ଓଡିଶାରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ଚକା ଜାମ, ରେଳ ଚଳାଚଳ ପ୍ରଭାବିତ

Published: Dec 8, 2020, 10:06 am IST

ଭୁବନେଶ୍ବର, କୃଷି ବିଲ ପ୍ରତ୍ୟାହାର ଦାବୀରେ ଚାଷୀ ସଂଗଠନ ତରଫରୁ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଓଡିଶାରେ ଦେଖାଦେଇଛି। ଆଜି ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ମଧ୍ୟ ଆନ୍ଦୋଳନକାରମାନେ ବସି ରହିଛନ୍ତି। ଫଳରେ ସକାଳୁ ରେଳ ଏବଂ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଭୁବନେଶ୍ବରରେ ବିକ୍ଷୋଭକାରୀମାନେ ମାଷ୍ଟର କ୍ୟାଣ୍ଟିନରୁ ଏକ ରାଲିରେ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ଏଥିରେ ଚାଷୀ ସଂଗଠନ ସହିତ ବାମଦଳ ଏବଂ କଂଗ୍ରେସ ମଧ୍ୟ ସାମିଲ ହୋଇଛି। କଂଗ୍ରେସ ତରଫରୁ ଏକ ବାଇକ ରାଲି କରାଯାଇଛି।ଏହି ଆନ୍ଦୋଳନକୁ 14ଟି ରାଜନୈତିକ ଦଳ ସମର୍ଥନ କରୁଥିବାରୁ ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି।

ବ୍ରହ୍ମପୁରରେ ବିକ୍ଷୋଭକାରୀମାନେ ରେଳ ଧାରଣାରେ ବସି ରହିଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ବିକ୍ଷୋଭକାରୀ ରାଲି କରି ଏହି ବନ୍ଦକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି। ଫଳରେ ବହ୍ମପୁରରେ ଦୋକାନ ବଜାର ବନ୍ଦ ରହିଛି।

ସେହିପରି କଟକରେ ମଧ୍ୟ ଆନ୍ଦୋଳନକାରୀମାନେ ବିକ୍ଷୋଭକୁ ଜୋରଦାର କରିଛନ୍ତି। ଆନ୍ଦୋଳନକାରୀମାନେ କଟକ ଷ୍ଟେସନ, ବାଦାମବାଡି ବସଷ୍ଟାଣ୍ଡ ପ୍ରଭୁତି ସ୍ଥାନରେ ବିକ୍ଷୋଭ କରିଛନ୍ତି। ଫଳରେ ବସ ଚଳାଚଳ ମଧ୍ୟ ସକାଳୁ ପ୍ରଭାବିତ ହୋଇଛି।

Related posts