ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଲେଣି ପ୍ରାୟ ୧୦,୮୦୦ ଭାରତୀୟ

Published: Mar 4, 2022, 7:53 pm IST

ନୂଆଦିଲ୍ଲୀ: ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୭ଟି ସ୍ୱତନ୍ତ୍ର ବିମାନ ଭାରତ ଫେରିଛି। ଏଥିମଧ୍ୟରେ ୧୪ଟି ବେସାମରିକ ବିମାନ ରହିଥିବା ବେଳେ ଭାରତୀୟ ବାୟୁସେନାର ୩ଟି ସି-୧୭ ବିମାନ ରହିଛି। ଆଜି ରାତି ସୁଦ୍ଧା ଆଉ ଏକ ବେସାମରିକ ବିମାନ ଫେରିବ ବୋଲି ଆଶା କରାଯାଉଛି। ବେସାମରିକ ବିମାନରେ ୩୧୪୨ ଜଣ ଯାତ୍ରୀ ଫେରିଛନ୍ତି। ସି-୧୭ ବିମାନରେ ୬୩୦ ଜଣ ନାଗରିକ ଉଦ୍ଧାର ହୋଇଛନ୍ତି। ଏବେ ସୁଦ୍ଧା, ୪୩ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୯୩୬୪ ଜଣ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇଛି।

ଭାରତୀୟ ବାୟୁସେନାର ୭ଟି ସି-୧୭ ବିମାନରେ ୧୪୨୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯.୭ ଟନ୍‌ ରିଲିଫ ସାମଗ୍ରୀ ପଠାଯାଇଛି। ଆଜି ବୁକାରେଷ୍ଟରୁ ୪ଟି, କୋସିଚେରୁ ୨ଟି, ବୁଦାପେଷ୍ଟରୁ ୪ଟି, ରେସେଜୋରୁ ୩ଟି ଏବଂ ସୁଚେଭାରୁ ୨ଟି  ବେସାମରିକ ବିମାନ ଫେରିଛି। ଅନ୍ୟପଟେ ଭାରତୀୟ ବାୟୁସେନାର ୨ଟି ବିମାନ ବୁକାରେଷ୍ଟରୁ ଏବଂ ଗୋଟିଏ ବୁଦାପେଷ୍ଟରୁ ଫେରିଛି।

ଆସନ୍ତକାଲି, ୧୧ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୨ଶହରୁ ଅଧିକ ଭାରତୀୟ ଫେରିବେ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀରେ ୧୦ଟି ଏବଂ ମୁମ୍ବାଇରେ ଗୋଟିଏ ବିମାନ ଅବତରଣ କରିବ। ବୁଦାପେଷ୍ଟରୁ ୫ଟି, ରେସେଜୋରୁ ୨ଟି ଏବଂ ସୁଚେଭାରୁ  ୪ଟି ବିମାନ ଭାରତ ଆସିବ। ରୋମାନିଆ, ପୋଲାଣ୍ଡ ଏବଂ ସ୍ଲୋଭାକିଆରୁ ୪ଟି ସି-୧୭ ବିମାନ ଆଜି ବିଳମ୍ବିତ ରାତି ଏବଂ ଆସନ୍ତକାଲି ସକାଳେ ଭାରତରେ ପହଞ୍ଚିବା ନେଇ ଆଶା କରାଯାଉଛି।

Related posts