ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାକିସ୍ତାନକୁ ତାଗିଦ୍: କହିଲେ, ଦୁନିଆର ସବୁଠାରୁ ବିପଜ୍ଜନକ ଦେଶ

Published: Oct 15, 2022, 12:19 pm IST

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ତାଗିଦ୍ କରିଛନ୍ତି। ସେ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି ବର୍ଣ୍ଣନା କରିଛନ୍ତି। ଡେମୋକ୍ରାଟିକ କଂଗ୍ରେସ ଅଭିଯାନ କମିଟି ପାଇଁ ଏକ ରିସେପ୍ସନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ମୁଁ ଭାବୁଛି ପାକିସ୍ତାନ ବୋଧହୁଏ ଦୁନିଆର ସବୁଠାରୁ ବିପଜ୍ଜନକ ଦେଶ। ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ଆଣବିକ ଅସ୍ତ୍ର ଅଛି, କିନ୍ତୁ ସୁରକ୍ଷିତ ନୁହେଁ।

ଏହାପୂର୍ବରୁ ଆମେରିକା ଭାରତ ଏବଂ ପାକିସ୍ଥାନ ବିଷୟରେ ଏକ ବଡ ବିବୃତ୍ତି ଦେଇଥିଲା। ହ୍ଵାଇଟ ହାଉସର ଅଧିକାରୀମାନେ କହିଥିଲେ ଯେ, ଆମେରିକା ଉଭୟ ଦେଶ, ଭାରତ ଏବଂ ପାକିସ୍ଥାନ ସହ ଥିବା ସମ୍ପର୍କକୁ ସମାନ ଦୃଷ୍ଟିରୁ ଦେଖେ ନାହିଁ, ଉଭୟ ଭିନ୍ନ ଭିନ୍ନ ଉପାୟରେ ଆମେରିକାର ଅଂଶୀଦାର ଅଟନ୍ତି।

ବାଇଡେନ ପ୍ରଶାସନର ଏହି ବିବୃତ୍ତି ଏକ ସମୟରେ ଆସିଛି ଯେତେବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ପାକିସ୍ତାନକୁ ସର୍ବଶେଷ ଆମେରିକୀୟ ଏଫ-୧୬ ସୁରକ୍ଷା ସହାୟତା ଯୋଗାଇଦେବା ନେଇ ପ୍ରଶ୍ନ ଉଠାଇଥିଲେ। ଜୟଶଙ୍କର କହିଥିଲେ ଯେ, କେଉଁଠାରେ ଏବଂ କାହା ବିରୋଧରେ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରାଯାଏ ତାହା ସମସ୍ତେ ଜାଣନ୍ତି।

ନିକଟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ସମୟରେ ପାକିସ୍ତାନ ପୁଣି ଥରେ କାଶ୍ମୀର ରାଗ ଜପ କରିଥିଲା। ଜାତିସଂଘ ସାଧାରଣ ସଭାରେ ଋଷ-ୟୁକ୍ରେନ ବିବାଦ ସମ୍ପର୍କରେ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ବୁଧବାର (ଅକ୍ଟୋବର ୧୨) ପାକିସ୍ତାନ ଉପରେ କଡା ଟକ୍କର ଦେଇଛି। ଭାରତ ପାକିସ୍ତାନକୁ ନିନ୍ଦା କରି କହିଛି ଯେ, ଇସଲାମାବାଦର ଏପରି ବିବୃତ୍ତି ଅନ୍ତର୍ଜାତୀୟ ସମ୍ପ୍ରଦାୟର ‘ସାମୂହିକ ଅବମାନନା’ ଯୋଗ୍ୟ।

Related posts