ଚୀନ୍ କେତେ ସତ, କେତେ ମିଛ: ସୀମାରେ ଗତିବିଧି ଉପରେ ଭାରତ ରଖିଛି ତୀକ୍ଷଣ ନଜର

Published: Jul 7, 2020, 6:38 pm IST

ନୂଆଦିଲ୍ଲୀ: ଘୋଷଣା ହେଲା ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ବିବାଦୀୟ ସ୍ଥଳରୁ ଚୀନ୍ ସେନା ଅପସାରଣ କରିବ। ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସୀମା ବୀବାଦର ସମାଧାନ କରାଯିବ। କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ପଂଗଙ୍ଗ ହ୍ରଦ ଓ ଦେପସାଙ୍ଗରୁ ଚୀନର ପିପୁଲସ ଲିବରେସନ ଆର୍ମି ଆଜି ସୁଦ୍ଧା ବିବାଦୀୟ ଅଞ୍ଚଳରୁ ହଟିବା ଆରମ୍ଭ କରିନାହିଁ।

ଭାରତୀୟ ଓ ଚୀନ ସେନା ଗତକାଲି ଗଲୱାନ ଭ୍ୟାଲି, ହଟ ସ୍ପ୍ରିଙ୍ଗସ ଓ ଗୋଗ୍ରା ପୋଷ୍ଟରୁ ଦୁଇ କିଲୋମିଟର ପଛକୁ ହଟିଥିବା ଖବର ଆସିଥିଲା। ତେବେ ଗ୍ରାଉଣ୍ଡ ଜିରୋରେ ଏହା କେତେଦୂର ସତ ତାହା ଯାଞ୍ଚ କରାଯାଇନ ନାହିଁ। ଦୁଇ ମାସ ଧରି ସାମରିକ ଉତ୍ତେଜନା ରହିବା ପରେ ଉଭୟ ପକ୍ଷ କମାଣ୍ଡରସ୍ତରୀୟ ଆଲୋଚନା ପରେ ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଗଲୱାନ ଭ୍ୟାଲିର ପଏଣ୍ଟ 14ରେ ଚୀନ ସେନା ଟେଣ୍ଟ ହଟାଉଥିବା ଦେଖା ଯାଇଛି। ଏଠାରେ ହିଁ ଜୁନ୍ 15 ତାରିଖ ଦିନ ଭାରତ ଓ ପିଏଲଏ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। 20 ଜଣ ଭାରତୀୟ ଯବାନ ଓ ଚୀନର ଅନେକ ଯବାନଙ୍କ ମୃତ୍ୟୁ ହୋଇଥିଲା। ବିଗତ ଦୁଇ ଦଶନ୍ଧି ଭିତରେ ଏପରି ରକ୍ତାକ୍ତ ସଂଘର୍ଷ ପୂର୍ବରୁ କେବେ ବି ଘଟିନଥିଲା। ଦୁଇ ସେନାର କମାଣ୍ଡରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରକୃତ ନିୟନ୍ତ୍ରଣ ରେଖାର ଦୁଇ ପଟେ ଅତି କମରେ ଦେଢ କିଲୋମିଟର ଯାଏଁ ଅଞ୍ଚଳକୁ ବଫର ଜୋନ୍ କରିବାକୁ ସ୍ଥିର ହୋଇଛି।

ପ୍ରକୃତରେ ଚୀନ୍ ସେନା ବିବାଦୀୟ ସ୍ଥାନରୁ ହଟିଛନ୍ତି କି ନାହିଁ ତାହା ଭାରତର ଡ୍ରୋନ୍ ଯୋଗେ ନିୟମିତ ନଜର ରଖିଛି। ହେଲେ ଗଲୱାନ ନଦୀରେ ଅଧିକ ବରଫ ତରଳିବାରୁ ଭ୍ୟାଲିରେ ଜଳସ୍ତର ଅଚାନକ ବଢିଯିବାରୁ ଚୀନ୍ ସେନା ଅପସାରଣ କରିବାକୁ ବାଧ୍ୟ ହୋଇଛି ବୋଲି ଅନୁମାନ କରାଯାଉଛି। କିନ୍ତୁ ସବୁଠାରୁ ଅଧିକ ବିବାଦର କେନ୍ଦ୍ର ସାଜିଥିବା ପଂଗଙ୍ଗ ହ୍ରଦର ଫିଙ୍ଗର 4 ଅଞ୍ଚଳୁ ଚୀନ ସେନା ପ୍ରତ୍ୟାହାର ଅତ୍ୟନ୍ତ ନଗଣ୍ୟ ବୋଲି ଜଣାପଡିଛି। ଦେପସାଙ୍ଗରେ ବି ସମାନ ସ୍ଥିତି ରହିଛି। ଏହି ଦୁଇ ଘାଟୀରେ ଚୀନ ସେନା କ୍ୟାମ୍ପ ତିଆରି କରିବା ସହ ସାମରିକ ଗାଡ଼ି ଓ ବୋଟ୍ ମୁତୟନ କରିଛି। ଯାହାକୁ ଭାରତ ଦୃଢ ବିରୋଧ କରି ଆସିଛି।

ପଂଗଙ୍ଗ ହ୍ରଦକୁ 8ଟି ଫିଙ୍ଗରରେ ଭାଗ କରାଯାଇଛି। ଭାରତ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ଫିଙ୍ଗର 4 ନିକଟରେ ଭାରତ ଏକ ଘାଟୀ ମଧ୍ୟ ସ୍ଥାପନ କରିଛି। କିନ୍ତୁ ଫିଙ୍ଗର 5ରୁ 8 ଯାଏଁ ଅଞ୍ଚଳକୁ ଚୀନ ମଧ୍ୟ ତାର ବୋଲି ଦାବି କରୁଥିବାରୁ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଛି। ଚୀନ୍ ଅତିକ୍ରମଣ କରିବା ସହିତ ଏହି ଅଞ୍ଚଳରେ ସେନା ଶିବିର ସ୍ଥାପନ କରି ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରୁଛି। ଏବେ ସୁଦ୍ଧା ଏ ଅଞ୍ଚଳ ଭାରତ ନିୟନ୍ତ୍ରଣରେ ରହିଛି।

ଏହାର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ତେବେ ଭାରତ ଅତ୍ୟନ୍ତ ସତର୍କତାର ସହ ଆଲୋଚନା ଜାରି ରଖିଥିବା ବେଳେ ଦେଶର ପଦାତିକ ଓ ବାୟୁ ସେନା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି। (ଏଜେନସି)

Related posts