ଜଣେ ୬୫ ବର୍ଷିୟା ମହିଳା ୧୪ ମାସ ମଧ୍ୟରେ ଜନ୍ମ କରିଛନ୍ତି ୮ଟି ଝିଅ, ଜାଣନ୍ତୁ କଣ ହୋଇଛି ପୁରା ଘଟଣା

Published: Aug 23, 2020, 6:50 pm IST

ପାଟନା, ଜଣେ ୬୫ ବର୍ଷିୟା ମହିଳା କଣ ଜନ୍ମ କରିପାରେ ? ପୁଣି ଆଉ ଏକ ପ୍ରଶ୍ନ ଉଠିପାରେ ସେହି ମହିଳା କଣ ୮ଟି ଛୁଆ ଜନ୍ମ କରିପାରିବ ? ସେହିପରି ସେହି ମହିଳା କଣ ୧୪ ମାସରେ ୮ଟି ଛୁଆ ଜନ୍ମ ଦେଇପାରି ? ଯେ କେହି ଏହା ଶୁଣିବ ସେ ନିଶ୍ଚିତ ମନା କରିବ। କାରଣ ଏପରି ଘଟଣା କେବେ ବି ଏହି ବିଜ୍ଞାନ ଯୁଗରେ ସମ୍ଭବ ହୋଇପାରିବ ନାହିଁ। ହେଲେ ଏହି ଅସମ୍ଭବ ଘଟଣା ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି। ଆଉ ଯେ ଏପରି ସିରିଜ ଛୁଆ ଜନ୍ମ କରିଛନ୍ତି ତାଙ୍କ ନାମ ହେଉଛି ଲିଳାବତି ଦେବୀ। ଆଉ ତାଙ୍କ ଘର ହେଉଛି ବିହାର ମୁଜାଫରପୁର ଜିଲ୍ଲା ମୁସାରୀ ବ୍ଲକ ଅଞ୍ଚଳରେ।

ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ହେଉଛି ଏହି ମହିଳା ପ୍ରକୃତରେ ଜନ୍ମ ଦେଇ ନାହାଁନ୍ତି। ରାଜ୍ୟ ସରକାରଙ୍କ କାଗଜପତ୍ରରେ ଏହା ଉଲ୍ଲେଖ କରାଯାଇଛି। ଜାତୀୟ ସ୍ବସ୍ଥ୍ୟ ମିଶନ ଯୋଜନାରେ ଯେଉଁ ମହିଳାଙ୍କର ଝିଅ ହେବ ତାଙ୍କୁ ସରକାରୀ ସାହାର୍ଯ୍ୟ ଦିଆଯିବ। ସେଥିପାଇଁ ଏହି ମହିଳା 14 ମାସରେ ଝିଅ ଜନ୍ମ ପାଇଁ ଆଠ ଥର ଟଙ୍କା ନେଇଛନ୍ତି। ଏହି ଘଟଣା ଜିଲ୍ଲା ପ୍ରଶାସନ ନଜରକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଏହି ଗୋଟିଏ ଘଟଣା ନୁହେଁ, ବିହାରରେ ସେହିପରି ଆଉ ଏକ ଘଟଣା ମଧ୍ୟ ନଜରକୁ ଆସିଛି। ତାହା ହେଲା ଆଉ ଜଣେ ମହିଳା 9 ମାସ ମଧ୍ୟରେ ପାଞ୍ଚ ଜଣ ଝିଅ ଜନ୍ମ କରି ଟଙ୍କା ନେଇଥିବାର ଜଣାପଡିଛି। ସେହି ଗୋଟିଏ ଜିଲ୍ଲାରେ ଏହି ଦୁଇଟି ଘଟଣା ଆସିବା ପର ପ୍ରଶାସନ ଏକ ତଦନ୍ତ କମିଟ ଗଠନ କରିଛି। ମୁଖ୍ୟତଃ ଏହି ମହିଳାଙ୍କ ନାମରେ ହଡପ ହୋଇଥିବା ଟଙ୍କା ସେ ନିଜେ କରିଛନ୍ତି ନା ତାଙ୍କ ପଛରେ ଆଉ କେହି ଅଛି। ସେହିପରି ଜିଲ୍ଲାରେ କେବଳ ଏହି ଦୁଇଟି ଘଟଣା ହୋଇଛି ନା ଆଉ କେହି ସେମିତି ଅଛନ୍ତି। ଏହି ଦୁଇ ଘଟଣା ବର୍ତ୍ତମାନ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା ଅନୁଯାୟୀ ଯେଉଁ ମହିଳା ଝିଅ ଜନ୍ମ କରିବେ ତାଙ୍କୁ 1500 ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କାରେ ସେ  ଜନ୍ମ ପୂର୍ବରୁ ଓ ପରେ ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ। ହେଲେ ଏହି ଟଙ୍କା ଏପରି ବାଟ ମାରଣା ହେବ ତାହା କେହି ବି ଚିନ୍ତା କରିପାରୁ ନାହାଁନ୍ତି।

Related posts