ଡିସେମ୍ବର 12 ତାରିଖରେ ଆରମ୍ଭ ହୋଇପାରେ ସାମୁହିକ କୋଭିଡ 19 ଟୀକାକରଣ, ଅନୁମତିକୁ ଅପେକ୍ଷା

Published: Nov 23, 2020, 4:13 am IST

ୱାସିଂଟନ, କରୋନା ମହାମାରୀକୁ ନେଇ ବିଚଳିତ ହୋଇଥିବା ବିଶ୍ୱ ବର୍ତ୍ତମାନ ଏହାର ଟୀକା ଉପରେ ନଜର ରଖିଛି। ଏହି ଦିଗରେ ସମସ୍ତ ଦେଶ ଅତୁଳନୀୟ ଉଦ୍ୟମ କରିବାରେ ଲାଗିଛନ୍ତି। ଏହି ସମୟରେ ଟୀକା ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାରେ କରୋନା ଟୀକା କାର୍ଯ୍ୟକ୍ରମର ମୁଖ୍ୟ ମୋନସେଫ ସାଲୁଇ କହିଛନ୍ତି ଯେ କରୋନା ଭୂତାଣୁ ପାଇଁ ପ୍ରଥମ ଟୀକା 11 ଡିସେମ୍ବରରେ ଆମେରିକାରେ ଆରମ୍ଭ ହୋଇପାରେ।

ବାସ୍ତବରେ, କରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକାର ବଡ କଂପାନୀ ଫାଇଜର ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବା FDAକୁ ଏକ ଆବେଦନ କରିଛି। ଏଥିରେ କଂପାନୀ ଟିକାକୁ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଅନୁମତି ମାଗିଛି। ଏହାକୁ ନେଇ 10 ଡିସେମ୍ବରରେ FDAର ଭ୍ୟାକ୍ସିନ୍ ପରାମର୍ଶଦାତା କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

ଆମେରିକୀୟ କମ୍ପାନୀ ଫାଇଜର କରୋନା ଭୂତାଣୁ ପାଇଁ 95% ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରିଛି। ଏହି ଟୀକା ସାଧାରଣ ଲୋକଙ୍କୁ ଦେବା ପାଇଁ ଆମେରିକା ସରକାରଙ୍କ ତରଫରୁ ଜରୁରୀକାଳୀନ ଅନୁମତି ଚାହୁଁଛି। ଫାଇଜର କଂପାନୀ କହିଛି ଅନୁମତି ମିଳିଗଲେ ଏହାର ଜରୁରୀକାଳୀନ ବ୍ୟବହାର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇପାରିବ।

ନ୍ୟୁଜ ଚ୍ୟାନେଲ ସିଏନ୍ଏନ୍ ସହ ଏକ ସାକ୍ଷାତକାରରେ ସାଲୁଇ କହିଛନ୍ତି ଯେ ଯଦି 10 ତାରିଖ  ବୈଠକରେ ଅନୁମତି ଦିଆଯାଏ ତେବେ ତା ପରଦିନ ଏହି ଟିକା ଉପଲବ୍ଧ ହୋଇପାରିବ। ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି କିପରି ଅନୁମୋଦନ ହେବାର 24 ଘଣ୍ଟା ମଧ୍ୟରେ ଟୀକାକରଣ କରାଯିବ।

ତେଣୁ ସୁଲୁଇ ଆଶା କରିଛନ୍ତି ଯେ 11 କିମ୍ବା 12 ଡିସେମ୍ବର ସୁଦ୍ଧା ଏହି ଟୀକାକରଣ ହୋଇପାରେ। ଫାଇଜର କଂପାନୀ କହିଛି ଯେ ଏହି ଟିକା ପରୀକ୍ଷଣର ଅନ୍ତିମ ଫଳାଫଳରୁ ଏହା 95 ପ୍ରତିଶତ ସଫଳ ହୋଇଛି । ତେଣୁ ସାମୁହିକ ଟୀକାକରଣ ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଉଛି। ଯଦି ଆମେରିକାରେ ଏହି ସାମୁହିକ ଟୀକାକରଣ ଆରମ୍ଭ ହୁଏ ତେବେ ଏହା ପୃଥିବୀରେ ପ୍ରଥମ ହେବ। ( ଏଜେନ୍ସି)

Related posts