଇନଥିବା ଚୀନ ହଠାତ ଏହି ଅଞ୍ଚଳରେ ସକ୍ରିୟ ହୋଇ ପଡିଛି।

ଚୀନର ଗତିବିଧି ସମ୍ପର୍କରେ ସେନାବାହିନୀ ତଥା ଅନ୍ଯାନ୍ଯ ଗୁଇନ୍ଦା ସୂତ୍ରରୁ ଭାରତ ସରକାର ଖବର ପାଇଥିବେ ନିଶ୍ଚୟ। ଏହି ଖବର ଆଧାରରେ ଚୀନ ସହିତ କେବଳ ସାମରିକ ଅଧିକାରୀ ସ୍ତରର ଆଲୋଚନା  ହୋଇଥିଲା। ତେବେ କୂଟନୈତିକ ସ୍ତରରେ ଏବଂ ରାଜନୈତିକ ସ୍ତରରେ ଏହାର ସମାଧାନ ଖୋଜା ଯାଇ ପାରିଥାନ୍ତା। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳୁ ନରେନ୍ଦ୍ର ମୋଦୀ ଏବଂ ସି ଜିଂପିଙ୍ଗ ଙ୍କ ମଧ୍ୟରେ ମଧୁର ସମ୍ପର୍କ ରହି ଆସିଛି। ଏହି ସମ୍ପର୍କ ମାଧ୍ୟମରେ ହୁଏତ ସମାଧାନର ଏକ ସୂତ୍ର ବାହାରି ପାରିଥାନ୍ତା। ହେଲେ ଏହାକୁ ନେଇ ଆମର ବୈଦେଶିକ ବ୍ୟାପାର ବିଭାଗ ସେତେ ତତ୍ପରତା ଦେଖାଇ ନଥିଲେ।

ଆଜି ପ୍ରଶ୍ନ ଉଠୁଛି, ଏତେ ବଡ ଦାନବୀୟ କାଣ୍ଡ ପରେ ଭାରତର ପ୍ରତିକ୍ରିୟା କଣ ହେବ। ଘଟଣା ଘଟିବାର ୨୪ ଘଣ୍ଟା ପରେ ଯାଇ ପ୍ରଧାନମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି ଓ ଏ ପ୍ରସଙ୍ଗରେ ଆସନ୍ତା କାଲି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ପ୍ରସଙ୍ଗରେ ବହୁ ଆଗରୁ ଭାରତ ସରକାର ନିଜର ପକ୍ଷ ରଖନ୍ତୁ ବୋଲି କଂଗ୍ରେସ ଦାବି ରଖି ଆସୁଥିଲା। ସ୍ଵଭାବ ସୁଲଭ ଢଙ୍ଗରେ କଂଗ୍ରେସକୁ ଗୁରୁତ୍ଵ ନଦେବାର ନାଟକ ବିଜେପି କରୁଥିଲା। ହେଲେ ଗତ ମଙ୍ଗଳବାର ର ଘଟନା ଏବେ ବିଜେପିକୁ ସତ୍ଯର ସାମ୍ନା ପାଇଁ ବାଧ୍ୟ କରିଛି।

ଚୀନ କୁ କୋଣଠେସା କରିବାକୁ ହେଲେ ଭାରତକୁ ନିଜର ଗଣତାନ୍ତ୍ରିକ ଶକ୍ତିର ପ୍ରଦର୍ଶନ କରିବାକୁ ପଡିବ। ଚୀନର ବିସ୍ତାରବାଦୀ ନୀତି କୁ ବିଭିନ୍ନ ବାଗରେ ଆମକୁ ଉଠାଇବାକୁ ପଡିବ। ତିବ୍ବତ ପ୍ରସଙ୍ଗରେ ଭାରତ ସବୁବେଳେ ଦଳାଇ ଲାମାଙ୍କ ପଛରେ ନିଜର ସମର୍ଥନ ଦେଇ ଆସୁଥିଲା। ହେଲେ ନରେନ୍ଦ୍ର ମୋଦୀ ସି ଜିଂପିଙ୍ଗ ଙ୍କୁ ଖୁସି କରିବାକୁ ଯାଇ ତିବ୍ବତ ପ୍ରସଙ୍ଗରେ ନୀରବତା ଅବଲମ୍ବନ କରି ଆସୁଛନ୍ତି।ସେହିପରି ହଂକଂ ଘଟଣାରେ ମଧ୍ୟ ଭାରତ ନିଷ୍ପକ୍ଷ ରହି ଆସୁଛି।  ଏ ନୀତି ଏବେ ବଦଳିବା ଦରକାର।

ଚୀନକୁ କେବଳ ସୀମାନ୍ତରେ ନୁହେଁ, ସବୁ କ୍ଷେତ୍ରରେ ଘେରିବା ଲାଗି ଭାରତର ଚୀନ ନୀତି ସଂପୂର୍ଣ୍ଣ ବଦଳିବା ଦରକାର।

china ChinaIndia
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ଦ୍ବିତୀୟ ଦିନରେ ମଧ୍ୟ ସଂସଦର ଉଭୟ ଗୃହରେ ହାଙ୍ଗାମା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନକ ପାଇଁ ଗୃହ ମୁଲତବି

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.