ଭୋପାଳ, ଇନ୍ଦୋରର ଏକ ହସ୍ପିଟାଲରୁ ଜଣେ ମହିଳା ନର୍ସ ବେଶରେ ଆସି ଏକ ପାଞ୍ଚଦିନର ଛୁଆକୁ ଚୋରୀ କରି ନେଇଛି। ହେଲେ ରାସ୍ତାରେ ଛୁଆକୁ ନେଲା ବେଳେ ଜୋରରେ କାନ୍ଦିବାରୁ ତାକୁ ତଳେ ଛାଡି ଦେଇ ଚୋରଣୀ ଫେରାର ହୋଇଯାଇଛି। ପରେ ମୁନସିପାଲିଟ ଲୋକେ ସଫା କରୁଥିବା ବେଳେ ଛୁଆ କାନ୍ଦ ଶୁଣି ଉଦ୍ଧାର କଲେ। ପୋଲିସକୁ ଖବର ଦେବା ପରେ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ। ପରେ ଜଣାପଡିଲା ଯେ ଏହି ଶିଶୁଟି ଏକ ହସପିଟାଲରୁ ଚୋରୀ କରାଯାଇଛି। ସେହି ଅନୁସାରେ ହସପିଟାଲ କର୍ତ୍ତୁପକ୍ଷ ଏବଂ ଶିଶୁର ପିତାମାତାଙ୍କୁ ଯାଞ୍ଚ ପରେ ଛୁଆକୁ ପ୍ରଦାନ କରାଯାଇଛି। ତେବେ ଏହାକୁ ନେଇ ଇନ୍ଦୋର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।
ପୋଲିସର କହିବା ଅନୁସାରେ ନଭେମ୍ବର 15 ତାରିଖରେ ଇନ୍ଦୋରର ମାଇଁ ହସ୍ପିଟାଲରେ ରାନୀ ବିୟାନି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେ ଡାକ୍ତରଖାନାର ପଞ୍ଚମ ମହଲାରେ ରହୁଥିଲେ। ସନ୍ଧ୍ୟାରେ ଜଣେ ମହିଳା ନର୍ସ ବେଶରେ ତାଙ୍କ ରୁମକୁ ଆସିଥିଲେ। ଏହି ମହିଳା ଜଣକ ଶିଶୁର ହୃଦସ୍ପନ୍ଦନ ଯାଞ୍ଚ ନାମରେ ଶିଶୁଟିକୁ ତାଙ୍କ ରୁମରୁ ନେଇଯାଇଥିଲେ। ଯେତେବେଳେ ସେ ଦୀର୍ଘ ସମୟ ଧରି ଫେରି ନ ଥିଲେ, ପରିବାର ଲୋକ ଶିଶୁକୁ ଖୋଜିବା ଆରମ୍ଭ କଲେ। ପୁରା ହସ୍ପିଟାଲରେ ଖୋଜାଖୋଜି କରାଯାଇଥିଲା, କିନ୍ତୁ ନା ପିଲାଟି ମିଳିଥିଲା ନା ନର୍ସ ଭାବେ ଆସିଥିବା ମହିଳା।
ହତାସ ହୋଇ ଶିଶୁର ପରିବାର ଲୋକେ ନିକଟସ୍ଥ ଥାନାରେ ଏକ ଏଫଆଇଆର ଦାଖଲ କଲେ। ଘଟଣା ସଂପର୍କରେ ପୋଲିସ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୋଲିସ ଡିଜି ହରିନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାର ସିସିଟିଭି ଫୁଟେଜରେ ଖୋଜାଖୋଜି କରାଯାଇଥିଲା। ଜଣାପଡିଥିଲା ଯେ, ଶିଶୁଟିକୁ ଚୋରି କରିଥିବା ମହିଳା ଏକ ଦୁଇ ଚକିଆ ଗାଡିରେ ନେଇ ପଳାଇଥିଲା। ଫଳରେ ପୋଲିସ ବର୍ତ୍ତମାନ ଏହିପରି ଦୁଇ ଚକିଆ ଗାଡି ଖୋଜିବା ପାଇଁ ପ୍ରାୟ 450 ଜଣଙ୍କ ପାଖରେ ପହଞ୍ଚିସାରିଛି। ହେଲେ ସେ ମହିଳାର କୌଣସି ସୁରାକ ମିଲିପାରି ନାହିଁ। ଏହା ପରେ ପୋଲିସ ମହିଳାଙ୍କୁ ଧରିବା ପାଇଁ 20,000 ଟଙ୍କା ପୁରସ୍କାର ଘୋଷଣା କରିଛି।