ସତରେ ପରୀ ପାଇଁ ରାଜ୍ୟ ବିଜେପି କାନ୍ଦୁଛି, ନା ରାଜନୀତି ରୁଟି ସେକା!

Published: Dec 5, 2020, 5:15 am IST

ଭୁବନେଶ୍ୱର: ନୟାଗଡ଼ର କୁନିଝିଅ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ସରିନି। ଏସଆଇଟିକୁ ଏହାର ତଦନ୍ତଭାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ବିରୋଧୀଙ୍କ ମନ ବୁଝୁନି। ବିଧାନସଭାରେ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିବା ପରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସରକାର ଏସଆଇଟି ଗଠନ କଲେ।

ଏହାପରେ ଏହି ଘଟଣାରେ ସାମୟିକ ବିରାମ ଲାଗିଥିଲେ ବି ରାଜ୍ୟ ବିଜେପି କିନ୍ତୁ ଏହାକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ କରିଛି। ରାଜରାସ୍ତାଠୁ ଆରମ୍ଭ କରି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ପର୍ଯ୍ୟନ୍ତ ପହଞ୍ଚିଗଲେଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକକୁ ଏସଆଇଟି ଜେରା କରିଛି। ଏଥିରେ ଯେଉଁମାନଙ୍କ ନାଁ ଆସୁଛି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା ଚାଲିଛି।

ଅନ୍ୟପଟେ ନୟାଗଡ଼ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦିଲ୍ଲୀ ଡାକରା ଆସିଛି। କେଉଁ ପରିସ୍ଥିତିରେ ପରୀ ହତ୍ୟାକାଣ୍ଡ ତଦନ୍ତ ଆଗକୁ ବଢ଼ିଲାନି ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ଖୋଳତାଡ଼ ହେବ। ହେଲେ ବିଜେପି ମହିଳା ମୋର୍ଚ୍ଚା ଯେଭଳି ଢଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନରେ ଧସେଇ ପଶିବା ଉଦ୍ୟମ କରିଛି, ତାହା ଅଧିକ ପ୍ରଶ୍ନବାଚୀ ସୃଷ୍ଟିକରିଛି। କାରଣ ଯେଉଁ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ସବୁପ୍ରକାର ଉଦ୍ୟମ କରୁଛନ୍ତି ସେଥିରେ ବିରୋଧୀ ଦଳ ଏତେ ବିବ୍ରତ କାହିଁକି ?

ହୁଏତ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ନିକଟରେ ଅନ୍ୟ କିଛି ପ୍ରସଙ୍ଗ ନଥିବାରୁ ପରୀ ଅସ୍ତ୍ରରେ ରାଜନୀତି କରିବା ଲକ୍ଷ୍ୟ ରହିଛି।

Related posts