କନ୍ଧମାଳ ଲୋକେ ବିଦ୍ୟୁତ ତାର ଉପରେ ନଦୀ ପାରି ହେବା ଭିଡିଓ ଭାଇରାଲ, ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published: Sep 25, 2020, 10:18 am IST

ଭୁବନେଶ୍ବର, କିଛି ଦିନ ଧରି ଲୋକେ ଏକ ଆଲମ୍ୟୁନିୟମ ତାର ଉପରେ ନାଳ ପାରି ହେବା ଭିଜୁୟାଲ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଜୁୟାଲଟି ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ବରିଣ୍ଡିପଡା ଗାଁର। ଏହି ଗାଁ ର ଲୋକେ ଖାଡଗା ନଦୀରୁ ବାହାରିଥିବା ଏକ ଶାଖା କାଲିପେନୁ ନାଳର ଦୁଇପଟେ ତାର ଖଂଜି ନଦୀ ପାର ହେଉଛନ୍ତି। ଏଥିରେ କୁହାଯାଇଛି ଯେ, ଓଡିଶା ସରକାର ଭଲ କାମ କରୁଛନ୍ତି ବୋଲି ଦେଖାଇ ହେଉଥିବା ବେଳେ ଏହା ହେଉଛି ବାସ୍ତବ ଚିତ୍ର। ଏହାକୁ ନେଇ ବହୁ ଲୋକ ବହୁ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି।

ତେବେ ଏହି ଭିଜୁୟାଲ ଏବଂ ଫଟୋଗୁଡିକୁ ବିଭିନ୍ନ ସାମ୍ବାଦିକ ଏବଂ ବିଶିଷ୍ଠ ବ୍ୟକ୍ତିମାନେ ମଧ୍ୟ ସେୟାର କରିବାରେ ଲାଗିଛନ୍ତି। ମାତ୍ର ଅଳ୍ପଦିନ ମଧ୍ୟରେ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଜୁୟାଲ ଓ ଫଟୋଗୁଡିକ ଅନୁଧ୍ୟାନ କଲେ ଜଣାପଡିଛି ଯେ ତାହା ସଂପୂର୍ଣ୍ଣ ଠିକ ଅଛି। ଯେଉଁ ସ୍ଥାନ ଏବଂ ଗାଁର ଲୋକେ ଏହି ତାର ଉପରେ ଯାଉଛନ୍ତି ତାହା ମଧ୍ୟ ସତ। ଫଟୋ ଏବଂ ଭିଡିଓରେ କୌଣସି ପ୍ରକାରର ଏପଟସେପଟ ମଧ୍ୟ କରାଯାଇ ନାହିଁ। ହେଲେ ପ୍ରକୃତ ଘଟଣା ଯଦି ଜାଣିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଘଟଣାଟି ହେଲା ପାଞ୍ଚ ବର୍ଷ ତଳେ କାଲିପେନୁ ନାଳ ଉପରେ ଏକ ଭଲ ବ୍ରିଜଟିଏ ନିର୍ମାଣ କରାଯାଇଛି। ସେହି ବ୍ରିଜ ଉପରେ ଲୋକେ ଯିବା ଆସିବା ମଧ୍ୟ କରୁଛନ୍ତି। ବରିଣ୍ଡିପଡା ଗାଁର ଲୋକେ ମଧ୍ୟ ସେହି ବ୍ରିଜରେ ଯିବା ଆସିବା କରନ୍ତି। ବ୍ରିଜଟି ବରିଣ୍ଡିପଡା ଗାଁ ସହିତ ଗୁଂଜିବାଡି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଛି। ତେବେ ଘଟଣା ହେଉଛି ଏହି ବ୍ରିଜଟି ଟିକିଏ ଦୂରରେ ରହିଛି। ଫଳରେ କେତେକ ଲୋକେ ଏତେ ଦୂର ନ ଯାଇ ଏପରି ବିପଦପୂର୍ଣ୍ଣ ତାର ଉପରେ ଯିବାକୁ ପସନ୍ଦ କରୁଛନ୍ତି।

ଏହି ବ୍ରିଜଟି ବିରିଣ୍ଡିପଡା ଗାଁରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି। ହେଲେ ସେହି ରାସ୍ତା ପାହାଡିଆ ହୋଇଥିବାରୁ ଲୋକେ ଯିବାକୁ ଚାହୁଁ ନାହିଁନ୍ତି। ଅନ୍ୟପଟେ ପଞ୍ଚାୟତ ଅଫିସକୁ ଏହି ବିପଦପୂର୍ଣ୍ଣ ତାର ରାସ୍ତା ପୁରା ପାଖ ହେଉଛି। ଅର୍ଥାତ ଯଦି ବ୍ରିଜ ପଟେ ଆପଣ ପଞ୍ଚାୟତ ଅଫିସକୁ ଯିବେ ତେବେ ଆପଣଙ୍କୁ ଆଉ ଅଧିକ 6 କିଲୋମିଟ ରାସ୍ତା ପଡୁଛି। କାରଣ ପ୍ରଥମେ ବ୍ରିଜକୁ ଯିବାକୁ ଦୁଇ କିଲୋମିଟର ପଡିବ, ଆଉ ସେହି ବ୍ରଜ୍ ରେ ଗଲେ ପଞ୍ଚାୟତ ଅଫିସଟି ଆଉ 4 କିମି ଅଧିକ ପଡୁଛି। ତେଣୁ ବିପଦ ହେଉ ପଛେ ରାସ୍ତା କମାଇବା ପାଇଁ ଲୋକେ ଏହି ତାରା ରାସ୍ତାକୁ ସୁବିଧା ବୋଲି ଭାବି ନେଇଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ବାଲିଗୁଡା ପ୍ରଶାସନ ସେହି ତାରଗୁଡିକୁ ବାହାର କରି ଦେଇଛନ୍ତି। ଲୋକମାନେ ଏପରି ବିପଦପୂର୍ଣ୍ଣ ଭାବେ ନ ଯାଇ ବ୍ରିଜରେ ଯାଆନ୍ତୁ ବୋଲି ପ୍ରଶାସନ ଲୋକଙ୍କୁ ଅନୁରୋଧ କରୁଛି ବୋଲି ବାଲିଗୁଡା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କହିଛନ୍ତି। ସେହିପରି ଗୁଂଜିବାଡି ସରପଞ୍ଚ ଲିଙ୍ଗରାଜ ପ୍ରଧାନ ମଧ୍ୟ ଲୋକମାନେ ସେହି ତାରରେ ନ ଆସନ୍ତୁ ବୋଲି ଅନୁରୋଧ କରୁଛନ୍ତି।

ତେବେ ଓଡିଶାରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଭିଜୁୟାଲ ଓ ଫଟେ ରାଜନୈତିକ ପାଣିପାଗକୁ ବେଶ ଗରମ କରିଦେଇଛି।

Related posts