ମାନବିକତାର ଅପମୃତ୍ୟୁ, ଆମ୍ବୁଲାନସ୍ ପାଇଁ ନାବାଳକ ପୁଅ ଆଗରେ ଗଲା ବାପାର ଜୀବନ, ଦାୟୀ କିଏ

Published: Jul 27, 2020, 8:28 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର, କରୋନା ସମୟରେ  ରୋଗୀକୁ ହସ୍ପିଟାଲ ନେବା ଲାଗି ଆମ୍ବୁଲାନସ ମନା କରିଦେବାରୁ ମୃତ୍ୟୁ। ଏଭଳି ଅମାନବିକତା ଘଟଣା ଘଟିଯାଇଛି ବ୍ରହ୍ମପୁର ସହରରେ। ଆମ୍ବୁଲାନସ ରୋଗୀକୁ ନେବାକୁ ଆସିଲା, କିନ୍ତୁ ନେଲା ନାହିଁ। ପୁଅ ବାପାର ଗୁରୁତର ଅବସ୍ଥାକୁ ଦେଖି ନପାରି ଆମ୍ବୁଲାନସ ଡ଼୍ରାଇଭର ନିକଟରେ କେତେ କାକୁତିମିନତି ହୋଇଥିଲେ ମଧ୍ୟ ନିୟମର ଦ୍ୱାହି ଦେଇ ଆମ୍ବୁଲାନସ ଡ଼୍ରାଇଭର ରୋଗୀକୁ ନନେବାରୁ ଘର ଦ୍ୱାର ମୁହଁରେ ରୋଗୀର ଜୀବନ ଚାଲିଯାଇଥିଲା।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସହରର ପ୍ରହ୍ଲାଦ ନଗର ଦ୍ୱିତୀୟ ଗଳିରେ। ପ୍ରଥମେ ପୁଅର ଆମ୍ବୁଲାନସ ଡ଼୍ରାଇଭରଙ୍କ ନିକଟରେ ନେହୁରା ହେଉଥିôବା ଭିଡ଼ିଓ ଭାଇରାଲ୍ ହେବା ହେବା ପରେ ମଧ୍ୟ ପ୍ରଶାସନ କିମ୍ବା କୌଣସି ତଥାକଥିକ ବୁଦ୍ଧିଜୀବୀ କିମ୍ବା ସାମ୍ବାଦିକ ତତ୍ପରତା ଦେଖାଇନଥିଲେ। ଘୁରି ବୁଲିଥିଲା ଉକ୍ତ ହୃଦୟ ବିଦାରକ ଛୁଆଟିର କାନ୍ଦିବାର ଭିଡ଼ିଓ। ଯଦି ସେହି ସମୟରେ କୌଣସି ସାମ୍ବାଦିକ କିମ୍ବା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥାନ୍ତେ ହୁଏତ ଛୁଆଟି ବାପଛେଉଣ୍ଡ ହୋଇନଥାନ୍ତା।

ଅତି ଲଜ୍ଜାଜନକ ବିଷୟ ଏହିକି ଯେ, ପ୍ରଶାସନର ଟୁଇଟର ଏବଂ ୱାଟସ୍‌ଅପ୍ କାହାକୁ ଆବଶ୍ୟକ। ପ୍ରଶାସନ କ’ଣ ଏଥିପ୍ରତି ଦୃଷ୍ଟି ଦେଉନାହିଁ ନା’ ପ୍ରଶାସନ ଅଧିକାରୀମାନଙ୍କ କର୍ମଚାରୀମାନେ ସବୁ ଜାଣି ନିରବ ? ମୃତ୍ୟୁପରର ଘଟଣାର ଭିଡ଼ିଓ ଭାଇରାଲ୍ ହେବାପରେ ସମସ୍ତେ ଆକ୍ଟିଭ୍ ହୋଇ ପଡିଥିଲେ। ସାମ୍ବାଦିକ ନିଜ କ୍ୟାମେରା ଧରି ଏବଂ କିଛି ପ୍ରଶାସନ ଅଧିକାରୀ, ସହରର ବୁଦ୍ଧିଜୀବୀ ଏବଂ ରାଜନେତାମାନେ ଘଟଣାସ୍ଥଳରେ ପହଞ୍ଚି ଫେସ୍‌ବୁକ୍ ଏବଂ ୱାଟସ୍‌ଅପ୍‌ରେ ନିଜର ବେଦନାକୁ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥିଲା।

କୁଆଡ଼େ ଗଲା ସେ ମଣିଷ ପଣିଆ ? ଘଟଣାରୁ ପ୍ରକାଶ ଯେ ପ୍ରହ୍ଲାଦ ନଗର ଦ୍ୱିତୀୟ ଗଳିରେ ମନୋଜ ପ୍ରହରାଜ ତାଙ୍କର ଦୁଇ ଛୋଟ ପୁଅ, ଝିଅ ଏବଂ ସ୍ତ୍ରୀଙ୍କ ସହ ରହୁଥିଲେ। ସେ ଜଣେ ମଧୁମେହ ରୋଗୀ। ପୂର୍ବରୁ ଚିକିତ୍ସା ହୋଇ ଘରକୁ ଫେରିଥିଲେ। କିନ୍ତୁ ଆଜି ସକାଳୁ ସେ ଅଧିକ ଗୁରୁତର ହେବାରୁ ଘରଲୋକ ୧୦୮ ଆମ୍ବୁଲାନସ ଡ଼ାକିଥିଲେ। ଆମ୍ବୁଲାନସ ଡ଼୍ରାଇଭର ଘର ସାମ୍ନାକୁ ଆସି କରୋନା ସନ୍ଦିଗ୍ଧ ଭାବି ମନୋଜଙ୍କୁ ନେବାକୁ ମନା କରିଦେଇଥିଲା। ମନୋଜର ନାବାଳକ ପୁଅ ଡ଼୍ରାଇଭରର ଗୋଡ଼ହାତ ଧରି କାକୁନି ମିନତି ହୋଇଥିଲେ ମଧ୍ୟ ସେ ନିୟମର ଦ୍ୱାହି ଦେଇ ତାଙ୍କୁ ମେଡ଼ିକାଲ୍ ନେବାକୁ ମନା କରିଦେଇଥିଲା।

ଫଳରେ ପରିବାର ଲୋକ ଅନ୍ୟ ବ୍ୟବସ୍ଥା କରିବା ବେଳକୁ ବହୁତ ଡ଼େରି ହୋଇଗଲା ଏବଂ ମନୋଜର ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ପରେ ମିଡ଼ିଆ ଏବଂ ବୁଦ୍ଧିଜୀବୀ ଆକ୍ଟିଭ୍ ହୋଇ ଏହାର ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ଯେତେବେଳେ ପ୍ରଥମ ଭିଡ଼ିଓରେ ପିଲାଟି କାକୁତି ମିନତି ହେବାର ଭାଇରାଲ୍ ହୋଇଥିଲା ସେତେବେଳେ ଯଦି ପ୍ରଶାସନ କିମ୍ବା ମିଡ଼ିଆ ଏବଂ ବୁଦ୍ଧିଜୀବୀ ଚଳଚଞ୍ଚଳ ହୋଇଥାନ୍ତେ ବୋଧେ ପିଲା ଦୁଇଟି ବାପଛେଉଣ୍ଡ ହୋଇନଥାନ୍ତେ।

ଏଭଳି ଘଟଣାର ପାଇଁ ମୁଖ୍ୟତଃ ଜିଲ୍ଲାପାଳ ଦାୟୀ କହିଲେ କିଛି ଭୁଲ୍ ହେବ ନାହିଁ। ଏଥିପୂର୍ବରୁ ଜିଲ୍ଲାପାଳ ଆଦେଶ ଦେଇଥିଲେ ଯେ ୧୦୮ ଆମ୍ବୁଲାନସ ଯୋଗେ କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ ଯାଇପାରିବେ ନାହିଁ। ତେଣୁ ଏଭଳି ଘଟଣା ଘଟିଲା। ପୂର୍ବରୁ ମଧ୍ୟ ଜନୈକ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନସ ଆସିଥିଲେ ମଧ୍ୟ ନେଇନଥିଲା।

Related posts