ପାକିସ୍ତାନରେ ଭୟଙ୍କର ବନ୍ୟା, ୧୬୦୦ ରୁ ଅଧିକ ମୃତ୍ୟୁ, ସବୁ ସ୍ଥାନରେ ବିନାଶ ଓ ଅନାହାର

Published: Sep 25, 2022, 12:01 pm IST

ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ଷା ଦ୍ଵିତୀୟ ସମସ୍ୟା ହୋଇ ଠିଆ ହୋଇଛି। ଏବେ ଭୟଙ୍କର ବନ୍ୟା ଯୋଗୁଁ ପରିସ୍ଥିତି ଅଧିକ ଖରାପ ହେବାକୁ ଲାଗୁଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୧୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲୋକମାନେ ଜଳଜନିତ ରୋଗ ହେବାର ଆଶଙ୍କା ଅଧିକ। ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବନ୍ୟା ଯୋଗୁଁ ଦେଶରେ ୪୦ ବିଲିୟନ ଡଲାରରୁ ଅଧିକ ଅର୍ଥନୈତିକ କ୍ଷତି ହୋଇପାରେ। ଏକ ରିପୋର୍ଟରେ ଏହା ଆକଳନ କରାଯାଇଛି।

ପାକିସ୍ତାନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଅନାହାର ଏବଂ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପାଇଁ ମାନବିକ ସହାୟତା ପାଇଁ ଉଜବେକିସ୍ତାନର ରାଷ୍ଟ୍ରପତି ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିଜେ ଏସସିଓ ଶିଖର ସମ୍ମିଳନୀରେ ବନ୍ୟା ପରିସ୍ଥିତି ବିଷୟରେ କହିବାବେଳେ ଭାବପ୍ରବଣ ହୋଇଥିଲେ। ସେ ଏହାକୁ ପାକିସ୍ତାନ ପାଇଁ ସବୁଠାରୁ ଖରାପ ପରିସ୍ଥିତି ବୋଲି ବର୍ଣ୍ଣନା କରିଥିଲେ।

ପାକିସ୍ତାନରେ ପରିସ୍ଥିତି

ତୁରନ୍ତ ସହାୟତା ଆବଶ୍ୟକ କରୁଥିବା ପାକିସ୍ତାନରେ ହୋଇଥିବା ବନ୍ୟାରେ ୩.୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସାରା ଦେଶରେ ବହୁ ସଂଖ୍ୟକ ଘର ନଷ୍ଟ ହୋଇଯାଇଛି, କ୍ଷେତ ନଷ୍ଟ ହୋଇଯାଇଛି ଏବଂ ପେଟ୍ରୋଲ ପମ୍ପ ଜଳମଗ୍ନ ହୋଇଛି। ଲକ୍ଷ ଲକ୍ଷ ଲୋକ ରାସ୍ତାରେ ଆସିବାକୁ ବାଧ୍ୟ ହେଉଛନ୍ତି। ଏହି ବନ୍ୟାରେ ସିନ୍ଧ ପ୍ରଦେଶରେ ସର୍ବାଧିକ ଧ୍ୱଂସ ଘଟିଛି।

ରୋଗ ବ୍ୟାପିବାର ଆଶଙ୍କା:

ଭୟଙ୍କର ବନ୍ୟା ପରିସ୍ଥିତି ପରେ ପାକିସ୍ତାନରେ ଜଳ ଜନିତ ରୋଗ ଆରମ୍ଭ ହେବାର ଆଶଙ୍କା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ପାକିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ବ୍ୟାହତ ହୋଇଛି, ଯେଉଁ କାରଣରୁ ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଇଁ ଉପଲବ୍ଧ ନାହିଁ ଏବଂ ଏହା ହଇଜା ଏବଂ ଅନେକ ରୋଗର କାରଣ ହୋଇପାରେ।

ଏକ ରିପୋର୍ଟରୁ ଜଣାପଡିଛି ଯେ, ବର୍ତ୍ତମାନ ସୁଦ୍ଧା ବନ୍ୟା ଦ୍ୱାରା ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୬୪ ଲକ୍ଷ ଲୋକ ମାନବିକ ସହାୟତା ଆବଶ୍ୟକ କରୁଛନ୍ତି। ଏଥିମଧ୍ୟରେ ୧୬ ଲକ୍ଷରୁ ଅଧିକ ମହିଳା ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ଏକ ଲକ୍ଷ ୩୦ ହଜାର ଗର୍ଭବତୀ ମହିଳା ତୁରନ୍ତ ସାହାଯ୍ୟ ଆବଶ୍ୟକ କରନ୍ତି। ବନ୍ୟା ଯୋଗୁଁ ମହିଳାଙ୍କ ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି।

Related posts